Unknown

 

 

 

 

 

 

 

 

 

 

 

ସାତତାଳ ପଙ୍କ

ଯଦୁନାଥ ଦାଶ ମହାପାତ୍ର

 

ଏକ

 

ଗୌରୀଶଙ୍କର ପାର୍କ ପାଖରେ ଠିଆ ହେଇ ବିଡ଼ି ଟାଣୁଥିଲି ।

ରାସ୍ତାରେ ଭାରି ଗହଳ ଚହଳ । ରିକ୍‌ସା, ଘୋଡ଼ାଗାଡ଼ି, ଟାକ୍‌ସି, କାର୍‌, ଟାଉନବସ୍‍ର ଭିଡ଼ । ବେଳ ସେତେବେଳକୁ ଚାରିଟା ହେବ । ପାର୍କକୋଣରେ ମାଇକ୍‌ଟାଏ ବାନ୍ଧି କେଉଁ ଜଣେ ସାଧୁବାବା ଗୋହତ୍ୟା–ନିରୋଧ ବିଷୟରେ ଅନର୍ଗଳ ବକ୍ତୃତା ଦଉଥାନ୍ତି । ଫାଲ୍‌ଗୁନ ମାସ ହେଇ ଥିବାରୁ ଖରାର ପ୍ରକୋପ ଖୁବ୍‌ ବେଶୀ ନୁହେଁ ।

କଟକ ସହରର ରାସ୍ତା–ବିଦେଶୀ ପର୍ଯ୍ୟଟକମାନେ ଦେଖିଲେ ହୁଏତ କଟକ ସହରକୁ ସହର ବୋଲି ଗଣ୍ୟ କରିବେ ନାହିଁ; ତଥାପି ଏହା ସହର.....ଖାଲି ସାଧାରଣ ସହର ନୁହେଁ, ନଗର–ସିଟି ।

ଏକ କଟକ ସହର ସହିତ ମୋର ପରିଚୟ ବହୁତ ଦିନୁଁ । ପ୍ରଥମ ପରିଚୟଟା ହେଇଥିଲା ଅନେକଦିନ ତଳେ । ମୋଫସଲରୁ ମ୍ୟାଟ୍ରିକ ପାଶ୍‌ କରି ରେଭେନ୍‌ସା କଲେଜରେ ନାମ ଲେଖାଇବାବେଳେ ପ୍ରଥମ ସାକ୍ଷାତ । ପିଲାଦିନୁ ଜଣାଥିଲା–କଟକ ନଗର, ଧବଳ ଟଗର ଇତ୍ୟାଦି । ମାତ୍ର ସେଇ କଟକ ନଗରକୁ ଦେଖିଲେ ଯେ କେହି ସଭ୍ୟ ମଣିଷ ଯେ ନାସିକା କୁଂଚନ କରିବ, ଏ ଧାରଣା ପୂର୍ବେ ମୋର ନଥିଲା ।

ପଚିଶବର୍ଷ ତଳର କଟକ ସହର, ଆଉ ଆଜିର ଏଇ କଟକ ସହରକୁ ଯଦି ତୁଳନା କରାଯାଏ, ହୁଏତ ନିଃସନ୍ଦେହରେ କୁହାଯାଇପାରେ, ଆଜିର ଏଇ ସହରଟି ଅଧିକ ଅପରିଷ୍କୃତ, ଅସ୍ୱାସ୍ଥ୍ୟକର ସହରରେ ପରିଣତ ହେଇଚି । ବର୍ଷାଦିନର କଟକ ସହର କଥା ମନେପଡ଼ିଲେ ହୃତ୍‌କମ୍ପ ଜାତ ହୁଏ । ଗଳି ଭିତରେ ବିଂଶ ଶତାବ୍ଦୀର ପ୍ରଗତିଶୀଳ ନାଗରିକଗଣ ଯେଉଁଭଳି ଦୁର୍ବହ ଜୀବନ ଯାପନ କରନ୍ତି, ତାହା କେବଳ ସେଇମାନେହିଁ ଜାଣନ୍ତି । ଗଳିଗୁଡ଼ାକ ଅସହ୍ୟ ।

ଆଉ ପ୍ରଧାନ ରାସ୍ତା । ବିନୋଦବିହାରୀ ଛକରେ କେବେ ବର୍ଷା ହଉଥିବାବେଳେ ତୁମେ ଯଦି ଠିଆ ହେଇଯିବ–ବର୍ଷ ଛାଡ଼ିବାର ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ତୁମେ ଆଉ ଆସିପାରିବ ନାହିଁ ।

ନା ନା, ଆସି ପାରିବ–ମାତ୍ର ଲୁଗାକୁ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଆଉ ଜୋତା ଦି’ପଟକୁ କୁକୁର କାନଭଳି ଝୁଲେଇ ଧରି ତୁମେ ଆସିପାର । ଆଉ ଯଦି ତୁମେ ପେଣ୍ଟ ପିନ୍ଧିଥିବ, ତେବେ କଥା ସରିଗଲା । ତୁମେ ସେଇଠି ବନ୍ଦୀ ହେଇଗଲ ଦି’ ଚାରି ଘଣ୍ଟା । ଯଦି ତୁମେ ନବବିବାହିତ ଚାକିରୀ କଲାବାଲା ହୋଇଥାଅ, ତେବେ ତୁମର ନବପରିଣିତା ସ୍ତ୍ରୀ ତୁମର ଏ ବିଳମ୍ବ ପାଇଁ କୌଣସି କୈଫିୟତ ଶୁଣିବାକୁ ପ୍ରସ୍ତୁତ ହେବେ ନାହିଁ । ତୁମେ ମହା ଅଡ଼ୁଆରେ ପଡ଼ିଯିବ । ଭାରି ମୁସ୍କିଲ....

ବିଡ଼ିଟା ସରି ଆସିଲା । ପକେଟରେ ହାତ ପୂରାଇଲି । ହଠାତ୍‌ ଆଉ ଗୋଟାଏ ଆରମ୍ଭ ନକଲେ ମୁଣ୍ତକୁ ରକ୍ତ ଉଠିଯାଇପାରେ । ଦୁଶ୍ଚିନ୍ତାଗୁଡ଼ାକ ପୁଣି ଠୁଳ ହେଇ ବିଭୀଶିକା ସୃଷ୍ଟି କରିପାରନ୍ତି ।

ପକେଟ୍‌ କିନ୍ତୁ ଶୂନ୍ୟ–ହାଏଦର ଅଲୀ ଦୋକାନରୁ ଅଧଘଣ୍ଟା ଆଗରୁ ଯେଉଁ ବିଡ଼ି କିଣିଥିଲି, ସେଇଟା ଶେଷ ହେଇଗଲାଣି ।

ଆରେ ! କେଡ଼େ ଦ୍ରୂତଗତିରେ ମୁଁ ବିଡ଼ି ଟାଣୁଚି ? ଏମିତି ଯଦି ଟାଣେ, ମୋର ଯତ୍‌କିଞ୍ଚିତ୍‌ ସମ୍ବଳକୁ ତ ଦିନ ଦୁଇଟାରେ ନିଃଶେଷ କରିଦେବି ।

ତଥାପି ଟାଣିବାକୁ ହବ । ବଞ୍ଚି ରହିବାକୁ ହେଲେ ମତେ ଅନବରତ ବିଡ଼ି ଟାଣିବାକୁ ପଡ଼ିବ । ଆର ପକେଟରେ ହାତ ପୂରାଇଲି । ଛୋଟ ଚକତିଟିଏ ଆଙ୍ଗୁଳିର ସଂସ୍ପର୍ଶରେ ଆସିଲା-। ମୁଁ ଖୁବ୍‌ ଉତ୍ସାହିତ ହେଇ ଏଇ ଗୋଲ୍‌ ପଦାର୍ଥଟିକୁ ବାହାର କରି ଆଣିଲି । ଚାରଣି ବା ପଚିଶ ପଇସା...ଏଇଥିରେ ଆଉ କି ବିଡ଼ି କିଣା ହେଇପାରିବ । ସଡ଼କକୁ ପାରହେଇ ଆର ପାଖକୁ ଯିବାକୁ ଉଦ୍ୟତ ହେଲି । ସେଇଠି ପାନ ଦୋକାନରେ ଲୋଭନୀୟ ଢଙ୍ଗରେ ବିଡ଼ି ବଣ୍ତିଲ୍‌ଗୁଡ଼ାକ ସଜାହେଇଚି ।

ସର୍ବନାଶ ! ସଡ଼କ ପାରି ହେବାବେଳକୁ ଡାହାଣ ଗୋଡ଼ର ଚପଲଟା ମତେ ଅସମ୍ଭବ ଭାବରେ ପ୍ରବଞ୍ଚନା କରି ସଡ଼କ ଉପରେ ରହିଗଲା । ଉଠେଇ ନବାକୁ ନଇଁ ପଡ଼ିବାବେଳକୁ ସାମନାରୁ ମାଡ଼ି ଆସିଲା ଗୋଟାଏ ଟାକ୍‌ସି... ସହସା ମୁଁ ଆଗକୁ ଡିଆଁ ମାରିଦେଲି । ଟାକ୍‌ସି ଦାଉରୁ ମୁଁ ରକ୍ଷା ପାଇଲି ସତ; କିନ୍ତୁ ମୋର ସେଇ ଚପଲଟି ଚକର ଆଘାତରେ କିଛି ବାଟ ଆଗେଇଗଲା ।

ଯାଉ ! ଚପଲଟାକୁ ଆଉ ଗୋଟେଇ ଆଣି ଲାଭ ନାହିଁ । ଚମଡ଼ା ହୋଇଥିଲେ ବା ଆଉ ଖଣ୍ତେ ଚମଡ଼ା ଗେଞ୍ଜାଗେଞ୍ଜି କରି କିଛିଦିନ ଚଳେଇ ନେଇ ହୁଅନ୍ତା; ମାତ୍ର ଦୁଇଟଙ୍କା ଦାମର ହାଓ୍ୟାଇ ଚପଲ ବର୍ଷେ ପିନ୍ଧିବା ପରେ ଅବଶିଷ୍ଟ ଆଉ କ’ଣ ରହନ୍ତା ଯେ, ମୁଁ ତା’କୁ ଉଠେଇ ଆଣି କାମରେ ଲଗାନ୍ତି ?

ଯାଉ ! ଯିବାରେ ଦୁଃଖ ନାହିଁ । କିନ୍ତୁ ଅଗତ୍ୟା ଖାଲି ପାଦ । ଆଉ ହଳେ ଚପଲ କିଣିବା ପାଇଁ ପାଖରେ ପଇସା ନାହିଁ । ହଠାତ୍‌ ମନେପଡ଼ିଲା ଆଜି ରାତିରେ ଖାଇବାର ଯୋଗାଡ଼ ମଧ୍ୟ କିଛି ନାହିଁ ।

ବିଡ଼ି ଟାଣିବାର ଇଚ୍ଛାଟା କମିଗଲା । ଶେଷ ସମ୍ବଳ ଚାରଣିଟିକୁ ହଠାତ୍‌ ହାତଛଡ଼ା କରିବାକୁ ଇଚ୍ଛା ହେଲା ନାହିଁ ।

ଫେରି ଆସିଲି । କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତି ଉପରେ ନଜର ପଡ଼ିଗଲା । ହଠାତ୍‌ କାହିଁକି କେଜାଣି ଦି’ ଆଖିରୁ ମୋର ଦି’ଧାର ଲୁହ ଝରିଆସିଲା । କବିବର ରାଧାନାଥ ଆଜି ଯେମିତି ଅସହାୟ ଅବସ୍ଥାରେ ତାଙ୍କର ବଂଶଧରମାନଙ୍କ ଉପରେ ଅଭିଶାପ ବର୍ଷଣ କରୁଛନ୍ତି ।

ବକ୍ତୃତା ଦଉଥିବା ‘ସାଧୁବାବା’ ଓଜସ୍ୱିନୀ ଭାଷାରେ ହିନ୍ଦୁ ସଂସ୍କୃତି ବିଷୟରେ କହୁଛନ୍ତି । ମୋର ମନେହେଲା–ଏଇ ବିରାଟ ହିନ୍ଦୁ ସଂସ୍କୃତି ଭିତରେ ଆମର ଏଇ ଓଡ଼ିଆ ସଂସ୍କୃତିର ସ୍ଥାନ କାହିଁ ? ଓଡ଼ିଶା ଆଜି ଖଣ୍ତିତ–ଓଡ଼ିଆ ଆଜି ଲାଞ୍ଛିତ–କଳିଙ୍ଗର କଳା-ଶ୍ରୀ ଆଜି ବିଲୁପ୍ତ ।

କବିବରଙ୍କର ଆମେ ବଂଶଧର । କିନ୍ତୁ ତାଙ୍କର ସ୍ୱପ୍ନ ଆଜି ବିଡ଼ମ୍ବିତ ।

ଭୁବନେଶ୍ୱର ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଆସି ଛିଡ଼ା ହେଲା । ଭିଡ଼ ବେଶୀ ନାହିଁ । ପାଞ୍ଚଟା ବାଜିଗଲାଣି...ରାଜଧାନୀକୁ ଯିବା ପାଇଁ ବର୍ତ୍ତମାନ ଆଉ ବସ୍‌ଯାତ୍ରୀ ବେଶୀ ନାହାନ୍ତି-

ଦୁଇ ମିନିଟ୍‌ ଛିଡ଼ା ହେଇ ବସ୍‍ ପୁଣି ଚାଲିଗଲା । ମୁଁ ଗୌରୀଶଙ୍କର ପାର୍କ ଭିତରକୁ ପଶିଲି । ମୋର ପରିଧାନ ଅଧା ଛିଣ୍ତା ପାଇଜାମା ଖୁବ୍‌ ବେଶୀ ଅପରିଷ୍କୃତ ନୁହେଁ–ପୂରାଶାର୍ଟ ଖଣ୍ତକ କଲର ଆଡ଼ୁ ଚିରିଆସିଛି । ମୁହଁରେ ସାମାନ୍ୟ ଦାଢ଼ି ।

 

ପାର୍କ ଭିତରେ ଅଳ୍ପ କିଛି ଲୋକ ଥିଲେ । ଘାସର ସବୁଜ-ଶ୍ରୀ ମନ ରାଜ୍ୟରେ ନୂଆ ଏକ ଉନ୍ମାଦନା ସୃଷ୍ଟିକଲା । ଏ ତ ଘାସ ନୁହେଁ–ଘାସ ରଙ୍ଗର ବିରାଟ ଏକ ଗାଲିଚା ।

 

ବୁଟ୍‍ପାଲିସ କଲାବାଲା ଛୋଟ ପିଲାଟିଏ ଛିଣ୍ଡା ମଇଳା ଶାର୍ଟ ଖଣ୍ଡେ ପିନ୍ଧି ସମସ୍ତଙ୍କ ପାଦକୁ ଚାହୁଁଚି । ତା’ର ଆଖି ଦୁଇଟା ହଠାତ୍‍ ଆସି ମୋରି ଗୋଡ଼ ପାଖରେ ଅଟକିଗଲା ।

 

ଏ ଯୁଗରେ ଏ ପୁଣି ସମ୍ଭବ ! ପିଲାଟି ଧୀରେ ଧୀରେ ମୋରି ଆଡ଼କୁ ଆଗେଇ ଆସିଲା-। –ବାବୁଜି ! ପୁରୁଣା ଚପଲ ହଳେ ନିଅନ୍ତୁ । ଦାମ ବେଶୀ ନୁହେଁ ।

 

ପୁରୁଣା ଚପଲ ହଳେ କାଠ ବାକ୍‌ସ ଭିତରୁ କାଢ଼ି ସେ ମୋ’ ଆଗରେ ଥୋଇଦେଲା । ମୋର ଦୁଇଟିଯାକ ଚକ୍ଷୁ ନିବନ୍ଧ ହୋଇଗଲା ସେଇ ପ୍ରାଣହୀନ ଚପଲ ଯୋଡ଼ାକ ଉପରେ । ମୁଁ ଯେମିତି ଅନୁଭବ କଲି, ଏଇ ଚପଲ ଯୋଡ଼ାକ ମୋତେ ଚାହିଁ ଉପହାସ କରୁଚି ।

 

କଣ ଅଛି ଏ ଚପଲରେ ! ହୁଏତ ଚପଲ ହଳେ ଗୋଡ଼ରେ ଅଛି ବୋଲି ମାନସିକ ସାନ୍ତ୍ୱନା ଆସିପାରେ...

 

ନିଅ ବାବୁଜି ! ବାର ଅଣା ପଇସା....

 

ହଠାତ୍‌ ଚପଲ ପ୍ରତି ମୁଁ ନିସ୍ପୃହ ହେଇଗଲି । ବାରଅଣା ପଇସା... ଏତେ ସମ୍ବଳ ତ ମୋର ନାହିଁ । ମୁଁ ନୀରବ । କ’ଣ ବା କହିବି ?

 

ୟା’ ଭିତରେ ବହୁତ ଦୃଷ୍ଟି ମୋ ଉପରେ ଯାଉଚି । ମୋର ଏଇ ଅଭିନବ ବେଶ ଦେଖି କିଏ ହୁଏତ ଭାବୁଚି, ମୁଁ ପିକ୍‌ପକେଟବାଲା; କେହି ବା ଭାବୁଥିବ ମୁଁ ଜଣେ ଗୁଣ୍ତା, ସୈତାନ୍‌, ଖୁଣୀ...

 

–ଆରେ ଯା, ମୋର ଚପଲ ଦରକାର ନାହିଁ ।

 

ନାଇଁ ବାବୁ, ଏମିତି କହିଲେ କ’ଣ ହବ ? କଟକ ସହରରେ ଖାଲି ଗୋଡ଼ରେ ଚାଲିବା ଭାରି ବିପଦ ବାବୁ । କେତେ ରକମ ରୋଗ ଆଜିକାଲି ଦେଖୁନାହଁ ? ଆଠଣା ପଇସା ଦେଇ ଏଇ ହଳକ ନିଅ । ଖୁବ୍‌ କମରେ ଦି’ମାସ ମାଡ଼ିବ ବାବୁଜି !

 

ମୁଁ କ୍ରମେ କ୍ରମେ ଆକୃଷ୍ଟ ହେଉଚି । ଚାରିଅଣା ପଇସାରେ ଯଦି ଦେଇ ଦିଅନ୍ତା, ତେବେ ମନ୍ଦ ହୁଅନ୍ତାନି...

 

ଠିକ୍‍ ଅଛି । ନିକାଲୋ ଚାରଣା...

 

ହଠାତ୍‌ ପକେଟ୍‌ ଭିତରେ ହାତ ପୂରେଇ ଚାରଣିଟି କାଢ଼ି ମୋଚି ପିଲାଟିକି ଦେଇଦେଲି-। ସେ ଚପଲ ଯୋଡ଼ାକ ମୋ ଗୋଡ଼ ପାଖରେ ରଖି ‘‘ଯୋତା ପାଲିସ୍‌, ଯୋତା ପାଲିସ୍‌’’ ଚିତ୍କାର କରି ଚାଲିଗଲା ।

 

ମୁଁ ଯାଇ ଗୋଟାଏ ବେଞ୍ଚ ଉପରେ ବସିଲି । ମନ ଭିତରେ ରାଇଜ ଯାକର ଚିନ୍ତା । ମୋର ଅତୀତ ଜୀବନ ପ୍ରେତ ଭଳି ମୋ ଆଗରେ ନୃତ୍ୟରତ ।

 

ମୁଁ ତ ଏହା କେବେ କଳ୍ପନା କରି ନଥିଲି ! ଜଣେ ଦୀନ ହୀନ ନିଃସ୍ୱ ବ୍ୟକ୍ତି ହେଇ ଖାଲି ହାତରେ କଟକ ସହରରେ ବୁଲି ମତେ ଯେ ଅନ୍ନ ସଂସ୍ଥାନ କରିବାକୁ ହବ, ବର୍ଷକ ତଳେ ଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ଭାଗ୍ୟ ବୋଲି ଯଦି କିଛି ଥାଏ, ତେବେ ବିଶ୍ୱାସ କରିବାକୁ ହେବ, ସେଇ ଭାଗ୍ୟ ହାତରେ ଆଜି ମୁଁ କ୍ରୀଡ଼ନକ । ଜୀବନରେ ବହୁତ ଧକା ପାଇଚି । ଭାଗ୍ୟ ମତେ ନେଇ ଖେଳ ଖେଳିଛି–ମୁଁ ହୋଇଛି ନିଃଶେଷ ।

 

ମୋରି ସାମନାରେ ଜଣେ ଲୋକ ବେଲୁନ୍‌ ବିକୁଛି–ଗ୍ୟାସ୍‍ ବେଲୁନ୍‌–ଭାରି ମଜାର ଜିନିଷ । ବେଲୁନ୍‌ଗୁଡ଼ାକ ଗ୍ୟାସ୍‍ର ଚାପରେ ଉପରକୁ ଉଠୁଚି, କେତେଗୁଡ଼ିଏ ପିଲା ଆସି ଇତିମଧ୍ୟରେ ସେଇ ବେଲୁନ୍‌ବାଲା ଚାରିପଟରେ ଘେରି ଗଲେଣି । ଗୋଟାକୁ ଦଶପଇସା ଦାମ । ଦଶ ପନ୍ଦର ମିନିଟ ଭିତରେ ତିନିଟଙ୍କା ବିକ୍ରି । ମନ୍ଦ କ’ଣ ?

 

ଆଉଟିକିଏ ଆଗକୁ ପିଲାଟିଏ ଚିନାବାଦାମ ଫେରି କରି ବିକୁଚି । ତା’ ପାଖରେ ବି ଭିଡ଼ କମ ନୁହେଁ ପାଞ୍ଚଟା ବେଳେ ପାର୍କ ଭିତରେ ସବୁଠୁ ବୋଧହୁଏ ବେଶୀ ବିକ୍ରି ହୁଏ ଚିନାବାଦାମ । ଦାନ୍ତଥିବା ପ୍ରତ୍ୟେକ ଲୋକ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଏଇ ଚିନାବାଦାମକୁହିଁ ଆଦର କରି ନିଅନ୍ତି ।

 

ଏମାନେ ସମସ୍ତେ ସାମାନ୍ୟ ଧନ୍ଦା କରି ଜୀବିକା ନିର୍ବାହ କରୁଛନ୍ତି ।

 

ହେଇ ତ, ଆଉ ଗୋଟିଏ ପିଲା ଖିଲ ପାନର ପସରା ଧରି ପାଟି କରୁଚି–ପାନ ଚାହି, ପାନ ଚାହି–ବଢ଼ିଆ ପାନ–ମସଲା ଦିଆ ପାନ–ଥରେ ଖାଇଲେ ସବୁଦିନେ ଚାହିଁବେ...

 

ପାନ ଖିଲେ ଖାଇବାକୁ ମନ ହଉଥିଲା; କିନ୍ତୁ ପାଞ୍ଚପଇସି ଗୋଟେ ବି ମୋ ପାଖରେ ନାହିଁ । ଅଗତ୍ୟା ମନକୁ ସେଥିରୁ ନିବୃତ୍ତ କଲି ।

 

ବିରାଟ ପୃଥିବୀରେ କାହାର ପେଟ ଅପୂରା ରହୁଚି ? ତେବେ ମୋର କାହିଁକି ରହିବ ? ପେଟ ପାଇଁ ମୁଁ କ’ଣ ଏମିତି କିଛି ଗୋଟେ ଧନ୍ଦା ବାଛି ନେଇ ପାରିବି ନାହିଁ ?

 

ମୋ ବିବେକ ଥରି ଉଠୁଥିଲା । ବି. ଏ. ପାଶ୍‌ କରି ମୁଁ ଯୋଉ ଡିଗ୍ରୀଟା ହାସଲ କରିଥିଲି, ସେ ମତେ ବାରଣ କରୁଥିଲା ।

 

ମୁଁ ହସିଉଠିଲି । ଏ ହସିବାର କାରଣ କ’ଣ ? ମୋର ମନେ ପଡ଼ୁଥିଲା ସେଇ ଯୋଉଦିନ ସମାବର୍ତ୍ତନ ଉତ୍ସବରୁ କଳା-ଗାଉନ୍‌ ମଣ୍ତିତ ହେଇ ବି. ଏ. ଡିଗ୍ରୀଟା ଚାନ୍‌ସେଲର୍‌ଙ୍କଠୁ ହାସଲ କରି ବାହାରି ଯାଇଥିଲି...ସେ ଦିନର ସେ ସ୍ୱପ୍ନ, ସେ ଆକାଂକ୍ଷା–ଆଜି କୁଆଡ଼େ ଗଲା ସେ ସବୁ !

 

ଦୁଇ ଜଣ ବୃଦ୍ଧ ଆସି ମୁଁ ବସିଥିବା ବେଞ୍ଚରେ ବସିଲେ । ବୋଧହୁଏ ଦୁଇଜଣଯାକ ରିଟାୟାର୍ଡ଼ ସରକାରୀ କର୍ମଚାରୀ । ପାକୁଆ ପାଟି ହେଇଗଲାଣି । ମୁଣ୍ତର କେଶ ଚୂନ ପରି ସଫେଦ-। ଏମାନଙ୍କର ଯେ ଜୀବନରେ କିଛି ପ୍ରୟୋଜନ ଅଛି, ମନେ ହୁଏନା । ତଥାପି ସେମାନେ ବଞ୍ଚି ରହିଛନ୍ତି–ବଞ୍ଚି ରହିବା ପାଇଁ ସଂଗ୍ରାମ କରୁଛନ୍ତି । ସେଇଥି ପାଇଁ ସେମାନଙ୍କର ଏ ସାନ୍ଧ୍ୟ ଭ୍ରମଣ ।

 

ବୃଦ୍ଧ ଦୁଇଜଣ ବସି ସେମାନଙ୍କ ଅତୀତ ଜୀବନକୁ ତର୍ଜମା କରୁଥିଲେ । କଥାବର୍ତ୍ତାରୁ ଜଣାପଡ଼ୁଥିଲା, ଜଣେ ଥିଲେ କୋଉ ଜଜ୍‌ଙ୍କ ପେସ୍କାର ଓ ଅନ୍ୟ ଜଣକ ବୋଧହୁଏ ପୂର୍ତ୍ତ ବିଭାଗର ଏକାଉଣ୍ଟେଣ୍ଟ୍‍ । ଚାକିରୀ ଜୀବନର ଉପୁରି ଆୟ ବିଷୟରେ ସେମାନେ ଆଲୋଚନା କରୁଥିଲେ । କୋଉଦିନ କାହାର ରୋଜଗାର ବେଶୀ ହେଇଚି, ଆଉ କୋଉଦିନ ଏଇ ଉପୁରି ନବାବେଳେ ସେମାନେ ବିପଦର ସମ୍ମୁଖୀନ ହେଇଚନ୍ତି, ସେଇ କଥାହିଁ ସେମାନଙ୍କର ମୁଖ୍ୟ ଆଲୋଚ୍ୟ ବସ୍ତୁ ଥିଲା । ଆଉ ଜଣେ ସମବୟସୀ ବୃଦ୍ଧ ଆସି ସେମାନଙ୍କ ସହ ଯୋଗ ଦେଲେ । ମାତ୍ର ବେଞ୍ଚଟିରେ ଆଉ ବସିବାକୁ ଜାଗା ନାହିଁ । ଆଗନ୍ତୁକ ଜଣକୁ ଦରଦଭରା ନୟନରେ ମୁର୍ହୁମୁହୁଃ ମୋ ଆଡ଼କୁ ଦୃଷ୍ଟି ନିକ୍ଷେପ କରୁଥିଲେ । ଉଦ୍ଦେଶ୍ୟ–ତାଙ୍କ ପାଇଁ ମୁଁ ବେଞ୍ଚଟା ଛାଡ଼ିଦିଏ ।

 

ଛାଡ଼ିଦବା ବରଂ ଭଲ । ମୋର ପ୍ରୌଢ଼ତ୍ୱ ସେମାନଙ୍କର ବାର୍ଦ୍ଧକ୍ୟ ନିକଟରେ ହାର୍‌ ମାନିଲା । ମୁଁ ବେଞ୍ଚ ଛାଡ଼ି ଉଠିପଡ଼ିଲି ।

 

ଆପଣ ବସନ୍ତୁ । ମୁଁ ଯାଉଛି ।

 

ମୁଁ ଠିଆହେଇ ପଡ଼ିବା ପରେ ବୃଦ୍ଧ ଜଣକ ତରତର ହେଇ ବସିପଡ଼ିଲେ–ମତେ ଧନ୍ୟବାଦଟାଏ ମଧ୍ୟ ଦବାର ଆବଶ୍ୟକତା ସେ ଉପଲବ୍‌ଧି କଲେ ନାହିଁ । ବସିପଡ଼ିବା ସଙ୍ଗେ ସଙ୍ଗେ ସେ ଗପରେ ମଜ୍ଜିଗଲେ ।

 

ମୁଁ ଟିକିଏ ଦୂରକୁ ଚାଲିଗଲି । ସୂର୍ଯ୍ୟାସ୍ତ ସମୟ । ସିନେମାରୁ ସଙ୍ଗୀତ ଶୁଭୁଚି । ଏଇ ସଙ୍ଗୀତ ସିନେମା-ରସିକମାନଙ୍କୁ ଆକୃଷ୍ଟ କରୁଚି । ଏଇଟା ବିଜ୍ଞାପନ ଯୁଗ ।

 

ଆଗରେ ନୀଳ ରଙ୍ଗର ଶାଢ଼ୀଟିଏ ପିନ୍ଧି ତରୁଣୀଟିଏ ଛିଡ଼ାହେଇଚି । ମୁହଁରେ ତା’ର ବ୍ୟସ୍ତତା । ଘନ ଘନ ଚାରିଦିଗକୁ ଚାହୁଁଚି । କାହାର ପ୍ରତୀକ୍ଷାରେ ଅଛି ମନେହୁଏ ।

 

ପାର୍କର ଫାଟକ ଆଡ଼କୁ ଚାହିଁ ବେଳେବେଳେ ମୁହଁରେ ବିରକ୍ତି ପ୍ରକାଶ କରୁଚି । ଘନଘନ ଚାହୁଁଚି ସାମନା ଦୋକାନ ଉପରେ ଥିବା ଟାଓ୍ୟାର୍‌ ଘଣ୍ଟାଟାକୁ ।

 

ବୋଧହୁଏ କୌଣସି ଏକ ସିନେମାର ନିର୍ଘଣ୍ଟ ଅଛି । ପୁରୁଷ-ସଙ୍ଗୀଟି କଣ୍ଟ ଦେଇ ଡେରି କରୁଚି । ତେଣୁ ଏହି ଅସ୍ଥିରତା ।

 

ମୁଁ ସେହି ତରୁଣୀଟିର ଆଉରି ପାଖକୁ ଚାଲିଗଲି । ବୟସ ହେବ ବାଇଶ୍‌ ତେଇଶ୍‌ । କିନ୍ତୁ ଏଇ ବୟସରେ ଯେତିକି ସ୍ୱାସ୍ଥ୍ୟ, ଯେତିକି ସୌନ୍ଦର୍ଯ୍ୟ ରହିବାର କଥା, ମନେହେଲା ସେତକ ନାହିଁ । ଯୌବନ ଉପରେ ହୁଏତ ଅଯଥା ଅତ୍ୟାଚାର କରାଯାଇଛି । ନୋହିଲେ ଯୌବନର ଏ ପରିଣତି କାହିଁକି ?

 

କିଛି ସମୟ ପରେ ଊଣେଇଶ କୋଡ଼ିଏ ବର୍ଷର ପିଲାଟିଏ ହସି ହସି ଆସିଲା । ମୁହଁରେ ତା’ର ଭାରି ବ୍ୟଗ୍ରତା । ଦେହରେ ପରିଧାନ ଫୁଲପେଣ୍ଟ୍‌ । ତାକୁ ଦେଖି ତରୁଣୀଟି ମଧ୍ୟ ଟିକିଏ ହସିଦେଲା ।

 

ଯାଃ କେତେ ଡେରି କଲୁ ବିନୋଦ । ମୁଁ ଅଧ ଘଣ୍ଟାଏ ହେଲା ଆସି ଅପେକ୍ଷା କରିଚି । ତରୁଣୀଟି କହିଲା ।

 

ବିନୋଦ ନାମଧାରୀ କିଶୋରଟି ଉତ୍ତର ଦେଲା–ବୁଝିଲ ଅପା, ସୁନା ଜିନିଷ କିନା, ଦୁଇ ଚାରି ଦୋକାନ ବୁଲି ଦର କଷିବାକୁ ପଡ଼ିଲା । ନେ, ଚାରିଶ ପଚିଶ ଟଙ୍କା । ହେଲେ ଅପା, ତୋର ଶେଷ ସମ୍ବଳ ସେଇ ହାରଟି ଏମିତି ଭାବରେ ବିକ୍ରି ହେଇଗଲା !

 

ତରୁଣୀ କହିଲା–କ’ଣ କରିବି ରେ ! ତୁ କ’ଣ ଜାଣିପାରୁନୁ ? ତୋ’ ଭିଣୋଇଙ୍କ ରୋଗର ଚିକିତ୍ସା ପାଇଁ ଟଙ୍କାର ଅତି ପ୍ରୟୋଜନ । ତୁରନ୍ତ ରକ୍ତ ଦେବା ଆବଶ୍ୟକ । ଡାକ୍ତର କହିଲେ–କାଲି ନିଶ୍ଚୟ ରକ୍ତ ଦେବାକୁ ପଡ଼ିବ । ସମ୍ବଳ ଆଉ କ’ଣ ଥିଲା ? ସେ ବଞ୍ଚିରହିଲେ ବହୁତ ହାର ମିଳିବ । ତାଙ୍କରି ଯୋଗୁ ତ ସବୁ କିଛି ।

 

ଟଙ୍କାଗୁଡ଼ିକ ନେଇ କିଶୋରୀଟି ତା’ ଭେନିଟୀ ବ୍ୟାଗ୍‌ ଭିତରେ ରଖିଦେଲା । ମୁଁ ଯାଉଛି ବିନୋଦ, ସେ ଭାରି ବ୍ୟସ୍ତ ହେଇ ପଡ଼ିବେଣି । ତୁ କାଲି ଆମ ଘରକୁ ଆ–

 

ଉଭୟ ଚାଲିଗଲେ ବିପରୀତ ଦିଗରେ, ମୁଁ ଖାଲି ଚାହିଁ ରହିଲି । ଛି, ଛି ମନଟା ମୋର ଏଡ଼େ ବିକୃତ ହେଇଯାଇଚି ! ଏଇ ମୁହୂର୍ତ୍ତକ ଆଗରୁ ଏଇ ତରୁଣୀକି ନେଇ ମୁଁ କୁତ୍ସିତ ଭାବରେ ଚିନ୍ତା କରିଚି–ତା’ର ନାରୀତ୍ୱ ପ୍ରତି ଅବମାନନା କରିଚି । ମୁଁ ଜାଣି ନଥିଲି ଏଇ ରୁଗ୍‌ଣ-ସ୍ୱାସ୍ଥ୍ୟା ମହିଳା ଏଭଳି ମହୀୟସୀ । ସ୍ୱାମୀ ତା’ର ରୋଗାକ୍ରାନ୍ତ–ଚିକିତ୍ସା ପାଇଁ ନିଜର ଶେଷ ସମ୍ବଳ ହାର ବିକ୍ରି କରିଚି ସେ–ମୋର ମସ୍ତକ ଆପେ ଆପେ ସେଇ ଅଜଣା ତରୁଣୀଟିର ଉଦ୍ଦେଶ୍ୟରେ ନଇଁଗଲା-

 

ମୁଁ ଆଉ କାଳ ବିଳମ୍ବ ନକରି ପାର୍କ ବାହାରକୁ ଆସିଗଲି । ରାସ୍ତାର ଭିଡ଼ ଆଉରି ବଢ଼ିଯାଇଚି । ରାସ୍ତାର ଆଲୋକ ଖୁଣ୍ଟିରେ ଆଲୋକ ସବୁ ଜଳି ଉଠିଲାଣି । ଦୋକାନଗୁଡ଼ାକ ମଧ୍ୟ ଆଲୋକିତ । ମତେ ବାଙ୍କାବଜାର ଯିବାକୁ ହେବ । ସେଇଠି ମୁଁ ଗୋଟିଏ ନବମ ଶ୍ରେଣୀ ଛାତ୍ରୀକୁ ଟିଉସନ୍‌ କରୁଚି । ତିରିଶ ଟଙ୍କା ଦରମା । ମୁଁ ଆଗେଇଗଲି ।

 

ରାସ୍ତାର ଟିଉବ୍‌ ଖୁବ୍‌ ସ୍ପଷ୍ଟ । ଗୋଟିଏ ଲାଇଟ୍ ଖୁଣ୍ଟ ତଳେ ଜଣେ ଭଦ୍ରମହିଳା ଛିଡ଼ା ହେଇଛନ୍ତି–ଏକାଟିଆ । ପାଖରେ ଆଉ କେହି ନାହାନ୍ତି । ମୁଁ ତାଙ୍କରି ପାଖଦେଇ ଆସିଲି । ଆରେ, ତାଙ୍କୁ ଦେଖି କେମିତି ଚିହ୍ନା ଚିହ୍ନା ମନେହେଲା । ପୂର୍ବରୁ ୟାଙ୍କୁ ମୁଁ ଦେଖିଚି ନିଶ୍ଚୟ ।

 

ମନରେ ଏମିତି ଦ୍ୱନ୍ଦ୍ୱ ଉଠିବାରୁ ମୁଁ ଠିଆ ହେଇଗଲି ।

 

ସେ ଦୁଇଟିଯାକ ଆଖି ମୋରି ମୁହଁ ଉପରେ ନିକ୍ଷେପ କଲେ । ଏଇ ଆଖି ଯେମିତି ମୋର ପରିଚିତ ।

 

ସେ ହଠାତ୍‌ କହିଲେ–କିଏ ? ତୁ ନୀଳୁ ନା ?

 

ନୀଳୁ ଅର୍ଥାତ୍‌ ନୀଳକଣ୍ଠ । ମୋ ନାଁଟା ତାଙ୍କ ମୁହଁରୁ ଶୁଣି ମୁଁ ଆଉରି ଚକିତ ହେଲି । ସ୍ମୃତିର ପରଦା ଉପରେ ଭାସିଗଲା–ଅତୀତର ଛାୟାଛବି ଭଳି । ଏ ତ ବିନୁଅପା–କଲେଜ ପଢ଼ା ଦିନର ସେଇ ମିସ୍‌ ବିନୋଦିନୀ ! ହଠାତ୍‌ ଏଇ ରାସ୍ତା ଉପରେ ଏମିତି ଏକା ଏକା ଠିଆହେଇଛି କାହିଁକି ?

 

–ଆରେ ନୀଳୁ, ବହୁଦିନ ପରେ ତୋ’ ସହିତ ଦେଖା ।

 

ବିନୁଅପା ସହିତ ମୋର ଏଇ ଅଚାନକ ଦେଖା ଅନେକ ଦିନ ପରେ, ହୁଏତ ଏମିତି ଦେଖା ହବ ବୋଲି ଆମେ ଆଶା କରି ନଥିଲୁ ।

 

ବିନୁଅପା କାଗଜର କେତେଗୁଡ଼ା ପ୍ୟାକେଟ୍‌ ହାତରେ ଧରିଥିଲା । ହଠାତ୍‌ ମୋ ପିଠିରେ ଚାପୋଡ଼ାଟେ ମାରି ସେ କହିଲା–ନୀଳୁ, ଏ କି ଚେହେରା ? କ’ଣ ତୋର ହେଇଚି କି ? ପଢ଼ୁଥିବା ବେଳେ ତ ବେଶ୍‌ ଗୋଲଗାଲ ଥିଲୁ । ଏଇ ବର୍ଷ କେତେଟା ଭିତରେ ଏମିତି କ’ଣ ହେଇଯାଉଚୁ ?

 

ବହୁତ ଗୁଡ଼ାଏ ପ୍ରଶ୍ନ । ଏ ସବୁ ପ୍ରଶ୍ନର ଉତ୍ତର ଯେ କ’ଣ ଦେବି, କିଛି ଭାବିପାରୁ ନଥିଲି-

 

ସେ ପୁଣି କହିଲା–ଦେଖା ହେଲା ଭଲ ହେଲା । ମଝିରେ ମଝିରେ ଏମିତିକା ପରିଚିତ ଲୋକଙ୍କ ସହିତ ଦେଖାହବା ଭଲ । ତୁ କ’ଣ ବର୍ତ୍ତମାନ ଏଇଠି ଅଛୁ ?

 

ତାହାର ଏ ପ୍ରଶ୍ନର ଉତ୍ତରରେ ମୁଁ କହିଲି–ହଁ, ଆପାତତଃ ଏଇଠି ଅଛି ।

 

ପୁଣି ସେ ପଚାରିଲା–ବସା କେଉଁଠି ?

 

ୟା’ର ଉତ୍ତର ମୁଁ କିଛି ଦେଲି ନି । ଓଲଟି ପଚାରିଲି, ତୁମେ କ’ଣ ବର୍ତ୍ତମାନ ଏଇ କଟକରେ ଅଛ ?

 

ବିନୁଅପା ନିସ୍ପୃହଭାବେ ଉତ୍ତର ଦେଲା–ହଁ, ଏଇଠି ମରୁଛି ।

 

ମରୁଛି–ଅର୍ଥାତ୍‌ ବିନୁଅପା ଜୀବନରେ କ’ଣ ଶାନ୍ତି ନାହିଁ ! ମୋ’ ଜାଣିବାରେ ତା’ର ତ କିଛି ଅଭାବ ନଥିଲା ! ତାହାହେଲେ ଏ ଢଙ୍ଗର କଥାବାର୍ତ୍ତା କାହିଁକି ?

 

ବିନୁଅପାର ବେଶ ପୋଷାକ ଦେଖିଲେ ତ ସେ ଦୁଃଖରେ ଅଛି ବୋଲି ମନେ ହୁଏ ନା-। ଦାମିକା ଶାଢ଼ୀ, ଦାମିକା ଚଟୀ, ଦାମିକା ଚଷମା, ଘଡ଼ି, ସବୁକିଛି ତ ତା’ ଦେହରେ ଅଛି । ଜୀବନର ପରିପୂର୍ଣ୍ଣତା ପାଇଁ କ’ଣ ତା’ର ଅଭାବ ?

 

ମୁଁ ଆଉ ଅଧିକ କିଛି ପଚାରିବାକୁ ସାହସ କଲି ନି । ସେ ପୁଣି କହିଲା–ନୀଳୁ, ତୋ ସହିତ ପ୍ରାୟ କୋଡ଼ିଏ ବର୍ଷ ପରେ ଦେଖା । ମଝିରେ ମଝିରେ ତୋ ଖବର ମୁଁ କିଛି ରଖିଥିଲି । ଦିନାକେତେ ତୁ ରାଜନୀତି କରୁଥିଲୁ । ଖବରକାଗଜରେ ତୋ ନାଁ ମୁଁ ଦେଖିଚି । ହେଲେ ଆଜି ଏମିତି ଅବସ୍ଥାରେ କଟକ ସହରର ରାସ୍ତାରେ ତୋତେ ଭେଟିବି ବୋଲି ମୁଁ ଆଶା କରି ନଥିଲି । ଦେଖା ହେଲାଣି ଯେତେବେଳେ ଘନିଷ୍ଠତାର ପୁନରାବୃତ୍ତି କରାଯାଉ । ମୋ ବସାଆଡ଼େ ଯିବୁ ?

 

ବସା କେଉଁଠି ?

 

ମୋ ସାଙ୍ଗରେ ଚାଲ । ମୁଁ ଏଠି ରିକ୍‌ସା ପାଇଁ ଅପେକ୍ଷା କରିଥିଲି, ସେପାଖରୁ ଗୋଟାଏ ରିକ୍‌ସା ଡାକିଆଣ । ବସାରେ ବସି କିଛି ସମୟ ଗଳ୍ପ କରିବା ଚାଲ ।

 

କିନ୍ତୁ ମୋର ଯେ ଅନ୍ୟ କାମ ଅଛି । ଟିଉସନମାଷ୍ଟର ତା’ କର୍ତ୍ତବ୍ୟ ଦିନେ ଖିଲାପ କଲେ ଅନ୍ୟ ଦିନକୁ ଭୀଷର ସମସ୍ୟା ଉପୁଜେ । ଗୃହସ୍ୱାମୀର ଟାଣ ଟାଣ କଥା, ଅନ୍ୟ ଶିକ୍ଷକ ନିଯୁକ୍ତ କରିବାର ଧମକ, କେତେ କ’ଣ ଶୁଣିବାକୁ ପଡ଼େ ।

 

କିନ୍ତୁ ବିନୁଅପା ସହିତ ଦେଖାହେବା ପରେ ତା’ ନିମନ୍ତ୍ରଣ ଏଡ଼ିଦବା ମୋ ପକ୍ଷେ କ’ଣ ସମ୍ଭବ ? ଆଜି ଟିଉସନ୍‌ କରା ନହଉ ।

 

ଖାଲି ରିକ୍‌ସାଟିଏ ଆଗ ଦେଇ ଚାଲିଯାଉଥିଲା । ବିନୁଅପା ତାକୁ ଅଟକେଇ ବସିପଡ଼ିଲା ଆଉ ମତେ ବସିବାକୁ ନିର୍ଦ୍ଦେଶ ଦେଲା । ବସିବି କି ବସିବିନି ମୁଁ ଭାବୁଚି–ସେ ପୁଣି ରିକ୍‌ସାରୁ ଓହ୍ଲେଇଆସି ମତେ ଟାଣି ନେଇଗଲା–ଚାଲ, ଚାଲ । ତୋର ପୂର୍ବର ସେଇ ଲାଜକୁଳା ସ୍ୱଭାବଟା ଯାଇନି । ଦରବୁଢ଼ା ହେଲୁଣି–ଏ କ’ଣ ?

 

ମୋର ଅନ୍ୟ ଗତି ନଥିଲା । ଚୁପ୍‌ଚାପ୍‌ ଯାଇ ବିନୁଅପା ପାଖରେ ବସିଲି । ରିକ୍‌ସା ଚାଲିଲା । ତା’ରି ଭିତରେ ବିନୁଅପା କେତେ କ’ଣ କହୁଥାଏ । ମୁଁ କିନ୍ତୁ ଭାରି ଅନ୍ୟମନସ୍କ । କଟକ ସହର ଦୁଇପାଖରେ ଛିଡ଼ା ହୋଇଥିବା ବିରାଟ ଅଟ୍ଟାଳିକାଗୁଡ଼ିକୁ ଦେଖି ମୁଁ ଭୟଭୀତ ହେଉଥିଲି । ଆମ ଏଇ ଯିବା ଭିତରେ ଯଦି ଅକସ୍ମାତ୍‌ ଭୂଇଁକମ୍ପ ହେଇ ଏଇ କୋଠାଗୁଡ଼ିକ ଭାଙ୍ଗିପଡ଼େ–

 

ଦିନସାରା କ୍ଳାନ୍ତି–ଆଖି ବୁଜି ଆସୁଥିଲା । ଥଣ୍ତା ପବନର ଢେଉ ଭାଙ୍ଗି ରିକ୍‌ସା ଚାଲିଚି ଆଗକୁ ।

Image

 

ଦୁଇ

 

ତୁଳସୀପୁରରେ ଛୋଟ ଏକ କୋଠା । ସେଇ କୋଠା ସମାନାରେ ରିକ୍‌ସା ଯାଇ ଠିଆ ହେଲା । ରିକ୍‌ସାର ଘଣ୍ଟି ଶୁଣି ଭିତରୁ ଜଣେ ମଧ୍ୟବୟସ୍କ ଲୋକ ବାହାରିଆସିଲା । ବିନୁଅପା କିଣିଥିବା ଜିନିଷଗୁଡ଼ିକ ତା’ରି ହାତକୁ ବଢ଼େଇ ଦେଇ ରିକ୍‌ସାରୁ ଓହ୍ଲେଇ ପଡ଼ିଲା ।

 

ଏଇଟା ମୋ ଘର । ଚାଲ, କିଛି ସମୟ ବସି ଗଳ୍ପ କରିବା ।

 

ମନ୍ତ୍ରମୁଗ୍ଧ ପରି ବିନୁଅପା ପଛେ ପଛେ ମୁଁ ବି ଚାଲିଲି । ବାରଣ୍ତାରେ ଚାରି ଛ’ଟା ଫୁଲଗଛର ଟବ୍‌ । ବାରଣ୍ତା ଲାଇଟ୍‌ରେ ବିଭିନ୍ନ ରଙ୍ଗର ଫୁଲଗୁଡ଼ାକ ବର୍ଣ୍ଣର ଲହରୀ ଛୁଟାଉଛି ।

 

ସାମନା ଘରେ କାର୍ପେଟ ବିଛା ହୋଇଛି । କୁସନ୍‌ ଦିଆ ଚେଆର୍‌ ଆଉ ସୋଫା ।

 

ସେଇ ଘରେ ମତେ ବସିବାକୁ କହି ବିନୁଅପା ଭିତରକୁ ଚାଲିଗଲା । ମତେ ବେଶ୍‌ ଭଲ ଲାଗୁଥାଏ । ପରିବେଶଟା ଭାରି ଆରାମଦାୟକ ।

 

କାନ୍ଥରେ କେତୋଟି ଫୋଟ ଟଙ୍ଗା ହେଇଥାଏ । ମୁଁ ସେଇ ସବୁ ଫଟୋଗୁଡ଼ିକ ଦେଖିବାକୁ ଲାଗିଲି । କିନ୍ତୁ ଏଇ ଆଠ ଦଶଟି ଫଟୋ ଭିତରେ ବିନୁଅପାର ନିଜର ଫଟୋ ଖଣ୍ତେ ବି ନାହିଁ ।

 

ମୁଁ ଅଟକିଗଲି । ଏହି ଫଟୋଟା କାହାର ? ମୁଁ ଜାଣିଚି ଏଇ ଭଦ୍ରଲୋକଙ୍କୁ । ସେଇ ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି, ବିନୁଅପା ପଢ଼ୁଥିଲା, ଏଇ ଭଦ୍ରଲୋକ ଜଣକ ମଧ୍ୟ ପଢ଼ୁଥିଲେ । ତାଙ୍କ ନାମ କଲ୍ୟାଣବାବୁ ।

ଏଇ କଲ୍ୟାଣବାବୁ ଆଉ ବିନୁଅପା ମୋର ଠିକ୍‌ ଉପର କ୍ଲାସରେ ପଢ଼ୁଥିଲେ । ଦିହେଁ ଥିଲେ ଭାରି ଘନିଷ୍ଠ ଅନ୍ତରଙ୍ଗ । ଆମେ ସେତେବେଳେ ଜାଣିଥିଲୁ ବିନୁଅପା ଆଉ କଲ୍ୟାଣବାବୁ ପରସ୍ପରକୁ ନିଶ୍ଚୟ ବିବାହ କରିବେ ।

ତା’ପରେ କିନ୍ତୁ କ’ଣ ହେଲା, ମୁଁ ଆଉ ଜାଣେ ନା ।

ବିନୁଅପା ପୋଷାକ ବଦଳେଇ ଆସିଲା । ସେ ଆସିବା ପଛେ ପଛେ ଦି’ କପ୍ ଚା’ ଆସି ପହଞ୍ଚିଲା । ଚା’ ଖାଇବାକୁ ମୁଁ ଭାରି ଆଗ୍ରହୀ ହେଇପଡ଼ିଥିଲି । ଯୋଉ କପରେ ଚା’ ଦିଆଯାଇଥିଲା, ସେ କପ୍‌ ହୁଏତ ମୋ ତୃଷା ତୁଳନାରେ ଖୁବ୍‌ ଛୋଟ ଥିଲା । ଗୋଟାଏ ବିରାଟ ଟି’ପଟରେ ଚା’ ଭର୍ତ୍ତିକରି ଦେଇଗଲେ ମଧ୍ୟ ମୁଁ ତାକୁ ନିମିଷକରେ ନିଃଶେଷ କରିବାକୁ ପ୍ରସ୍ତୁତ ଥିଲି ।

ଚା’ ଖାଉ ଖାଉ ବିନୁଅପା ଆନ୍ତରିକତାପୂର୍ଣ୍ଣ କଥାବାର୍ତ୍ତା ଆରମ୍ଭ କରିଦେଲା ।

ତା’ର ପ୍ରଶ୍ନ–ତୁ ବାହା ହେଇଚୁ ନୀଳୁ !

ମୁଁ ମୁଣ୍ତ ହଲାଇ ନାହିଁ କଲି । ସେ ଅତି ଆଶ୍ଚର୍ଯ୍ୟ ହେଲା । ଏ କ’ଣ ? ଏ ଯାଏ ତୁ ବାହା ହେଇନୁ ? ତୋ’ ବୟସ ଏଇଖିଣି ଚାଲିଶ ହବ । ଆଉ କେବେ ବାହା ହବୁ ? ଆରେ, ଜୀବନଟାକୁ ତୁ ବି ଏମିତି ନଷ୍ଟ କରିଦେଲୁ ?

ଏତକ କହି ସେ ଗଭୀର ଦୀର୍ଘ ନିଃଶ୍ୱାସରେ ଘରଟାକୁ ଆଚ୍ଛାଦିତ କରିଦେଲା ।

ଚା’ ଖିଆ ସରିଗଲା । ବିନୁଅପା ଡାକ ଛାଡ଼ିଲା–ଅନିରୁଦ୍ଧ, ଚା’ କପ୍‌ ନେଇଯା । ଆଉ ପାନ ଦି’ଖଣ୍ତ ଦେଇଯା । ତୁ ଗୁଣ୍ତିପାନ ଖାଇବୁ ନୀଳୁ ?

 

ଆପତ୍ତି ନାହିଁ–ମୁଁ କହିଲି ।

 

ଅନିରୁଦ୍ଧ ନାମଧାରୀ ସେଇ ବ୍ୟକ୍ତିଟି ଦୁଇଖଣ୍ତ ପାନ ଦେଇଗଲା ଓ ଟେବୁଲ୍‍ ଉପରେ ଥିବା କପ୍‌ ଦୁଇଟିକୁ ନେଇଗଲା । କପ୍‌ ଦୁଇଟି ଭିତରେ ରଖିଦେଇ ସେ ଖଣ୍ତେ ଚିଠି ଆଣି ବିନୁଅପାକୁ ଦେଇଗଲା । ବିନୁଅପା ସେଇ ଚିଠିଟି ପଢ଼ି ଭାରି ବ୍ୟସ୍ତ ହେଇପଡ଼ିଲା ।

 

ଅନିରୁଦ୍ଧ, ନିରଞ୍ଜନ ଆସିଥିଲା ?

 

ଅନିରୁଦ୍ଧ କହିଲା–ହଁ, ପାଞ୍ଚଟାବେଳେ ନିରଞ୍ଜନବାବୁ ଆସିଥିଲେ । ସାତଟା ପର୍ଯ୍ୟନ୍ତ ଅପେକ୍ଷା କରି ତୁମ ଦେଖା ନପାଇ ଚାଲିଗଲେ । ସେ କହିଛନ୍ତି ରାତି ଆଠଟାବେଳକୁ ଫୋନ୍‌ କରିବେ ।

 

ବିନୁଅପା ଅନ୍ୟମନସ୍କ ହେଇପଡ଼ିଲା । କିଛି ସମୟ ଛାଡ଼ି ଅନିରୁଦ୍ଧକୁ କହିଲା–ଯା’, ଖାଇବା ପ୍ରସ୍ତୁତ କର । ଏ ବାବୁ ଆଜି ରାତିରେ ଏଇଠି ଖାଇବେ ।

 

ମୋର ପ୍ରତିବାଦ କରିବାର କିଛି ନଥିଲା । ବରଂ ଏ ଅବସ୍ଥା ମୋ ପକ୍ଷରେ ସର୍ବାଦୌ ଗ୍ରହଣୀୟ ।

 

ବିନୁଅପା ପୁଣି ମତେ ଲକ୍ଷ୍ୟ କରି କହିଲା–ରାତି ଦଶଟା ଭିତରେ ଖାଇବା ହେଇଯିବ । ତୋ’ର କିଛି ଅସୁବିଧା ହବନି । ଅନିରୁଦ୍ଧ ରିକ୍‌ସା ଡାକିଦବ । ଆଚ୍ଛା, ତୋ ବସାଟା କେଉଁଠି ତ କହିଲୁନି ?

 

ମୋ’ ବସା ? ମୋ’ ବସାର କି ପରିଚୟ ବା ଦେବି ବିନୁଅପାକୁ ? ପରିଚୟହୀନ କେଉଁ ଏକ ଅପରିଚ୍ଛନ୍ନ ଗଳି ଭିତରେ ଭଙ୍ଗାରୁଜା ଟାଇଲ୍‌ଛିଆ ଗୋଟିଏ ଛୋଟ ସନ୍ତସନ୍ତିଆ କୋଠରୀରେ ମୁଁ ରହେ । ବିନୁଅପା ଯୋଉ ଷ୍ଟାଇଲରେ ରହୁଚି, ମୋ’ ଘର କଥା କହି ତାକୁ ଉପହାସ କରିବି କାହିଁକି ? ତା’ର କିନ୍ତୁ ଜିଦ୍‌, ପ୍ରଶ୍ନଟା ପଚାରିଚି ଯେତେବେଳେ ଉତ୍ତର ନପାଇ ସେ ଛାଡ଼ିବନି ।

 

ମୁଁ ବାଧ୍ୟ ହେଇ କହିଲି–ମୋ’ ବସାଟା ପ୍ରଭାତ ସିନେମା ପାଖରେ ।

 

ତା’ପରେ ପ୍ରଶ୍ନ–ତୁ ବର୍ତ୍ତମାନ କ’ଣ କରୁଚୁ ? ଅବଶ୍ୟ ତୋ’ର ଚେହେରା ଦେଖି ମନେହୁଏ, ତୁ କିଛି କରୁନୁ । ତଥାପି କଟକ ସହରରେ ରହିଚୁ କେମିତି ?

 

ମୁଁ କ’ଣ କରୁଚି ବୋଲି ତାକୁ କହିବି ? ତିରିଶ ଟଙ୍କାର ଟିଉସନ୍‌ ? ସେଇ ତିରିଶ ଟଙ୍କାରୁ ସାତଟଙ୍କା ଘରଭଡ଼ା ଆଉ ତେଇଶି ଟଙ୍କାରେ ସାରା ମାସ ଚଳିବା ? ମୁଁ ନୀରବ ରହିଲି ।

 

ସେ ପୁଣି କହିଲା–କଲେଜରେ ପଢ଼ୁଥିବାବେଳେ ତୋର ସେଇ ଯୋଉ ଚେହେରା, ସେ ଆଜି କାହିଁ ? କେଡ଼େ ସୁନ୍ଦର ସ୍ୱାସ୍ଥ୍ୟ ତୋର ଥିଲା ? ତା’ ପୂର୍ବରୁ ତୁ ଯେତେବେଳେ ଗାଁ ହାଇସ୍କୁଲରେ ପଢ଼ୁଥିଲୁ, ସେତେବେଳେ ଚେହେରାଟା ଭାରି ଟକ୍‌ଟକିଆ ଥିଲା । କୁଆଡ଼େ ଗଲା ତୋର ସେ ସ୍ୱାସ୍ଥ୍ୟ ? ଚାଳିଶ ବର୍ଷରେ ଯେମିତି ବୁଢ଼ା ହୋଇ ଯାଇଚୁ । ଗାଲ ଦି’ଟା ପଶି ଯାଇଚି । କେଶ ଗୁଡ଼ାକ ତ କ୍ରମେ କ୍ରମେ ଧଳା ହୋଇ ଆସିଲାଣି । ବି. ଏ ପରୀକ୍ଷା ପରେ ତୋ ସହିତ ଆଉ ଦେଖା ହେଇନି ।

 

ମୁଁ ଦୀର୍ଘ ନିଃଶ୍ୱାସ ତୋଳିଲି । ନିଷ୍ଠୁର ଦୟାହୀନ ଅତୀତ ମତେ ଯେ ଜୀବନ୍ତ କରି ରଖିଚି, ଏଇ ତ ଯଥେଷ୍ଟ । ଯୋଉସବୁ ପରିସ୍ଥିତିର ସମ୍ମୁଖୀନ ମୁଁ ହେଇଚି, ଏଥିରେ ବଞ୍ଚିବାର ତ ନଥିଲା । ତଥାପି ମୁଁ ବଞ୍ଚିଚି । ଆଜି ଏଇ ଦୀର୍ଘ କୋଡ଼ିଏ ବର୍ଷ ପରେ ଆଦରର ବିନୁଅପା ସହିତ ଦେଖା ହେଇଚି । ତା’ ଘରେ ବସି ଗଳ୍ପ କରି ପାରୁଚି । ହେଲେ ଅତୀତର ସେଇ ନୀଳକଣ୍ଠ ଦାଶ ଆଜି କ’ଣ ଅଛି ?

 

ମୋର ମନେପଡ଼େ ପଛକଥା । ମୋର ସେ ତେଜ–ସେ ଉଦ୍ଦୀପନା ସେ ସାହସ ଆଜି ଗଲା କୁଆଡ଼େ ?

 

ବିନୁଅପା ପଚାରୁଛି–ନୀଳୁ, ବି. ଏ. ପାଶ୍‌ ପରେ ତୁ ଗଲୁ କୁଆଡ଼େ ? ବିଭା ହେଲୁନି ବା କାହିଁକି ? ତୁ ତ ମଝିରେ ରାଜନୀତି କରୁଥିଲୁ । ସଭା ସମିତି କରି ବକ୍ତୃତା ଦଉଥିଲୁ । ଖବରକାଗଜରେ ମୁଁ ପଢ଼ିଚି ଅମୁକ ଜାଗାରେ ସଂଗ୍ରାମୀ ଯୁବନେତା ଶ୍ରୀ ନୀଳକଣ୍ଠ ଦାଶଙ୍କ ସଭାପତିତ୍ୱରେ ବିରାଟ ଜନସଭା–ଅମୁକ ଜାଗାରେ ତରୁଣ ବିପ୍ଳବୀ ନେତା ଶ୍ରୀ ନୀଳକଣ୍ଠ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଭୃତି...

 

ସଂଗ୍ରାମୀ ଯୁବନେତା ନୀଳକଣ୍ଠ ଦାଶ...

 

ତରୁଣ ବିପ୍ଳବୀ ନେତା ନୀଳକଣ୍ଠ ଦାଶ...

 

ଆଉ ଆଜିର ମୁଁ ନୀଳକଣ୍ଠ ଦାଶ...

 

ଆକାଶ-ପାତାଳ ପ୍ରଭେଦ । ବିନୁଅପା ହୁଏତ ବୁଝି ପାରିବ ନାହିଁ, ମୋର ସେ ସଂଗ୍ରାମୀ ମନୋବୃତ୍ତି ଆଜି ଗଲା କୁଆଡ଼େ । ପେଟର ଜ୍ୱାଳାରେ ଆଜି ମୁଁ ଅସ୍ଥିର ! ବେଳେ ବେଳେ ମନେହୁଏ–ଏଇ ଚନ୍ଦ୍ର, ସୂର୍ଯ୍ୟ, ତାରାର ଛାତି ଚିରି ମୁଁ ଅମୃତ ପିଇବି; କିନ୍ତୁ ପାରେନା । କଟକ ସହରର ଡିଷ୍ଟବିନରେ ଯୋଉ ଭାତ ରୁଟି ପଡ଼ିଥାଏ, ତା’କୁ ନେବା ପାଇଁ ଭିକାରୀ ପିଲାଗୁଡ଼ାକ ଯେତେବେଳେ କୁକୁରଙ୍କ ପରି ଝଗଡ଼ା କରୁଥାନ୍ତି, ସେତିକି ବେଳେ ସଂଗ୍ରାମ କରିବାର ସ୍ପୃହା ମୋର କମିଯାଏ । ବେଆଇନ୍ କାମନାର ଶିକାର ହୋଇ କେତେ ତରୁଣୀ ରୁଗ୍‍ଣ ପିଲାଗୁଡ଼ାଙ୍କୁ ଧରି ବସ୍‌ଷ୍ଟାଣ୍ତ୍, ରେଲଓ୍ୟେ ଷ୍ଟେସନରେ ପରର ଅନୁଗ୍ରହ ଭିକ୍ଷା କରନ୍ତି । ପଞ୍ଜାବୀ ସର୍ଦ୍ଦାରମାନେ ସେମାନଙ୍କ ପ୍ରତି ଦିନ ଦି’ପହରେ ଯେଉଁ ବ୍ୟବହାର କରନ୍ତି, ତା’ ମୁଁ ନିଜେ ଦେଖିଚି । କିନ୍ତୁ ମୁହଁ ଖୋଲି କିଛି ହେଲେ କହି ପାରିନି–ମୁହଁ ଖୋଲିବାକୁ ସାହସ ପାଇନି ।

 

କାରଣ, ମୋର ବି ସେମିତି ବଞ୍ଚିବା ପାଇଁ ଦୈନିକ ଆଠଅଣା ବାରଅଣା ଦରକାର । ମୁଁ ବି ବେଳେ ବେଳେ ଭାବିଚି, ଏମିତି ଭିକମାଗି ଚଳିଯିବି । ହେଲେ ପାରିନି । ଅତୀତର ସେଇ ବି. ଏ. ପାଶ୍‌କରା ନେତା ନୀଳକଣ୍ଠ ପକ୍ଷରେ ଭିକ ମାଗିବା ସମ୍ଭବ ହେଇ ପାରିନି । କ୍ରମେ କ୍ରମେ ସେ ନୀଳକଣ୍ଠ ବିଲୟ ଭଜିଚି । ଆଉ ଆଜିର ଯେ ମୁଁ...ମୁଁ ତ ସେଇ ନୀଳକଣ୍ଠର ପ୍ରେତାତ୍ମା ।

 

ବାହାରେ ରାତି ବଡ଼ ଭୟଙ୍କର । ହଠାତ୍‌ ଆକାଶଟା ସାରା ମେଘରେ ଢାଙ୍କି ହୋଇଗଲାଣି । ଘର ଭିତରକୁ ଶୁଭୁଚି ମେଘର ଗୁରୁଗୁରୁ ଗର୍ଜନ, ହେମାଳ ପବନ ବହୁଚି । ବାହାରର ଲତାପତ୍ରଗୁଡ଼ାକ ଦୋହଲି ଦୋହଲି ଭୂଇଁରେ ଅବା ଲାଗି ଯାଉଚି । ବିନୁଅପା ଉଠିଯାଇ କବାଟ ଝରକା ସବୁ ବନ୍ଦ କରିଦେଲା ।

 

ହଠାତ୍‌ ସବୁ ଅନ୍ଧାର ହୋଇଗଲା । ବିନୁଅପା କହିଲା–ଏଇମିତି ପ୍ରତିଦିନ ଘଟେ । କୋଉଠି କ’ଣ ଲାଇନ୍‌ ଗୋଳମାଳ ହେଇ ଯାଇଚି । ବର୍ତ୍ତମାନ ପୁଣି ଲାଇଟ୍ ଆସିଯିବ ।

 

ଅନ୍ଧାରରେ ଆମେ ବସିଚୁ । ବରଂ ଭଲ ହେଇଚି । ଆଲୁଅରେ ବିନୁଅପାକୁ ମୋ ମୁହଁ ଦେଖେଇବାକୁ ମୁଁ ବାରମ୍ବାର ଲଜ୍ଜିତ ହେଉଥିଲି ।

 

ପାଞ୍ଚମିନିଟ କଟିଗଲା, ତଥାପି ଲାଇଟ୍‌ ଆସିଲା ନାହିଁ । ବିନୁଅପା ଉଠିଗଲା ଟେଲିଫୋନ୍‌ ପାଖକୁ । ଟେଲିଫୋନରେ ବୁଝି ନେଲା ଅଳ୍ପ ସମୟ ଭିତରେ ଆଲୁଅ ଆସିବ । ଲାଇନ୍‌ ଚାରିଆଡ଼ୁ କଟିଯାଇଚି ।

 

ବିନୁଅପା ପୁଣି ଅନ୍ଧାରରେ ଆସି ମୋରି ପାଖରେ ବସିଲା । ଠିକ୍‌ ଜାଗାଟା ବୋଧହୁଏ ଠଉରେଇ ପାରିଲା ନାହିଁ । ତା’ର ସମସ୍ତ ତନୁଭାରଟା ଆଣି ମୋ’ରି ଉପରେ ଲଦିଦେଲା । ମୁଁ ଚମକିପଡ଼ିଲି । ସତରେ ସେ କ’ଣ ଅନ୍ଧାରର ସୁଯୋଗ ନେଲା ?

 

ମୁଁ ଘୁଞ୍ଚିଆସିଲି ।

 

ସେ କହିଲା–ଏ ଯେ ଅନ୍ଧାର । ବଡ଼ ବିରକ୍ତିକର । ତା’ପରେ ‘ଅନିରୁଦ୍ଧ ଅନିରୁଦ୍ଧ’ ଡାକ ଛାଡ଼ିଲା । ତାକୁ ଆଦେଶ ଦେଲା, ଗୋଟାଏ ମହମବତୀ ଆଣିବା ପାଇଁ । ମିନିଟ ଦୁଇ ଭିତରେ ଅନିରୁଦ୍ଧ ଗୋଟାଏ ମହମବତୀ ଜଳେଇ ଘର ଭିତରେ ରଖିଦେଇ ଗଲା । ଠିକ୍‌ ତା’ରି ପରେ ପରେ ଜଳି ଉଠିଲା ଆଲୁଅ ।

 

ଏଇ ସମୟରେ ଟେଲିଫୋନ୍‌ଟା କ୍ରିଂ କ୍ରିଂ କରି ବାଜିଉଠିଲା ।

 

ବିନୁଅପା ଉଠିଗଲା । ଟେଲିଫୋନ୍‌ର ରିସିଭର୍‌ଟାକୁ ହାତରେ ଉଠାଇ ନେଇ କହିଲା–ହଲୋ, ବିନୋଦିନୀ ସ୍ପିକିଂ...

 

ତା’ପରେ ସେପାଖର କଥା ଶୁଣି କହି ଉଠିଲା–କିଏ ନିରୁ ? ଆରେ ଯାଃ, ତୁ ଏଡ଼େ ଫାଜିଲ୍‌ । ମୁଁ ଆସୁ ଆସୁ ପଳେଇଗଲୁ ? ତୋର ଏଇ ସ୍ୱଭାବ ଯୋଗୁ ମୁଁ ଜଳିପୋଡ଼ି ମଲି । ଆଉ କି କାମ ଏତେ ଜରୁରୀ ଥିଲା, ଯେ ଚାଲିଗଲୁ ?

 

ସେ ପାଖରୁ କ’ଣ ପୁଣି ଉତ୍ତର ଆସିଲା । ବିନୁଅପା ଶୁଣିସାରି ପୁଣି କହିଲା–ଦେହ କ’ଣ ଭାରି ଖରାପ ଲାଗୁଚି ?

 

ଉତ୍ତର ବୋଧହୁଏ ଆସିଲା-ନା ।

 

ସେ ପୁଣି କହିଲା–ଠିକ୍‌ ଅଛି, କାଲି ଚାରିଟା ବେଳକୁ ଆ । ଆଚ୍ଛା ଆଜି କଲ୍ୟାଣ ପାଖକୁ ଯାଇଥିଲୁ ?

 

ସେ ପାଖରୁ କ’ଣ ଉତ୍ତର ଆସିଲା କେଜାଣି, ସେ ପୁନର୍ବାର କହିଲା–ହଉ କାଲି ଆସିଲେ ସବୁ ବିଷୟରେ କଥା ହବା । ବୁଝିଲୁ ?

 

ରିସିଭର୍‌ଟାକୁ ଧଡ଼କିନି ରଖିଦେଇ ବିନୁଅପା ପୁଣି ଫେରି ଆସିଲା । ମତେ କହିଲା–ନୀଳୁ, ତୋର କଲ୍ୟାଣ କଥା ମନେ ପଡ଼ୁଚି ?

 

ମୁଁ ‘ହଁ’ ଭରିଲି ଆଉ କଲ୍ୟାଣବାବୁଙ୍କ ଫଟୋ ସେଇ ଘରେ ଟଙ୍ଗା ହେଇଚି ବୋଲି ସୂଚେଇ ଦେଲି ।

 

ବିନୁଅପାର ମୁହଁଟା ଯେମିତି ଟିକିଏ କଠିଣ ହେଇ ଉଠିଲା । ସେ କହିଲା–କଲ୍ୟାଣ, ବର୍ତ୍ତମାନ ଖୁବ୍‌ ବଡ଼ଲୋକ–ବଡ଼ ଚାକିରୀ କରିଚି । ଆଇ.ଏ.ଏସ୍‌. ଅଫିସର୍‌ ।

 

ମୁଁ କିଛି ନକହି ଉତ୍ସୁକ ନେତ୍ରରେ ଖାଲି ଚାହିଁ ରହିଲି । ମନରେ ଭାରି କୌତୂହଳ । କଲ୍ୟାଣବାବୁଙ୍କର ତ ବିନୁଅପାକୁ ବିବାହ କରିବା କଥା ଥିଲା; କିନ୍ତୁ କ’ଣ ହେଲା !

 

ବିନୁଅପା ସାଙ୍ଗେ ସାଙ୍ଗେ ପୁଣି ପ୍ରସଙ୍ଗ ବଦଳେଇ ଦେଲା ଆଉ କପେ ଚା’ ହଉ, ନୀଳୁ-! ଟିକିଏ ବର୍ଷା ହୋଇଗଲାଣି । ଭାରି ଥଣ୍ତା ଲାଗୁଚି ।

 

ଆଉ କପେ ଚା’ ମନ୍ଦ ନୁହେଁ । ବରାଦ ମୁତାବକ ଅନିରୁଦ୍ଧ ଦି’କପ୍‌ ଚା’ ଦେଇଗଲା । ଚା’ ଖିଆ ଶେଷକରି ବିନୁଅପା କହିଲା–ମୁଁ ଭାବିଥିଲି ଜୀବନଟା ଗୋଲାପ ଫୁଲ ପରି କଅଁଳ; କିନ୍ତୁ ମୋର ସେ ଭାବନା ସଂପୂର୍ଣ୍ଣ ଭୁଲ । ଜୀବନଟା ବରଂ ମରୁଭୂମିର ରାସ୍ତାପରି ଶୁଖିଲା–ନୀରସ । କଲ୍ୟାଣ ଆଜି ବଡ଼ ହେଇଚି । ହେଲେ ସେ ବଡ଼ ହବାରୁ ମତେ ମିଳିବ କ’ଣ ?

 

ବାହାର କବାଟରେ କିଏ ଠକ୍‌ ଠକ୍‌ କଲା । ବିନୁଅପା ଉଠିଯାଇ କବାଟ ଖୋଲିଦେଲା-। ଜଣେ ତରୁଣୀ ।

 

ବିନୁଅପା କହିଲା–କମଳା, ଆଉ ଖବର କ’ଣ ? ହସ୍ପିଟାଲ୍‌ରୁ କେତେବେଳେ ଫେରିଲୁ-? ଗୌରୀଶଙ୍କର କେମିତି ଅଛି ?

 

କମଳା ନାମଧାରିଣୀ ତରୁଣୀଟି ଉତ୍ତର ଦେଲା–କାଲିଠୁ ଆଜି ଅବସ୍ଥା ଭଲ । ମୁଁ ବର୍ତ୍ତମାନ ଟିକିଏ ହସ୍ପିଟାଲ୍‍ ଫୋନ୍‌ କରିବି ।

 

କର । ବିନୁଅପା ଫୋନ୍‌ ପାଖକୁ ହାତ ବଢ଼େଇ ଦେଲା । କମଳା ଚାଲିଗଲା ଫୋନ୍‌ ପାଖକୁ ।

 

ଏଇ କମଳା ! ୟା’କୁ ତ ମୁଁ ଆଜି ଗୌରୀଶଙ୍କର ପାର୍କରେ ଦେଖିଥିଲି । ମୋର ମନେ ପଡ଼ିଲା–ଗହଣା ବିକି ଯେଉଁ ନାରୀ ସ୍ୱାମୀର ଚିକିତ୍ସା ପାଇଁ ବ୍ୟସ୍ତ ହେଉଥିଲା, ଏ ତ ସେଇ । ଯାହା ଉଦ୍ଦେଶ୍ୟରେ ମୋ ମୁଣ୍ତ ନିଇଁ ଯାଇଥିଲା, ଏ ସେଇ କମଳା ।

 

କାହିଁକି କେଜାଣି ମନଟା ମୋର ଟିକିଏ ହାଲୁକା ହେଇଗଲା ।

 

କମଳା ଟେଲିଫୋନ୍‌ କରିସାରି ଠିଆହେଲା । ବିନୁଅପା କହିଲା–ଆଉ କ’ଣ କହିବୁ କି-?

 

କମଳା କହିଲା–କାଲି ତାଙ୍କୁ ରକ୍ତ ଦିଆଯିବ । ତୁମକୁ କାଲି ମୋ ସାଙ୍ଗରେ ହସ୍ପିଟାଲ୍‍ ଯିବାକୁ ପଡ଼ିବ ।

 

‘‘ଯିବି ।’’ ବିନୁଅପା କହିଲା । ତା’ପରେ ମୋ ଆଡ଼କୁ ଚାହିଁ କହିଲା–କମଳା ! ଏ ମୋର ଗୋଟିଏ ଅଲୋଡ଼ା ବଂଧୁ । ଅନେକ ଦିନ ପରେ ଧରା ପଡ଼ିଚି । ୟାକୁ ବି କାଲି ସାଙ୍ଗରେ ହସ୍ପିଟାଲ୍‌ ନେଇଯିବି । ଭଗବାନ କରନ୍ତୁ, ଗୌରୀଶଙ୍କର ଭଲ ହେଇଯାଉ ।

 

କମଳା କୃତକୃତ୍ୟ ହୋଇ ଚାଲିଗଲା । ସେ ଗଲା ପରେ ବିନୁଅପା କହିଲା–ଭାରି ଦୁଃଖିନୀ । ତା’ ସ୍ୱାମୀ ଗୌରୀଶଙ୍କର ଡି.ପି.ଆଇ.ଙ୍କ ଅଫିସରେ କିରାଣୀ । ବିଚରା ଶକ୍ତ ବେମାର ପଡ଼ିଚି । ଅଜସ୍ର ଟଙ୍କା ଦରକାର । ଭାରି ହଇରାଣରେ ପଡ଼ିଚି ବେଚାରୀ ।

 

ମୋର ଇଚ୍ଛା ହେଉଥିଲା ଆଜି ସନ୍ଧ୍ୟାର ଗହଣା ବିକ୍ରି ବୃତ୍ତାନ୍ତ ବିନୁଅପାକୁ କହିବାକୁ । ମାତ୍ର ମୁଁ ସଂଯତ ହେଇଗଲି । ଯେଉଁ ଭଦ୍ରମହିଳା ସେ ଘଟଣାଟିକି ସମସ୍ତଙ୍କ ଅଲକ୍ଷ୍ୟରେ କରିଚନ୍ତି, ତାହା ମୁଁ ପ୍ରକାଶ କରିଦେବାଦ୍ୱାରା ତାଙ୍କ ପ୍ରତି ଘୋର ଅନ୍ୟାୟ କରିବି । ମୋର ବା କି ଦରକାର ?

 

କମଳାକୁ ମୁଁ ଜାଣେନା । ତେଣୁ ତା’ ବିଷୟରେ ଆଉ ଅଧିକ ଆଲୋଚନା ହେଲା ନାହିଁ-

 

ଘଡ଼ିରେ ଢଂ ଢଂ କି ନଅଟା ବାଜିଲା ।

 

ବାହାରୁ ପୁଣି କିଏ କବାଟରେ ଧକ୍‌କା ଦେଲା । ବିନୁଅପା ଟିକିଏ ବି ବିରକ୍ତି ପ୍ରକାଶ ନକରି ଆଗେଇଗଲା । କବାଟ ଖୋଲିଦବା ପରେ ଜଣେ ଭଦ୍ରଲୋକ ପଶିଆସିଲେ । ବେଶ୍‌ ମୂଲ୍ୟବାନ ସୁଟ୍ ପିନ୍ଧିଛନ୍ତି–ଆଖିରେ ରୋଲ୍‍ଡଗୋଲ୍‌ଡ ଫ୍ରେମର ଚଷମା । ଭଦ୍ରଲୋକ କିନ୍ତୁ ନିଜର ଆୟତ୍ତରେ ନଥିଲେ । ତାଙ୍କର ପାଦଯୋଡ଼ାକ ସମତାଳ ରକ୍ଷାକରି ପଡ଼ୁ ନଥିଲା । ମୁହଁରୁ ଭାସି ଆସୁଥିଲା ଉତ୍କଟ ଗନ୍ଧ । ତାଙ୍କର ଏ ଅବସ୍ଥା ଦେଖି ବିନୁଅପା କର୍କଶ ସ୍ୱରରେ ବହିଲା–ଚିନ୍ମୟ, ଆଜି ପୁଣି ଏ କି ମାତ୍‌ଲାମି ? ତୁମେ ମଦ ପିଇଚ !

 

ଚିନ୍ମୟ ଖନେଇ ଖନେଇ କହିଲା–ମୁଁ ତ ଜମା ପିଉ ନଥିଲି । ହେଲେ ସେଇ ଯୋଉ ମୋର ସାଙ୍ଗଟା ଅଛି ନା, ସେଇ ହୋସେନ୍‌, ମତେ ଧରିନେଇ ପିଆଇଦେଲା । ହେଲେ ଭାରି ଦାମିକା ବିଲାତି ମଦ । ଏ ମଦ ପିଇଲେ କିଛି କ୍ଷତି ହୁଏନା । ଭାରି ତାଜା ତାଜା ଲାଗେ । ତୁମେ ତ ପିଉନାହଁ ଜାଣିବ କେମିତି ?

 

ଏଇକଥା ଶୁଣି ବିନୁଅପା ଭାରି ରାଗିଗଲା । ତୁମେ ଗୋଟାଏ ରାସକେଲ୍‌ । ଛି ଛି, ଏତେ କହିଲି, ଏତେ ବୁଝେଇଲି, ତଥାପି ତୁମେ ଏ କୁ-ଅଭ୍ୟାସ ଛାଡ଼ି ପାରୁନାହଁ ?

 

ଚିନ୍ମୟ ଆସି ସୋଫା ଉପରେ ବସି ପଡ଼ିଲା, ନୋହିଲେ ଥରିଥରି ବୋଧହୁଏ ପଡ଼ି ଯାଇଥାନ୍ତା । କହିଲା–ମତେ ତୁମେ ଗାଳିଦିଅ, ମାର, ହେଲେ ମୋର ଇଜ୍ଜତ୍‍ ରଖ ।

 

ଇଜ୍ଜତ୍‌ ? ବିନୁଅପା ବିଦ୍ରୂପ କରି କହିଲା–ମାତାଲଙ୍କର ପୁଣି ଇଜ୍ଜତ୍‌ ?

 

ଚିନ୍ମୟ କହିଲା–ଗୋଡ଼ ଧରୁଚି ମତେ ବଂଚାଅ । ମୋର ଶହେଟା ଟଙ୍କା ଦରକାର, ଯେମିତି ହେଲେ ଦିଅ ।

 

ଟଙ୍କା ନା ପାଉଁଶ ? ଟଙ୍କା ଫଙ୍କା ଏଠି କିଛି ନାହିଁ ।

 

ନାହିଁ କେମିତି ? ଅଛି ପରା ମୁଁ ଜାଣିଚି । ତୁମେ ତୁମର ସେଇ ଲୁହା ଆଲମାରିଟା ଖୋଲ । ତା’ରି ଭିତରେ ଟଙ୍କା ଅଛି । ବେଶୀ ନେବି ନାହିଁ, ଖାଲି ଶହେଟା ଟଙ୍କା...

 

ଚିନ୍ମୟ ଘର ଭିତରକୁ ପଶିଗଲା । ତା’ ପଛେ ପଛେ ବିନୁଅପା ମଧ୍ୟ ଉଠିଗଲା । ଯେତେ ସବୁ ଜ୍ୱାଳା ଏଇ ରାତିରେ । ଭିତରେ ଯାଇ ଗୋଳମାଳ କରିବ । ଭାତହାଣ୍ତି ଭାଙ୍ଗିବ । କମ୍‌ କୀର୍ତ୍ତିମାନ୍‌ ନୁହେଁ ସେ । ତୁ ଟିକିଏ ବସ ନୀଳୁ, ମୁଁ ତାକୁ ବିଦା କରିଦିଏ । ମୁଁ କିଛି ବୁଝି ପାରୁନଥିଲି । ବିନୁଅପାର ଏ ଘରଟା ଯେମିତି ଗୋଟାଏ ଚିଡ଼ିଆଖାନା । ବହୁ କିସମର ଜନ୍ତୁଙ୍କର ତ ଆବିର୍ଭାବ ଏଠି, ହେଲେ ଏମାନଙ୍କ ସହିତ ବିନୁଅପାର ସମ୍ପର୍କ କ’ଣ ?

 

ଚିନ୍ମୟ ପୁଣି ଦୋହଲି ବାହାରିଆସିଲା । ହାତରେ ଶହେ ଟଙ୍କାର ଗୋଟାଏ ନୋଟ୍‌ । ବିନୁଅପା ଅନିରୁଦ୍ଧକୁ କହିଲା–ତାକୁ ଧରିଧରି ନେଇ ରିକ୍‌ସାରେ ବସେଇ ଦବାକୁ ।

 

ଚିନ୍ମୟ ଚାଲିଗଲା । ବିନୁଅପା କହିଲା–ୟା’କୁ ବର୍ତ୍ତମାନ ଯାହା ଦେଖିଲୁ, ସ୍ୱାଭାବିକ ଅବସ୍ଥାରେ ସେ ସଂପୂର୍ଣ୍ଣ ପୃଥକ୍‌ । ହୃଦୟ ତା’ର ଭାରି ଭଲ । ଭାରି ଅଭିମାନୀ । ଟିକିଏ ଟିକିଏ କଥାରେ ଅଭିମାନ କରେ ।

 

ସେଇ ଭଦ୍ରଲୋକଙ୍କ ପ୍ରତି ମୋ ଚିନ୍ତା ବିଷାକ୍ତ ହେଇ ଯାଉଥିଲା । ବିନୁଅପାର ଏକଥା ମତେ ଆନନ୍ଦ ଦେଇ ପାରିଲା ନାହିଁ ।

 

ଅନିରୁଦ୍ଧ ଆସି କହିଲା–ଖାଇବା ହେଇଯାଇଚି ମା ।

 

ବିନୁଅପା କହିଲା–ଖାଇବା ହେଇ ଯାଇଚି ? ଚିନ୍ମୟକୁ ଅଟକେଇଲୁ ନାହିଁ ? ସେ ଅଖିଆ ଚାଲିଗଲା !

 

ଅନିରୁଦ୍ଧ କହିଲା–ଖାଇବା ଅବସ୍ଥାରେ ସେ କ’ଣ ଥିଲେ ମା ? ତୁମେ ତ ତାଙ୍କୁ ଏତେ ବୁଝଉଚ, ହେଲେ ଫଳ କ’ଣ ହଉଚି ? ଟଙ୍କାଗୁଡ଼ାକ ଗୋଡ଼ି ମାଟି ଭଳି ଖର୍ଚ୍ଚ କରୁଚନ୍ତି । କାହିଁକି ଯେ ତୁମେ ତାଙ୍କୁ ଟଙ୍କା ଦଉଛ ?

 

ବିନୁଅପା କହିଲା–ହଉ ଯା, ଯାହାର ଟଙ୍କା ଖର୍ଚ୍ଚ ହଉଚି ତାହାର । ତୁ ଆଉ ସେ ଭିତରେ ମୁଣ୍ତ ଖେଳାନା । ଯା’ ଭାତ ବାଢ଼ ।

 

ଅନିରୁଦ୍ଧ ଚାଲିଯିବା ପରେ ବିନୁଅପା ମତେ କହିଲା–ଭାତ ଖାଇ ସାରି ଆଜି ଏଇଠି ଶୋଇପଡ଼ ନୀଳୁ । ବସାକୁ ଫେରିବାରେ ଜରୁରି କ’ଣ ଅଛି ? ଅବିବାହିତ ପୁରୁଷ ପକ୍ଷରେ ଯୋଉଠି ସେମାନେ ରହିବେ, ସେଇଟା ତାଙ୍କର ଘର । ତୁ ଆଜି ଏଠି ରହିଲେ କାଲି ସକାଳେ ହସ୍ପିଟାଲ୍‌ ଯିବା । ଗୌରୀଶଙ୍କର ଦେହରେ ରକ୍ତ ଦିଆଯିବ ।

 

ମୋର ନାହିଁ କରିବାର ଶକ୍ତି ନଥିଲା । ବିନୁଅପା ଆଗରେ ମୁଁ ଯେମିତି ମଳିନ ପଡ଼ିଯାଉଥିଲି ।

Image

 

ତିନି

 

ବହୁଦିନ ପରେ ଆଜିର ଏ ସକାଳଟା ମତେ ଭାରି ଭଲ ଲାଗୁଥିଲା । ମୋର ମନେ ପଡ଼ୁ ନଥିଲା ଜୀବନରେ କେବେ ଏମିତିକା ସୌଖିନ ସକାଳ ଆଉ ପୂର୍ବରୁ ଆସିଚି ବୋଲି ।

 

କାଲି ରାତିରେ ଖାଇବାଟା ଖୁବ୍‌ ଜୋର ହେଇଥିଲା । ଖାଇସାରି ଶୋଇବା ବେଳକୁ ଏଗାରଟା ବାଜି ଯାଇଥିଲା । ପରିଷ୍କାର ବଗପକ୍ଷୀ ରଙ୍ଗର ବିଛଣା ଉପରେ ଶୋଇବାକୁ ପ୍ରଥମେ ଅଡ଼ୁଆ ଲାଗୁଥିଲେ ମଧ୍ୟ ଥଣ୍ତା ପବନ ବାଜି ନିଦ ଆସି ଯାଇଥିଲା । ସାରାରାତିଟା ଯେମିତି ମୁଁ ଚେତାଶୂନ୍ୟ ଭାବରେ କଟେଇଚି ।

 

କେତେବେଳେ ସକାଳ ହେଇ ଯାଇଚି ମୁଁ ଜାଣେନା । ଝରକା ଭିତର ଦେଇ ସୂର୍ଯ୍ୟକିରଣ ଘର ଭିତରକୁ ଛିଟ୍‌କି ପଡ଼ୁଚି । ରେଡ଼ିଓରୁ ଶୁଭୁଛି କେଉଁ ମଧୁକଂଠୀ ବାଳିକାର ଦେଶବନ୍ଦନା ଗୀତ ।

 

ମୁଁ ଅନୁଭବ କଲି କିଏ ଯେମିତି ମୋ ମୁଣ୍ତରେ ହାତ ବୁଲାଇ ଡାକୁଚି–ନୀଳୁ, ଏବେ ଉଠ-

 

ମୁଁ ଆଖି ଖୋଲିଲି । ମୁଣ୍ତପାଖରେ ବିନୁଅପା ବସିଛି । ନିର୍ଲିପ୍ତ ତା’ର ଚାହାଣୀ । ମୋର ଅଲରା କେଶକୁ ଆଙ୍ଗୁଳିରେ ସେ ସାଉଁଲାଇ ଦେଉଛି ।

 

ତା’ର ସ୍ନେହସିକ୍ତ ପରଶ ପାଇ ମୁଁ ଯେମିତି ମମତାରେ ବାନ୍ଧି ହେଇ ଯାଉଥିଲି । ମୋତେ ସଂକୋଚ ଲାଗୁଥିଲା ।

 

ବିନୁଅପା କହିଲା–ହସ୍ପିଟାଲ୍‌ ଯିବା ପରା ! ଶୀଘ୍ର କାମ ଶେଷ କରିପକା ।

 

ମୁଁ ଉଠି ବସିଲି । ଏ ପରିବେଶରେ ଜୀବନଟା ଯେମିତି ଅଧିକ ପ୍ରିୟ ମନେ ହେଉଥିଲା-

 

ଭାବୁଥିଲି, ଦ୍ୱିତୀୟ ବସ୍ତ୍ର ତ ମୋର ନାହିଁ ! କି କାମ ମୁଁ ଶେଷ କରିବି ? ଖାଲି ଦାନ୍ତ ଘଷି ପକେଇଲେ ହେଇଯିବ । କିନ୍ତୁ ଏମିତି ଚେହେରା ନେଇ ମୁଁ ମେଡିକାଲ୍‍ ବା ଯିବି କେମିତି ? ପୁଣି ବିନୁଅପା ଭଳି ଜଣେ ରୁଚିସଂପନ୍ନ ମହିଳାଙ୍କ ସାଥିରେ ?

 

ବିନୁଅପା କହିଲା–ଗାଧୁଆ ଘରେ ଇସ୍ତ୍ରୀ କରା ଧୋତି ଶାଟ ଅଛି । ଯା, ଶୀଘ୍ର କାମ ଶେଷ କରି ବାହାରିପଡ଼ ।

 

ମୁଁ ଉଠିପଡ଼ିଲି । ବିନୁଅପା ମତେ ଗାଧୁଆ ଘରଟା ଦେଖେଇ ଦେଇ ନିଜର ପ୍ରସାଧନ କକ୍ଷ ଭିତରକୁ ପଶିଗଲା ।

 

ଗାଧୁଆଘର ଭିତରକୁ ପଶିଯାଇ ମୁଁ ଚମକି ପଡ଼ିଲି । ଏ’ତ ଗାଧୁଆ ଘର ନୁହେଁ–ରୀତିମତ ଇନ୍ଦ୍ରପୁରୀ–ଚଟାଣଟା ମୋଜାଇକ୍‌ । କାନ୍ଥରେ ଫିଟ୍‌ ହେଇଚି ସନ୍‌ମାଇକା । ଚମତ୍କାର ଇଲେକ୍‌ଟ୍ରିକ୍‌ ବ୍ରାକେଟରେ ନାଲି ନେଳି ରଂଗର ଜିରୋ ପାଓ୍ୟାର୍‍ ବଲ୍‌ବ ସବୁ ଖଂଜା ଯାଇଚି । ବହୁ କିସମର ସିନେରି ଫଟୋ ସବୁ ଟଙ୍ଗା ହେଇଚି । ପାଣି ରହିବା ପାଇଁ ସିମେଣ୍ଟ ତିଆରି କୁଣ୍ତ–ତା’ ଭିତରେ ମଧ୍ୟ ନାଲି ନେଳି ବତୀ ଖଂଜା ହେଇଚି । ଗୋଟାଏ ପାଖରେ କାଚ ବାକ୍‌ସରେ ନାଲି ନେଳି ମାଛ....

 

ଏଇଟା କ’ଣ ଗାଧୁଆ ଘର !

ମୁଁ ଶୁଣିଥିଲି ରାଜା ମହାରାଜାମାନେ ସୁଇମିଂ ପୁଲ୍ ତିଆରି କରି ନାନା ପ୍ରକାରେ ତାକୁ ସଜାଉଥିଲେ ।

ବିନୁଅପାର ଏଇ ଗାଧୁଆ ଘରଟି ଅତୁଳନୀୟ ।

ମୁଁ ଭିତରକୁ ଯାଇ ପୁଣି ଫେରିଆସିଲି । ବିନୁଅପା ଏହା ଲକ୍ଷ୍ୟ କରି କହିଲା–କିରେ, କ’ଣ ହେଲା ?

ମୁଁ ତତ୍‌କ୍ଷଣାତ୍‌ କହିଲି–ଏଠି ନ ଗାଧୋଇ ନଦୀକି ଗଲେ.....

ବିନୁଅପା ଖିଲ୍‌ଖିଲ୍‌ ହସିଉଠି ମତେ ଟାଣି ନେଇଗଲା–ତୋ ମନକୁ କ’ଣ ଏ ଗାଧୁଆଘର ଆସୁନି ? ମୁଁ ଏହାକୁ ଖୁବ୍‌ ସଉକରେ ସଜେଇଚି । ଏଇ ଗାଧୁଆଘରର ଡିଜାଇନ୍‌ କଲ୍ୟାଣ କରେଇ ଆଣିଥିଲା ଦିଲ୍ଲୀରୁ । ସବୁ ପ୍ରକାର ଆସବାବ୍‌ ପତ୍ର ତା’ ଭିତରେ ଅଛି । ଖବର କାଗଜ ପଢ଼ିବା ପାଇଁ–ଟେବୁଲ୍‍ ଚେୟାରଠୁ ଆରମ୍ଭ କରି ପ୍ରାସାଧନ କରିବାର ସବୁ କିଛି ବ୍ୟବସ୍ଥା ରହିଛି ।

ଗାଧୁଆଘର ଦରଜା ସାମାନାରେ କଲ୍ୟାଣବାବୁଙ୍କର ଏକ ଫଟୋ ଟଙ୍ଗା ହେଇଚି । ଫଟୋଟିରେ ଚଂପା ଫୁଲର ଏକ ମାଳା । ଫଟୋ ତଳେ କାଠଟିଏ ଲମ୍ବା ହେଇ ମରାଯାଇଚି–ତା’ ଉପରେ ରହିଚି ଧୂପଦାନୀଟିଏ ।

କଲ୍ୟାଣବାବୁଙ୍କ ପ୍ରତି ବିନୁଅପାର ଏ ଗଭୀର ପ୍ରେମର ଅଭିବ୍ୟକ୍ତି ।

ସେ ମତେ ଆଉ କାଳବିଳମ୍ବ ନକରି ଶୀଘ୍ର ଗାଧୋଇପଡ଼ିବାକୁ କହି ପୁଣି ପ୍ରସାଧନକକ୍ଷ ଭିତରକୁ ପଶିଗଲା ।

ରାତ୍ରିର ସୁ-ନିଦ୍ରା ପରେ ହଠାତ୍‌ ପୁଣି ମୁଁ ମୁଣ୍ତ ଭିତରେ ଗରମ ଅନୁଭବ କରୁଥିଲି । ରାସ୍ତା କଡ଼ରେ ଗାଧୋଇବା ଲୋକ ମୁଁ–ଏଇ ଗାଧୁଆଘରେ ଅଣନିଶ୍ୱାସୀ ହୋଇଯିବା କଥା ।

ଇଚ୍ଛା ବିରୁଦ୍ଧରେ ଗାଧୁଆଘର ଭିତରକୁ ପୁଣି ମୁଁ ପଶିଲି । ପାଇପ୍‌ ଖୋଲି ତା’ ତଳେ ବସିପଡ଼ିଲି । ଭାରି ଆରାମ । ମନ ଭିତରେ ସବୁତକ ଦୁଶ୍ଚିନ୍ତା ଯେମିତି କ୍ଷଣକରେ ଧୋଇ ହୋଇଗଲା ।

ଗାଧୁଆଘର ବ୍ରାକେଟରେ ଇସ୍ତ୍ରିକରା ସୁପରଫାଇନ୍‌ ଧୋତି ଆଉ ପଞ୍ଜାବୀ । ଅନେକ ଦିନ ପରେ ପରିଷ୍କାର ପୋଷାକର ସ୍ପର୍ଶରେ ମୁଁ ଉତ୍‌ଫୁଲ୍ଲ ହେଇଉଠିଲି ।

ମୁଁ ଗାଧୁଆଘରୁ ବାହାରିବା ପର୍ଯ୍ୟନ୍ତ ବିନୁଅପା ପ୍ରସାଧାନକକ୍ଷ ଭିତରେ ଥିଲା । ମୁଁ ଆସି ବୈଠକଖାନା ଘରେ ବସିଲି ।

କିଛି ସମୟ ପରେ ବିନୁଅପା ଆସିଲା । ପ୍ରଥମେ ମୁଁ ତ ତାକୁ ଚିହ୍ନିପାରିଲିନି । ନେଳି ରଙ୍ଗର ଝିଲମିଲ ଶାଢ଼ୀ ପିନ୍ଧି ବୟାଳିଶ ବର୍ଷ ବୟସ୍କା ବିନୁଅପା ଯେମିତି ବାଇଶିବର୍ଷର କିଶୋରୀ ପାଲଟିଯାଇଚି । ଓଠ ଦୁଇଟି ଲିପ୍‌ଷ୍ଟିକ୍‌ ନାଲିରେ ରଞ୍ଜିତ । ସ୍ନୋ ଆଉ ସେଣ୍ଟ୍‌ର ମତୁଆଲା ଗନ୍ଧରେ ଘରଭିତରଟା ମହକି ଉଠିଲା ।

ହଠାତ୍‌ ମୁଁ ଅନୁଭବ କଲି, ବିନୁଅପା ସତେ ଅବା କଲେଜ କ୍ଳାସରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଇଚି ।

ସେ ଆସି ମୋରି ପାଖରେ ବସିଗଲା ।

ଅନିରୁଦ୍ଧ ଦୁଇଟି ପ୍ଲେଟରେ ଜଳଖିଆ ଆଣି ଥୋଇ ଦେଇଗଲା, ସେଇ ଖାଇବା ଟେବୁଲରେ । ମୁଁ ଲକ୍ଷ୍ୟ କଲି ବିନୁଅପାର ଗାମ୍ଭୀର୍ଯ୍ୟ ଯେମିତି ହ୍ରାସ ପାଇଯାଇଚି । କାଲି ରାତିରେ ସେ ଯାହା ଥିଲା, ଆଜି ସକାଳେ ହୁଏତ ସେ ବଦଳିଯାଇଚି । ତା’ ଆଖିରେ ଯେମିତି ବହୁତ ଭାଷା ।

 

ସେ କହିଲା–ନୀଳୁ, ତୋତେ ଦେଖି ପଛକଥାଗୁଡ଼ା ମନେ ପଡ଼ୁଚି । ହାଇସ୍କୁଲର ସେଇ ଯେଉଁ ମାୟାଧର ପଣ୍ତିତ, ତୋତେ କ’ଣ କହନ୍ତି ? ତୋତେ ମାଇଚିଆ ଆଖ୍ୟା ଦିଅନ୍ତିନା ? ତାଙ୍କର ସେଇ କଥା ଶୁଣି ଆମେ ସମସ୍ତେ ହସିଉଠୁ । ଲାଜରେ ତୋ’ ମୁହଁ ନାଲ୍‌ ପଡ଼ିଯାଏ । ସତରେ ତୁ ଭାରି ମାଇଚିଆ ଥିଲୁ । ଆଜି ବି ମୁଁ ତ ଦେଖୁଚି ତୁ ସେମିତି ମାଇଚିଆ ଅଛୁ । ରାଜନୀତିରେ ରହି ନେତୃତ୍ୱ ଦଉଥିଲୁ କେମିତି ? ତୋ’ କଥା ତ ବଡ଼ ଅଜବ୍‌ ।

 

ଆଉ ତୁମ କଥା...?

 

ପରିଷ୍କାର ପରିଚ୍ଛନ୍ନ ପୋଷାକ ପିନ୍ଧି ମୁଁ ଆଜି ଟିକିଏ ଫୂର୍ତ୍ତିରେ କଥାବାର୍ତ୍ତା କରିପାରୁଛି । ମୁଁ କହିଲି–ବିନୁଅପା, କାଲିଠାରୁ ତୁମେ ସବୁ ସମୟରେ ମୋ’ରି ବିଷୟ ନେଇ ଆଲୋଚନା କରୁଚ–କିନ୍ତୁ......

 

ଏଇଥିରୁ କ’ଣ ଜାଣି ପାରୁନୁ ମୋର ତୋ ବିଷୟରେ କେତେ ଆଗ୍ରହ ! ଏମିତି ଆଗ୍ରହୀ ମନ ନେଇ ମୁଁ ଆଗେଇ ଯାଉଚି ନୀଳୁ । ହେଲେ, ମୋ ଆଗ୍ରହର ମୂଲ୍ୟ ମତେ କେହି ଦେଇ ପାରୁନାହାନ୍ତି । ସେ କହିଲା ।

 

ମୁଁ ସାଙ୍ଗ ସାଙ୍ଗେ କହିଲି–ନା, ନା, ଜଣକର ଆଗ୍ରହ ଥିଲେ, ଅନ୍ୟ ଜଣେ ସେ ଆଗ୍ରହକୁ ଭାଙ୍ଗିଦବ କେମିତି ?

 

ବିନୁଅପା କହିଲା–ଦୁନିଆରେ ସବୁ ସମୟରେ ଏଇ କଥା ହିଁ ଘଟୁଚି । ସ୍ନେହ, ପ୍ରେମ, ଭଲ ପାଇବାର ପ୍ରତିଦାନ କେତେଜଣ ଠିକ୍‌ ଠିକ୍‌ କରି ପାଉଛନ୍ତି ? ବେଶୀ ଭାଗ ଦେଖିବୁ ପ୍ରବଞ୍ଚନା–ପ୍ରତାରଣା । ଏ ପୃଥିବୀ ବଡ଼ ସ୍ୱାର୍ଥପର–ବଡ଼ ବିଚିତ୍ର ।

 

ହୁଏତ ବିନୁଅପା ପ୍ରାଣରେ ଆଘାତ ଲାଗିଚି । ବିଭା ନହେଲେ ମଧ୍ୟ ନାରୀର ମାନସିକ ଚିନ୍ତାକୁ ମୁଁ ବେଶ୍‌ ବୁଝିପାରୁଥିଲି ।

 

ବିନୁଅପା ପୁଣି କହିଲା–କଲ୍ୟାଣ ଆଜି ଆଇ.ଏ.ଏସ୍‌ ଅଫିସର୍‍ । ଆଉ ମୁଁ......

 

ବନ୍ଦ ହୋଇଗଲା ସେ । ମୁଁ ବି କିଛି ଆଉ ପଚାରିବାକୁ ଉଚିତ ମନେ କଲିନି ।

 

ବିନୁଅପା ସମ୍ପର୍କରେ ଆଉ ଅଧିକ ଜାଣିବାର ଆଗ୍ରହ ଆଜି ପାଇଁ କମିଗଲା ।

 

ଇତିମଧ୍ୟରେ ଜଳଖିଆ ଖିଆ ସରିଯାଇଚି । ଆମକୁ ସଚେତନ କରି କାନ୍ଥ ଘଡ଼ିରେ ଆଠଟା ବାଜିଲା । ମେଡିକାଲ୍‌ ଯିବାକୁ ହବ । ବିନୁଅପା ଅନିରୁଦ୍ଧକୁ ଡାକି କହିଲା–ଯା ଦେଖିଆସିବୁ, କମଳା ଅଛି କି ହସ୍ପିଟାଲ୍‌ ଚାଲିଗଲାଣି ।

 

ତା’ପରେ ସେ ଉଠିପଡ଼ି ଆଲମିରାଟା ଖୋଲିଲା । ମତେ କହିଲା–ନୀଳୁ, ତୋର ହଳେ ଚଟୀ ଦରକାର । ତୋ ଅସନା ଚଟୀ ହଳଟା ମୁଁ ଫିଙ୍ଗିଦେଇଚି । ମେଡିକାଲ୍‌ ଯିବା ବାଟରେ ଚଟୀ କିଣିବା ପାଇଁ ମନେ ପକାଇଦବୁ ।

 

ମୁଁ ବୁଝିପାରୁ ନଥିଲି, ହଠାତ୍‌ ବିନୁଅପାର ମୋ’ ପ୍ରତି ଏ ଅଯାଚିତ ଅନୁଗ୍ରହ କାହିଁକି ?

 

ଆମେ ଦୁହେଁ ଏକା ଗାଆଁରୁ ଆସିଚୁ । ସେ ମୋଠୁ ବୟସରେ ପ୍ରାୟ ଦୁଇ ବରଷ ବଡ଼ ! ଗାଁ ଚାଟଶାଳୀ, ମାଇନର ସ୍କୁଲ, ହାଇସ୍କୁଲ ଓ କଲେଜରେ ଆମେ ତଳଉପର ଶ୍ରେଣୀରେ ବରାବର ପଢ଼ିଆସିଚୁ । ଛାତ୍ର ଜୀବନର ଅନେକ ସ୍ମୃତି ମନ ଆକାଶରେ ମେଘଭଳି ଭାସି ଯାଉଥିଲା ।

 

ଏଇ ବିନୁଅପା । ହାଇସ୍କୁଲରେ ପଢ଼ିବାବେଳେ ଭାରି ଦୁଷ୍ଟ ଥିଲା । କଥାକଥାକେ ହାଇସ୍କୁଲ ତଳ ଶ୍ରେଣୀର ପିଲାଙ୍କୁ ସେ ମାରଧର କରୁଥିଲା ।

 

ଦିନକର କଥା । ମତେ ସେ ତା’ ଫାଉଣ୍ଟନ୍‌ ପେନ୍‌ଟା ଦେଇଥିଲା ଘରୁ କାଳି ଭର୍‍ତି କରି ଆଣିବା ପାଇଁ । ମୁଁ ପେନ୍‍ଟା ନେଇଗଲି ସତ, ପରଦିନ ସ୍କୁଲ ଆସିବା ବେଳକୁ କାଳି ପୂରେଇ ଆଣିବାକୁ ଭୁଲିଗଲି । ସ୍କୁଲରେ ସେ ଏକବାରେ ରାଗି ପଞ୍ଚମ । ଆଚ୍ଛାକରି ଦିଚାରି ଚାପୋଡ଼ ମୋ ଗାଲରେ ସେ ବସେଇଦେଲା । ମୁଁ ଭେଁ ଭେଁ କିନି କାନ୍ଦି ଏ ବିଷୟ ଯାଇ ହେଡ଼ମାଷ୍ଟରଙ୍କୁ କହିଥିଲି । ହେଡ଼ମାଷ୍ଟର ତାକୁ ଡାକି ନେଇ ସେ ଯୋଉ ହାତରେ ମୋତେ ମାରିଥିଲା, ସେଇ ହାତରେ ଚାରି ବେତ କଷି ଦେଇଥିଲେ ।

 

ବେତ ଆଘାତରେ ହାତ ତା’ର ଲାଲ୍‌ ପଡ଼ିଯାଇଥିଲା ।

 

ପ୍ରାୟ ସାତଦିନ ଖଣ୍ତେ ସେ ଆଉ ମୋ ସାଙ୍ଗରେ କଥା କହିଲାନି । ତା’ ପରେ କିନ୍ତୁ ଆପେ ଆପେ ଦିନେ ସେ କଥା କହିଲା । ମୋ ପାଖକୁ ଆସି କହିଲା–ନୀଳୁ, ତୋତେ ସେ ଦିନ ମାରି ମୁଁ ଭାରି ଅନ୍ୟାୟ କରିଥିଲି । ତୁ ତ ଜାଣୁ, ମୋର ଭାଇ ନାହିଁ । ତତେ ସାନଭାଇ ଭାବି ଶାସନ କରିଥିଲି । ହେଲେ, ତୁ ହେଡ଼ମାଷ୍ଟରଙ୍କୁ କହିଦେଲୁ । ମତେ ମାଡ଼ ଖୁଆଇ ତୋର କି ଲାଭ ହେଲା ?

 

ତା’ପରେ ଆଖି ମୋର ସଜଳ ।

 

ସେ ପୁଣି କହିଲା–ସେଦିନ ବେତମାଡ଼ ମତେ ଭାରି ବାଧିଲାରେ ।

 

ବିନୁଅପା କଥା କହି ପଟେଇ ନେଇପାରେ । ଏଇ କଳାରେ ସେ ଭାରି ଧୁରନ୍ଧର ।

 

କଥା କହିବାର ପରିପାଟୀ ଆଜି ବି ତା’ର ଠିକ୍‌ ସେମିତି । ସହଜରେ ସେ ଜଣେ ଲୋକକୁ ଆପଣାର କରି ନେଇପାରେ ।

 

ଅନିରୁଦ୍ଧ ଆସି କହିଲା–କମଳା ଅପା ସାତଟା ବେଳୁ ଡାକ୍ତରଖାନା ଚାଲିଗଲେଣି । ତୁମକୁ ଯିବା ପାଇଁ କହି ଯାଇଛନ୍ତି ।

 

ଖଣ୍ତିଏ ରିକ୍‌ସା ଡାକିବାକୁ ବରାଦ କରି ବିନୁଅପା ମତେ କହିଲା–ବୁଝିଲୁ ନୀଳୁ ! ତତେ ଦେଖିବାଠୁ ଆଉ ପାଖଛଡ଼ା କରିବାକୁ ମନ ହଉନି । କିନ୍ତୁ ତତେ ନିଜର କରି ପାରିବାର ସୌଭଗ୍ୟ ମୋର କ’ଣ ଅଛି ?

 

ବିନୁଅପା ଭଳିଆ ସ୍ତ୍ରୀଲୋକ ପକ୍ଷରେ ମତେ ପାଇବା ସୌଭାଗ୍ୟର ଚିହ୍ନ ? ମୋତେ ହସ ଲାଗିଲା । ସୌଭାଗ୍ୟଟା କାହାର ହେବ ? ମୋର ନା ତା’ର ? ମୁଁ ତ ବର୍ତ୍ତମାନ ନିଜ ଜୀବନକୁ ନଷ୍ଟ କରି ଅତଳ ଦରିଆ ଭିତରେ ଭାସୁଛି, ଆଶ୍ରୟ ନାହିଁ, ଦୃଷ୍ଟି ସୀମା ଭିତରେ କୂଳର ସଂଧାନ ମଧ୍ୟ ନାହିଁ ।

 

କିଏ ଭାବିଥିଲା ମୁଁ ଆଜି ଏ ଅବସ୍ଥାରେ ପଡ଼ିବି ବୋଲି ? ସାଙ୍ଗ ସାଥୀ ବନ୍ଧୁ ଜନସାଧାରଣ ସମସ୍ତଙ୍କ କଳ୍ପନା ଆଜି ପରାଜିତ । ମୋର ଉଜ୍ଜ୍ୱଳ ଭବିଷ୍ୟତ କେଉଁ ଦୈତ୍ୟରୂପୀ ଅନ୍ଧକାରର ମୁଖଗହ୍ୱରରେ ବିଲୀନ ହେଇ ଯାଇଚି ।

 

ଛାତ୍ର ଜୀବନ ପରଠାରୁ ଆଜି ପର୍ଯ୍ୟନ୍ତ ଯେଉଁସବୁ ଘଟଣାର ପ୍ରବାହ ସେଇ ସବୁ ଆସି ଆଜି କାହିଁକି କୁଣ୍ତ ଭିତରେ ଗୋଳମାଳ ସୃଷ୍ଟି କରୁଚି ? କାହିଁକି ? କାହିଁକି ?

 

ଏ ପ୍ରଶ୍ନର ଉତ୍ତର ମୁଁ ଖୋଜି ପାଉ ନଥିଲି । ବିନୁଅପା ଆସି ମୋରି ପାଖରେ ଠିଆ ହେଲା । ତା’ ଦେହର ବିଦ୍ୟୁତରେ ମୋର ଜଡ଼ତା ଭାଙ୍ଗିଆସୁଚି । ସେ ମତେ କହିଲା–ନୀଳୁ, ତୋ ସହିତ ବହୁତ କଥା ଅଛି । ସେସବୁ କଥା ସାରିବାକୁ ହେଲେ ଗୋଟିଏ ଦିନ ଯଥେଷ୍ଟ ନୁହେଁ । ତୁ ଯଦି ପୁଣି ଆସୁ, ମୁଁ ତତେ ସବୁ କଥା କହିବି । ହୃଦୟ ଆଉ ମନକୁ ମୁଁ ଉଶ୍ୱାସ କରିବାକୁ ଚାହେଁ । ତାହା ନକଲେ ଚିନ୍ତାରେ ମୁଁ ବେଶୀ ଦିନ ବଞ୍ଚିପାରିବି ନାହିଁ । ଡାକ୍ତର କ’ଣ କହୁଛନ୍ତି ଜାଣୁ ? ଅତ୍ୟଧିକ ମାନସିକ ଦୁଶ୍ଚିନ୍ତା ଯୋଗୁ ମୋ ରକ୍ତଚାପ ବଢ଼ି ଯାଉଚି । ହାଇ ବ୍ଲଡ଼ପ୍ରେସ୍‌ର...ଆଗେ କ’ଣ ମୁଁ ଏତେ ମୋଟା ଥିଲି ! କ୍ରମେ କ୍ରମେ ମୋଟା ହେଇଯାଉଚି । ମୋ ବାହା ଦି’ଟା ଦେଖୁଚୁ ? ଦେଖ, କେଡ଼େ ମୋଟେଇ ଯାଉଚି ମୁଁ । ଏଇଟା କିନ୍ତୁ ମୋ ପକ୍ଷରେ ଭଲ ଲକ୍ଷଣ ନୁହେଁ ।

 

ମୁଁ ଶୁଣୁଚି, ବିନୁଅପା କହୁଚି । ହୁଏତ ତା’ ହୃଦୟକୁ ସେ ଖୋଲି ଦବାକୁ ଚାହୁଁଚି କିନ୍ତୁ ପାରୁନି । ମୋର ଶୁଣିବା ପାଇଁ ଆଗ୍ରହ ବଢ଼ୁଚି ।

 

ବିନୁଅପା ମୋ ପାଖରେ ଆଜି ଏକ ଇନ୍ଦ୍ରଜାଲ । ତା’ର ସେଇ ଯାଦୁକରୀ ସ୍ପର୍ଶରେ ମୁଁ ସତେ କ’ଣ ଫେରିପାଇବି ମୋ ଜୀବନ ? ଦେଖାଯାଉ, କ’ଣ ହେଉଛି ?

 

ଅନିରୁଦ୍ଧ ରିକ୍‌ସାଟିଏ ଆଣି ପହଞ୍ଚେଇଲା । ବିନୁଅପା ହଠାତ୍‌ ମୁହଁର ଢଙ୍ଗ ବଦଳେଇ ଭାରି ପ୍ରଫୁଲ୍ଲ ଦେଖାଗଲା । ସବୁଯାକ ଦୁଃଖ ଯେମିତି ମୁହଁରୁ ଉଭେଇଗଲା ।

 

ସେ କହିଲା–ଚାଲ ନୀଳୁ ! ତୋ’ ସାଙ୍ଗରେ ବସି ଯିବାକୁ ଆନନ୍ଦ ଲାଗୁଚି । ଅତୀତର ଇତିହାସ ପଢ଼ିବାକୁ ଭଲ ଲାଗେ । ଅତୀତର କାରୁକାର୍ଯ୍ୟ ମନ ଭିତରେ ଆନନ୍ଦର ଢେଉ ତୋଳେ । ତୁ ହଉଚୁ ମୋ ଅତୀତ ଇତିହାସର ଏକ ଅବିସ୍ମରଣୀୟ ଚରିତ୍ର । ତେଣୁ ତୋରି ସାନ୍ନିଧ୍ୟ ଆଜି ମତେ ଦେଉଚି ପ୍ରଚୁର ଆନନ୍ଦ ।

 

ରିକ୍‌ସା ଚାଲିଲା ମେଡିକାଲ୍‌ ଅଭିମୁଖେ । ଜୋତା ଦୋକାନ ପାଖରେ ରିକ୍‌ସା ଅଟକାଇ ସେ ମୋ ଗୋଡ଼ ପାଇଁ ଚପଲ୍‌ ହଳେ କିଣିଲା । ଚପଲ୍‍ ହଳକ ସେ ନିଜେ ଚୟେସ୍‌ କଲା-। ତା’ ସଙ୍ଗେ ସଙ୍ଗେ ତା’ ନିଜ ପାଇଁ ମଧ୍ୟ ହଳେ କିଣିଲା ।

 

ତୁଳସୀପୁରଠୁ ମେଡିକାଲ୍‍ । ବାଟରେ ଚପଲ୍‍ କିଣା ସମୟକୁ ନେଇ ପକ୍‌କା ଘଣ୍ଟାଏ ଲାଗିଲା । ପହଞ୍ଚିବା ବେଳକୁ ଦଶଟା ବାଜିଗଲାଣି । ସୂର୍ଯ୍ୟତାପ ହେଲାଣି ପ୍ରଖର । ଦେହରୁ ଝାଳ ବହିବାକୁ ଆରମ୍ଭ କଲାଣି । ବିନୁଅପା ମୁହଁର କସ୍ମେଟିକ୍‌ ପ୍ରଲେପ ଝାଳରେ ନିଷ୍ପ୍ରଭ ହେଇଆସିଚି ।

 

ଆମେ ଦୁହେଁ ରିକ୍‌ସାରୁ ଓହ୍ଲେଇଲୁ । ମୋତେ ସାଙ୍ଗରେ ନେଇ ସେ ମେଡିକାଲ୍‌ ଓ୍ୟାର୍ଡ଼ ଭିତରକୁ ପଶିଲା ।

Image

 

ଚାରି

 

ଗୌରୀଶଙ୍କର ମରିଗଲା । ତା’ର ଏ ମୃତ୍ୟୁରେ ଭାରତବର୍ଷ ବା ଓଡ଼ିଶାର କ’ଣ କ୍ଷତି ଘଟିଲା ମୁଁ ଜାଣେନା; କିନ୍ତୁ ବିଚାରୀ କମଳା ଭାସିଗଲା ।

 

ମେଡିକାଲ୍‌ର ସେଇ ଓ୍ୟାର୍ଡ଼ରେ ଯୋଉ ଦୃଶ୍ୟ–ମୋର ସର୍ବାଙ୍ଗ ଥରିଉଠିଲା । ସ୍ୱାମୀର ମୃତ୍ୟୁରେ ସ୍ତ୍ରୀ ଏଭଳି ଧୈର୍ଯ୍ୟହୀନା ହୁଏ ! ଯୋଉମାନେ ଏ ଦୃଶ୍ୟ ଦେଖିନାହାନ୍ତି, ସେମାନେ କଳ୍ପନା କରିପାରିବେ ନାହିଁ । ତା’ର ସେ ବୁକୁଫଟା କ୍ରନ୍ଦନ ଶୁଣିଲେ ଛାତି ଫାଟିଯିବ–ପଥର ତରଳିଯିବ ।

 

ଗୌରୀଶଙ୍କରର ମୃତ ଦେହ ଶେତା ପଡ଼ିଯାଇଚି । ଶିରା ପ୍ରଶିରାରେ ରକ୍ତର ଲେଶମାତ୍ର ଚିହ୍ନ ନାହିଁ । ସେଇ ମୃତ ଦେହ ଉପରେ ଲୋଟିପଡ଼ିଛି କମଳା–ବିପର୍ଯ୍ୟସ୍ତ କେଶରାଶି ପରିବେଶକୁ ଭୟଙ୍କର କରି ତୋଳୁଚି ।

 

ନିର୍ବାକ୍‌-ନିସ୍ପନ୍ଦ ହେଇ ଠିଆହେଇଚି ବିନୁଅପା । ପାଟିରେ ତା’ର ଭାଷା ନାହିଁ–ଆଖିରେ ତା’ର ଲୁହ ନାହିଁ ।

 

ସେ ଦିନ ଗୌରୀଶଙ୍କର ପାର୍କରେ ବିନୋଦ ବୋଲି ଯେଉଁ ପିଲାଟି ଗହଣା ବିକ୍ରି କରି କମଳା ହାତକୁ ଟଙ୍କା ବଢ଼େଇ ଦେଇଥିଲା, ସେଇ ପିଲାଟି ମଧ୍ୟ କାନ୍ଦୁଛି ।

 

ଡାକ୍ତର ଆଉ ନର୍ସ ରୋଗୀର ମୃତ୍ୟୁ ହେଇଚି ବୋଲି ଘୋଷଣା କରି ଚାଲିଗଲେ ।

 

କିଛି ସମୟ ପରେ ବିନୁଅପା ମତେ କହିଲା–ନୀଳୁ, କମଳାର ସଂସାର ସରିଗଲା । ହେଲେ ଶବ ସତ୍କାର ହେବ କେମିତି ? ତା’ର ବା ଏଠି କିଏ ଅଛି ? ତୁ ଗୋଟାଏ କାମ କର । ଡି.ପି.ଆଇ. ଅଫିସ୍‌କି ଫୋନ୍‌ କରିଦେ । ତା’ର ବନ୍ଧୁବାନ୍ଧବ କେତେ ଜଣ ଆସି ଶବ ସତ୍କାରରେ ସାହାଯ୍ୟ କରନ୍ତୁ ।

 

ମୁଁ ମେଡିକାଲ୍‌ ଅଫିସ୍‌କି ଚାଲିଗଲି । ଡି.ପି.ଆଇ. ଅଫିସ୍‌କି ଫୋନ୍‌ କରି ଏଇ ମର୍ମନ୍ତୁଦ ଘଟଣା ଜଣାଇଦେଲି । ଅଧ ଘଣ୍ଟାକ ଭିତରେ ସାତ ଆଠ ଜଣ ବାବୁ ଆସି ପହଞ୍ଚିଲେ । ଶବକୁ ଖାନନଗର ମଶାଣିକି ନବାର ସମସ୍ତ ବ୍ୟବସ୍ଥା ହେଇଗଲା ।

 

କିନ୍ତୁ କମଳାକୁ ସମ୍ଭାଳେ କିଏ ? କିଏ ବା ତା’କୁ ମୃତ ସ୍ୱାମୀଠୁ ଅଲଗା କରିବ ? ମର୍ମନ୍ତୁଦ ଦୃଶ୍ୟ ।

 

ବିନୁଅପା ଯାଇ ଜୋର୍‌ କରି କମଳାକୁ ବାହାର କରି ଆଣିବାକୁ ଚେଷ୍ଟା କଲା ।

 

କମଳା ! ଏଇଟା ହସ୍ପିଟାଲ୍‍ । ନିଜକୁ ନିଜେ ନ ସମ୍ଭାଳିଲେ ଆଉ କିଏ ସମ୍ଭାଳିବ ? ମୁଣ୍ତ ପିଟିଦେଲେ ବି ଗୌରୀଶଙ୍କର ଆଉ କ’ଣ ଫେରି ଆସିବ ? ତୁ ଏମିତି ଅବୁଝା ହେଲେ ତତେ ବୁଝେଇବ କିଏ ? ତୁ ମୋ ସହିତ ଆ, ଆମେ ଘରକୁ ଯିବା । ବିନୁଅପା କହିଲା ।

 

କମଳା କହିଲା–ମତେ ତାଙ୍କ ସାଙ୍ଗରେ ନେଇ ଚାଲ । ମୁଁ ଆଉ ଘରକୁ ଫେରିବିନି । ଘରକୁ ଯାଇ କାହାକୁ ଦେଖି ବଞ୍ଚିବି ? ମତେ ବି ସେଇ ମଶାଣିକି ନେଇଚାଲ ।

 

ସତରେ । ଘରକୁ ଯାଇ ସେ ବଞ୍ଚିବ କେମିତି ? ପିଲାଛୁଆ ଗୋଟେ ଦି’ଟା ହେଇଥିଲେ ବା’ ତାଙ୍କରି ମୁହଁକୁ ଚାହିଁ ବଞ୍ଚନ୍ତା । କିନ୍ତୁ ତା’ ବି ନାହିଁ ।

 

ଆହୁରି–

 

ସେ ବା ବର୍ତ୍ତମାନ ଯିବ କୋଉଠିକି ? ମୋଫସଲ ଗାଁରେ ଗୌରୀଶଙ୍କରର ଆଉ କିଛି ନାହିଁ । ତା’ର ଯାହା ବା ସାମାନ୍ୟ ଜମିଜାଗା ଥିଲା, ତାକୁ ସବୁ ସେ ତା’ ସାନଭାଇକି ଦେଇଦେଇଛି-। ସେ ସବୁର ପରିମାଣ ମଧ୍ୟ ଖୁବ୍‌ କମ୍ । ଗୋଟିଏ ପରିବାର ପାଇଁ ବି ଯଥେଷ୍ଟ ନୁହେଁ ।

 

କମଳାର ଭବିଷ୍ୟତ ପୂରା ଅନ୍ଧାର । ତଥାପି ସେ ଯେତେ ଆତ୍ମୀୟ ହେଉପଛେ ମଲା ମଣିଷ ପଛରେ କେହି କେବେ ଗୋଡ଼ାଇ ଯାଇନି ।

 

ବିନୁଅପାର ଅକ୍ଳାନ୍ତ ଚେଷ୍ଟା ଫଳରେ କମଳାକୁ ବାହାର କରି ଅଣାଗଲା । ଡି.ପି.ଆଇ. ଅଫିସର୍‍ କର୍ମଚାରୀଗଣ ‘ହରିବୋଲ–ହରିବୋଲ’ କହି ଶବକୁ ଖାନନଗର ଶ୍ମଶାନକୁ ନେଇଗଲେ-

 

ବିନୁଅପା ଆଉ କମଳା ଗୋଟାଏ ରିକ୍‌ସାରେ ଚାଲିଗଲେ । ଗଲାବେଳେ ବିନୁଅପା ମୋ କାନ ପାଖରେ କହିଗଲା–ଅବସ୍ଥାଟା ଦେଖୁଚୁ ତ ? କାଲି ବା ଅପରଦିନ ନିଶ୍ଚୟ ଆସିବୁ ।

 

ଯିବା ପାଇଁ ସମ୍ମତି ଦେଇ ମେଡିକାଲ୍‍ ହତା ଛାଡ଼ି ମୁଁ ବାହାରକୁ ଆସିଲି ମାନସିକ ଅବସ୍ଥା ଭଲ ନାହିଁ । ମୋର ମଧ୍ୟ ଭବିଷ୍ୟତ ଅନ୍ଧକାର ।

 

ମେଡିକାଲ୍‍ଠୁ ପ୍ରଭାତ ସିନେମା–ଏଇ ଦୀର୍ଘପଥ ମଧ୍ୟାହ୍ନର ସୂର୍ଯ୍ୟ ତଳେ ଚାଲି ଯିବାକୁ ପଡ଼ିବ । ଆଜି ଦି’ପହରେ ଖାଇବାର କୌଣସି ବ୍ୟବସ୍ଥା ନାହିଁ । ନଥାଉ, ନ ଖାଇଲେ ଚଳିଯିବ ।

 

ଚାଲିବାକୁ ବିଶେଷ ଖରାପ ଲାଗୁ ନଥାଏ । କାହିଁକି ନା ଭଦ୍ର ପୋଷାକରେ ଆଜି ମୁଁ ଭଦ୍ରଲୋକଟିଏ ଭଳି ଦେଖାଯାଉଚି । ବସାରେ ପହଞ୍ଚିବାବେଳକୁ ଦୁଇଟା ବାଜିଗଲାଣି । ସେଇ ଓଦାମାଟିର ଘର ଭିତରେ ମଳିଛିଆ ଶେଯଟାକୁ ପାରିଦେଲି । ପୁରୁଣା ଲୁଙ୍ଗି ଖଣ୍ତେ ପିନ୍ଧି ଧୋତି ଆଉ ପଞ୍ଜାବୀକୁ ଖୁବ୍‌ ଯତ୍ନରେ ସାଇତି ରଖିଲି । ରାଇଜ ଯାକର ଚିନ୍ତା ଆସି ମନକୁ ଘାରିଲା ।

 

ଦୁଇଦିନ ହେଲା ମୁଁ ଅନ୍ୟ ଏକ ରାଜ୍ୟରେ ଥିଲି । ସେ ରାଜ୍ୟକୁ ତୁମେ ମର୍ତ୍ତ୍ୟର ମଙ୍ଗଳ ଗ୍ରହ ବୋଲି ଧରିନେଇପାର । ଆଜି ପୁଣି ମୁଁ ବାସ୍ତବ ଜଗତକୁ ଫେରିଆସିଚି । ଏଇ ମୋର ପରିଚିତ ଘରଟି ଯନ୍ତ୍ରଣାର ନିଶ୍ୱାସ ତ୍ୟାଗକରି ମତେ ଯେମିତି ମୋ ଦୀନତା ବିଷୟରେ ବାରମ୍ବାର ସଚେତନ କରେଇ ଦଉଚି ।

 

ହାୟ କମଳା ! ତୁମର ପାତିବ୍ରତ୍ୟ ଆଜି ନିଷ୍ଫଳ ହେଇଯାଇଚି । ତୁମର ଏତେ ଚେଷ୍ଟା ବ୍ୟର୍ଥ ହେଇଯାଇଚି–ତୁମେ ଆଜି ପତିହରା–ବିଧବା । ତଥାପି ତୁମେ ନମସ୍ୟା ।

 

ଆଉ ବିନୁଅପା–ସେ ଯେମିତି ଏକ ପ୍ରହେଳିକା । କ’ଣ ସେ କରେ ? ସଂସାରରେ କିଏ ବା ତା’ର ଅଛନ୍ତି ?

 

କଲ୍ୟାଣବାବୁ, ନିରଞ୍ଜନ, ଚିନ୍ମୟ ଏମାନଙ୍କ ସହିତ ତା’ର ସଂପର୍କ କ’ଣ ? ଭାବି ଭାବି ମୁଁ କିଛି ଥଳକୂଳ ପାଉ ନଥିଲି ।

 

ବିନୁଅପାର ଚାଲିଚଳନ ସନ୍ଦେହଯୁକ୍ତ ।

 

କ୍ରମେ କ୍ରମେ ଜଠରଜ୍ୱାଳା ମୋର ବଢ଼ୁଚି । ପ୍ରଥମରୁ ଖାଇବା ପ୍ରତି ଯେତିକି ଅନାସ୍ଥା ଭାବ ଥିଲା, ତାହା କଟିଯାଇଚି । ଅନ୍ତତଃ ଆଉ ଥରଟିଏ ନ ଖାଇଲେ ଆଜି ଦିନଟା କଟିବ କେମିତି-! ପେଟର ଏଇ ଯନ୍ତ୍ରଣାକୁ ପାଇପ୍ ପାଣି ପିଇ ଉପଶମ କରାଯାଇପାରେ ? ଖାଲି ପେଟରେ ରହିବାଠାରୁ ପାଇପ୍‌ର ସ୍ୱଚ୍ଛ ପାଣି ପେଟେ ପିଇଦେବା ଭଲ । ବହୁ ସ୍ଥାନରେ ଚେପା ହେଇଯାଇଥିବା ସିଲ୍‌ଭର୍‌ ଗ୍ଲାସ୍‌ଟା ହାତରେ ଧରି ମୁଁ ରାସ୍ତା କଡ଼ର ପାଇପ୍ ପାଖକୁ ଚାଲିଗଲି । ରକ୍ଷା ହେଇଚି । ଥଣ୍ତା ପାଣି ପରିବର୍ତ୍ତେ ଈଷତ୍‌ ଗରମ ପାଣି ମିଳିଚି । ପୂରା ଥଣ୍ତା ପାଣିଟା ସିନା ଖରାପ; କିନ୍ତୁ ଗରମ ପାଣି ତ କ୍ଷୁଧାନିବାରକ । ମନଭରି ପେଟେ ପାଣି ପିଇଲି–ଗ୍ଲାସ୍‌ ଗ୍ଲାସ୍‌ କରି ଚାରିଗ୍ଲାସ୍‌ । ପେଟ ଭିତରର ଜଳୀୟ ଅଂଶ ବୋଧହୁଏ ଏକଦମ ଶୁଷ୍କ ହେଇଯାଇଥିଲା । ପାଣି ପିଇ ଆଶ୍ୱସ୍ତ ହେଲି ।

 

ପୋଷ୍ଟପିଅନଟା ମୋରି ଘରଟା ସାମନାରେ ସାଇକେଲ୍‌ ଅଟକେଇଚି । କେହି ଭଦ୍ରବ୍ୟକ୍ତି ଦୟାପରବଶ ହେଇ କିଛି ଚାନ୍ଦା ପଠେଇ ଥାଆନ୍ତେ କି ? ମନରେ ହଠାତ୍‌ ଜାଗିଚି ରଂଗୀନ୍‌ ସ୍ୱପ୍ନ । ପୋଷ୍ଟ ପିଅନ୍‌ ସତେ କି କହିବ–ବାବୁ ! ମନିଅର୍ଡ଼ର ଅଛି ।

 

ମୁଁ ଭାରି ଆଗ୍ରହୀ ହେଇ ତା’ନିକଟକୁ ଆଗେଇଗଲି । ପୋଷ୍ଟ ପିଅନ୍‌ଟି ମୋର ଚିହ୍ନାଲୋକ । ସେ କହିଲା–ବାବୁ, ତୁମର ଗୋଟାଏ ବେଆରିଂ ଚିଠି ଅଛି ।

 

ସେ ପୋଷ୍ଟକାର୍ଡ଼ ଖଣ୍ତେ ମୋ ହାତକୁ ବଢ଼େଇଦେଲା । ବାରପଇସା ଚାର୍ଜ ହେଇଚି । ମୁଁ ତ କପର୍ଦ୍ଦକ ଶୂନ୍ୟ–ବାରପଇସା ଦେଇ ବେଆରିଂ ପୋଷ୍ଟକାର୍ଡ଼ ନବାର କ୍ଷମତା ମୋର କ’ଣ ଅଛି ?

 

ପୋଷ୍ଟକାର୍ଡ଼ଟା ଆଣି ଏ ପାଖ ସେ ପାଖ ଦେଖିଲି । ପ୍ରେରକ–ଶଙ୍ଖପାଟଣା ଯୁବକ ସଙ୍ଘ । ଚିଠିର ଉଦ୍ଦେଶ୍ୟ–ଆଗାମୀ ପନ୍ଦର ତାରିଖରେ ଯୁବକ ସଂଘ ତରଫରୁ ଏକ ଉତ୍ସବର ଆୟୋଜନ କରାଯାଇଚି । ମତେ ଉଦ୍ୟୋକ୍ତାମାନେ ମୁଖ୍ୟ ଅତିଥି ହିସାବରେ ବକ୍ତୃତା ଦବାକୁ ନିମନ୍ତ୍ରଣ କରିଛନ୍ତି । ଚିଠିର ବିଷୟବସ୍ତୁ ପଢ଼ିସାରି ପୋଷ୍ଟପିଅନ୍‌ ହାତକୁ କାର୍ଡ଼ଟି ବଢ଼େଇଦେଲି ।

 

କହିଲି–ନବାର ଆବଶ୍ୟକତା ନାହିଁ । ତୁମେ ଫେରାଇ ଦିଅ । ପୋଷ୍ଟପିଅନ୍‍ ସମଝ୍‌ଦାର ଲୋକ । ମୋ ଅବସ୍ଥା ବୋଧହୁଏ ସମଝିଗଲା । ବିନା ଦ୍ୱିଧାରେ ପୋଷ୍ଟକାର୍ଡ଼ ଖଣ୍ତକ ଫେରେଇ ନେଇ ସେ ଚାଲିଗଲା । ମୁଁ ଚିଠି ନିଏ ବା ନନିଏ, ତା’ର କିଛି ଯାଏ ଆସେନା । ସେ ତା’ ଡିଉଟୀ କରୁଚି । ତେଣୁ ପ୍ରତିବାଦ ନକରି ସେ ଚାଲିଗଲା ।

 

ଘର ଭିତରକୁ ପଶିଯାଇ ବିଛଣା ଉପରେ ବସିଲି । ଶଙ୍ଖପାଟଣା ଯୁବକ ସଂଘର ସଭ୍ୟମାନେ ନିମନ୍ତ୍ରଣ କରିଛନ୍ତି । ନିର୍ଲ୍ଲଜ୍ଜ–ସେମାନଙ୍କୁ ଲାଜ ଲାଗୁନି ? ମୋର ମନେପଡ଼ୁଚି, ମୁଁ ଯେତେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି, ସେତେବେଳେ ଏଇ ଶଙ୍ଖପାଟଣା ଗାଁ ତ ପ୍ରଥମେ ବିଶ୍ୱାସ ଦେଖେଇ ଶେଷରେ ପୂରାପୂରି ପ୍ରବଞ୍ଚନା କରିଥିଲା ! ଆଉ ଆଜି କାହିଁକି ଏ ଦରଦ ?

 

ସେଠିକି ଯିବାର ଆବଶ୍ୟକତା ନାହିଁ । ମୁଖ୍ୟ ଅତିଥି, ସଭାପତି, ମୁଖ୍ୟ ବକ୍ତା ହବାର ଆଗ୍ରହ ମଧ୍ୟ ଆଉ ମୋର ନାହିଁ । ନିର୍ବାଚନରେ ସେ ଅଞ୍ଚଳର ଲୋକେ ମତେ ଯେଉଁଦିନ ପରାଜିତ କରି ସେମାନଙ୍କ ସେବା କରିବାରୁ ବଞ୍ଚିତ କରିଚନ୍ତି, ସେଇଦିନୁ ମୁଁ ଦୂରେଇ ଯାଇଚି । ସେବାର ମୂଲ୍ୟ ଆଜିକାଲି ଅଛି କୋଉଠି ? ଏମିତି ଅଯଥା ସେବାର ମୂଲ୍ୟ କେହି କ’ଣ ଦେବେ ? ଦେବେ ନି...ଲୋକେ ଚାହାନ୍ତି ତୁମକୁ ନିଃଶେଷ କରିବାକୁ । ବାସ୍‌ ସେତିକି–ଆଉ ବେଶୀ ନୁହେଁ । ସେଥି ପାଇଁ ତ ମୋର ଆଜି ଏ ବିତୃଷ୍ଣା–ସେଥି ପାଇଁ ନିଜର ଅଞ୍ଚଳ ଛାଡ଼ି ମୁଁ ଆଜି ଦୂର ପ୍ରବାସରେ । ଲୋକେ ଯଦି ମତେ ଚାହିଁଥାନ୍ତେ, ମୁଁ ମୋ ଗାଁ ଛାଡ଼ି ଏତେ ଦୂରରେ ଏମିତି କରୁଣ ଅବସ୍ଥାରେ ରହିଥାନ୍ତି କାହିଁକି ?

 

ମନଟା ବିଦ୍ରୋହ କରିଉଠିଲା । ଅନେକ ଦିନ ମୁଁ ଦେଶସେବା କରିଚି । ଏଇ ଦେଶସେବା କରିବି ବୋଲି ବି.ଏ. ପାଶ୍‌ କରି ମୁଁ ଚାକିରୀ କଲି ନାହିଁ । ନିଜ ଅଞ୍ଚଳରେ ରହି ଲୋକଶକ୍ତିକୁ ଜାଗ୍ରତ କରେଇବାରେ ଲାଗିଗଲି । ନିଃସ୍ୱାର୍ଥପର ସେବା–ଜନତା ଜନାର୍ଦ୍ଦନଙ୍କ ଉପକାର କରିବାରେ କଟେଇ ଦେଲି ଜୀବନର ଅନେକ ବର୍ଷ । ମୁଁ ଯେ ନିର୍ବାଚନରେ ଲଢ଼ିବି, ଏ କଥା କେବେ ଭାବି ନଥିଲି ।

 

କିନ୍ତୁ......

 

ବହୁଦିନ ସେବା କଲାପରେ ମୋ ଅଞ୍ଚଳର ବନ୍ଧୁମାନେ ମତେ ବାଧ୍ୟ କଲେ ନିର୍ବାଚନ ଲଢ଼ିବା ପାଇଁ । ସେମାନେ କହିଲେ–ନୀଳକଣ୍ଠବାବୁ ! ତୁମେ ଯେତେବେଳେ ରାଜନୀତି କରୁଚ, ଏସେମ୍ୱ୍‌ଲିକି ଯିବାରେ ଆପତ୍ତି କ’ଣ ? ବରଂ ତା’ଦ୍ୱାରା ତୁମେ ଲୋକସାଧାରଣଙ୍କର ଅଧିକ କାମ କରିପାରିବ । ଏଇ ଦରିଦ୍ର ଜନତାକୁ ବହୁଦିଗରୁ ସାହାଯ୍ୟ କରିପାରିବ...

 

ମୋ ମନରେ ଦ୍ୱନ୍ଦ୍ୱ ଉଠିଥିଲା । ମୁଁ ଜଣେ କର୍ମୀ–କର୍ମରେହିଁ ତ ଆନନ୍ଦ ପାଉଛି । ପୁଣି ନିର୍ବାଚନ ଧନ୍ଦା ଭିତରେ ମୁଁ ବା ପଶିବି କାହିଁକି ?

 

ଲୋକମାନେ ଚାହାନ୍ତି–ତେଣୁ ତୁମେ ନାହିଁ କରିପାରିବ ନାହିଁ । ହଉ ହେଲା । ଲୋକଙ୍କର ସେବକ ଯେତେବେଳେ ତାଙ୍କ କଥାଟା ମାନିନେବି । ଏମ.ଏଲ.ଏ. ହବାଟା ତ କିଛି ଅସମ୍ମାନକର କଥା ନୁହେଁ ! ମୁଁ ସମ୍ମତି ଦବା ସଙ୍ଗେ ସଙ୍ଗେ ବହୁଲୋକ ମତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ । ଖୁବ୍‌ ଧୁମଧାମରେ ନିର୍ବାଚନ କାମ ଚାଲିଲା । ମୋ ବିରୁଦ୍ଧରେ ତିନୋଟି ରାଜନୈତିକ ଦଳ ପ୍ରାର୍ଥୀଠିଆ କରେଇଥାନ୍ତି । ମୁଁ ଥାଏ ନିର୍ଦ୍ଦଳୀୟ ।

 

ମୋ କର୍ମୀମାନଙ୍କ ମଧ୍ୟରେ ଭାରି ଉନ୍ମାଦନା । ମୁଁ ଶ୍ରମିକମାନଙ୍କ ମଙ୍ଗଳ ପାଇଁ ବହୁ କାମ କରିଛି । ତେଣୁ ଶ୍ରମିକମାନେ ମତେ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ସମୟ ସମୟରେ ମୋ କର୍ମୀ ଓ ଅନ୍ୟ ଦଳର କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହେଇଯାଉଛି ।

 

ଅନ୍ୟ ଦଳୀୟ ପ୍ରାର୍ଥୀମାନେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି । ମୋର କିନ୍ତୁ ଖର୍ଚ୍ଚ ଖୁବ୍‌ ମାମୁଲି । ନିଜର କର୍ମଦ୍ୱାରା ଲୋକପ୍ରିୟ ହେଇପାରିଲେ ଆଉ ବେଶୀ ଟଙ୍କା ଖର୍ଚ୍ଚ ହେବ କାହିଁକି ?

 

ଚାରିଆଡ଼େ ଗୋଟାଏ କଥା–ଗୋଟାଏ ସ୍ଳୋଗାନ୍‌–ନୀଳକଣ୍ଠକୁ ଭୋଟ ଦିଅ–ଆମର ନେତା ନୀଳକଣ୍ଠ...ମୁଁ ବାସ୍ତବିକ ଅଭିଭୂତ ହେଇପଡ଼ୁଥିଲି । ଲୋକାମାନଙ୍କର ମୋ ପାଇଁ ଏତେ ସ୍ନେହ–ଏତେ ଆନ୍ତରିକତା ! ହବ ନାହିଁ ବା କାହିଁକି ? ବିଗତ ବର୍ଷମାନଙ୍କରେ ଯେପରିଭାବେ ଲୋକମାନଙ୍କ ପାଇଁ ନିଃସ୍ୱାର୍ଥପର ସେବା ମୁଁ କରିଆସିଛି, ଲୋକେ ସେ କଥା ତ ଭୁଲିଯାଇ ପାରିବେ ନାହିଁ ! ମୋ ପାଖକୁ ଯେ କେହି ଲୋକ ଯେକୌଣସି କାମ ପାଇଁ ଆସିଛି, ମୁଁ ତାକୁ ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରିଛି ।

 

ନିର୍ବାଚନର ଦିନ ପାଖେଇ ଆସୁଛି । ସାମାନ୍ୟ ଯାହା କିଛି ସମ୍ବଳ ମୋ ପାଖରେ ଥିଲା, ତାକୁ ମୁଁ କର୍ମୀମାନଙ୍କର ଖାଇବା ପାଇଁ ଖର୍ଚ୍ଚ କରୁଛି ।

 

ସାଧାରଣ କର୍ମୀ ଓ ନିର୍ବାଚନ କର୍ମୀଙ୍କ ମଧ୍ୟରେ ପାର୍ଥକ୍ୟ ବହୁତ । ନିର୍ବାଚନରେ ଯେଉଁ କର୍ମୀମାନେ କାମ କରନ୍ତି, ଏକଦମ କିଛି ନ ପାଇଲେ କୁଆଡ଼େ ସେମାନଙ୍କର କାମ କରିବାର ସ୍ପୃହା ରହେନା । କିଛି ଖର୍ଚ୍ଚ ନକରି ଆଜିକାଲି ଯୁଗରେ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ ।

 

ମୋର ଓ ଆମ କର୍ମୀମାନଙ୍କର ଧାରଣା ଶଙ୍ଖପାଟଣା ଭୋଟକେନ୍ଦ୍ର ଆମର ଦୁର୍ଗ । ସେ ଗାଁର ଯୁବକମାନେ ଅନ୍ୟ କୌଣସି ଦଳକୁ ଗାଁ ଭିତରକୁ ପଶିବାକୁ ଦଉନାହାନ୍ତି । ନଦବା ସ୍ୱାଭାବିକ-। କାହିଁକି ନା ସେ ଗାଁର ଲୋକମାନଙ୍କର ଭଲ ମନ୍ଦରେ ମୁଁ ସେମାନଙ୍କୁ ଅନେକ ସାହାଯ୍ୟ କରିଚି । ମୋରି ଉଦ୍ୟମରେ ସେ ଗାଁରେ ଅନେକ କିଛି ଅନୁଷ୍ଠାନ ପ୍ରତିଷ୍ଠିତ ହେଇଚି । ଗାଁ ଲୋକେ କଥା କଥାକେ କୃତଜ୍ଞତା ପ୍ରକାଶ କରୁଚନ୍ତି ।

 

ଅନ୍ୟଦଳୀୟ ପ୍ରାର୍ଥୀମାନଙ୍କର ପରାଜୟ ସୁନିଶ୍ଚିତ । ଆଉ ଦୁଇଦିନ ପରେ ନିର୍ବାଚନ । ସତୁରି ହଜାର ଲୋକ ଭୋଟ ଦେବେ । ସତୁରିଟି ଭୋଟ କେନ୍ଦ୍ର । ନିର୍ବାଚନ ପ୍ରଚାର ପାଇଁ ମୁଁ ଗୋଟିଏ ଜୀପ୍‌ଗାଡ଼ି ଭଡ଼ା ନେଇଚି ।

 

ସବୁ ଠିକ୍‌ ଥିଲା । କିନ୍ତୁ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ ଅବସ୍ଥା ଟିକିଏ ଖରାପ ଆଡ଼କୁ ଗଲା । ପ୍ରତିପତ୍ତିଶାଳୀ ରାଜନୈତିକ ଦଳମାନେ ଅଜସ୍ର ଅର୍ଥ ବ୍ୟୟ କରିବାକୁ ଲାଗିଲେ । ଏପରି କି ସାଧାରଣ ଅବସ୍ଥାରେ ଯୋଉ ଦଳମାନେ ସେମାନଙ୍କ କର୍ମୀମାନଙ୍କ ପାଇଁ ମୁଠାଏ ଅନ୍ନର ମଧ୍ୟ ସଂସ୍ଥାନ କରିପାରନ୍ତି ନାହିଁ, ସେମାନେ ମଧ୍ୟ ବହୁ ଟଙ୍କା ଖର୍ଚ୍ଚ କଲେ । ଗାଁ ଗାଁରେ ଛୁଟିଲା ଟଙ୍କାର ସୁଅ । ମୋ’ ପାଇଁ କାମ କରୁଥିବା ବହୁ କର୍ମୀ ଟଙ୍କାର ଲୋଭ ସମ୍ଭାଳି ପାରିଲେ ନାହିଁ ।

 

ଭୋଟଗ୍ରହଣର ଆଗଦିନ ନ୍ୟସ୍ତସ୍ୱାର୍ଥ ଲୋକେ ମାତିଉଠିଲେ । ବିଶେଷକରି ବ୍ୟବସାୟୀ ଗୋଷ୍ଠୀ ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିବା ପାର୍ଥୀଙ୍କ ପାଇଁ ତତ୍ପର ହେଲେ ।

 

ନିର୍ବାଚନ ତ ଏକ ନିଶା । ଦରକାର ପଡ଼ିଲେ ଧାରକରଜ କରି, ଘରଦ୍ୱାର ବନ୍ଧାଦେଇ ଟଙ୍କା ଆଣି ଖର୍ଚ୍ଚ କରିବାକୁ ପଡ଼ିବ । ଡେଇଁସାରିବା ପରେ ଆଉ ରକ୍ଷା ନାହିଁ ।

 

ମୁଁ ଟଙ୍କା ଧାରକରି ଖର୍ଚ୍ଚ କଲି । ନହେଲେ ଚଳୁ ନାହିଁ । କର୍ମୀମାନଙ୍କୁ କିଛି କିଛି ପାରିଶ୍ରମିକ ନଦେଲେ ସେମାନେ ଅନ୍ୟ ଦଳଦ୍ୱାରା ବଶୀଭୂତ ହେଇଯିବେ ।

 

ଧୂମଧାମ ଭିତରେ ଭୋଟ ସରିଗଲା । ଜିତିବାର ନିଶା ମତେ ଋଣଗ୍ରସ୍ତ କରି ଦେଇଥିଲା । ଆଶା ଥିଲା–ଜିତିଲେ ଋଣ ପରିଶୋଧ କରିଦେବି ।

 

ମାତ୍ର......

 

ଭୀଷଣ ବିପର୍ଯ୍ୟୟ । ଗଣତିବେଳେ ଦେଖାଗଲା, ମତେ ଯେଉଁମାନେ ଭରସା ଦେଇଥିଲେ, ଅନେକ କ୍ଷେତ୍ରରେ ସେମାନେ ପ୍ରବଞ୍ଚନା କରିଛନ୍ତି । ଏପରି କି ଶଙ୍ଖପାଟଣା ଗାଁରେ ବିପରୀତ ଅବସ୍ଥା । ପରେ ଶୁଣିଲି, ଅନ୍ୟ ଏକ ଦଳ ଏଇ ଗାଁକୁ ପାଞ୍ଚଶ ଟଙ୍କା ଦେଇ ଭୋଟଗୁଡ଼ାକ କିଣି ନେଇଛନ୍ତି ।

 

ହାୟରେ ଗଣତନ୍ତ୍ର ! ହାୟ ହାୟ ସାବାଳକ ଭୋଟ ପ୍ରଥା ! ସ୍ୱାଧୀନତାର କୋଡ଼ିଏ ବର୍ଷ ପରେ ବି ଲୋକେ ତାଙ୍କ ଦାୟିତ୍ୱ ବୁଝୁନାହାନ୍ତି ।

 

ମୁଁ ପରାଜିତ ହେଲି । ମୋ ପାଖରେ ଯାହା କିଛି ଅର୍ଥ ଥିଲା, ତା’ ତ ଖର୍ଚ୍ଚ ହେଇଯାଇଥିଲା, ମୋର ଘରଖଣ୍ତିକ ମଧ୍ୟ ଜଣେ ମହାଜନ ପାଖରେ ବନ୍ଧା ପଡ଼ିଥିଲା । ଏଇ ଘରଖଣ୍ତିକୁ ରକ୍ଷା କରିବା ମୋ’ ପକ୍ଷରେ ସମ୍ଭବ ହେଲା ନାହିଁ । ମହାଜନ ଦେଣା ବାବଦକୁ ଅକୁଣ୍ଠ-ଚିତ୍ତରେ ମୋ ଘରଖଣ୍ତିକ ଦେଇ ମୁଁ ହେଲି ନିଃସ୍ୱ-ସର୍ବହରା । ପୃଥିବୀରେ ଆଉ ଇଞ୍ଚେ ବୋଲି ଜାଗା ମୋର ନାହିଁ । କାହିଁକି ଯେ ଏ କ୍ଷମତା-ରାଜନୀତି ଭିତରକୁ ମୁଁ ପଶିବାକୁ ଚାହିଁଲି ? ଲୋକଙ୍କ ଭିତରେ ଜଣେ ହେଇ ମୁଁ ତ ବେଶ୍‌ ଭଲରେ ଥିଲି । ଏ ଦୁର୍ବୁଦ୍ଧି ମୋର ବା ହେଲା କାହିଁକି ? ବର୍ତ୍ତମାନ ମୁଁ କ’ଣ କରିବି ?

 

ମୁଁ ଦେଖିଲି, ନିର୍ବାଚନରେ ହାରିଯିବାପରେ ମୋର ଲୋକପ୍ରିୟତା ଅସମ୍ଭବ ଭାବରେ କମିଯାଇଚି । ଲୋକେ ନୂଆ ନେତା ପାଇଚନ୍ତି । ସେ ତାଙ୍କର ଆଶା ଆକାଂକ୍ଷା ପୂରଣ କରିବେ ।

 

ଆଉ ମୁଁ...ସତେ ଅବା କ୍ରମେ କ୍ରମେ ଅଦରକାରୀ ହେଇପଡ଼ୁଚି ।

 

ମୁଖ୍ୟ ଅତିଥି ହବା ପାଇଁ ଶଙ୍ଖପାଟଣା ଗାଁର ନିମନ୍ତ୍ରଣ ଚିଠି ମତେ ଯେମିତି ଉପହାସ କରି ଉଠୁଥିଲା । ମୋ ବର୍ତ୍ତମାନର ଅବସ୍ଥାରେ ମୁଖ୍ୟ ଅତିଥି ବା ସଭାପତି ହବା ମୋ ପକ୍ଷେ ସମ୍ଭବ ନୁହେଁ । ସେ ଭଳିଆ ମାନସିକ ଅବସ୍ଥା ମୋର ନାହିଁ ।

 

ସେବା କରିବାର ମନୋବୃତ୍ତି ମରିଯାଇଚି । ସ୍ତରେ ସ୍ତରେ ନିଷ୍ପେଷିତ ହେଇ ମୋର ନିଜତ୍ୱକୁ ମୁଁ ହରେଇଦେଇ ସାରିଲିଣି ।

 

ଏ ବିରାଟ ଦୁନିଆରେ ଆଜି ମୋର ମୂଲ୍ୟ କ’ଣ ? ମୋର ଆବଶ୍ୟକତା କେଉଁଠି ? ଆଜି ମୁଁ ଯଦି ଅକସ୍ମାତ୍‌ ଧରାପୃଷ୍ଠରୁ ବିଦାୟ ନିଏ, ତାହାଦ୍ୱାରା କାହାର ବା କ’ଣ କ୍ଷତି ହବ ?

 

ମୋ ଲାଗି ସମବେଦନା ଜଣାଇବା ବା ଦି’ଟୋପା ଲୁହ ଢାଳିବା ପାଇଁ ପୃଥିବୀରେ କିଏ ଅଛି ? ମୁଁ ନିଃସ୍ୱ-ବନ୍ଧୁବାନ୍ଧବ ପ୍ରିୟା ପ୍ରୀତି ଜ୍ଞାତିକୁଟୁମ୍ବ ଶୂନ୍ୟ ଏକ ଯାଯାବର । ଜୀବନର ଦୁଇ ତୃତୀୟାଂଶ କାଳ ଅତିବାହିତ ହୋଇଗଲାଣି । ଆଉ ଅଛି ବା କେତେ ଦିନ ?

 

ଘନ ଘନ ଦୀର୍ଘ ନିଃଶ୍ୱାସ ଉଠିଲା । ସେଇ ନିଃଶ୍ୱାସର ବେଗରେ ଅର୍ଦ୍ଧଭଗ୍ନ ଟାଇଲ୍‌ ଘରଟି ଅବା ଭୂମିସାତ୍‌ ହେଇଯିବ । ନାନା ବାଟେ ମନକୁ ବୁଝେଇ ଦୁଃଖ ସମ୍ବରଣ କରିବାକୁ ଚେଷ୍ଟା କଲି ।

 

ଭାଙ୍ଗି ପଡ଼ିବାରେ ଲାଭ କ’ଣ ?

Image

 

ପାଞ୍ଚ

 

ଯଦିଓ ଦିନେ ଦୁଇଦିନ ଭିତରେ ବିନୁଅପାକୁ ଯାଇ ସାକ୍ଷାତ୍‌ କରିବି ବୋଲି କହିଥିଲି; କିନ୍ତୁ ମୁଁ ଆଉ ଯାଇପାରିନି । ପେଟର ଜ୍ୱାଳା ମୁହୂର୍ତ୍ତ ମୁହୂର୍ତ୍ତ ମୋତେ ଅସ୍ଥିର କରି ତୋଳିଛି । ଦୁଇ ତିନି ଦିନ ଏଆଡ଼େ ସେଆଡ଼େ ହବା ଫଳରେ ମୁଁ ଟିଉସନ କରୁଥିବା ସ୍ଥାନରେ ଭୀଷଣ ଅସନ୍ତୋଷ । ହକ୍‌ ଟଙ୍କା ସେମାନେ ଦଉଚନ୍ତି...ପ୍ରତ୍ୟେକ ଦିନ ଟଙ୍କାଏ କରି ପାରିଶ୍ରମିକ । ତା’ ସତ୍ତ୍ୱେ ମୁଁ ଏଭଳି ଦାୟିତ୍ୱହୀନ ହବାଟା ଗୃହସ୍ୱାମୀଙ୍କ ପକ୍ଷେ ଅସହ୍ୟ ।

 

ଗୃହସ୍ୱାମୀ କ୍ଷେତ୍ରମୋହନବାବୁ ଭାରି ଖିଟିଖିଟିଆ ଲେକା । ଜଜ୍‌-କୋର୍ଟର ପେସ୍କାର । ଅନେକ ପଇସା ରୋଜଗାର କରନ୍ତି । ଘରେ ସ୍ତ୍ରୀ ସୁହାସିନୀ ଦେବୀ ଓ ଝିଅ ପ୍ରମିଳା ବ୍ୟତୀତ ଆଉ କେହି ନାହାନ୍ତି । ପ୍ରମିଳା ନବମ ଶ୍ରେଣୀରେ ପଢ଼େ । ସେଇ ମୋ ଛାତ୍ରୀ ।

 

ପ୍ରମିଳାର ବୁଦ୍ଧି ଖୁବ୍‌ ତୀକ୍ଷ୍‌ଣ ନୁହେଁ । ବୁଝିବାରେ ଭାରି ମଠେଇ । ଯୋଉ ଘଣ୍ଟାଏ ମୁଁ ତାଙ୍କ ଘରେ ରହେ, ସେ ଘଣ୍ଟାଟା ମୋ ପକ୍ଷରେ ଭାରି ବିରକ୍ତକର । ଗଲା ତିନିଦିନ ହେଲା ମୁଁ ତାଙ୍କ ଘରକୁ ଯାଇନି । ଯିବାକଥା ଯେତେବେଳେ ଭାବୁଚି, ମୋର ହୃତ୍‌କମ୍ପ ହେଉଛି; କାରଣ–ପହଞ୍ଚିବା ସଙ୍ଗେ ସଙ୍ଗେ ପ୍ରଥମ ବାକ୍ୟବାଣଟା ଭାରି ଶ୍ରୁତିକଟୁ ହେବ । କ୍ଷେତ୍ରମୋହନବାବୁ ପ୍ରଥମେ ଝୁଙ୍କେ ବକିଯିବେ । ମାଷ୍ଟରବାବୁ ! ତୁମର ଯଦି ପାଠ ପଢ଼େଇବାକୁ ଆସିବାରେ ଅସୁବିଧା ହଉଚି, ଆମକୁ ସଫା ସଫା କହିଦିଅ, ଆମେ ଅନ୍ୟ ବ୍ୟବସ୍ଥା କରିବୁ । କପିନ୍ତୁ ଏମିତି ଭାବରେ ଆମକୁ ହଇରାଣ କରିବାଟା... ଏତେ ଖାମଖିଆଲି ହେଲେ ଚଳିବ... ?

 

କ୍ଷେତ୍ରମୋହନବାବୁଙ୍କ ପରେ ପରେ ପୁଣି ପଡ଼ିବ ସୁହାସିନୀ ଦେବୀଙ୍କ ପାଳି । ଘରଭିତରୁ ଶୁଣେଇ ଶୁଣେଇ ସେ କହିବେ–ହକ୍‌ ଟଙ୍କା ନଉଚନ୍ତି ନା ମାଗଣରେ ଆସି ପଢ଼ଉଚନ୍ତି-? ଗୋଟେ ଦିନ ଡେରି ହେଇଗଲେ ଟଙ୍କା ପାଇଁ ଯମ ଭଳି ଆସି ଜଗି ବସନ୍ତି...ଏତେ କମେଇ ହେଲେ ଚଳିବ କେମିତି ? ଝିଅଟା ପଢ଼ିବ ବୋଲି କେତେ ଡହଳବିକଳ ନ ହଉଚି । ଏମିତିକା ମାଷ୍ଟର୍‌ ମୁଁ କେବେ ଦେଖି ନଥିଲି ।

ସବା ଶେଷରେ ଛାତ୍ରୀ ପ୍ରମିଳା ଆସି କହିବ-ସାର୍‌, ଆପଣ ଯଦି ନ ଆସିବେ କହି ଦଉନାହାନ୍ତି, ବାପା ଅନ୍ୟ ମାଷ୍ଟର୍‌ ଠିକ୍‌ କରିବେ ! ଆପଣ ଏମିତି ମଝିରେ ମଝିରେ ନ ଆସିବାଦ୍ୱାରା ମୋର କେତେ ପଢ଼ା ନଷ୍ଟ ହଉଚି ?

ଏଇ ସବୁ ପର୍ବ ସରିଲା ପରେ ମତେ କହିବାକୁ ପଡ଼େ–ଯାହା ହବାର ହେଇଯାଇଚି, ଏଣିକି ଆଉ ବ୍ୟତିକ୍ରମ ହବନି ।

ପ୍ରତ୍ୟେକ ଥର ଅନୁପସ୍ଥିତି ପରେ ଏଇ ପାଲା–ତା’ପରେ କାମରେ ମୁତୟନ ।

ଏଥର ମଧ୍ୟ ନିତ୍ୟନୈମିତ୍ତିକ ଢଙ୍ଗରେ ଏଇସବୁ ଚାଲିଲା । ତା’ପରେ ମୁଁ ଭରସା ଦେଲି–ଯେତିକି ଦିନ ଅନୁପସ୍ଥିତ ରହିବି, ସେତିକି ଦିନ ସକାଳେ ଆସି ପଢ଼େଇ କ୍ଷତିଟାକୁ ଭରଣା କରିଦେବି ।

କ୍ଷେତ୍ରମୋହନବାବୁ ଆଉ ସୁହାସିନୀ ଦେବୀ ସନ୍ତୁଷ୍ଟ ହେଲେ । ଚାକିରୀଟା ରହିଗଲା ବୋଲି ରାମନାମ ସ୍ମରଣ କରି ମୁଁ ପଢ଼ାଘର ଭିତରକୁ ପଶିଲି ।

ଛାତ୍ରୀ ଆଗତୁରା ଯାଇ ପ୍ରସ୍ତୁତ । ସାମନାରେ ଇଂରେଜୀ ଗଦ୍ୟ ବହିଟା ମେଲା କରି ବସିଚି । ମୁଁ ଯାଇ ମୋ ଚେୟାରରେ ବସିପଡ଼ିଲି ।

କ’ଣ ପଢ଼ିବ ? ପ୍ରୋଜ୍‌...... ?

ପ୍ରମିଳା ପଢ଼ିବାକୁ ଆରମ୍ଭ କଲା ।

ପ୍ରୋଜ୍‌...ଗଦ୍ୟ...ଭାରି ଶୁଷ୍କ । ମାନସିକ ଅବସ୍ଥା ସ୍ୱାଭାବିକ ନଥିଲେ ଗଦ୍ୟର ଭାବଟା ମୁଣ୍ତ ଭିତରେ ପଶେନା । ମୁଁ କହିଲି–ଗଦ୍ୟ କାଲିକି ଥାଉ...ଆଜି ପଦ୍ୟ ବହି ପଢ଼ ।

ଆଜ୍ଞାଧୀନା ଛାତ୍ରୀଟି ସାଙ୍ଗେ ସାଙ୍ଗେ ଗଦ୍ୟ ବହି ବନ୍ଦ କରି ପଦ୍ୟ ବହି କାଢ଼ିଲା । ପଦ୍ୟ କ୍ଷେତ୍ରରେ ମଧ୍ୟ ସେଇ ସମାନ ଅବସ୍ଥା । ମୁଣ୍ତଟା ଖୁବ୍‌ ଭାରି ଅଛି । ପଦ୍ୟର ଭାବଟା ନିଜେ ହୃଦୟଙ୍ଗମ କଲେ ତ ଅନ୍ୟକୁ ବୁଝେଇବି; କିନ୍ତୁ ହେଇ ପାରୁନି । ଟେନସନ୍‌, ବ୍ରାଉନିଂ, ବାଇରନ୍‌, ସେକ୍‌ସପିୟର୍‌ ପ୍ରଭୃତିଙ୍କର ଲଳିତ ପଦ୍ୟ ମୋ ପାଖରେ ଯେମିତି ଦୁର୍ବୋଧ୍ୟ । ଇଂରାଜୀ ବହି ବନ୍ଦ କରି ଓଡ଼ିଆ ସାହିତ୍ୟ ଖୋଲାଗଲା । ସେ କ୍ଷେତ୍ରରେ ବି ପରାଜୟ ସ୍ୱୀକାର କଲି । ଛାତ୍ରୀଟି କହିଲା–ଆପଣଙ୍କର ଆଜି ମୁଡ୍‍ ଭଲ ନାହିଁ ସାର୍‌ ! ହେଲେ ଆପଣ ତ ବୟସ୍କ ଲୋକ, ଆପଣଙ୍କ ମୁଡ୍‍ ଏମିତି ଖରାପ ହଉଚି କାହିଁକି ?

ଅନୂଢ଼ା ପ୍ରମିଳା ଜୀବନକୁ ବୁଝିନାହିଁ । କେଶର ରଂଗ ଧଳା ହେଇ ଆସିଲେ ମଣିଷ ବୁଢ଼ା ହେଇ ଯାଏନା, ସବୁକିଛି ନିର୍ଭର କରେ ମନ ଉପରେ । ଆଉ ପଢ଼େଇବାରେ ମନୋନିବେଶ ନକରି ସେଦିନ ଚାଲି ଆସିଲି ।

 

କିନ୍ତୁ କର୍ତ୍ତବ୍ୟରେ ଖିଲାପ କରିବା ତ ଅନ୍ୟାୟ କଥା । ପରଦିନଠୁ ପୂରା ଆନ୍ତରିକତା ସହ ଲାଗିପଡ଼ିଲି । ପ୍ରମିଳାର ବାର୍ଷିକ ପରୀକ୍ଷା ଆସୁଚି । ପରୀକ୍ଷାରେ ସେ ଯଦି ପାଶ୍‌ ନକରେ, ମୋର ହେବ ବଦନାମ–ଗୃହସ୍ୱାମୀ କ’ଣ ବୁଝିବେ ଛାତ୍ରୀର ଅଯୋଗ୍ୟତା–ସେ ହୁଏତ ଆଉ ମୋତେ ଆବଶ୍ୟକ କରିବେ ନାହିଁ ।

 

ୟା’ଭିତରେ ଦଶବାର ଦିନ ବିତିଗଲାଣି । ବିନୁଅପାକୁ ଦେଇଥିବା କଥା ମୁଁ ରକ୍ଷା କରିନାହିଁ । ମୋର କିଛି ନଥାଉ ପଛେ ମୁଁ ତ ଜଣେ ଭଦ୍ରଲୋକ ! ଜବାବ ଦେଇ ଜବାବା ରକ୍ଷା କରିବା ମୋର କର୍ତ୍ତବ୍ୟ ।

 

ଭାବିଲି ସନ୍ଧ୍ୟା ପରିବର୍ତ୍ତେ ସକାଳଓଳି ଟିଉସନ୍‌ ସାରି ବେଳା ଓଳି ଆଡ଼କୁ ବିନୁଅପା ଘରକୁ ଯିବି । ଯୋଉ ମଣିଷଟିର ମୋ ପ୍ରତି ଏତେ ଅନୁଗ୍ରହ, ତା’କୁ ପୂରାପୂରି ଅବହେଳା ଦେଖେଇ ମୁଁ କ’ଣ ରହିପାରିବି ? ମୋର ମନୁଷ୍ୟତ୍ୱ ମତେ ଯିବା ପାଇଁ ବାଧ୍ୟ କଲା ।

 

ଠିକ୍‌ ଚାରିଟା ବେଳକୁ ତୁଳସୀପୁର ଅଭିମୁଖେ ବାହାରି ପଡ଼ିଲି । ଅବଶ୍ୟ ପଦ-ଯାନରେ-। ୟା’ ଭିତରେ କ୍ଷେତ୍ରମୋହନ ବାବୁଙ୍କଠାରୁ ଯେଉଁ ଦଶ ଟଙ୍କା ପାରିଶ୍ରମିକ ବାବଦକୁ ଆଣିଥିଲି, ତାହା ଖତମ ହୋଇଗଲାଣି ।

 

ପାଞ୍ଚଟା ବେଳକୁ ଯାଇ ବିନୁଅପା ଘରେ ପହଞ୍ଚିଗଲି । ଏ ଘର ବାଡ଼ି ବଗିଚା ଦିନର ଆଲୋକରେ ଶୋକପାଶୋରା ଅପ୍‌ସରାଭୁବନ ପରି ଲାଗୁଥିଲା ।

 

ବିନୁଅପା ବାହାରୁ ଆସି ସେଇକ୍ଷଣି ପହଞ୍ଚିଥାଏ । ଘରେ ଆଉ କୌଣସି ଦ୍ୱିତୀୟ ବ୍ୟକ୍ତିର ସୋର ଶବ୍ଦ ନଥାଏ । ସେ ମତେ ଦେଖି କହିଲା–ଅଧ ମାସକ ପରେ ମୁଁ ମନେପଡ଼ିଲି, ନା-? ମୋ ଭାଗ୍ୟ ତ ସେମିତି, ମୁଁ ଆଉ କାହାକୁ କ’ଣ କହିବି ? ଯୋଉ ଡାଳକୁ ଧରିଲି, ସେ ଡାଳ ଭାଙ୍ଗିଲା । ଭାବିଥିଲି ଦୁନିଆରେ ଯେ ମତେ ପ୍ରତାରଣା କରୁ ପଛେ, ତୁ କରିବୁନି । ହେଲେ ତୁ ବି ଏଇ ପ୍ରତାରକମାନଙ୍କ ତାଲିକାରୁ ବାଦ୍ ଗଲୁନି !

 

ମୁଁ ହତଭମ୍ବ ହେଇଗଲି । ମୋ ନ ଆସିବାଟା ବିନୁଅପାକୁ ଏତେ ଜୋର୍‌ ବାଧିଚି ? ବାସ୍ତବିକ ମୁଁ ଦୁଃଖିତ ।

 

ସେ ପୁଣି କହିଲା–ଆସିବାର ଭରସା ଦେଲେ ଆସିବାକୁ ହୁଏ । ସଂସାରରେ ମୋର ଆଉ କିଏ ଅଛି କହିଲୁ ? ସମୁଦ୍ରରେ ଭାସୁଥିବା ନାବିକ ବିହୀନ ତରୀ ଭଳି ମୁଁ ତ ଭାସି ଭାସି ଚାଲୁଚି । ସେଥିରେ ତୁମେମାନେ ଯଦି ମୋ ସହିତ ଏମିତି ବ୍ୟବହାର କର, ମୁଁ ବଞ୍ଚିବି କେମିତି ? ଦୁଶ୍ଚିନ୍ତାରେ ରକ୍ତଚାପ ଆଉରି ବଢ଼ିଯିବ ।

 

ମୁଁ ଖାଲି ଶୁଣି ଯାଉଥାଏ । ମନେ ହେଉଥାଏ, ମୁଁ ଯେମିତି ନଆସି ମସ୍ତବଡ଼ ଅପରାଧ କରିଚି । କିନ୍ତୁ ଆଗରୁ ଯେତେ ଆନ୍ତରିକତା ଥାଉ ନା କାହିଁକି ଦୀର୍ଘ କୋଡ଼ିଏ ବର୍ଷ ପରେ ସାକ୍ଷାତ୍‌–ପୂର୍ବର ସେଇ ଆନ୍ତରିକତା ଫେରି ଆସିବାକୁ ସମୟ ନଦେଇ ବିନୁଅପା ଏମିତି ଭାବରେ ଦୋଷ ଦେବାଟା କ’ଣ ନ୍ୟାୟସଙ୍ଗତ ?

 

ଅନ୍ୟାୟ ବା କ’ଣ ? ସେ ହୁଏତ ସେମିତି ଅବସ୍ଥାରେ ପଡ଼ିଚି । ସେ ଚାହୁଁଚି ହୁଏତ ମୋ’ଠୁ ବହୁତ କିଛି । କିନ୍ତୁ ସେ ଯାହା ଚାହୁଁଚି ମୋ’ଠୁ କ’ଣ ପାଇପାରିବ ?

 

ସେ ପୁଣି କହିଲା–ଚା’ ଖାଇବୁ ? ଆଜି ଅନିରୁଦ୍ଧ ନାହିଁ । ତିନି ଦିନ ହେବ ସେ ପୁଣି ଯାଇଚି କମଳା ଗାଁକୁ । ଗୌରୀଶଙ୍କରର ଶୁଦ୍ଧିକର୍ମ ଗାଁଆରେ ହିଁ ହେଲା । ଆଜି କମଳା ଚିଠି ଲେଖିଚି–ସୁରୁଖୁରୁରେ ସବୁ କାମ ହେଇଯାଇଚି । ଅନିରୁଦ୍ଧ କାଲି ସକାଳେ ଆସିବ । ଭିତରକୁ ଚାଲ, ଚା’ ତିଆରି କରିବା ।

 

ସେ ଆଗେ ଆଗେ ଚାଲିଗଲା । ମତେ କହିଲା, ଦାଣ୍ତ କବାଟ ବନ୍ଦ କରିଦେଇ ଆସିବାକୁ ।

 

ଇଲକ୍‌ଟ୍ରିକ୍‌ ହିଟରରେ ଖୁବ୍‌ ଶୀଘ୍ର ଚା’ ତିଆରି ହେଇଗଲା । ଲୁଣିଆ ବିସ୍କୁଟରୁ ଗୁଡ଼ାଏ ଆଣି ପ୍ଲେଟରେ ଢାଳିଦେଲା ସେ ।

 

‘‘ଚା’ ସହିତ ଖୁବ୍‌ ଭଲ ଲାଗିବ । ଖା ନୀଳୁ ।’’ ସେ କହିଲା । ମୁଁ ସେତେବେଳକୁ କ୍ଷୁଧିତ ହେଇ ପଡ଼ିଥିଲି । ଅନେକ ଗୁଡ଼ାଏ ବିସ୍କୁଟ ଉଦରସ୍ଥ କରି ଚା’ ପିଇଲି । ପରେ ସେ କହିଲା–ଚାଲ ଯିବା, ବଗିଚାରେ କିଛି ସମୟ ବସିବା । ଆଜି ଆଉ କାହାରି ଆସିବାର ଭୟ ନାହିଁ । ବିରକ୍ତ କରିବାକୁ କେହି ଆସିବେ ନାହିଁ । ମନଖୁସିରେ ବସି ଆମେ ଯେତେ ଗପ କରିପାରିବା ।’’

 

ଦୁଇଜଣ ଯାକ ବଗିଚାକୁ ଗଲୁ । ଛୋଟ ହେଲେ କ’ଣ ହବ, ବଗିଚାଟି ଶୋକପାଶୋରା ସ୍ୱର୍ଗ ଭୁବନ–ନାନା ରଙ୍ଗର ଫୁଲରେ ସୁଶୋଭିତ । ସତେ ଅବା ମନୋମୁଗ୍‌ଧକର ଚନ୍ଦ୍ରାତପଟିଏ କିଏ ତଳେ ବିଛାଇ ଦେଇଚି ।

 

ବଗିଚା ଭିତରେ ଦୁଇ ତିନିଟି ସିମେଣ୍ଟ ତିଆରି ବେଞ୍ଚ । ଗୋଟାକରେ ଯାଇ ଆମେ ବସିଲୁ । ସମାନାରେ କାଚର ଏକ ମସ୍ତବଡ଼ ବାକ୍‌ସ । ତା’ ଭିତରେ ନାଲି ନେଳି ହଳଦି ରଙ୍ଗର ମାଛ ।

 

ବିନୁଅପା କହିଲା ଏଇ ମାଛଗୁଡ଼ାକ କଲ୍ୟାଣ ପଠେଇ ଦେଇଥିଲା । ସେ ଥରେ କାମ ଉପଲକ୍ଷେ କଲିକତା ଯାଇଥିଲା । ସେଇଠୁ କିଣି ଆଣିଥିଲା ।

 

‘‘ଏ ମାଛଗୁଡ଼ାକ କେତେଦିନ ହେଲା ଏଠି ରଖିଲଣି ?’’ ମୁଁ ପଚାରିଲି ।

 

ସେ ତ ଭାରି ଚାଲାକ । ମୋ ପ୍ରଶ୍ନର ତାତ୍ପର୍ଯ୍ୟ ବୁଝିପାରିବା ଭଳି କହିଲା–‘‘କାହିଁକି, ପଚାରୁନୁ କଲ୍ୟାଣ ଏଠିକି କେବେ ଆସିଥିଲା ? ମାଛ ତ ମୁଁ ରଖିଲିଣି ଦୁଇ ବର୍ଷ ହେଲା । କଲ୍ୟାଣ କିନ୍ତୁ ଛ ମାସ ତଳେ ମଧ୍ୟ ଏଠିକି ଆସିଥିଲା । ଏଇ ଯୋଉ ବେଞ୍ଚରେ ଆଜି ଆମେ ବସିଚେ, ଏଇ ବେଞ୍ଚରେ ବସି ସେ ମୋ ସହିତ କଥାବାର୍ତ୍ତା କରିଥିଲା । ଅନେକ କଥା...ଆମେ ଚାରିଘଣ୍ଟା କାଳ ବିତେଇ ଦେଇଥିଲୁ ଏଇଠି । କଲ୍ୟାଣ ବର୍ତ୍ତମାନ ଅନୁତାପ କରୁଚି...ହେଲେ ବହୁତ ଡେରି ହେଇଯାଇଚି ନୀଳୁ, ଯୋଉ ଭୁଲ୍‌ ହେଇଯାଇଚି ତା’ର ଆଉ ସଂଶୋଧନ କରିବା ବର୍ତ୍ତମାନ ସମ୍ଭବ ନୁହେଁ ।’’

 

ବିନୁଅପା ଯେମିତି ଗଭୀର ଚିନ୍ତା ରାଜ୍ୟରେ ବୁଡ଼ିଗଲା । ମୁଁ ଉତ୍ସାହିତ ହେଇ ପଚାରିଲି–କଲ୍ୟାଣବାବୁ କ’ଣ ବିବାହ କରିଛନ୍ତି ?

 

ହଁ । ଅଫିସର୍‍ କିନା, ଆଉ ଜଣେ ଅଫିସର୍‍ଙ୍କ ଝିଅକୁ ବିବାହ କରିଛି । ବରଂ ବିବାହ କରିବାକୁ ବାଧ୍ୟ ହେଇଛି ।

 

ବାଧ୍ୟ ହେଇଛନ୍ତି ? କେମିତି ? ମୁଁ ପଚାରିଲି ।

 

ସେ ସହସା କିଛି ଉତ୍ତର ନଦେଇ ରହିଗଲା । ତା’ପରେ କ’ଣ ଭାବିଲା କେଜାଣି, କହିଲା–ହଁ, ତୁ ଜାଣିବାରେ କ୍ଷତି କ’ଣ ? ବରଂ ତୁ ଜାଣିବା ଉଚିତ । ତୁ ତ ନିର୍ବାଚନରେ ଭାଗ ନେଇଥିଲୁ, ଜିତିଥିଲେ ଏ ଦେଶର ଶାସନରେ ଭାଗ ନେଇଥାନ୍ତୁ । ଏମାନଙ୍କୁ ତୋର ଚିହ୍ନିବା ଉଚିତ-। ଶୁଣ...

 

ବିନୁଅପା କହିବାକୁ ଆରମ୍ଭ କଲା । କହୁ କହୁ କେତେବେଳେ ତା’ କଣ୍ଠ ବାଷ୍ପାକୁଳ ହେଉଥାଏ, ଆଉ କେତେବେଳେ ବା କ୍ରୋଧର ଚିହ୍ନ ଫୁଟି ଉଠୁଥାଏ । ମୁଁ ଶୁଣୁଚି–ସେ କହୁଚି ।

 

କଲ୍ୟାଣ ଆଉ ମୁଁ କଲେଜରେ ପଢ଼ୁଥିବାବେଳେ କେତେ ଅନ୍ତରଙ୍ଗ ଥିଲୁ ତା’ ତୁ ଜାଣିଚୁ-। ଆମକୁ ନେଇ କଲେଜ ଭିତରେ କେତେ ଆଲୋଚନା–ସମାଲୋଚନା । ଏମିତି କି କଲେଜହତା କାନ୍ଥବାଡ଼ରେ ଆମକୁ ନେଇ ମରା ହେଇଥିଲା କେତେ ଅଶ୍ଳୀଳ ପ୍ରଚାରପତ୍ର । ତା’ ସତ୍ତ୍ୱ ଆମେ ଏ ସବୁକୁ ଭ୍ରୂକ୍ଷେପ କରୁ ନଥିଲୁ । ଯେତେବେଳେ ଯୁବକ ଯୁବତୀ ପରସ୍ପରକୁ ପ୍ରେମ କରି ବସନ୍ତି, ସେତେବେଳେ ବାହାର ଜଗତ କଥା ସେମାନେ ଭୁଲି ଯାଆନ୍ତି ।

 

ସେ ଆଉ ମୁଁ । ସାଙ୍ଗହେଇ ସିନେମା ଯାଉ । ଯୋବ୍ରାଘାଟରେ ବୁଲୁ । ମୁଁ ତ ରହୁଥିଲି ହଷ୍ଟେଲରେ । ପ୍ରତିଦିନ ପାଞ୍ଚଟା ବେଳେ ସେ ତା’ ହଷ୍ଟେଲରୁ ଆସି ଆମ ହଷ୍ଟେଲ ପାଖରେ ପହଞ୍ଚିଯାଏ । ତା’ ଆସିବାକୁ ମୁଁ ଚାତକୀ ପରି ଚାହିଁଥାଏ । ସେ ଯେ’ କି ଆକର୍ଷଣ, ଯେ ଅଙ୍ଗେ ନ ନିଭେଇଚି ସେ ବୁଝିପାରିବ ନାହିଁ । ଆମେ ବୁଲୁ । ବିରାଟ ପୃଥିବୀର ବିଚିତ୍ର ରଙ୍ଗ ଆମକୁ ମତୁଆଲା କରେ ।

 

ତୁ ଇନ୍ଦ୍ରଧନୁ ଦେଖିଚୁ ? ଦେଖିଥିବୁ ନିଶ୍ଚୟ । କିନ୍ତୁ ସେମିତିକା ଇନ୍ଦ୍ରଧନୁ ଦେଖିବାରେ ଆନନ୍ଦ ନାହିଁ । ପ୍ରଣୟୀ-ପ୍ରଣୟିନୀ ଯେତେବେଳେ ସ୍ୱପ୍ନବିଭୋର ହୋଇ ଇନ୍ଦ୍ରଧନୁ ଦେଖନ୍ତି, ସେଇ ଦେଖିବା ଭିତରେ ଥାଏ ପ୍ରଚୁର ଆନନ୍ଦ । ହୁଏତ ଇନ୍ଦ୍ରଧନୁର ଶୋଭା ଦୁଇଗୁଣ ବଢ଼ିଯାଏ । ରଙ୍ଗର ବିଭବ ପ୍ରାଣତଳେ ଯୋଉ ଛାପ ରଖେ, ବହୁଦିନ ପର୍ଯ୍ୟନ୍ତ ତାହା ନିଭେନା ।

 

ଆଉ ପୂର୍ଣ୍ଣମୀ ଚନ୍ଦ୍ର ! ଭରାଯୌବନରେ ସେ ଯେଉଁ ମଦିରା ଢାଳିଦିଏ, ତାକୁ ଯେ ଆକଣ୍ଠ ପାନ କରିଚି ସେ ଆଉ ଭୁଲି ପାରେନା । କଲେଜର ସେଇ ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତର ଛାତିରେ କେତେ ଜ୍ୟୋତ୍ସ୍ନା ରାତି ଯେ ଆମେ କଟେଇଚୁ, ତୁ ତାହା କଳ୍ପନା କରିପାରିବୁନି ନୀଳୁ ! କଲ୍ୟାଣ ମୋ ଆଖିରେ ଥିଲା ସବୁଠୁ ସୁନ୍ଦର । ତା’ରି ରୂପର ଏକନିଷ୍ଠ ଉପାସିକା ଥିଲି ମୁଁ ।

 

ଆମ ଦୁହିଁଙ୍କ ମଧ୍ୟରେ ଏତେ ଟିକେ ତଫାତ୍‌ ବି ନଥିଲା । ମାନସ-ରାଜ୍ୟରେ ଦୁହେଁ ଯେମିତି ଏକାକାର ହୋଇ ଯାଇଥିଲୁ । ଏ ସବୁର ଆଭାସ ତୁ ନିଶ୍ଚୟ ସେତେବଳେ ପାଇଥିଲୁ । ନୁହେଁ ?

 

କହୁ କହୁ ହଠାତ୍‌ ପ୍ରଶ୍ନ ପଚାରି ବସିଲା ମତେ । ମୁଁ ଥିଲି ସେମାନଙ୍କ ପ୍ରେମର ନୀରବ-ଦ୍ରଷ୍ଟା ।

 

ମୁଁ କହିଲି–ମୁଁ ଏକା କାହିଁକି, ତୁମ ଦୁହିଁଙ୍କୁ ନେଇ ତ ସାରା କଲେଜରେ ଚହଳ ପଡ଼ି ଯାଇଥିଲା ।

ତା’ପରେ ସେ କହିଲା–ଖାଲି କଳେଜ ନୁହେଁ, ଟାଉନସାରା ଆମ କଥା ପ୍ରଚାରିତ ହେଇଥିଲା । ଏଇ ସବୁ ପ୍ରଚାର ପରେ ଆମେ ଦୁହେଁ ନିର୍ଭର ହେଇଗଲୁ । ପ୍ରେମର ଉଷ୍ଣତା ଆମକୁ ଦେଲା ନବୀନ ଶକ୍ତି–ଆମେ ବାହାରର ନିନ୍ଦାକୁ ଆଉ ଭ୍ରୂକ୍ଷେପ କଲୁ ନାହିଁ ।

ବି.ଏ. ପରୀକ୍ଷା ଆସିଲା । ଦୁହେଁଯାକ ପରୀକ୍ଷା ଦେଲୁ । ଭଲଭାବରେ ପାଶ୍‌ ତ କଲୁ । ବି. ଏ. ପାଶ୍ ପରେ ମୋ ପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । କଲ୍ୟାଣ କିନ୍ତୁ ଏମ୍‌.ଏ. କ୍ଲାସରେ ନାଁ ଲେଖେଇଲା । ଏଇଠୁ ଆମେ ପରସ୍ପରଠୁ ଦୂରେଇଗଲୁ । ସେ କିନ୍ତୁ ମତେ ଭରସା ଦେଇଥାଏ, ପାଠପଢ଼ା ସାରି ମତେ ବିବାହ କରିବ । ତେଣୁ ମତେ ଅପେକ୍ଷା କରିବାକୁ ପଡ଼ିବ । ମୋର ଇଚ୍ଛା ଥିଲା ଏମ୍‌.ଏ. ପଢ଼ିବାକୁ । କିନ୍ତୁ ଘରେ ଆଉ ଏଥିପାଇରଁ ରାଜି ହେଲେ ନାହିଁ । ଅଗତ୍ୟା ଅନ୍ୟ କୌଣସି ବାଟ ନଦେଖି ମୁଁ ଚାକିରୀ କଲି । ବାଳିକା ସ୍କୁଲରେ ଶିକ୍ଷୟିତ୍ରୀ ହେଲି ।

ପ୍ରତୀକ୍ଷା ଆଉ ପ୍ରତୀକ୍ଷା...କଲ୍ୟାଣ ଏମ୍‌.ଏ. ପାଶ୍‍ କରି ଚାକିରୀ କରିବ...ମତେ ବିବାହ କରିବ ।

ପ୍ରତୀକ୍ଷାରେ ଯୋଉ ଆନନ୍ଦ, ସେ ଆନନ୍ଦ ଆଉ କୋଉଥିରେ ନଥାଏ । ଆଶାରେ ତ ମଣିଷ ବଞ୍ଚେ । ମୋର ଶିକ୍ଷୟିତ୍ରୀର ଜୀବନରେ ଅପେକ୍ଷା କରିବାକୁ କଷ୍ଟ ହେଲା ନାହିଁ ।

କଲ୍ୟାଣ ଏମ୍‌.ଏ. ପାଶ୍‍ କଲା । ଖୁବ୍‌ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପ୍ରଥମ ହେଲା । ପରେ ପରେ ଦେଲା ଆଇ.ଏ.ଏସ୍‌. ପରୀକ୍ଷା । ସେଥିରେ ବି ଖୁବ୍‌ ଭଲ ସ୍ଥାନ ଅଧିକାର କଲା । ଟ୍ରେନିଂ ପରେ ପ୍ରଥମ ଚାକିରୀ ମିଳିଲା ପଞ୍ଜାବରେ । ଏଇ ଚାକିରୀ ମିଳିବା ପର୍ଯ୍ୟନ୍ତ ସେ ମୋ ପାଖକୁ ନିୟମିତ ଚିଠି ଲେଖୁଥିଲା । ମାତ୍ର ଚାକିରୀ ପାଇବା ପରେ ଦୀର୍ଘ ଚାରିବର୍ଷ ତା’ଠୁ ଆଉ କୌଣସି ଚିଠିପତ୍ର ପାଇଲି ନାହିଁ ।

ଇତ୍ୟବସରେ ଘରେ ବାପ ମା ଉଭୟଙ୍କୁ ମୁଁ ହରେଇଲି । ଭାରି ଅସୁବିଧା ହେଲା । ଶିକ୍ଷୟିତ୍ରୀ ଚାକିରୀ ଛାଡ଼ି ଘରକୁ ଯାଇ ଜମିବାଡ଼ି ବୁଝାସୁଝା କରିବି ବା ଚାକିରୀ ରଖିବି–ଏଇ ଚିନ୍ତାରେ କିଛିଦିନ କଟିଗଲା । ବହୁତ ଭାବିଚିନ୍ତି ଚାକିରୀ ଛାଡ଼ିବିନି ବୋଲି ଠିକ୍‌ କଲି । କିନ୍ତୁ ଗାଁରେ ଥିବା ଜମି ଜାଗା ସବୁ କ’ଣ ହବ ? କିଏ ତା’ର ତତ୍ତ୍ୱାବଧାନ କରିବ ? ସମୟ ଯାହା ହେଇଚି, ସେଥିରେ କାହାକୁ ବା ବିଶ୍ୱାସ କରାଯାଇପାରେ ! ପ୍ରଥମ ବର୍ଷଟା ଜମିସବୁକୁ ଭାଗରେ ଲଗେଇଦେଲି । ମାତ୍ର ଯୋଉ ଭାଗଚାଷୀମାନେ ଭାଗରେ ନେଲେ, ସେମାନେ ଆଉ ଭାଗଧାନ ଦେଲେ ନାହିଁ । ସ୍ତ୍ରୀଲୋକ ହୋଇ ମାଲିମୋକଦ୍ଦମା ବା କ’ଣ କରିବି ? ସ୍କୁଲରୁ ଛୁଟି ନେଇ ଗାଁରେ ଯାଇ ମାସେ ରହି ଜମିବାଡ଼ି, ଘରଦ୍ୱାର ସବୁ ବିକ୍ରି କରିଦେଇ ଆସିଲି ।

କଟକରେ ଏଇ ଯେ କୋଠା, ଏ ସେଇ ପଇସାରୁ ହେଇଚି । କାହାରି ଦାନ ବା ଅନୁଗ୍ରହରୁ ଏ କୋଠା ନୁହେଁ ।

ହଁ କଲ୍ୟାଣ କଥା ଏବେ ଶୁଣ । ବାବୁ ପଞ୍ଜାବରେ ରହି ସେଠି କୋଉଠିକା ଜିଲା ମାଜିଷ୍ଟ୍ରେଟ୍‍ଙ୍କ ଅତ୍ୟାଧୁନିକା ଝିଅର ପ୍ରେମରେ ପଡ଼ିଲେ । ଯାହା ଶୁଣାଯାଏ, ସେ ଝିଅକୁ ଫାଙ୍କି ଦବାର ମତଲବ୍‍ କଲ୍ୟାଣର ଥିଲା । ମାତ୍ର ସେ କ’ଣ ଓଡ଼ିଆ ଝିଅ ହେଇଚି, ସବୁ ସହି ମଥାପାତି ରହିଯିବ ? ସେ ଝିଅ ମୋକଦ୍ଦମା କରିବ ବୋଲି ଧମକ ଦେଲା । ବାପ ତ ଜିଲା ମାଜିଷ୍ଟ୍ରେଟ୍‍, ସେ ଡରିବ କାହିଁକି ? କଲ୍ୟାଣ ଆଉ ଯାଏ କୁଆଡ଼େ ? ସେଇ ଯେ ଝିଅ ଅମ୍ରିତ୍‍ ସିଂ ତାକୁଇ ଶେଷରେ ସେ ବିବାହ କଲା ।

 

ପଞ୍ଜାବରୁ ପୁଣି ବଦଳି ହେଲା ବମ୍ବେ । ବମ୍ବେରେ ଦୁଇବର୍ଷ ରହି କଲ୍ୟାଣ ଆସିଲା ଓଡ଼ିଶାକୁ । ସେତେବେଳକୁ ତା’ର ଦୁଇଟି ପୁଅ ।

 

ଏଇ କେତେଦିନ ତା’ର ଖବର ମୁଁ କିଛି ହେଲେ ପାଇ ନଥିଲି । ମୋର ସବୁତକ ଆଶା ଗଙ୍ଗୋତ୍ରୀର ଗଙ୍ଗାଜଳ କାଚ ପରି ଭାଙ୍ଗି ଚୁରମାର ହେଇଯାଇଥିଲା ।

 

ସେ ଏଇ ଓଡ଼ିଶାକୁ ଆସିବା ପରେ ମୁଁ ଯେତେବେଳେ ଖବରକାଗଜରୁ ସେ ଖବର ପଢ଼ିଲି, ମନତଳେ ମୋର ଜାଗିଉଠିଲା ପୁଣି ନୂତନ ଆଶା । ମରିଯାଇଥିବା ଆକାଂକ୍ଷା ପୁଣି ଅଙ୍କୁରିତ ହେଲା । ପ୍ରେମ ଏକ ବ୍ୟାଧି, ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏନା । ସୁଯୋଗ ମିଳିଲେ ସେ ବ୍ୟାଧି ଉତ୍କଟ ଆକାର ଧାରଣ କରେ । ତା’ ଆସିବା ଖବରରେ ମୁଁ ଥୟଧରି ରହି ପାରିଲି ନାହିଁ ।

 

ସଚିବାଳୟରେ କଲ୍ୟାଣ ଜଣେ ସେକ୍ରେଟରୀ । ମୋ ମନ ଆନନ୍ଦରେ କୁଣ୍ଢେ ମୋଟ ହୋଇଯାଉଥାଏ ।

 

ଦିନେ ତା’ ସହିତ ସାକ୍ଷାତ କରିବା ପାଇଁ ମୁଁ ରାଜଧାନୀକୁ ଗଲି । ଅଫିସରେ ଖବର ନେଲି, ଦେହ ଭଲ ନ ଥିବାରୁ ସେ ଆଜି ଅଫିସ୍‌ ଆସି ନାହାନ୍ତି । କ୍ୱାଟର ନମ୍ବର ବୁଝି ସେଠିକି ଗଲି-। ସେ ପର୍ଯ୍ୟନ୍ତ ମୁଁ ଜାଣି ନଥିଲି ଯେ, ସେ ଏହା ଭିତରେ ବିବାହ କରିସାରିଚି ।

 

କ୍ୱାଟର ଆଗରେ ନାମପ୍ଲେଟ୍‌ ଦେଖି ମୁଁ ନିଃସଙ୍କୋଚରେ ଭିତରକୁ ପଶିଗଲି । ଭିତରେ ଜଣେ ପଞ୍ଜାବୀ ତରୁଣୀକି ଦେଖି ନାନାପ୍ରକାର ଆଶଙ୍କା ମନଭିତରେ ଜାଗିଲା । ହଠାତ୍‌ ବୋଧହୁଏ ମୋର ସର୍ବାଙ୍ଗ କଳା ପଡ଼ିଗଲା ।

 

ପଞ୍ଜାବୀ ତରୁଣୀଟି ହିନ୍ଦୀରେ ମତେ ପ୍ରଶ୍ନ କଲେ–ତୁମେ କିଏ ? ଏ ଘରଭିତରକୁ କାହିଁକି ପଶି ଆସୁଚ ?

 

ମୁଁ ଖାଣ୍ଟି ଓଡ଼ିଆରେ ଜବାବ ଦେଲି–ମୁଁ କଲ୍ୟାଣ ସହିତ ଦେଖା କରିବାକୁ ଆସିଛି ।

 

ସେ କହିଲା–ସାହେବଙ୍କ ସହିତ ଦେଖା ହେଇ ପାରିବ ନାହିଁ । ତାଙ୍କ ଦେହ ଖରାପ । ତୁମକୁ କିଏ କହିଲା ଏ ଘର ଭିତରକୁ ପଶି ଆସିବାକୁ ?

 

ମୁଁ ପୁଣି କହିଲି–କହିବ ଆଉ କିଏ ? ନିଜେ ନିଜେ ଆସିଚି । ତା’ପରେ ହଠାତ୍ ସେ ରାଗିଯାଇ ମତେ ଅନେକ ଗାଳିଦେଲେ । ଶେଷରେ ଇଂରାଜୀରେ କହିଲେ–ତୁମେ ବେଶ୍ୟାଭଳି ବ୍ୟବହାର କରୁଚ ।

 

ମୁଁ ଆଉ ଛାଡ଼ନ୍ତି କାହିଁକି ? ମୁଁ ବି ଇଂରାଜୀରେ ଦୁଇ ଚାରିପଦ ଶୁଣାଇଦେଲି । ଆମର ଏଇ ପାଟି ଶୁଣି କଲ୍ୟାଣ ବାହାରି ଆସିଲା । ମତେ ଦେଖି ପ୍ରଥମେ ଚମକିଗଲା । ତା’ପରେ ମୋ ନାଁରେ ଅଭିଯୋଗତକ ଶୁଣି ଘରୁ ବାହାରିଯିବା ପାଇଁ ସିଧା ସିଧା ମତେ କହିଦେଲା ।

 

ଅପମାନ ଆଉ ଲାଞ୍ଛନାରେ ଆଖିରୁ ଠକ୍‌ ଠକ୍‌ ଲୁହ ଝରେଇ ମୁଁ ଫେରିଆସିଲି । ଏଇ ଘଟଣା ପରେ ସାତରାତି ମୁଁ କାନ୍ଦିଚି । କୌଣସିମତେ ମନକୁ ପ୍ରବୋଧ ଦେଇପାରିଲି ନାହିଁ । ପୁରୁଷ ଜାତିଟା ଉପରେ ମୋର ଘୋର ଅବିଶ୍ୱାସ ଆସିଲା । ମୁଁ ଭୀଷଣ ହିଂସ୍ର ହେଇଉଠିଲି । ଯାହା ପାଇଁ ନିଷ୍ଟା ଦେଖେଇ ମୁଁ ଏତେଦିନ କଟେଇଦେଲି, ଶେଷରେ ତା’ରି ଘରୁ ହୀନସ୍ତା ହେଇ ତଡ଼ାଖାଇଲି ? ମନସ୍ତାପରେ ବିତିଗଲା କିଛିଦିନ । ମନକୁ ମନ ସାନ୍ତ୍ୱନା ଦେଲି–ଆଉ ତା’ ବିଷୟରେ ଭାବି କିଛି ଲାଭ ନାହିଁ । ଯେ ଏତେବଡ଼ ପ୍ରତାରଣା କରିପାରିଲା, ସେ ତ ଅମଣିଷ ।

 

ଭାବୁଥିଲି, କଲ୍ୟାଣର ସବୁତକ ପ୍ରେମଚିଠି ନେଇ ତା’ ସ୍ତ୍ରୀ ପାଖରେ ଦେଇଆସିବି ଆଉ ପଚାରିବି ଅସତୀ କିଏ ? ମୁଁ ନା ସେ ? ପ୍ରଥମ ପ୍ରେମ ଯେ ପାଇଥାଏ, ହକ୍‌ଟା ତା’ର ବେଶୀ, ନା ପରେ ଯିଏ ଆସେ ତା’ର ବେଶୀ ?

 

କିନ୍ତୁ ପାରିଲିନି । ମୋ ଜୀବନଟା ସିନା ପୋଡ଼ି ଜଳିଗଲା, ଆଉ ଗୋଟାଏ ଜୀବନ ପୋଡ଼ି ଜାଳି ଦବାରେ ମୋର କି ଲାଭ ! ସେଥିରୁ ନିବୃତ୍ତ ହେଲି ।

 

ତା’ପରେ ଅନେକଦିନ ପର୍ଯ୍ୟନ୍ତ କଲ୍ୟାଣର ମୋର ଦେଖା ହେଇନି ।

 

ଦିନକର ଘଟଣା । ସ୍କୁଲରୁ ଫେରି ମୋରି ବୈଠକଖାନା ଘରେ ବସି ମୁଁ ଖଣ୍ତେ ଇଂରାଜୀ ଉପନ୍ୟାସ ପଢ଼ୁଥାଏ । କାର୍‌ଟାଏ ଆସି ମୋ ଘର ଆଗରେ ଠିଆହେଲା । କାହା କାର୍‌ ଆସିଲା ଭାବି ମୁଁ ବାହାରିଆସିଲି । ଦେଖିଲି କଲ୍ୟାଣ ଆସିଚି ଏକା ଏକା–ଆଉ ଏକ ବିଶେଷତ୍ୱ ମୁଁ ତା’ଠେଇ ଲକ୍ଷ୍ୟ କଲି । ସେ ମଦ ପିଇଚି ।

 

ସେ ଆସିଲା । ବୈଠକଖାନାରେ ତାକୁ ମୁଁ ବସେଇଲି । ତା’ର ଭଲମନ୍ଦ ପଚାରିଲି । ପିଲାଟିଏ ଭଳି ସେ କାନ୍ଦିଉଠିଲା । ମନେହେଲା, ସେ ଯେମିତି ଭାରି ଅସହାୟ ଅନୁଭବ କରୁଚି । ମୁଁ କିଛି ବୁଝିପାରିଲିନି । ସେ କହିଲା–ବିନୁ ! ମୋ ସଂସାର ସରିଯାଇଚି । ଅମ୍ରିତ୍‌ ଆଉ ନାହିଁ । ପନ୍ଦରଦିନ ହେବ ସେ ମୋତେ ଛାଡ଼ି ଚାଲିଗଲା । ଦୁଇ ଦୁଇଟା ଛୁଆଙ୍କୁ ନେଇ ବର୍ତ୍ତମାନ ମୁଁ କ’ଣ କରିବି ?

କଲ୍ୟାଣର ଏଇ ଆକସ୍ମିକ ବିପର୍ଯ୍ୟୟରେ ମୁଁ ଗଭୀର ସମବେଦନା ଜଣାଇଲି। ତାକୁ ସାନ୍ତ୍ୱନା ଦେଲି–ମରଣଟା ତ କାହାରି ଇଚ୍ଛାଧୀନ ନୁହେଁ । ସେଥି ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ । କାନ୍ଦିଲେ କ’ଣ ମଲାଲୋକ ଫେରିଆସେ ? ସଂସାରର ନିୟମ ଏ–ମୃତ୍ୟୁ କେବେହେଲେ ବୟସର ବିଚାର କରେନା...

ସେ ଅସମ୍ଭବ ଭାବରେ ଭାଙ୍ଗିପଡ଼ିଥାଏ । ନିଜ ହାତରେ ଚା’ କରି ତାକୁ ଖୁଆଇଲି । ବହୁତ କଥା ସେ ଗପିଲା । ତା’ ବସାକୁ ଯିବାକୁ ନିମନ୍ତ୍ରଣ କରି ରାତି ଦଶଟା ବେଳକୁ ସେ ଫେରିଗଲା । ଫାଟକ ପାଖରେ ତାକୁ ବିଦାୟ ଦେଇ ମୁଁ ଅନୁଭବ କଲି ଶୂନ୍ୟତା ।

ପରଦିନ– ଅତୀତର ସମସ୍ତ ଅପମାନ ଭୁଲି (କାରଣ ଯେ ଅପମାନ ଦେଇଥିଲା, ସେ ତ ଆଉ ନାହିଁ) ସ୍କୁଲ କାମ ଯଥାକଥାକି ସାରିଦେଇ ବସ୍‌ ଧରି କଲ୍ୟାଣ ପାଖକୁ ଗଲି । ମୁଁ ଯିବାବେଳକୁ ସେ ତା’ କ୍ୱାଟରରେ ଥାଏ । ଦୁଇଟି ପିଲାକୁ ବସି ଖେଳଉଥାଏ । ପିଲାଗୁଡ଼ାଙ୍କର ରାଜପୁତ୍ର ଭଳି ଚେହେରା । ମୋର ଭାରି ଲୋଭ ହେଲା ରେ ନୀଳୁ ! ନାରୀ ପାଖରେ ସନ୍ତାନର ମୋହ ଏତେ ବେଶୀ, ସେଇଦିନ ହିଁ ପ୍ରଥମ କରି ମୁଁ ଅନୁଭବ କଲି । କଲ୍ୟାଣ ତା’ ଜୀବନର ବହୁ ଘଟଣା ସେଦିନ ମତେ କହିଲା, ଆଉ ମୋ’ ପ୍ରତି କରିଥିବା ଅବିଚାର ପାଇଁ କ୍ଷମା ମାଗିଲା ।

ନାରୀ ତ ସହଜେ କ୍ଷମାଶୀଳା, ପୁଣି ବିପଦରେ ଅଧୀରା । କଲ୍ୟାଣ ପ୍ରତି ଦୟା ଜାତ ହେଲା । ବିଚରା ସ୍ତ୍ରୀ ଅଭାବରେ ପିଲାଗୁଡ଼ାଙ୍କୁ ନେଇ ଭୀଷଣ ହଇରାଣ ହେଇଯିବ । ହେଲେ କରିବାର ତ ଆଉ କିଛି ନାହିଁ ! ସହାନୁଭୂତି ଦେଖେଇବା ଛଡ଼ା ଆଉ ଅଧିକ କ’ଣ କରାଯାଇପାରେ-?

ବୋଧହୁଏ ସ୍ତ୍ରୀ-ବିୟୋଗ ଦୁଃଖ ଭୁଳିବା ପାଇଁ କଲ୍ୟାଣ ଅତ୍ୟଧିକ ମଦ ପିଉଥିଲା । ଅନେକ ସମୟରେ ସେ ଅସଂଯତ ଅବସ୍ଥାରେ ଆସି ମୋ ପାଖରେ ପହଞ୍ଚିଯାଏ । ମୁଁ ତାକୁ ସହିଯାଏ । କ’ଣ କରିବି ? ବିପଦରେ ପଡ଼ିଚି ଯେତେବେଳେ ତା’ପ୍ରତି ନିଷ୍ଠୁର ହବା ସମ୍ଭବ ହୁଏନା-

ଦିନେ ସେ ପ୍ରସ୍ତାବ କଲା–ମତେ ବିବାହ କରିବ । କହିଲା–କ୍ଷତି କ’ଣ ? ପୂର୍ବରୁ ତ ତୁମେ ମୋର ବାକ୍‌ଦତ୍ତା । ବର୍ତ୍ତମାନ ମୋର ଏଇ ଅବସ୍ଥାରେ ମତେ ବଞ୍ଚେଇବା ତୁମର କର୍ତ୍ତବ୍ୟ । ମୁଁ ନିବିଡ଼ ଭାବରେ ତୁମକୁ ଚାହୁଁଚି । ମୋ’ ପ୍ରସ୍ତାବରେ ରାଜି ହୁଅ ।

ତା’ ମୁହଁରୁ ଏଇ ପ୍ରସ୍ତାବ ଶୁଣି ମୋ’ ମୁହଁ କଳା ପଡ଼ିଗଲା । ମୁଁ ସ୍ପଷ୍ଟ ନାହିଁ କରିଦେଲି । ତା’ଛଡ଼ା ଅନ୍ୟ ବାଟ ମୋର ନଥିଲା । ଏଇଟା ଚାରିବର୍ଷ ତଳର କଥା । ବିଭା ହବାର ବୟସ କ’ଣ ମୋର ଆଉ ଥିଲା ? ମୁଁ ଆଉ ଚାହୁଁ ନଥିଲି ହାସ୍ୟାସ୍ପଦ ହବାକୁ । ମୋଠୁ ନାସ୍ତିବାଚକ ଉତ୍ତର ଶୁଣି ସେ ଫେରିଗଲା । କିନ୍ତୁ ଏବେ ବି ମଝିରେ ମଝିରେ ସେ ଆସେ । ଉପହାର ପଠାଏ । ଅନେକ ଛୁଟୀଦିନ ଏଠି ଆସି କଟାଏ ।

ନୀଳୁ ! ମୁଁ ତାକୁ ବିଭା ହେଇପାରିନି ସତ୍ୟ, ତା’ପ୍ରତି ମୋର ଗୋଟାଏ ଦୁର୍ବଳତା ରହିଚି-। ତା’ରି ଚିନ୍ତାରେ ମୁଁ ମାନସିକ ରୋଗଗ୍ରସ୍ତ । ତା’ରି ସ୍ମୃତିରେ ମୁଁ ଗଢ଼ୁଚି ମୋର ଭବିଷ୍ୟତ । ମୁଁ ତାକୁ ଭୁଲି ପାରେ ନା... ।

ବିନୁଅପା ଖୁବ୍‍ ଜୋରରେ ଦୀର୍ଘନିଃଶ୍ୱାସ ପକେଇଲା । କହିଲା–ଏବେ ଥାଉ, ରାତିର ଖାଇବାଟା ତିଆରି କରିବାକୁ ପଡ଼ିବ ।

ମୁଁ ବି ଦୀର୍ଘନିଃଶ୍ୱାସ ତୋଳି ତା’ ସହିତ ଉଠିଲି । ସେ କହିଲା–ନୀଳୁ, ମୁଁ ଆଜି ଏକା । ଅନିରୁଦ୍ଧ ନାହିଁ । ଗତକାଲି ଚିନ୍ମୟ ଆସି ରାତିରେ ଶୋଇଥିଲା । ଆଜି ସେ ଆସିବ ନାହିଁ । କଲ୍ୟାଣର ସ୍ମୃତି ମନରେ ପଡ଼ି ମୁଁ ଭାରି ଦୁର୍ବଳ ମନେକରୁଚି । ତୁ ଆଜି ଏଠି ରାତିରେ ରହିବୁ ।

ନାଇଁ, ବିନୁଅପା...ମୁଁ କହିବାକୁ ଆରମ୍ଭ କରୁଥିଲି, ସେ ପୁଣି କହିଲା...ଆଜି ପରା ତୋର ରହିବା ପାଳି । ତୋର କୌଣସି ଆପତ୍ତି ଅଭିଯୋଗ ମୁଁ ଶୁଣିବିନି । ତା’ପରେ ମୋ’ ପିଠିରେ ହାତମାରି ସେ କହିଲା–ଗୋଟିଏ ସ୍ତ୍ରୀ ପକ୍ଷରେ ଏକାଟିଆ ରହିବା ଭାରି କଷ୍ଟ । ତୋତେ ମୁଁ ଛାଡ଼ିବିନି ।

ସେତେବେଳକୁ ଆମେ ବାରଣ୍ତା ପର୍ଯ୍ୟନ୍ତ ଚାଲି ଆସିଥିଲୁ । ବିଜୁଳି ଆଲୁଅରେ ତା’ ମୁହଁକୁ ଦେଖି ମୁଁ ଆଉ କିଛି କହିପାରିଲିନି । ମୋର ଅନିଚ୍ଛା ଭାବ ଛାଏଁ ଛାଏଁ ଦୂର ହେଇଗଲା ।

Image

 

ଛଅ

 

ଅନେକ ରାତ୍ରି । ଚାରିଆଡ଼େ ନିଶୂନ । ବାହାରେ କିଛି ଟିକିଏ ଶବ୍ଦ ନାହିଁ । ବିନୁଅପା ଖାଇବା ତିଆରି ଶେଷକରି ଉଠିବା ବେଳକୁ ମୁଁ ଶୋଇ ପଡ଼ିଚି । ସେ କେତେବେଳେ ଯେ ଆସି ମୋ ପାଖରେ ବସିଚି, ମୁଁ ଜାଣେନା । ସେ ବି ବସି ବସି ଶୋଇପଡ଼ିଚି । ଯୋଉମାନେ ଟିକଏ ମୋଟା ମଣିଷ, ଚୂଲୀ ପାଖ ଗରମରେ ବସିଲେ ସେମାନେ ଧଇଁସଇଁ ହେଇ ଯାଆନ୍ତି । ବିନୁଅପା ଆସି ବିଜୁଳି ପଙ୍ଖା ଖୋଲି ଦେଇଚି–ଥଣ୍ତା ପବନ ବାଜି ତା’ ଆଖିକି ବୋଧହୁଏ ନିଦ ଆସିଯାଇଚି । ତା’ର ନିଦ ଭାଙ୍ଗିବା ପୂର୍ବରୁ ମୋର ନିଦ ଭାଙ୍ଗିଗଲା । ମୁଁ ଉଠି ଦେଖିଲି–ମୋରି ମୁଣ୍ତ ପାଖରେ ବସି, ମୁଁ ମୁଣ୍ତ ଦେଇଥିବା ତକିଆର ଗୋଟାଏ କଣକୁ ମୁଣ୍ତ ରଖି ସେ ଶୋଇପଡ଼ିଚି । ତା’ ମୁଣ୍ତର ସୁବାସିତ ତେଲର ଗନ୍ଧ ସିଧାସଳଖ ଯାଇ ମୋ ନାକରେ ଲାଗୁଚି ।

 

ସାମନା ଘଡ଼ିରେ ଢଂଢଂ କିନି ବାଜିଲା ରାତି ଦୁଇ । ନିରୋଳା କକ୍ଷ । କର୍ମକ୍ଳାନ୍ତ ଜୀବନ ପରେ ଏ ପରିବେଶର ପରଶ ମତେ ଖାଲି ବିମୁଗ୍‌ଧ କରୁଥିଲା ।

 

ମୁଁ ଉଠିପଡ଼ିଲି । ତା’ର ବସ୍ତ୍ରାଞ୍ଚଳ ପଙ୍ଖା ପବନରେ ଅସ୍ଥିରତା ପ୍ରକାଶ କରୁଚି । କୁଞ୍ଚିତ କେଶ ସୃଷ୍ଟି କରୁଚି ଅଭିନବ ମାଦକତା । ଗଳାରେ ଥିବା ସୁନାର ଚେନ୍‌ହାରଟି ଚିକ୍‌ଚିକ୍‌ କରୁଚି ଆଲୋକରେ ।

 

ମୁଁ କ’ଣ କରିବି ? ତାକୁ ଡାକିବି କି ନା–ଏଇ ଦ୍ୱନ୍ଦ୍ୱରେ ପଡ଼ିଲି । ଖଟ ଉପରୁ ଓହ୍ଲେଇ ଆସିଲି । ଧୀରେ ଧୀରେ ଘର ଭିତରକୁ ଗଲି । ଚାରିଆଡ଼େ ଶୂନ୍ୟତା । ରୋଷେଇ ଘର ଆଲୁଅ ଜଳୁଚି–ଦରିଜା ମୁକୁଳା । ତା’ ଭିତରକୁ ଯିବା ପାଇଁ ପ୍ରବଳ କୌତୂହଳ ହେଲା । ଖାଇବା ଜିନିଷ ପ୍ରସ୍ତୁତ ହେଇ ଆମରି ଅପେକ୍ଷାରେ ରହିଚି ।

 

ଖାଇବା ପାଇଁ ଡାକିବାକୁ ଆସି ବିନୁଅପା ବୋଧହୁଏ ଶୋଇପଡ଼ିଚି । ମୁଁ ଯାଇ ତା’ରି ପାଖରେ ଠିଆ ହେଲି । ତା’ରି ମୁହଁ ଖଣ୍ତକ ଯେମିତି ବ୍ୟଥାରେ ଝାଉଁଳି ଯାଇଚି । ବହୁ ଦୁଃଖ ପରେ ସେ ଯେମିତି ଶାନ୍ତିରେ ବିଶ୍ରାମ ନେଇଛି । ଡାକିବାକୁ ଇଚ୍ଛା ହେଲାନାହିଁ । ଏକା ଥିଲି ତ...କେମିତିକା ଭୟ ଆସି ହୃଦୟକୁ ଗ୍ରାସ କଲା ।

 

ଏଣେ କିନ୍ତୁ ଭୋକରେ ମୁଁ ଅସ୍ଥିର । ମୁଣ୍ତ ଭିତରେ ବହୁ ନୀରବ ବାକ୍‌ ବିତଣ୍ତା ପରେ ଡାକିବାହିଁ ଶ୍ରେୟସ୍କର ଭବିଲି । ପାଖରେ ଯାଇ ଠିଆ ହେଲି ।

 

ଡାକିବି ? କିନ୍ତୁ ମୁଁ କିଏ ଡାକିବାକୁ ? ମୋର ବା କି ଅଧିକାର ଅଛି ଏଇ ଜନହୀନ ରାତ୍ରିରେ ତା’ର ଦେହ ସ୍ପର୍ଶ କରିବାକୁ ?

 

ପେଟରେ କିନ୍ତୁ ଭୋକ ! ସମ୍ଭାଳି ପାରିଲିନି । ଭାରି ନିମ୍ନ କଣ୍ଠରେ ଡାକିଲି–ବିନୁଅପା !

 

ସେ କିନ୍ତୁ ନିଦ୍ରାମଗ୍ନା ।

 

ମୋର କଣ୍ଠ ସ୍ୱର ଆଉ ଟିକିଏ ଚଢ଼ାକଲି । ସେ ଚମକିପଡ଼ି ଉଠି ପଡ଼ିଲା । ଅଳସ ଆଖିରେ ତା’ର ନିଶାଞ୍ଜନ ।

 

ଆରେ ଯାଃ । ମୁଁ ଆସି ଶୋଇ ପଡ଼ିଚି ! କେତେ ରାତି ହେଲାଣି ନୀଳୁ ?

 

–ଦୁଇଟା ବାଜି ଯାଇଚି ।

 

ଏଁ ? ଦୁଇଟା ? ସେ ଚମକିପଡ଼ି କହିଲା–ସବୁ ପଣ୍ତ ହୋଇଗଲା । ମୋତେ ମରଣ ହେଲାନି ! ରାତି ଦୁଇଟା ପର୍ଯ୍ୟନ୍ତ ତତେ ଉପବାସରେ ରଖିଦେଲି ! ତୋର ବି ଯୋଉ ନିଦ ନା, ଯେମିତି ଗୋଟାଏ ଯୁଗ ହେଲା ତୁ ଶୋଇ ନଥିଲୁ । ରାତି ଏଗାରଟାଠୁ ମୁଁ ଆସି ତତେ କେତେ ଡାକୁଚି–ଏମିତି ଶୁଅନ୍ତି ? ନ ଉଠିଲୁ ଯେମିତି ଏପାଖ ସେପାଖ ହଲେଇଲି । ତଥାପି ତୋ ନିଦ ଭାଙ୍ଗିଲା ନାହିଁ । ହଉ ଚାଲ ଚାଲ, ଆଗେ ଖାଇନବା ।

 

ସେ ଭାରି ବ୍ୟସ୍ତ ହେଇ ଚାଲିଗଲା । ମୁଁ ତା’ର ଅନୁଗମନ କଲି । ସେଇ ରୋଷେଇ ଘର ଭିତରେ ଦିହେଁଯାକ ଖାଇବସିଲୁ ।

 

ବିନୁଅପା କହିଲା କିଛି ସମୟ ତ ଶୋଇଲେଣି । ଆଉ ଅବଶିଷ୍ଟ ରାତି ନ ଶୋଇଲେ କ’ଣ ଚଳିବନି ?

 

ମୁଁ କହିଲି–ହଁ, ନ ଚଳିବ କାହିଁକି ? ମୁଁ ତ ବହୁତ ଶୋଇଚି । ତୁମେ ବି ଶୋଇଥିବ । ମୁଁ ତ ଭାବେ ପ୍ରତ୍ୟେକ ମଣିଷ ଶୋଇବାଟା ଯଦି କମେଇ ଦିଅନ୍ତେ, ଆଉରି ଅନେକ କାମ କାରିବା ସମ୍ଭବ ହେଇପାରନ୍ତା ।

 

ବିନୁଅପା ହସିଲା–ରାତିରେ କାମ ହେଲେ ଦୁର୍ଘଟଣା ଅଧିକ ଘଟିବ । ରାତିରେ ନାରୀମାନଙ୍କର ନିରାପତ୍ତା କ’ଣ ?

 

ମୁଁ କହିଲି–ଦିନରେ ଯୋଉ ନିରାପତ୍ତା, ରାତିରେ ସେଇ ନିରାପତ୍ତା । ସମସ୍ତେ ଅଭ୍ୟସ୍ତ ହେଇଗଲେ । ଆଉ ଭୟ କ’ଣ ?

 

ସେ କହିଲା–ହଉ, ଏ ପ୍ରସ୍ତାବଟା ଏତିକି ଥାଉ । ତୁ ଯେତେବେଳେ ନିର୍ବାଚନ ଜିତି ଏମ୍‌.ଏଲ୍‌.ଏ. ହବୁ, ଏଇ ପ୍ରସ୍ତାବକୁ କାର୍ଯ୍ୟକାରୀ କରେଇବୁ । ବୁଝିଲୁ ?

 

ସାଙ୍ଗେ ସାଙ୍ଗେ ପୁଣି ସେ କହିଲା–ତୁ କ’ଣ କରି ପାରିବୁ ? ଏକା–ଏକା ତ ବୁଲୁଚୁ–ଏ ଯାଏ ତ ବାହା ହେଲୁନି । ତୁ କ’ଣ ନାରୀମାନଙ୍କ ନିରାପତ୍ତା ଦାୟିତ୍ୱ ନବୁ ?

 

ମୁଁ କହିଲି–ଯେହେତୁ ମୁଁ ଅବିବାହିତ, ମୁଁ ତ ଏସବୁ ଦାୟିତ୍ୱ ନବା ପାଇଁ ଅଧିକ ଯୋଗ୍ୟ-। ତୁମେ ପରା ଦେଖୁଚ, ସ୍ୱାଧୀନତା ପରଠୁ ବଙ୍ଗ ଦେଶରେ ଯେତେ ମୁଖ୍ୟମନ୍ତ୍ରୀ ହେଲେଣି, ସମସ୍ତେ ଅବିବାହିତ । ଡକ୍‌ଟର ପ୍ରଫୁଲ୍ଲଚନ୍ଦ୍ର ଘୋଷ, ଡକ୍‌ଟର ବିଧାନଚନ୍ଦ୍ର ରାୟ, ପ୍ରଫୁଲ୍ଲଚନ୍ଦ୍ର ସେନ୍‌, ଅଜୟକୁମାର ମୁଖାର୍ଜୀ, ସମସ୍ତେ ତ ଅବିବାହିତ ।

 

ଏଇ କଥାରେ ଦୁଇଜଣ ଯାକ ହୋହୋ କିନି ହସି ଉଠିଲୁ । ଖାଇବା ସରି ଯାଇଥିଲା । ସେ କହିଲା–ମୁଁ ବାସନ ଉଠେଇ ନଉଚି, ତୁ ଯା, ମୁହଁ ଧୋଇବୁ ।

 

ମୁଁ ଉଠି ଆସିଲି । ରୋଷେଇ ଘରର ଅବଶିଷ୍ଟ କାମ ସାରିବା ପାଇଁ ସେ ରହିଗଲା । ଚାହିଁବି ବୋଲି ଯେତେ ବଡ଼େଇ କଲେ ମଧ୍ୟ ଆଖିରେ ମୋର ନିଦ ଭର୍ତ୍ତି ହେଇ ଯାଇଥିଲା । ସିଧା ଆସି ବିଛଣା ଧଇଲି । କିନ୍ତୁ ସଙ୍ଗେ ସଙ୍ଗେ ଆଖିର ନିଦତକ କୁଆଡ଼େ ଉଭେଇଗଲା । କାହାର ଯାଦୁ ବଳରେ ମୁଁ ଯେମିତି ଚଞ୍ଚଳ ହେଇଉଠିଲି । ବିଜୁଳି ପଙ୍ଖାଟା ଖୋଲିଲି । ଥଣ୍ତା ଲାଗିଲେ ନିଦ ଆସି ଯାଇପାରେ...

 

ବିନୁଅପା ଠିକ୍‌ ବେଳରେ ଆସି ପହଞ୍ଚିଗଲା ।

 

ନୀଳୁ ! କ’ଣ ସିଧା ଆସି ବିଛଣା ଧରିନେଲୁ ? ମୋ ପାଇଁ ଅପେକ୍ଷା କରିବା ତୋର କର୍ତ୍ତବ୍ୟ ନୁହେଁ ? ସ୍ୱାର୍ଥପର...

 

ମୁଁ କିଛି ଉତ୍ତର ଦେଲିନି । ସେ ବଡ଼ ଆଲୁଅଟା ଲିଭେଇ ଶଯ୍ୟାବତୀ ଜଳେଇଦେଲା । ଝାପ୍‌ସା ସବୁଜ ଆଲୋକରେ ଘର ଭିତରଟା କୌଣସି ରୂପକଥାବର୍ଣ୍ଣିତ ରାଜପ୍ରାସାଦର ପ୍ରମୋଦ କକ୍ଷ ଭଳି ମନେହେଲା । ସେ ଆସି ମୋ ମୁଣ୍ତ ପାଖରେ ଠିଆହେଲା । ନଇଁପଡ଼ି କାନ ପାଖରେ ଚୁପକିନି ପଚାରିଲା–ଏତେ ଶୀଘ୍ର କ’ଣ ଶୋଇପଡ଼ିଲୁ ?

 

ମୁଁ ଚାହିଁଲି । ପଥଭ୍ରଷ୍ଟା ଅପ୍‌ସରୀର ବିଭବ ନେଇ ସେ ସେମିତି ଛିଡ଼ା ହେଇଚି ମୋର ଅତି ନିକଟରେ । ତା’ର ପ୍ରୌଢ଼ତ୍ୱ ଯେମିତି ହଠାତ୍ ଉଭେଇ ଯାଇଚି । ମନେହେଉଚି ସେ ଯେମିତି ଆମର ସେଇ କଲେଜ ଦିନର ମିସ୍‌ ବିନୋଦିନୀ ।

 

ସତରେ ବିନୁଅପାର ବୟସ କମିଯାଇଚି କି ମୋର ବୟସ କମିଯାଇଚି, ମୁଁ ବୁଝିପାରିଲିନି । ମଣିଷର ମନ ଆଉ ଆଖି ଅବସ୍ଥାନୁସାରେ ଅନ୍ୟକୁ ସୁନ୍ଦର ବା ଅସୁନ୍ଦର କରି ତୋଳେ । ସୌନ୍ଦର୍ଯ୍ୟ କେଉଁଠି ଥାଏ ? ଦେଖିବା ଲୋକର ଆଖିରେ ନା ଦୃଶ୍ୟମାନ ବସ୍ତୁରେ ?

 

ବିନୁଅପା କହିଲା–ଯୌବନ ଆସ୍ତେ ଆସ୍ତେ ହଜିଯାଉଚି । ବିବେକର ଅନ୍ତରାଳରେ ବ୍ୟଥାବଂଶୀର ବେସୁରା ରାଗିଣୀ ବାଜିଉଠୁଚି ରହି ରହି । ଶିକ୍ଷୟିତ୍ରୀର ଜୀବନରେ ବହୁ ସ୍ନେହମୁଖୀ ବାଳିକାଙ୍କ ସଂସ୍ପର୍ଶରେ ଆସି ମୁଁ ସିନା ଦୁଃଖ ସବୁ କ୍ଷଣକ ପାଇଁ ଭୁଲିଯାଉଚି, ହେଲେ ଗୋଟିଏ ଗୋଟିଏ ରାତି ମୋ’ ପକ୍ଷରେ ଭାରି ଯନ୍ତ୍ରଣାକର ।

 

ଏମିତି ବହୁ ରାତି କଟିଚି–ଆଖିପତା ମୋର ବନ୍ଦ ହେଇନି । ଶୋଇବାଘରର ଝରକାରୁ ମୁଁ ଦେଖିଚି ବହୁ ଋତୁର ଆଗମନ–ଆଷାଢ଼ର ପ୍ରଥମ ବର୍ଷା ମନରେ ଭରିଚି ମୋର ରୋମାଞ୍ଚ । ସ୍ମରଣ କରିଚି ଯକ୍ଷକୁମାରର ପ୍ରେମ ନିବେଦନ । ଯକ୍ଷବଧୂ ଭଳି ବିରହକାତରା ହେଇ ରାତ୍ରି ପୁହେଇ ଦେଇଚି । ବର୍ଷା ଯାଇଚି–ଆସିଚି ଶରତ ଆଉ ହେମନ୍ତ...ବଗିଚାରେ ଫୁଟିଚି ଅଜସ୍ର ରଙ୍ଗୀନ ଫୁଲ । ସେ ବି ଚାଲିଯାଇଚି...ଶିଶିରର ମୁକ୍ତାବିନ୍ଦୁ ଧରାଅଙ୍ଗନକୁ ସଜ୍ଜିତ କରି ତା’ର ଆଗମନର ବାର୍ତ୍ତା ଜଣେଇ ଦେଇଛି । ହୃଦୟରେ ଜାଗିଚି ବିରହ-କାତର ସ୍ପନ୍ଦନ । ମଧ୍ୟରାତିରେ ଶୀତର ଅଞ୍ଚଳ ତଳେ ଶୋଇ ଶୋଇ ବିରହିଣୀ ଭାବିଚି ପ୍ରିୟ କାନ୍ତ କଥା । ଶିଶିର ବି ବିତିଚି । ଆସିଚି ଋତୁରାଜ ବସନ୍ତ । ଫଗୁଳ ହୋଇଚି ଧରଣୀ । ମନରେ ପୁଣି ଜାଗିଚି ମିଳନର ନିଶା । ଯୌବନ ଅମାନିଆ ହୋଇ ନୃତ୍ୟ କରିଚି ଉତ୍‌ଥଳ ଛନ୍ଦରେ । କିନ୍ତୁ ହାୟ, ସବୁ ବ୍ୟର୍ଥ ହେଇଯାଇଚି-। ବିରହିଣୀ ରାଧିକାର ବିରହ ରାତ୍ରି ଦୁର୍ବିସହଭାବରେ କଟିଯାଇଚି । ପ୍ରିୟ କାନ୍ତ ଆସିନି । ଦିନ...ମାସ...ବର୍ଷ...ଅମାବାସ୍ୟା...ପୂର୍ଣ୍ଣିମା ବୟସ ସାଥିରେ ତାଳଦେଇ ଆଗେଇଯାଇଚି । ଛାତିରେ ଛାତିଏ ଦୀର୍ଘଶ୍ୱାସ–ଆଖିରେ ଆଖିଏ ନିରାଶା...ଦେହ ମନ ଜଡ଼...ପଙ୍ଗୁ ।

 

ବିନୁଅପାର କଥା ଶୁଣି କ୍ରମେ କ୍ରମେ ମୁଁ ଛାନିଆଁ ହେଇପଡ଼ିଲି । ଭାବୁଥିଲି ବିନୁଅପାର ଯୋଉ ଅବସ୍ଥା, ଯଦି ସେ ମତେ ବାଧ୍ୟ କରେ ମୁଁ କ’ଣ କରିବି ? ମୁଁ ତ ଏଠି ଅସହାୟ । ଜଣେ ଭଦ୍ରମହିଳାଙ୍କ ଘରେ ମୋର ଏ ଅନଧିକାର ପ୍ରବେଶ ।

 

ମୋ ଦେହରୁ ଝାଳ ବହିଆସୁଥିଲା । ମୁଁ ଭାବୁଥିଲି, ଏ ରାତିରେ ହୁଏତ କିଛି ଭୌତିକ କାଣ୍ତ ଘଟିପାରେ ।

 

କିନ୍ତୁ ମୋର ଭାବନାଗୁଡ଼ିକ ଅମୂଳକ ହେଇଗଲା । ଗୁଡ଼ାଏ ବକାବକି କରିବାପରେ ବିନୁଅପାର ଆଖି ନିଦରେ ମାଡ଼ିପଡ଼ିଲା । ସେ କହିଲା–ତୁ ଏବେ ଶୋଇପଡ଼ । ମୁଁ ଯାଉଛି, ଭାରି ନିଦମାଡ଼ିଲାଣି । ରାତି ଚାହିଁବା କଥା ଆଜି ନୋହିଲା ।

 

ସେ ଅନ୍ୟ କୋଠରୀକି ଚାଲିଗଲା–ବୋଧହୁଏ ସାଥିରେ ମୋ ‘ନିଦକୁ’ ନେଇଗଲା । ସେ ଗଲାପରେ ମୁଁ ଶୋଇବାକୁ ଚେଷ୍ଟାକରି ପାରିଲିନି । ଥରେ ନିଦ ଭାଙ୍ଗିଗଲେ ସହଜରେ ଆଉ ଆସେନା ।

 

ହଠାତ୍‌ ମୁଁ ଶୁଣିଲି–ବିନୁଅପା ଶୋଇଥିବା କୋଠରୀର ଝରକାରେ କିଏ ଯେମିତି ଠକ୍‌ ଠକ୍‌ ଆବାଜ କରୁଚି । ମୋ କାନଦୁଇଟି ସତେଜ ହୋଇ ଉଠିଲା । ଆର ଘରେ ବିନୁଅପା ଉଠିଚି–ଝରକା ପାଖକୁ ଯାଇ ପଚାରିଚି–କିଏ ? ଏତେ ରାତିରେ କିଏ ଠକ୍‌ ଠକ୍‌ କରୁଚି ?

 

ଝରକା ଆରପାଖରୁ ଉତ୍ତର–ମୁଁ ଚିନ୍ମୟ ।

 

ବିନୁଅପାର ପୁଣି ପ୍ରଶ୍ନ ଚିନ୍ମୟ ? ଏତେ ରାତିରେ ତୁମେ ? ତୁମର ତ ଆଜି ଆସିବାର ନଥିଲା !

 

ଚିନ୍ମୟର କଣ୍ଠରେ ବ୍ୟସ୍ତତା–କବାଟ ଖୋଲ । ଆସିବାର ନଥିଲା, ତଥାପି ମୁଁ ଆସିଚି । ଭାରି ବିପଦରେ ପଡ଼ିଚି ।

 

ବିପଦ ? ବିନୁଅପା ଯେମିତି ଭାରି ବ୍ୟସ୍ତ ହେଇଉଠିଲା । କବାଟଖୋଲି ଦବା ପାଇଁ ବାହାରିଆସିଲା । ମୋତେ ସବୁ ଶୁଣାଯାଉଛି । ଦାଣ୍ତଦୁଆର ଖୋଲିଲା । ଜୋତା ଶବ୍ଦ । ଦାଣ୍ତଦୁଆର ପୁଣି ବନ୍ଦହେଲା । ମୁଁ ଶୋଇଥିବା କୋଠରୀ ସମାନାରେ ଆସି ଚିନ୍ମୟ ପଚାରିଲା–ଆଉ କେହି ଘରେ ଅଛନ୍ତି କି ?

 

ବିନୁଅପା ଉତ୍ତର ଦେଲା–ନା ! ତା’ କଣ୍ଠ ଭାରି ଗମ୍ଭୀର । ସେ ପୁଣି କହିଲା–ଚିନ୍ମୟ, ତୁମେ ଆଉ ସୁଧୁରିବ ନାହିଁ । ମଦ ନିଶ୍ଚୟ ଖାଇଚ । ଏତେ ରାତିରେ କୋଉଠୁ ଆସିଲ ?

 

ଚିନ୍ମୟ ପରାଜିତ କଣ୍ଠରେ କହିଲା–ଏଇ ଥରକ କ୍ଷମାଦିଅ । ଇଥରକ ମତେ ରକ୍ଷା କର-। ଭାରି ବିପଦରେ ମୁଁ ପଡ଼ିଚି ।

 

ବିନୁଅପା ସେଇଭଳି ଗମ୍ଭୀର ଅଥଚ ଧୀର କଣ୍ଠରେ କହିଲା–କ’ଣ ବିପଦ ଚିନ୍ମୟ ? ସେଇ ବିଲାତି ମଦ ଦୋକାନର ମାଲିକ ନିଶ୍ଚୟ ପିଛାଧରିଛି । କେତେଟଙ୍କା ବାକି ?

 

ଚିନ୍ମୟ କହିଲା–ତୁମେ ଯଦି ଏମିତି ରାଗିଯାଅ, ମୁଁ ନିଶ୍ଚୟ ଆତ୍ମହତ୍ୟା କରିଦେବି, ମୋ ପକ୍ଷେ ଏ ସଂସାରରେ ବଞ୍ଚିରହି କିଛି ଲାଭ ନାହିଁ ।

 

ନା ନା, ଚିନ୍ମୟ, ଏସବୁ କ’ଣ କହୁଛ ? ଏଭଳି କୁତ୍ସିତ ଚିନ୍ତା ତୁମ ମନ ଭିତରକୁ ଆସୁଚି କାହିଁକି ? ହେଲେ ମୋ ମନକଥା ତ କେବେହେଲେ ତୁମେ ବୁଝିଲନି ! ତୁମରି ଅନୁରୋଧରେ ଏ ସବୁ କଥା ଏ ଯାଏ ମୁଁ ତୁମ ଭାଇଙ୍କି କହିନି । ଯଦି କହିଦିଏ, ଭାବୁଚ ତ ତୁମ ଅବସ୍ଥା କ’ଣ ହବ ? ବ୍ୟବସାୟ କରିବ ବୋଲି ଅଜସ୍ର ଟଙ୍କା ତୁମେ ତୁମ ଭାଇଙ୍କଠୁ ଆଣୁଚ । କିନ୍ତୁ ବ୍ୟବସାୟର ଉନ୍ନତି ପରିବର୍ତ୍ତେ କ୍ରମାନ୍ୱୟରେ ଅବନତି ଘଟୁଚି । ହବା ତ ସ୍ୱାଭାବିକ । ମଦ୍ୟପମାନଙ୍କର ବ୍ୟବସାୟର ଅଧୋଗତି ନିଶ୍ଚୟ ହେବ । କିନ୍ତୁ ଏବେ ବି ତୁମର କ’ଣ ସଦ୍‌ବୁଦ୍ଧି ହବନି ? ବିନୁଅପା କହିଲା ।

 

ତା’ପରେ ମୁଁ ଶୁଣିଲି ଚିନ୍ମୟର କଣ୍ଠ–ଭବିଷ୍ୟତରେ ଆଉ କେବେ ପଛେ ସାହାଯ୍ୟ ନ କରିବ, ଏଇ ଥରଟି ମୋ ଅନୁରୋଧ ରକ୍ଷାକର । ଖୁବ୍ ବିପଦ ପଡ଼ି ନଥିଲେ ମୁଁ ଏଇ ନିଛାଟିଆ ରାତିରେ ଏଠିକି ଆସି ନଥାନ୍ତି । ମଦଦୋକାନୀ ସୁଲ୍‌ତାନ ମିଆଁ ହୋସେନ୍‌କୁ ଅଟକେଇ ରଖିଚି । ବିଲ୍‌ ନ ପାଇଲେ ତାକୁ ଛାଡ଼ିବ ନାହିଁ । ଟଙ୍କା ନ ମିଲିଲେ ମୁଁ ଆଉ ଫେରିବି କାହିଁକି ? ସିଧା ଯୋବ୍ରାକୁ ଯାଇ...

 

କେତେ ଟଙ୍କାବ ବାକି ? ବିନୁଅପା ପଚାରିଲା ।

 

ଚିନ୍ମୟ କହିଲା–ଶହେ ଷାଠିଏ–

 

ଏତେ ଟଙ୍କା ଏ ରାତି ଶେଷରେ ମୁଁ କୋଉଠୁ ଆଣିବି ? ଏ ଘରଟା ତ ଟଙ୍କା ତିଆରି କାରଖାନା ନୁହଁ ।

 

ସେଥିରୁ ଗୋଟେ ଟଙ୍କା କମ ହେଲେ ସେ ଛାଡ଼ିବନି । ତୁମକୁ ମୋ ରାଣ–ଆଜି ନିରାଶ କରନା ।

 

ଚିନ୍ମୟ ! ତୁମର ସେଇ ପିଲା ବୁଦ୍ଧି ଗଲାନାହିଁ । ସାଙ୍ଗେ ସାଙ୍ଗେ ରାଣ ପକେଇଦେଲ । ତୁମେ ଜାଣନା, ତୁମର ଏଇ ରାଣ ମତେ କେତେ ବାଧେ ! ଏଇ ରାଣ ପକେଇବା ଭିତରେ ତୁମେ ମତେ ଅପରାଧିନୀ କର । ମତେ ଅବିଶ୍ୱାସ କର...

 

ଅବିଶ୍ୱାସ ? ହେଃ...କେବେ ତମକୁ ମୁଁ ଅବିଶ୍ୱାସ କରିନି । ପୃଥିବୀରେ ଆଉ କିଏ ଏମିତି ଅଛି କହିଲ, ଯାହାକୁ ମୁଁ ତୁମଠୁ ଅଧିକ ବିଶ୍ୱାସ କରେ ?

 

Unknown

ବିନୁଅପା ଆଉ ଚିନ୍ମୟର ଏଇ କଥାଭାଷା ସମୟରେ ବାହାରେ ପାଟି ଶୁଭିଲା–ଚିନ୍ମୟ ! ଚିନ୍ମୟ !

 

ଚିନ୍ମୟ କହିଲା–ହେଇ, ମୋର ଡେରି ହେବା ଦେଖି ହୋସେନ୍ ଆସି ଏଠି ପହଞ୍ଚିଗଲାଣି ।

 

ବିନୁଅପା କହିଲା–ତୁମେ ସମସ୍ତେ ମିଳି ମତେ ବଦ୍‌ନାମ କରିଦବ । ନିଶୂନ ରାତିରେ ଏଇ ସବୁ ମଦ୍ୟପ ଦଳ ଏଠି ଆସି ଯଦି ହଲ୍ଲା କରନ୍ତି, ପାଖ ପଡ଼ିଶାଏ ମୋ ଉପରେ କି ଧାରଣା କରିବେ ? ଛି ଛି...

 

ହୋସେନ୍‌ ପୁଣି ବାହାରୁ ଚିଲ୍ଲେଇଲା–ଆବେ ଚିନ୍ମୟ, ଶାଲା ବାହାର ମେ ଆଓ...

 

ଚିନ୍ମୟ ଯାଇ କବାଟ ଖୋଲିଦେଲା । ଏକା ହୋସେନ୍‌ ନୁହେଁ ତା’ ସାଙ୍ଗରେ ସୁଲତାନ୍‍ ମିଆଁ ଓ ତା’ ଦୋକାନର ଦୁଇଜଣ ଚାକର ମଧ୍ୟ ଅଛନ୍ତି । ଚିନ୍ମୟକୁ ଦେଖି ସୁଲ୍‌ତାନ ମିଆଁ କହିଲା–ବେଶ୍ ବାବୁ ! ଆମକୁ ବସେଇ ଦେଇ ତୁମେ ଆସି ଏଠି ମାଷ୍ଟ୍ରାଣୀ ପାଖରେ ଲଟ୍‌କି ଗଲ । ହଁ, ଲଟ୍‌କି ଯିବନି କାହିଁକି ? ସେ ତ’ ଲଟ୍‌କିବାର ମାଲ୍‌...

 

ଇସ୍‌ କି ଅଶ୍ଳୀଳ ! ବିନୁଅପାର ମୁଣ୍ତ ଝାଇଁ ଝାଇଁ କରୁଚି । ଇଚ୍ଛା ହେଉଚି ଚିନ୍ମୟ ସମେତ ସମସ୍ତଙ୍କୁ ସେ ଚଟୀ ମାରି ନିକାଲି ଦବ ।

 

ମାତ୍ର...

 

ଚିନ୍ମୟ ତା’ ଜୀବନ ସ୍ମୃତି ବୀଣାର ଏକ ତାର । ସେ ତା’ ପ୍ରତି ଏତେ ନିଷ୍ଠୁର ହେଇପାରେନା ।

 

ପୁଣି ହଲ୍ଲା ।

 

ଚିନ୍ମୟ କହିଲା–ପାଟି ନକରି ଠିଆ ହୁଅ । ହୋସେନ୍‌, କିଏ ତତେ କହିଲା ତାକୁ ଏଠିକି ଆଣିବାକୁ ?

 

ହୋସେନ୍‌ କହିଲା–ନ ଆସି କ’ଣ ସାରା ରାତି ସେଇଠି ଆମେ ସବୁ ବସିଥାନ୍ତୁ...

 

ସୁଲତାନ୍‌ ମିଆଁ ପାଦ ପୂରଣ କଲା–ହଁ ବାବୁ, ସେଇଆ କୁହ... ଆଉ ଚିନ୍ମୟବାବୁ ଆସି ଏଠି ପ୍ୟାର୍‌ କରିବାରେ ଲାଗିଥାନ୍ତେ–ଆଉ ହାମେସବୁ ତାଙ୍କୁ ଇନ୍ତେଜାର୍‌ କରି ରାତି କଟେଇଥାନ୍ତେ...

 

ଚିନ୍ମୟ ପାଟି କରିଉଠିଲା–ସୁଲତାନ୍‍ ମିଆଁ–ଜେରା ସମାଲକେ ବାତ୍‌ କରୋ ।

 

ସୁଲତାନ୍‍ କହିଲା–ଠିକ୍‌ ହୈ...ଜଲଦି ଜଳଦି ରୂପିୟା ଦେଦେ ।

 

ଚିନ୍ମୟ ସେମାନଙ୍କୁ ଛାଡ଼ି ଭିତରକୁ ଚାଲିଗଲା । ବିନୁଅପାର ବାକ୍‌ରୁଦ୍ଧ ହେଇଯାଇଚି । ସେ ଆଉ କିଛି ନକହି ଦରକାର ଥିବା ଟଙ୍କା ତା’ ହାତକୁ ବଢ଼େଇ ଦେଲା । ଚିନ୍ମୟ ଦାଣ୍ତ ଘରକୁ ଆସି ସେମାନଙ୍କୁ କହିଲା–ଚଲୋ ଇହାଁସେ । ରୂପିୟା ଦେ’ଗା, ଦୋକାନ୍‌ ମେ ଚଲୋ ।

 

ସେମାନେ ଆଉ ପ୍ରତିବାଦ ନକରି ଚାଲିଗଲେ । ଚିନ୍ମୟ ସମୋନଙ୍କ ସାଥିରେ ଚାଲିଗଲା । ବିନୁଅପା ଧଡ଼କିନି ଦାଣ୍ତ ଦୁଆର କିଳିଦେଇ ଆସିଲା । ମୁଁ ଯୋଉ କୋଠରୀରେ ଶୋଇଥିଲି ସେଇ କୋଠରୀ ଭିତରକୁ ଆସି ଆଲୁଅ ଜଳାଇ–ନୀଳୁ, ନୀଳୁ, ଦି ଥର ଡାକିଲି । ମୁଁ ଜାଗ୍ରତ ଥିଲେ ମଧ୍ୟ ଶୋଇଥିବାର ଛଳନା କଲି । ସେ ମୋ ଖଟ ପାଖକୁ ଆସି ଠିଆହେଲା । ତା’ର ନିଃଶ୍ୱାସର ଉଷ୍ଣତା ଯୋଗୁ ସାରା ଘରଟା ବୋଧହୁଏ ଗରମ ହେଇ ଉଠୁଥିଲା । ମିନିଟ୍‌ ଦୁଇ ତିନି ଛିଡ଼ାହେଇ ସେ ପୁଣି ତା’ ଶୋଇବା ଘରକୁ ଚାଲିଗଲା । ତା’ ଘରର ଦରଜା ଭିତରପଟୁ ବନ୍ଦ ହବାର ଶବ୍ଦ ମୁଁ ଶୁଣିଲି ।

 

ଏତେବେଳଯାଏ ମୋର ଦିହ ଥରୁଥିଲା । ବିନୁଅପାର ଏ ସବୁ କାରବାର ଦେଖି ତା’ପ୍ରତି ଥିବା ସ୍ନେହ କ୍ରମଶଃ କମି ଆସୁଥିଲା । ମୋ ଅଜାଣତରେ ଘୃଣାର ଏକ ପରଦା ଯେମିତି ମୋ ମନ ଆକାଶରେ ଟଙ୍ଗା ହେଇଗଲା । ବିନୁଅପାର ଏ କି ଜୀବନ ? ମଦ୍ୟପ-ଲମ୍ପଟମାନଙ୍କ ମେଳରେ ପଙ୍କିଳପଥ ଅନୁସରଣ କରି ସେ ତା’ ଜୀବନକୁ ଏତେ ତଳକୁ ନେଇ-ଯାଇଚି ?

 

ହଠାତ୍‌ ମୁଁ ଯେମିତି ସ୍ୱର୍ଗପୁରରୁ ପାତାଳର ସାତତାଳ ପଙ୍କ ଭିତରକୁ ଖସିପଡ଼ିଲି । ସେଇ ପଙ୍କତଳୁ ହୁଏତ ମିଳିପାରେ ବିନୁଅପାର ଅସଲ ପରିଚୟ.... ।

 

ମୋର ଅତୀତ ଯେମିତି ଉପହାସ କରି ମତେ କହିଲା–ନୀଳକଣ୍ଠ ! ସାବଧାନ ! ଜନତା ଜନାର୍ଦ୍ଦନ ସେବା ଛାଡ଼ି ଆତ୍ମସେବା ପାଇଁ ତୁମେ ଆଜି ଯୋଉ ଜୀବନ ଭିତରକୁ ପଶୁଛ, ସେ ଜୀବନ କ’ଣ ତୁମକୁ ଶାନ୍ତି ଦେଇପାରିବ ?

 

ମୁଁ ଚିନ୍ତାରେ ଭାଙ୍ଗିପଡ଼ିଲି ।

Image

 

ସାତ

 

ବିନୁଅପା ବହୁତ ବେଳ ପର୍ଯ୍ୟନ୍ତ ଶୋଇ ରହିଥିଲା । ଭୋର୍‌ ଭୋର୍‌ ଆସି ଅନିରୁଦ୍ଧ ଆଉ କମଳା ପହଞ୍ଚିଯାଇଛନ୍ତି । ସେମାନଙ୍କ ଡାକରେ ମୋ’ ନିଦ ଭାଙ୍ଗିଗଲା ।

କମଳାକୁ ମୁଁ ଆଉ ଥରେ ଦେଖିଲି । ସେ ଅସମ୍ଭବ ଭାବରେ ଝଡ଼ିଯାଇଚି । ଏଇ ପନ୍ଦର କୋଡ଼ିଏ ଦିନ ବ୍ୟବଧାନରେ ତା’ର ଯେମିତି ପନ୍ଦର କୋଡ଼ିଏ ବର୍ଷ ବଢ଼ିଯାଇଚି । ଶୀର୍ଣ୍ଣ-ସ୍ୱାସ୍ଥ୍ୟା ଏଇ ତରୁଣୀଟି ପ୍ରତି ସେଦିନ ଭକ୍ତିରେ ମୋ ମୁଣ୍ତ ନଇଁଯାଇଥିଲା । ଆଜି ତା’ର ବୈଧବ୍ୟରେ ତା’ପ୍ରତି ଜାତ ହେଲା ଅନୁକମ୍ପା-ସହସ୍ର ସହାନୁଭୂତି ।

ବିନୁଅପା ଉଠିବାକୁ ଡେରି କଲା । ମୁଁ ଚାଲିଆସିବାକୁ ବ୍ୟସ୍ତ ହେଲି ।

ଅନିରୁଦ୍ଧ କହିଲା–ବାବୁ ! ମା’ ନ ଉଠିବା ଆଗରୁ ଆପଣ ଚାଲିଯିବେ ?

ମୁଁ କହିଲି–ହଁ, ବହୁତ ଡେରି ହେଇଗଲାଣି । ଜଣେ ଭଦ୍ରଲୋକଙ୍କ ଘରକୁ ସକାଳେ ଯିବା କଥା । ଭାରି ଜରୁରି କାମ ଅଛି । ନଗଲେ ଭାରି ଅସୁବିଧା ହେବ ।

ଆଉ ଗୋଟିଏ ଟିଉସନ୍‌ କରିବା ଯୋଗାଡ଼ରେ ମୁଁ ଅଛି । ଆଉ ତିରିଶ ଟଙ୍କା ନହେଲେ କଟକ ସହରରେ ଆଉ ଅଧିକ ଦିନ ଚଳିବା ସମ୍ଭବ ନୁହେଁ ।

ସେଦିନ ଜଣେ ବନ୍ଧୁ କହିଲା–ନୀଳ, ତୋ’ ସ୍ୱାସ୍ଥ୍ୟର ଅବନତି ଯେମିତି ଭାବରେ ଘଟୁଚି, ତୁ ହୁଏତ ଟି:ବି:ରେ ଆକ୍ରାନ୍ତ ହେଇପାରୁ । ଟି:ବି: ନାଁ ଶୁଣି ମୁଁ ଚମକି ଉଠିଲି । ଏଇ ଗୋଟିଏ ରୋଗ ଯାହାକୁ ମୁଁ ଭାରି ଭୟ କରେ । ଅବଶ୍ୟ ଆଜିକାଲି ଏ ରୋଗ ଭଲ ହେଇଯାଉଚି । ତଥାପି ଭାରି ମାରାତ୍ମକ । ସ୍ୱାସ୍ଥ୍ୟର ଉନ୍ନତି କରିବାକୁ ହେଲେ ଆଉ ଟିକିଏ ଭଲ ସାରଯୁକ୍ତ ଖାଦ୍ୟ ଦରକାର-। ସେଥି ପାଇଁ ଟଙ୍କା ଆବଶ୍ୟକ । ମୁଁ ଆପ୍ରାଣ ଚେଷ୍ଟା କରୁଥିଲି ଆଉ ଗୋଟିଏ ଟିଉସନ୍‍ପାଇଁ-। ସନ୍ଧାନ ମିଳିଚି । ଆଜି ସକାଳେ ସେଠିକି ଯାଇ ସବୁ ଠିକ୍‌ଠାକ୍‌ କରିବା କଥା ।

ଅନିରୁଦ୍ଧ କହିଲା–ମା’ଙ୍କ କଥା ତୁମେ ତ ଜାଣ ବାବୁ ! ଯାହାକୁ ଭଲ ପାଇବାକୁ ଆରମ୍ଭ କରିବେନା, ତା’ପାଇଁ ଜୀବନ ଦେଇଦେବେ । ତମକୁ ସେ ଏତେ ଭଲ ପାଉଚନ୍ତି, ନକହି ଚାଲିଗଲେ, ମନ କଷ୍ଟ କରିବେନି ?

ରାତିର ଘଟଣା ମୋର ମନେ ପଡ଼ୁଥିଲା । ଦିନର ଆଲୋକ ଏଠି ଭାରି ଅସହ୍ୟ ଲାଗୁଥିଲା ମତେ । କମଳା ବାତ୍ୟାହତା ଲତାଟିଏ ପରି ବସିଥାଏ । ତାକୁ ସାନ୍ତ୍ୱନା ଦବା ମୋର କର୍ତ୍ତବ୍ୟ । କିନ୍ତୁ ଭରସି ମୁଁ କିଛି କହିପାରୁ ନଥାଏ । ସେ ବାରମ୍ବାର ଚାହୁଁଥାଏ ମୋ ମୁହଁକୁ । ତା’ର ସଜଳ ଆଖିପତା ବ୍ୟଥାଭରା ଭାଷାରେ ଭରପୁର ।

ନାରୀ ଜୀବନର ଶ୍ରେଷ୍ଠ ସମ୍ବଳ ତା’ର ହଜିଯାଇଚି ।

ମୁଁ କିନ୍ତୁ ନାଚାର । ଆଉ ଅଧିକ ସମୟ ଅପେକ୍ଷା କରିପାରିଲି ନାହିଁ । ଚାଲିଆସିଲି ।

ରାଜପଥକୁ ବାହାରିଆସି ମୁଁ ଆଶ୍ୱସ୍ତିର ନିଃଶ୍ୱାସ ମାଇଲି । ଜେଲ୍‌ଖାନା ଭିତରୁ କଏଦୀ ମୁକ୍ତି ଲଭି ବାହାରକୁ ଆସିଲେ ତା’ର ମାନସିକ ଅବସ୍ଥା ଯାହା ହୁଏ, ମୋର ମାନସିକ ଅବସ୍ଥା ଠିକ୍‌ ସେଇୟା ।

 

ବକ୍‌ସିବଜାର ଡାକ୍ତର ଗଣନାଥ ସାହୁଙ୍କ ଘରକୁ ମତେ ଯିବାକୁ ପଡ଼ିବ । ତାଙ୍କରି ଝିଅ ବାସନ୍ତୀ ନବମ ଶେଣୀର ଛାତ୍ରୀ । ପ୍ରମିଳାର ସହପାଠିନୀ । ତା’ର ଟିଉସନ ମାଷ୍ଟର ଦରକାର ଅଛି ବୋଲି ପ୍ରମିଳା ହିଁ ମତେ ସନ୍ଧାନ ଦେଇଥିଲା । ଥରେ ଯାଇ ଦେଖା କରିଆସିଚି । ଆଜି କଥାବାର୍ତ୍ତା ପକ୍‌କା ହବା କଥା ।

 

ଡାକ୍ତର ଗଣନାଥବାବୁ ମୋରି ଅପେକ୍ଷାରେ ଥିଲେ । ମତେ ଦେଖିବା ମାତ୍ରେ କହିଲେ–କ୍ଷେତ୍ରମୋହନଠୁ ମୁଁ ତୁମର ଖବର ନେଇଛି । ସେ ତ ତୁମର ଭାରି ପ୍ରଶଂସା କରୁଥିଲା । ତା’ ଝିଅ ପ୍ରମିଳାକୁ ପଢ଼ଉଚ । ମୋ ଝିଅ ବାସନ୍ତୀକି ପଢ଼ାଅ । ଆଜିଠୁ ଆରମ୍ଭ କର । ଦରମା, କ୍ଷେତ୍ରମୋହନ ଯାହା ଦଉଚି ସେଇଆ ମିଳିବ ।

 

ହଠାତ୍‌ ଆନନ୍ଦରେ ମୋ ମୁହଁ ଝଲସି ଉଠିଲା । ଆଜି ସକାଳେ କାହା ମୁହଁ ଚାହିଁଥିଲି କେଜାଣି ? କମଳାର ? ହଁ ହଁ, ବିନୁଅପା ଘରେ ପ୍ରଥମେ ତ ତା’ରି ମୁହଁ ମୋ ନଜରରେ; ପଡ଼ିଥିଲା-। ଆଜି ଶୁଭଫଳ ଘଟିଥିବାରୁ ମନେ ମନେ ତାକୁ ହିଁ ପ୍ରଥମେ ମୁଁ ଧନ୍ୟବାଦ ଜଣେଇଲି ।

 

ଡାକ୍ତରବାବୁ ମତେ ତାଙ୍କ ଝିଅର ପଢ଼ାଘର ଦେଖେଇ ଦେଲେ । ମୁଁ ଯାଇ ବସିଲି । କିଛି ସମୟ ପରେ ଛାତ୍ରୀ ବାସନ୍ତୀ ଆସିଲା । ଭାରି ଚାଲାକ–ଚତୁର ଝିଅଟା । ଦେଖିଲି ବୁଦ୍ଧି ତା’ର ଭାରି ତୀକ୍ଷ୍‌ଣ । ତା’ର ପଢ଼ାର ଢଂଗ ମଧ୍ୟ ଉନ୍ନତ । ଭଲ ଛାତ୍ରୀ ।

 

ମାସିକ ଷାଠିଏ ଟଙ୍କାର ବ୍ୟବସ୍ଥା ହେଇଗଲା । ଏଣିକି ଖାଦ୍ୟ ଚିନ୍ତା ହୁଏତ ଆଉ କରିବାକୁ ପଡ଼ିବ ନାହିଁ ।

 

ୟା ଭିତରେ ମାସେ ବିତିଗଲାଣି । ମୁଁ ଆଉ ବିନୁଅପାର ଖବର କିଛି ରଖିନି । ସେଠିକି ଯିବାର ଆଗ୍ରହ ମଧ୍ୟ ମୋର କମିଯାଇଚି ।

 

ଏହା ଭିତରେ ଗାଁକୁ ମୁଁ ଯାଇଥିଲି । ଅନେକ ଦିନ ପରେ । ନିର୍ବାଚନରେ ହାରିବା ପରେ ଏଇ ପ୍ରଥମ ଯିବା । ଯାଇ ଦେଖିଲି, ଗାଁରେ ମୁଁ ବିସ୍ମୃତ ନୁହେଁ । ମୋ ପହଞ୍ଚିବା ସମ୍ବାଦ ବିଜୁଳି ବେଗରେ ଚାରିଆଡ଼େ ଖେଳିଗଲା । ବହୁ ସମର୍ଥକ ବନ୍ଧୁ ଆସି ହାଜର ହେଲେ । ନାନାପ୍ରକାର ସମସ୍ୟା ଉତ୍‌ଥାପିତ ହେଲା । ଯୋଉମାନେ ନିର୍ବାଚନରେ ରକ୍ତ ଶୁଖେଇ ମୋ ପାଇଁ କାମ କରିଥିଲେ, ସେମାନେ ସମସ୍ତେ ଏକ ସ୍ୱରରେ କହିଲେ–ଆପଣ ଆସି ସଙ୍ଗଠନର ଦାୟିତ୍ୱ ନିଅନ୍ତୁ । ଚାହୁଁ ଚାହୁଁ ପାଞ୍ଚଟା ବର୍ଷ କୁଆଡ଼େ କଟିଯିବ–ତା’ପରେ ପୁଣି ନିର୍ବାଚନ ଆସିବ । ଆପଣଙ୍କ ଭଳି ଲୋକ ଭାଙ୍ଗିପଡ଼ି ଏଠୁ ଚାଲିଯିବାଦ୍ୱାରା ଆମେ ସବୁ ଅସହାୟ ହେଇପଡ଼ିଚୁ । ଜିତାପଟ-ବାଲାଙ୍କ ଟିଟ୍‌କାରୀ ହୁଙ୍କାର କେତେ ଆଉ ସହିବୁ ? ଗୋଟାଏ କିଛି ପ୍ରତିକାର ନକଲେ ଚଳିବ ନାହିଁ ।

 

ପ୍ରତିକାର ଅର୍ଥ କିଛି ଚାନ୍ଦା ସଂଗ୍ରହ । ମୁଁ କିନ୍ତୁ ଆଉ ଚାନ୍ଦରା ସଂଗ୍ରହ କରିବା ଅବସ୍ଥାରେ ନଥିଲି । ମୋ ମନକଥା କାହାକୁ ବା କହିବି ? ନିର୍ବାଚନ ଲଢ଼ିବାର ତିକ୍ତ ଅଭିଜ୍ଞତା ମୋ ମନରେ ସୂକ୍ଷ୍ମ ମଣିଷତ୍ୱ ଉପରେ କୁଠାରାଘାତ କରିଚି । ଉପକାରର ପ୍ରତ୍ୟୁପକାର ବଦଳରେ ମୁଁ ପାଇଛି ଅସୁମାରି ଲାଞ୍ଛନା । ବେଶୀଭାଗ ଲୋକ ମୁହଁରେ ସହାନୁଭୂତି ଦେଖେଇ କାର୍ଯ୍ୟରେ ଓଲଟା କରିଛନ୍ତି । ସବୁ କିଛି କଟୁ ତିକ୍ତ କଷାୟ......

 

ଉତ୍ସାହୀ ଯୁବକମାନଙ୍କୁ ଦେଖି ମୁଁ ଖୁସି ହବା ସଙ୍ଗେ ଦୁଃଖିତ ମଧ୍ୟ ହେଲି । ମୁଁ ଜିତିଥିଲେ ଏମାନଙ୍କ ଉତ୍ସାହ ଦ୍ୱିଗୁଣିତ ହେଇଥାନ୍ତା । ମୋର ଦୁର୍ଭାଗ୍ୟର ଶିକାର ସେମାନେ ମଧ୍ୟ ହେଲେ ।

 

ବହୁ ବିଶିଷ୍ଟ ଭଦ୍ରଲୋକଙ୍କ ସହିତ ମୋର ଦେଖା ହେଲା । ସେମାନେ ସମସ୍ତେ ମତେ ସାନ୍ତ୍ୱନା ଦେଲେ । ଭବିଷ୍ୟତ ପାଇଁ ଆଶାର ବାଣୀ ଶୁଣେଇଲେ ।

 

କେତେକ କହିଲେ–ଏଥର ପୁଣି ନିର୍ବାଚନରେ ଛିଡ଼ା ହୁଅ, ଆମେ ସବୁ ବିନା ପଇସାରେ ତୁମ ପାଇଁ କାମ କରିବୁ । ଏଥର ଅପମାନର ପ୍ରତିଶୋଧ ଆମକୁ ନେବାକୁ ହେବ ।

 

ବହୁ ଅନୁନୟ–ବହୁ ଉପଦେଶ–ବହୁ ସାନ୍ତ୍ୱନା । ମୁଁ କିନ୍ତୁ ଭାବୁଥିଲି ସବୁଦିନ ପାଇଁ ରାଜନୀତି ଆଉ ଦେଶସେବା ଜଗତରୁ ନିଶ୍ଚିହ୍ନ ହେଇଯାଇଚି । ମୁଁ ଆଜି ନିଜ ଶ୍ରମବଳରେ ବଳୀୟାନ୍‌ । ସଂସାରରେ ମୁଁ ଏକା...ନିଜ ପେଟ ପୋଷିବା ପାଇଁ ମୁଁ ନିଜେ ସମର୍ଥ । ରାଜନୀତି କୁହୁଡ଼ି ଅନ୍ଧାରରେ ବାଟବଣା ହବାରେ ଆଉ କି ଲାଭ ?

 

ଯେଉଁମାନେ ନିଶ୍ଚିତ ଭାବରେ ମୋ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ବୋଲି ମୁଁ ଜାଣିଥିଲି, ସେମାନେ ମଧ୍ୟ ଆସି ମତେ କହିଲେ–ଆପଣଙ୍କ ଭଳି ଲୋକ ହାରିଯିବାଦ୍ୱାରା ଆମ ଏ ଅଞ୍ଚଳର ବହୁତ କ୍ଷତି ହେଲା । ଯାହାଙ୍କୁ ଭୋଟ ଦେଇ ଜିତେଇଥିଲୁ, ତାଙ୍କ ପାରିବାର ପଣିଆ ଆମେ ଦେଖିସାରିଲୁଣି । ଆଜି ଆମେ ସମସ୍ତେ ଦୁଃଖରେ ଅନୁତାପ କରୁଛୁ । ଯା’ ହଉ, ଆପଣ ପୁଣି କାମରେ ଲାଗିଯାନ୍ତୁ । ଏଥର ଆଉ ଆପଣଙ୍କ ପାଇଁ ପ୍ରଚାର କରିବା ଦରକାର ପଡ଼ିବ ନାହିଁ ।

 

ଏ ସହାନୁଭୂତି କି ବିଦ୍ରୂପ ମୁଁ ବୁଝି ପାରୁନଥିଲି । କାହାକୁ ମୋର ବି କିଛି କହିବାର ନଥିଲା । କ’ଣ ବା’ କହିବି, ମୁଁ ତ କିଛି କହିବାକୁ ବା ପ୍ରଚାର କରିବାକୁ ଆସିନି । କିଏ କ’ଣ କହୁଛନ୍ତି–ଲୋକଙ୍କ ଚିନ୍ତାଧାରା କ’ଣ ଏଇସବୁ ଜାଣିବା ପାଇଁ ମୁଁ ଆସିଥିଲି । ମୋଟ ଉପରେ ବୁଝିଲି, ନିର୍ବାଚିତ ଏମ.ଏଲ.ଏ.ଙ୍କ ବ୍ୟବହାର ଓ କାର୍ଯ୍ୟକଳାପରେ ଲୋକେ ସନ୍ତୁଷ୍ଟ ନୁହନ୍ତି । ସେମାନେ ବୁଝିବାକୁ ଆରମ୍ଭ କଲେଣି–ରାଜନୈତିକ ଦଳମାନେ ନିର୍ବାଚିନ ପୂର୍ବରୁ ଭାରି ବଡ଼ ବଡ଼ ପ୍ରତିବୃତିମାନ ଦିଅନ୍ତି, ଆଉ ଭୋଟ ପରେ ଖୁବ୍‌ ସହଜରେ ସେଗୁଡ଼ାକ ଭୁଲିଯାଆନ୍ତି ।

 

ଦୁଇଦିନ ଗାଁରେ ରହିଲି । ନିଜର ତ ସମ୍ବଳ କିଛି ନାହିଁ–ଜଣେ ଭାୟାର ଭାଇଙ୍କ ଘରେ ଆଶ୍ରୟ ନେଲି । ଭଦ୍ରତା ଖାତିରିରେ ଦୁଇ ଦିନରୁ ଆଉ ବେଶି ରହିବା ଉଚିତ ନୁହେଁ । ପୁଣି ଏଇ ହାଡ଼ଭଙ୍ଗା ଅନାଟନ ଯୁଗରେ । ତା’ପରେ ସେଇ ଭାଇଙ୍କ ପରିବାର ସହିତ ଆମ ପରିବାରର ସବୁବେଳେ ଶତ୍ରୁତା ଲାଗି ରହିଥିଲା । ବର୍ତ୍ତମାନ ଅବଶ୍ୟ ନାହିଁ । ଗାଁରେ ଆମ ପରିବାର ତ ନିଶ୍ଚିହ୍ନ, ଆଉ କାହା ସହିତ ସେ ଶତ୍ରୁତା କରିବେ ?

 

ଗାଁରେ ହାହାକାର । ଜିନିଷପତ୍ର ଦର ହୁହୁ ବଢ଼ିୁ ଯାଉଚି । ସାଧାରଣ ମଣିଷର ଆର୍ଥିକ ସୀମା ଟପି ଦର ଯାଇ ପହଞ୍ଚିଲାଣି ହିମାଳୟ ପାହାଡ଼ ଉପରେ । ଆଉ ରକ୍ଷାନାହିଁ ।

 

ମାତ୍ର ଦୁଇଟି ଦିନ ରହି ମୁଁ ପୁଣି କଟକ ଚାଲିଆସିଲି । ପୁଣି ମୋର ଶ୍ରମ-ଜୀବନ ମତେ ଅଭିନନ୍ଦନ ଜଣେଇଲା ।

 

ସେ ଦିନ–

 

ପ୍ରଭାତ ସିନେମା ପାଖରେ ମୁଁ ବୁଲୁଥିଲି । ହଠାତ୍ ବିନୁଅପା ସହିତ ଦେଖା ହେଲା । ସନ୍ଧ୍ୟା ଶୋ’ରେ ସିନେମା ଦେଖିବାକୁ ସେ ଆସିଥାଏ–ସାଥିରେ ଥାଏ କମଳା ।

 

ସେଦିନ ମୁଁ ଯେମିତି ଭାବରେ ତା’ଘରୁ ଚାଲି ଆସିଥିଲି, ଭାବିଥିଲି ସେ ଭାରି ରାଗ କରିଥିବ । କିନ୍ତୁ କାହିଁ ? ସେଇ ହସ ହସ ମୁହଁ–ସେଇ ଆନ୍ତରିକତା । ଦେଖାହବା ମାତ୍ରେ କହିଲା–କିରେ, ଆମକୁ ସବୁ ଭୁଲିଗଲୁ ନା କ’ଣ ?

 

ମୁଁ ଭାରି ଅଡ଼ୁଆରେ ପଡ଼ିଲି । ସେ ପୁଣି କହିଲା–ଆଗରୁ ସିନା ଏକା ଥିଲି, ଏବେ ଦୁଇ ହେଇଗଲିଣି ।

 

ସତ ନା ? ମୁଁ ବିଶ୍ୱାସ କରିପାରୁ ନଥିଲି । ମୋର ଆଶ୍ଚର୍ଯ୍ୟ ହବା ଦେଖି ସେ କହିଲା–ଶଙ୍କି ଯିବାର କିଛି ନାହିଁ । ଏବେ ପରା କମଳା ଆସି ମୋ ପାଖରେ ରହିଲାଣି ! ଗପ କରିବା ପାଇଁ ବେଶି ଫୁରସତ ମୁଁ ପାଉଛି । ବେଳେ ବେଳେ ତା’ରି ମନ ପରିବର୍ତ୍ତନ କରିବା ପାଇଁ ମତେ ସିନେମା ଆସିବାକୁ ପଡ଼ୁଛି । ତୁ କ’ଣ ସିନେମା ଯିବୁ ? ଟିକଟ କାଟିଲୁଣି ?

 

ମୁଁ କହିଲି–ନା, ମୁଁ କେବେ ସିନେମା ଦେଖେନା । ଏମିତି ବୁଲୁଥିଲି ।

 

ସେ କହିଲା–କାହିଁକି ? ସିନେମା ଯେ ନଦେଖେ, ସେ ସିନେମା ପାଖରେ ବୁଲିବ କାହିଁକି ?

 

ମୁଁ କହିଲି–ସତରେ ବିନୁଅପା, ସିନେମା ଦେଖିବାଠାରୁ, ସିନେମା ଦେଖିବାକୁ ଆସୁଥିବା ଲୋକଙ୍କୁ ଦେଖିବାକୁ ମତେ ବେଶି ଭଲ ଲାଗେ । କେତେ କିସମର ଲୋକ ଏଠିକି ଆସନ୍ତି । ଲେକା ଚରିତ୍ର ଲକ୍ଷ୍ୟ କରିବା ପାଇଁ ସିନେମା ପାଖ ଅଞ୍ଚଳଟା ଭାରି ସୁବିଧାଜନକ ।

 

ବାଃ, ସିନେମା ଉପରେ ରୀତିମତ ଗୋଟାଏ ରିସର୍ଚ୍ଚ କରିଚୁ । ସେ କହିଲା । କିନ୍ତୁ ସିନେମା ନଦେଖି ସିନେମା ପାଖରେ ବୁଲିବାଟାକୁ ମୁଁ ଆଦୌ ପସନ୍ଦ କରେନା । ତେଣୁ ତୋତେ ସିନେମା ଭିତରକୁ ଯିବାକୁ ପଡ଼ିବ । ତୋ ପାଇଁ ମୁଁ ଗୋଟେ ଟିକେଟ ନେଇ ଆସୁଚି ।

 

ମୋର ବାରଣ ନମାନି ସେ ତିନିଖଣ୍ତ ସିନେମା ଟିକଟ କିଣି ଆଣିଲା । ମୋର ଇଚ୍ଛା ନାହିଁ କିନ୍ତୁ ବିନୁଅପାର ସବୁବେଳେ ଏଇ ବାପରାଣ ଢିଙ୍କି ଗିଳ୍‌ କଥା ।

 

ତଥାପି ମୁଁ କହିଲି–ନାଇଁ, ଏ ଟିକଟଟା ବିକ୍ରି କରିଦିଅ । ସିନେମା ଦେଖିବାର ମାନସିକ ଅବସ୍ଥା ମୋର ମୋଟେ ନାହିଁ ।

 

କମଳା ଏ ଯାଏ ନୀରବ ରହିଥିଲା । ସେ କ’ଣ ଭାବିଲା କେଜାଣି ହଠାତ୍‌ କହିଲା–ଆପଣ ଏତେ ଅମାନିଆ ହଉଛନ୍ତି କାହିଁକି ? ଅପା ପରା ଟିକଟ କିଣି ସାରିଲେଣି । ଆମ ସାଙ୍ଗରେ ଦିଘଣ୍ଟା ବସିଗଲେ କ’ଣ ଜାତି ଚାଲିଯିବ ?

 

ମୁଁ ଧରା ପଡ଼ି ଯାଇଚି ଯେତେବେଳେ ଫାଙ୍କି ଦବାର ବାଟ ନାହିଁ । ବାଧ୍ୟ ହେଇ ସେମାନଙ୍କ ସାଙ୍ଗରେ ଗଲି । ଦୁଷ୍ମନ୍ତ ଶକୁନ୍ତଳା ଚିତ୍ର...ପୌରାଣିକ ଯୁଗର ସେଇ ପ୍ରେମ କାହାଣୀ...ବିନୁଅପା ଆଉ କମଳାର ଉପସ୍ଥିତି ମତେ ଭାରି ଅବସୁବିଧାରେ ପକାଉଥାଏ । ପ୍ରେମ ଚିନ୍ତା ବା କଳ୍ପନାରେ ମୁଁ ଅଭ୍ୟସ୍ତ ନୁହେଁ । ତେଣୁ ବେଳେ ବେଳେ ମତେ ଭାରି ସଙ୍କୋଚ ଲାଗୁଥାଏ-। ଛବି ମଝିରେ ବେଳେ ବେଳେ ବିନୁଅପା ଶିକ୍ଷୟିତ୍ରୀ-ସୁଲଭ ଭଙ୍ଗୀରେ ଛବିର ବିଷୟବସ୍ତୁ କମଳାକୁ ବୁଝେଇ ଦଉଥାଏ । ଛବିରେ କେଉଁଠି ତ୍ରୁଟି କରିଯାଇଚି, ତା’ ମଧ୍ୟ ସେ ଦେଖେଇ ଦଉଥାଏ ।

 

କଳା-ସମାଲୋଚନାରେ ତା’ର ତ ଖୁବ୍‌ ପଟୁତା । ମୁଁ ମଧ୍ୟ ତା’ କଥାକୁ ଉପଭୋଗ କରୁଥିଲି ଯଦିଓ ତା’ର ଏଇସବୁ କଥାଗୁଡ଼ାକ ମୋ ପାଇଁ ଉଦ୍ଦିଷ୍ଟ ନଥିଲା ।

 

ମୁଁ ସିନେମା-ପ୍ରିୟ ନୁହେଁ । ତେଣୁ ଏଇ ଦୁଇଘଣ୍ଟା କାଳ ମତେ ବନ୍ଦୀ ଭଳି ଲାଗୁଥିଲା । ନିର୍ଜୀବ ପରଦା ଉପରର ଛବି ମତେ ଆନନ୍ଦ ଦେଇ ପାରୁ ନଥିଲା । ମୁଁ ତ ଆଶ୍ଚର୍ଯ୍ୟ ହେଉଥିଲି ସିନେମା ପାଇଁ ଲୋକେ କେମିତି ପାଗଳ ହୁଅନ୍ତି ।

 

ନଅଟା ବାଜିବାକୁ ପନ୍ଦର ମିନିଟ ଥାଏ । ଶୋ’ ସରିଲା । ତିନିହେଁଯାକ ଆଗପଛ ହେଇ ବାହାରକୁ ଆସିଲୁ ।

 

ବିନୁଅପା କହିଲା–ନୀଳୁ, ତୋ ବସାରେ ତ ଆଜି ଖାଇବାର ବ୍ୟବସ୍ଥା ନଥିବ । ଚାଲ ଆମ ଘରକୁ ଯିବା ।

 

ମୁଁ କିନ୍ତୁ ନାରାଜ ହେଲି । କାଲି ସକାଳେ ତ ପୁଣି କର୍ତ୍ତବ୍ୟର ନିର୍ମମ ଆହ୍ୱାନ ରହିଚି ।

 

ସେ ତ ଛାଡ଼ିବା ଲୋକ ନୁହେଁ । ମୋ ଅସୁବିଧା କଥା ସେ ବୁଝିବ ବା କାହିଁକି ?

 

ସେପୁଣି କହିଲା–ଯିବା ତ ? ତାହାହେଲେ ଦୁଇଟା ରିକ୍‌ସା ଡାକ । ମୁଁ କହିଲି–ନା, ମୋର ଅନେକ କାମ ଅଛି...

 

ସବୁଦିନେ ତ କାମ କରୁଥିବୁ । ମୋ ପାଇଁ ଦିନେ ନକଲେ ଚଳିବନି । ତା’ପରେ ରାତି ନଅଟାଠୁ ସକାଳ ପର୍ଯ୍ୟନ୍ତ କି କାମ ? ଅନେକ ଦିନ ହେଲା ମୋ ଘରକୁ ନଯାଇ ଖୁବ୍‌ ଅନ୍ୟାୟ ଆଉ ଅବିଚାର କରିଚୁ । ମୋ ତରଫରୁ ବି କେତେକ ତ୍ରୁଟି ରହିଯାଇଚି । ତଥାପି ଭାଇ ପରି ସେସବୁ ଭୁଲିଯାଇ ଚାଲ ।

 

ଭାଇ ! ବିନୁଅପାର ଏଇ ଭାଇ ସଂପର୍କଟାହିଁ ମୋର ପଥର ହୃଦୟକୁ ତରଳେଇ ଦେଲା-। ଗୋଟାଏ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଜଣେ ଆତ୍ମୀୟାଙ୍କର ଅନୁରୋଧକୁ ପ୍ରତ୍ୟାଖାନ କରାଯାଇପାରେ । କିନ୍ତୁ ଅନୁରୋଧ ଯେତେବେଳେ ସୀମା ଟପି ହୃଦୟକୁ ସ୍ପର୍ଶ କରେ, ସେତେବଳେ ଆଉ ମନା କରାଯାଇ ପାରେନା ।

 

ଯିବାର ସମ୍ମତି ଜଣେଇ ରିକ୍‌ସା ଦୁଇଖଣ୍ତ ଡାକିଲି । ବିନୁଅପା ଆଉ କମଳା ଗୋଟାଏ ରିକ୍‌ସାରେ ବସିଲେ । ମୁଁ ଆଉ ଗୋଟାଏ ରିକ୍‌ସାରେ ସେମାନଙ୍କର ଅନୁଗମନ କଲି ।

 

ଘରେ ପହଞ୍ଚିବାବେଳକୁ ନିରଞ୍ଜନ ଅପେକ୍ଷାରେ ଅଛି । ତାକୁ ଦେଖି ବିନୁଅପା କହିଲା–କିରେ ନିରୁ, କ’ଣ ହେଲା, କଲ୍ୟାଣ ଚାକିରୀ ଦେଲା ?

 

ହଁ, ନିରଞ୍ଜନ କହିଲା–ଆଜିଠୁ ଯାଇ ଜଏନ କଲି । ସେଇ ଖବର ଦବାକୁ ଆସିଚି । ତୁମେ ମୋର ଅନେକ ଉପାକର କଲ ଅପା ! ଜୀବନରେ ଏ ଋଣ ମୁଁ ସୁଝି ପାରିବିନି । ଏଥି ପାଇଁ ବହୁତ ଥର ମୁଁ ତୁମ ପାଖକୁ ଦଉଡ଼ିଚି–ବେଳେ ନିରାଶ ହେଇ ବିରକ୍ତ ମଧ୍ୟ ହେଇଚି । ଯା’ ହଉ, ମୋର ଭାଗ୍ୟ ଭଲ । କଲ୍ୟାଣବାବୁ ଶେଷରେ ସେ ଚାକିରୀଟା ମତେ ଦେଲେ ।

 

ବିନୁଅପା କହିଲା–ବେଶ୍‌, ମିଠେଇ ଖାଇବାକୁ କେବେ ଦବୁ ? ନା ଦବୁନି ଠକିବୁ ? ହଉ, ବର୍ତ୍ତମାନ ନ ଦେ, ତୋ ବାହାଘରକୁ ଭଲ କି ଆମକୁ ସବୁ ଖୁଆଇବୁ ।

 

ପାଞ୍ଚ ସାତ ମିନିଟ କଥାବର୍ତ୍ତା କରି ନିରଞ୍ଜନ ଚାଲିଗଲା । ସେ ଚାଲିଗଲା ପରେ ବିନୁଅପା କହିଲା–ନିରୁ ଅର୍ଥାତ୍‌ ଏଇ ନିରଞ୍ଜନ ହଉଚି ଆମ ବାଳିକା ସ୍କୁଲ ମାଳୀର ପୁଅ । ପିଲାଟି ଦିନରୁ ତାକୁ ଦେଖିଆସୁଚି । ମୋରି ହାତଗଢ଼ା ପିଲା ସେ । ଯା’ ହଉ, ଗୋଟାଏ ଦାୟିତ୍ୱରୁ ଆଜି ମୁକ୍ତି ମିଳିଲା । ତା’ର ଚାକିରୀ ପାଇଁ କଲ୍ୟାଣକୁ ଚିଠି ଲେଖିଥିଲି । ଯା’ହଉ ଶେଷରେ ସେ କଥା ରଖିଚି ।

 

କମଳାକୁ ପ୍ରଥମରୁ ମୁଁ ଯାହା ଦେଖିଥିଲି, ବର୍ତ୍ତମାନ ତାକୁ ଠିକ୍‌ ସେମିତି ମୁଁ ଦେଖିଲିନି । ବର୍ତ୍ତମାନ ମନେହେଲା ସେ ଅଧିକ ମୁକ୍ତ । ସ୍ୱଚ୍ଛନ୍ଦରେ କଥାବାର୍ତ୍ତା କରୁଚି । ହସିବାକୁ ଆରମ୍ଭ କରିଚି-। କଥା କହିବାରେ ଖୁବ୍‍ ଅପଟୁ ନୁହେଁ । ମଝିରେ ମଝିରେ ଆବଶ୍ୟକ ମତେ ମରମ-କଟା ମନ୍ତବ୍ୟମାନ କରୁଚି ।

 

ମତେ ଖୁବ୍‌ ମନ୍ଦ ଲାଗିଲାନି ।

 

ଆମେ ଖାଇ ସାରିବାବେଳକୁ ମଟରକାର୍‌ ନେଇ କଲ୍ୟାଣବାବୁ ଆସି ପହଞ୍ଚିଲେ । ଲମ୍ବା ଚଉଡ଼ା ମଣିଷ–ଚେହେରାରେ ଆଭିଜାତ୍ୟ ଜମାଟ ବାନ୍ଧିଚି । ତାଙ୍କର ଉପସ୍ଥିତିରେ ବିନୁଅପା ନାହିଁ ନଥିବା ଚଞ୍ଚଳତା ଅନୁଭବ କଲା ।

 

ସେ ଆସି ସିଧା ବିନୁଅପାର ଶୋଇବାଘରକୁ ପଶିଗଲେ । କମଳାକୁ ଆଉ ମତେ ଛାଡ଼ିଦେଇ ବିନୁଅପା ତାଙ୍କ ପଛେ ପଛେ ଚାଲିଗଲେ । ଆମେ ଦୁଇଜଣ ବସି ରହିଲୁ ତାଙ୍କ କଥାବାର୍ତ୍ତା ଶେଷ ହବାକୁ ଅପେକ୍ଷା କରି । ତାଙ୍କ କଥାବାର୍ତ୍ତା ଆମକୁ କିଛି ଶୁଭୁ ନଥାଏ । ନୀରବତା ମଧ୍ୟରେ ଆମର ମଧ୍ୟ କିଛି ସମୟ କଟିଗଲା । କଥାବାର୍ତ୍ତା କରିବାର ବା କ’ଣ ଅଛି ? କିନ୍ତୁ ଗୋଟାଏ ଘରେ କେତେ ସମୟ ବା ଆମେ ନୀରବରେ ବସି ରହିବୁ ? ବିରକ୍ତି ବି ଲାଗୁଥାଏ । ମୁହିଁ ପ୍ରଥମେ କଥା କହିବା ଆରମ୍ଭ କରି ପଚାରିଲି–ବର୍ତ୍ତମାନ ତୁମର ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ? କମଳା କହିଲା–କେଜାଣି, ଅପା କ’ଣ କରୁଛନ୍ତି ? ମୁଁ ତ ବର୍ତ୍ତମାନ ପୂରାପୂରି ତାଙ୍କରି ଉପରେ ନିର୍ଭର କରି ରହିଛି ।

 

ମୁଁ କହିଲି–ବର୍ତ୍ତମାନ ତ ସ୍ତ୍ରୀମାନଙ୍କ ପାଇଁ ଅନେକ ପ୍ରକାର ଚାକିରୀ ଖୋଲିଚି, ବିନୁଅପା ଚେଷ୍ଟା କଲେ...

 

ମୋ କଥା ଶେଷ ହବାକୁ ନଦେଇ ସେ କହିଲା–ଚାକିରୀ କରିବାର ଯୋଗ୍ୟତା ଥିଲେ ସିନା ଚାକିରୀ କରିବି !

 

ମୁଁ ଆଉ କିଛି କିହିଲିନି । ପରିବେଶ ବେଶ୍‌ ଶାନ୍ତ । କଥାବାର୍ତ୍ତା ଶେଷକରି ରୁଚିପୂର୍ଣ୍ଣ ଭଦ୍ରଲୋକଟିଏ ପରି କଲ୍ୟାଣବାବୁ ଚାଲିଗଲେ । ମତେ ସେ ଚିହ୍ନିପାରି ନାହାନ୍ତି–ବିନୁଅପା ମଧ୍ୟ ମତେ ଚିହ୍ନେଇ ଦବାର ଆବଶ୍ୟକତା ଉପଲବ୍‌ଧି କରି ନାହିଁ । ସେ ଚାଲିଯିବା ପରେ ବିନୁଅପା କହିଲା–ନୀଳୁ, କଲ୍ୟାଣକୁ ଦେଖିଲୁ ?
 

ମୁଁ ଶୁଖିଲା ମୁହଁରେ ‘ହଁ’ ଭରିଲି ? ଛାତ୍ର ଜୀବନରେ ଯାହାକୁ ମୁଁ ଅତି ଘନିଷ୍ଠ ଭାବରେ ଜାଣିଥିଲି ତାକୁ କ’ଣ ଭୁଲିଯାଇ ପାରିବି ।

 

ବିନୁଅପା ଏ ପ୍ରସଙ୍ଗ ବନ୍ଦ କରି କହିଲା–ହଉ, ଏବେ ଶୋଇପଡ଼ । କାଲି ସକାଳେ ଆମ ସ୍କୁଲରେ ପରୀକ୍ଷା ଅଛି । ମତେ ଶୀଘ୍ର ଯିବାକୁ ହବ । ନୀଳୁ, ମୁଁ ଉଠିବା ପୂର୍ବରୁ ଗତଥର ପରି ତୁ ଯେମିତି ପଳେଇ ନଯାଉ । ସେମିତି ପଳେଇ ଯିବା ଅଭଦ୍ରତା । ତୋ ସହିତ କେତେକ କଥାବାର୍ତ୍ତା ଥିଲା । ହେଲେ ଆଜି ଆଉ ସେ ସବୁ ନୁହେଁ, କାଲି ସକାଳେ ହବ.........

 

ଖୁବ୍‌ ଭୋରୁ ଉଠିଚି ବିନୁଅପା । ମୁଁ ଉଠିବାବେଳକୁ ସେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଲିଣି । ଅନିରୁଦ୍ଧକୁ ରିକ୍‌ସା ଡାକିବାକୁ ପଠେଇ ଦେଇଛି । କମଳା ମଧ୍ୟ ସହଳ ସହଳ ଉଠି ତା’ପାଇଁ ଚା’ ତିଆରି କରି ସାରିଲାଣି । ମୋର ମନେ ହେଲା–ଘରଟି ଯେମିତି ଖୁବ୍‌ କର୍ମଚଞ୍ଚଳ ହେଇଉଠିଚି । ପରୀକ୍ଷା ଦିନ ସକାଳେ ପରୀକ୍ଷାର୍ଥୀମାନେ ଯେଉଁପରି ବ୍ୟସ୍ତତା ଦେଖାନ୍ତି, ଶିକ୍ଷୟିତ୍ରୀ ହେଇ ବିନୁଅପା ଠିକ୍‌ ସେମିତି ବ୍ୟସ୍ତତା ଦେଖାଉଛି ।

 

ରିକ୍‌ସା ଆସି ଠିଆହେଲା । ରିକ୍‌ସାକୁ ଯିବା ପୂର୍ବରୁ ସେ ମତେ କହିଗଲା–ନୀଳୁ ! ତୋର ଗୋଟାଏ ଚାକିରୀ ଦରକାର । କାଲି ସେ ବିଷୟରେ ମୁଁ କଲ୍ୟାଣକୁ କହିଚି । ସେ ବି ରାଜି ହେଇଚି । ଦିନେ ଦୁଇଦିନ ଭିତରେ ଦରଖାସ୍ତ ସହିତ ତାକୁ ଯାଇ ଦେଖା କରିବୁ ।

 

ମୁଁ କିଛି କହିବା ପୂର୍ବରୁ ସେ ପୁଣି କମଳାକୁ କହିଲା–ମୁଁ ଯାଉଛି କମଳା ! ଫେରିବାକୁ ଦିନ ଗୋଟାଏ ବାଜିଯିବ । ନୀଳୁ ଯିବା ପୂର୍ବରୁ ତାକୁ ଜଳଖିଆ ଦବୁ ।

 

ସେ ଚାଲିଗଲା । ମୁଁ ମୋର ନିତ୍ୟକର୍ମ ଶେଷ କରି କମଳା-ପରଷା ଜଳଖିଆ ଖାଇଲି । କମଳା ଏ ଘରେ ରହିବା ପରେ ଅନିରୁଦ୍ଧର ଆବଶ୍ୟକତା ଯେମିତି କମିଯାଇଛି ।

 

ତଥାପି ଅନିରୁଦ୍ଧ ଅଛି । ବିନୁଅପାର ଭାରି ବିଶ୍ୱାସୀ ସେ । ବିନୁଅପା ବାହାରିଯିବା ପରେ ସେ ଚା’ କପେ ପିଇଦେଇ ବଜାର ଥଳିଆ ଧରି ବାହାରିଗଲା ।

 

ଏ ଘର ପ୍ରତି ମାୟା ବଢ଼ିଚି । ଏ ଆକର୍ଷଣ ଯେ କାହିଁକି, ମୁଁ ବୁଝି ପାରୁ ନଥିଲି ।

 

ବକ୍‌ସିବଜାର ଟିଉସନ ବେଳ ଡେରି ହେଇଯାଇଛି । ମୁଁ ଯିବା ପାଇଁ ବାହାରିପଡ଼ିଲି ।

 

କମଳା କହିଲା–ଭାତ ଖାଇ ଗଲେ ହୁଅନ୍ତାନି ?

 

ମୁଁ ଆଶ୍ଚର୍ଯ୍ୟ ହେଲି । ହଠାତ୍‌ ଏ ଆତ୍ମୀୟତାର ଉଦ୍‌ଭବ ହେଲା କାହିଁକି ?

 

ସମ୍ମୁଖରେ କର୍ତ୍ତବ୍ୟର ଆହ୍ୱାନ–ପେଟର ଯନ୍ତ୍ରଣା ମୁଁ ତ ସହିପାରିବା କଥା ନୁହେଁ । ମୁଁ କହିଲି–କମଳା, ଏ ଘର ତୁମର ହେଇଥିଲେ, ମୁଁ ତୁମ ଅନୁରୋଧ ହୁଏତ ରକ୍ଷା କରିଥାନ୍ତି । ମନରେ ଦୁଃଖ କରିବନି । କାମ ଅଛି । ମୁଁ ନଯାଇ ରହିପାରୁନି ।

 

କମଳା ନୀରବ ରହିଲା ।

 

ମୁଁ ଚାଲିଆସିଲି ।

Image

 

ଆଠ

 

ଜୀବନର ଗତିପଥ ବଦଳେଇ କିଛି ବାଟ ଆଗକୁ ଯାଇ ମୁଁ ଛିଡ଼ା ହେଇଗଲି । ଥିଲି ଏକ ପ୍ରକାର –ହବାକୁ ଯାଉଛି ଅନ୍ୟ ପ୍ରକାର । ମୁଁ ଜୋର ଜବରଦସ୍ତି ମୋର ତ୍ୟାଗପୂତ ଜୀବନକୁ ବିଦାୟ ଦେବାକୁ ଯାଉଛି ।

 

ବର୍ତ୍ତମାନ ଜଗତରେ ତ୍ୟାଗର ମୂଲ୍ୟ ଯଦି ଥାଆନ୍ତି, ମହାତ୍ମା ଗାନ୍ଧୀଙ୍କ ଭଳି ଜାତିର ଜନକଙ୍କୁ କ’ଣ ଗୁଳି କରି ମାରି ଦିଆଯାଇଥାନ୍ତା ? କେନେଡ଼ି-ହତ୍ୟା ତ ମଣିଷର ମଣିଷତ୍ୱ ନ ଥିବାର ଆଉ ଏକ ଦୃଷ୍ଟାନ୍ତ । ଆଜିକାଲି ପୁଣି ନୂଆ ଏକ ହତ୍ୟାର ସଂଧାନ ମିଳିଛି । ରାଜନୈତିକ ଜଗତରେ ଏ ହତ୍ୟା ଚାଲୁ ହେଇଗଲାଣି । ଏ ହଉଚି ଚରିତ୍ର-ସଂହାର । ତୁମର ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ କୌଣସି ମତେ ତୁମେ ଯଦି ଦବେଇ ନ ପାରିଲ, ବ୍ୟବହାର କର ଏଇ ଅମୋଘ-ଅସ୍ତ୍ର-। ତାଙ୍କ ଚରିତ୍ରକୁ ନେଇ କୁତ୍ସା ରଟନା ଆରମ୍ଭ କରିଦିଅ । କିଛିଦିନ ପରେ ଦେଖିବ ତୁମ ପ୍ରତିଦ୍ୱନ୍ଦୀ ନିହତ । ତୁମର ବିଜୟ ହୋଇଛି । ତୁମେ ଅପ୍ରତିଦ୍ୱନ୍ଦୀ ନେତା । ରାଜନୈତିକ ଜଗତରେ ଏଇ ଯୋଉ ଚରିତ୍ର-ସଂହାର ଚାଲିଚି, ସେଥିରେ ତୁମ ଆମ କଥା ଛାଡ଼, ବହୁ ବିଶିଷ୍ଟ ପ୍ରତିଭା ମଧ୍ୟ ଲୋପପାଇ ଯାଉଛି । ତେଣୁ ଆଜିକାଲି ଯୁଗରେ ରାଜନୀତିଟା ସମସ୍ତଙ୍କ ପାଇଁ ନୁହେଁ ।

 

ରାଜନୀତିଠୁ ମୁଁ ଦୂରେଇ ଯାଇଚି । ରାଜନୀତିରେ ଆଉ ଏକ କଥା–କେହି କାହାର ଉତ୍‌ଥାନ ଚାହାନ୍ତି ନାହିଁ । ରାଜନୈତିକ ଜଗତରେ ବନ୍ଧୁତା ନାହିଁ । ଅତିମାତ୍ରାରେ ତୁମେ ସ୍ୱାର୍ଥପର ହେଇ ନ ପାରିଲେ ତୁମର ପତନ ଅନିବାର୍ଯ୍ୟ । ହୃଦୟର ସ୍ପନ୍ଦନ ଟିକକ ମୋର ଉଭେଇ ଯାଇଚି । ମୋର ଚାଳିଶ ବର୍ଷର ଅଭିଜ୍ଞତା ଦିନ ଚାଳିଶଟା ଭିତରେ ମଳିନ ।

 

ଆଜି ଦିନଟା ସାରା ମୁଁ ଭାରି ଚିନ୍ତିତ । ବିନୁଅପାର ନିର୍ଦ୍ଦେଶ... କଲ୍ୟାଣବାବୁଙ୍କ ପାଖକୁ ଯାଇ ଚାକିରୀ ସନ୍ଧାନ କରିବା । କ’ଣ କରିବି ? ଯେପରି ହେଉ, ମଣିଷପରି ମତେ ବଞ୍ଚି ରହିବାକୁ ହେବ । କାହାରି ଉପରେ ଅଭିମାନ କରି ନିଜର ହାଡ଼କୁ ରସେଇବାରେ କିଛି ଲାଭ ନାହିଁ ।

ମୁଁ ବି.ଏ. ପାଶ୍‌ କରିଚି । କଲ୍ୟାଣବାବୁ ମୋର ଯୋଗ୍ୟ ଦେଖି ଦୁଇଶହ ଟଙ୍କା ବେତନରୁ କମରେ ମତେ ମୁତୟନ କରିବେ ନାହିଁ । ଯଦି ଦୁଇଶହ ଟଙ୍କା ମିଳେ, ମୁଁ ତ ବଞ୍ଚିଯିବି । ସେଇ ଟଙ୍କାରୁ କିଛି ତ ହେଲେ ପର ଉପକାରରେ ଲଗେଇ ପାରିବି !

ବ୍ୟର୍ଥତାର ଘନ ଅନ୍ଧାର ଭିତରେ ଘୂରି ବୁଲିବାଠାରୁ ନିଶ୍ଚିତ-ଜୀବନ ଯାପନ କରବା ଶତଗୁଣେ ଶ୍ରେୟସ୍କର । ସେଦିନ ସହଳ ସହଳ ଟିଉସନ ସାରି କଲ୍ୟାଣବାବୁଙ୍କ ସାକ୍ଷାତ ଉଦ୍ଦେଶ୍ୟରେ ବାହାରିପଡ଼ିଲି ।

ଏତେଦିନ ମୁଁ ଜନତା ସାଙ୍ଗରେ ଥିଲି । ଆଜି ଜନାର୍ଦ୍ଦନଙ୍କ ପାଖକୁ ଯାଉଚି । ଶାସିତ ଦୁଃସ୍ଥ ଦୁର୍ଗତ ପ୍ରଜା ଆଜି ରାଜଦର୍ଶନ ଅଭିଳାଷୀ । ସଚିବାଳୟ ଗେଟ୍‌ ପାଖକୁ ଯାଇ ମୁଁ ଅଟକିଗଲି-। ବନ୍ଧୁକଧାରୀ ପୋଲିସ ଭିତରକୁ ଛାଡ଼ିବାକୁ ନାରାଜା-

କୋଉ ମୋଫସଲରୁ ଆସିଚ ? ଏମିତି କ’ଣ ଛାଡ଼ି ଦିଆଯାଏ ? ଯାଅ, ରିସେସ୍ପନିଷ୍ଟଙ୍କଠାରୁ ପ୍ରବେଶପତ୍ର ଆଣ । ତା’ପରେ ଯାଇ ଭିତରକୁ ଯିବ । ଗେଟ୍‌ରୁ ଫେରି ଅଭ୍ୟର୍ଥନାକାରୀଙ୍କ ଅଫିସ୍‍କୁ ଗଲି । ବଡ଼ ବଡ଼ ଲୋକଙ୍କ ସହିତ ଦେଖା କରିବାକୁ ଗଲେ କେତେଗୁଡ଼ିଏ ପାହାଚ ଅତିକ୍ରମ କରି ଯିବାକୁ ହବ । ହାୟରେ ଲାଲଫିତା...ତୁମେ ଆଜି ବି ଜୀବନ୍ତ-!

ରିସେସ୍ପନିଷ୍ଟ ଭଦ୍ରମହିଳା ପଚାରିଲେ–କାହାକୁ ସାକ୍ଷାତ କରିବେ ? ମୁଁ ଉତ୍ତର ଦେଲି–କଲ୍ୟାଣ ଦାସ, ଆଇ.ଏ.ଏସ. ।

ସେ ମୋ ନାଁ ପଚାରି ଫୋନ୍‌ କଲେ । ଅପର ପାଖରୁ ଉତ୍ତର ଆସିଲା–ଘଣ୍ଟେ ଭିତରେ ଦେଖା ହେଇପାରିବ ନାହିଁ । ଘଣ୍ଟାକ ପରେ ଆସିବାକୁ କୁହ ।

 

ହଉ ହେଲା, ଏପାଖ ସେପାଖ ହଉ ହଉ ଘଣ୍ଟାଏ ଚାଲିଯିବ ।

 

ଅଭ୍ୟର୍ଥନା କକ୍ଷରୁ ବାହାରି ଆସିଲି । ପ୍ରଶସ୍ତ ରାଜପଥ...ଭାଗ୍ୟକୁ ଝଂକାଳିଆ ବରଗଛଟାଏ ଅଛି । ତା’ରି ଛାଇରେ ଯାଇ ଠିଆହେଲି । କିଛି ସମୟ ପରେ ଆଉ ଜଣେ ଭଦ୍ରଲୋକ ଆସି ମଧ୍ୟ ବଟବୃକ୍ଷ ଛାୟାର ଆଶ୍ରୟ ଗ୍ରହଣ କଲେ । ଦୁଇ ଜଣଯାକ କିଛି ସମୟ ନୀରବ ରହି କଥାବାର୍ତ୍ତା ଆରମ୍ଭ କରିଦେଲୁ ।

 

ସେ ପଚାରିଲେ–କାହା ସହିତ ଦେଖା କରିବେ କି ?

 

ମୁଁ ଉତ୍ତର ଦେଲି–କଲ୍ୟାଣ ଦାସ, ଆଇ.ଏ.ଏସ୍‌.ଙ୍କ ସହିତ । ସେ ପୁଣି କହିଲେ–କ’ଣ, ସାହେବ କାର୍ଯ୍ୟବ୍ୟସ୍ତ ଅଛନ୍ତି ? ମୁଁ ପୁଣି ଉତ୍ତର ଦେଲି–ହଁ, କହିଛନ୍ତି ଘଣ୍ଟାଏ ପରେ ଦେଖା କରିବାକୁ । ସେ କହିଲେ–ତାହାହେଲେ ଆପଣଙ୍କର ମୋରି ଅବସ୍ଥା । ମୁଁ ଔସୁକ୍ୟ ଦେଖାଇ ପଚାରିଲି–ଆପଣ ବି ତାଙ୍କୁ ଦେଖା କରିବେ ?
 

ସେ କହିଲେ–ନାଇଁ, ତାଙ୍କୁ ନୁହେଁ । ମୋର ଜଣେ ମନ୍ତ୍ରୀଙ୍କ ପାଖରେ କାମ ଅଛି । କାମଟା ସର୍ବସାଧାରଣଙ୍କ ସ୍ୱାର୍ଥଦୃଷ୍ଟିରୁ ବୋଲି ମୁଁ ଅପେକ୍ଷା କରିଚି, ନୋହିଲେ ପଳେଇ ଯାଇଥାନ୍ତି ।

 

ମୁଁ କହିଲି–ଆସିଚନ୍ତି, କାମଟା ନସାରି ପଳେଇ ଯାଇଥାନ୍ତେ କାହିଁକି ? ସେ ପାଟିକରି ଉଠିଲେ–ଏଠିକି କେହି ହଠାତ୍‌ କାମ ହାସଲ କରିବା ଭାଗ୍ୟର କଥା । ଦେଖନ୍ତୁ, ଯୋଉ ମନ୍ତ୍ରୀଙ୍କ ପାଖରେ ମୋର କାମ ଅଛି, ସେ ମୋର ଜଣେ ବନ୍ଧୁ । ଆଉ ମୁଁ ମଧ୍ୟ ପାଞ୍ଚବର୍ଷ ଏମ୍‌.ଏଲ.ଏ ଥିଲି । ଦୁର୍ଭାଗ୍ୟକୁ ଗତଥର ହାରିଯାଇଚି । ମତେ ଯଦି ସାଙ୍ଗେ ସାଙ୍ଗେ ସାକ୍ଷାତ ନ ମିଳୁଚି, ଅନ୍ୟ ଲୋକଙ୍କର ଅବସ୍ଥା ଏଠି କ’ଣ ହଉଥିବ ! ମନ୍ତ୍ରୀ କନ୍‌ଫରେସନରେ ବ୍ୟସ୍ତ...ତା’ପରେ ଓଡ଼ିଶାରେ ଶିଳ୍ପପ୍ରସାର ପାଇଁ ଜଣେ ଶିଳ୍ପପତିଙ୍କ ସହିତ ଆଲୋଚନା ଅଛି...ଘଣ୍ଟାଏ ପରେ ସାକ୍ଷାତ ହେଇ ପାରିବ । ମୁଁ ତ ରହନ୍ତି ନାହିଁ, ହେଲେ ମୁଁ ଯୋଉ ସ୍କୁଲଟାର ମଞ୍ଜୁରୀ ପାଇଁ ଆସିଚି, ଚାଲିଗଲେ ସେ କାମ ହେଇପାରିବ ନାହିଁ । ମୋ ଅଞ୍ଚଳର ଲୋକେ ମୋ ଫେରିବାକୁ ଉତ୍‌କଣ୍ଠିତ ହେଇ ଚାହିଁ ବସିଥିବେ । ତେଣୁ କଷ୍ଟ ହଉ ପଛେ, ଅପେକ୍ଷା କରିଚି । ଆଚ୍ଛା, ଆଇ.ଏ.ଏସ୍‌. ବାବୁଙ୍କ ପାଖରେ ଆପଣଙ୍କର କାମ କ’ଣ ?

 

ମୁଁ ସତ କହିବି କି ମିଛ କହିବି ଦ୍ୱନ୍ଦ୍ୱରେ ପଡ଼ିଲି । ପୁଣି ଭାବିଲି... ମୋ ଜାଣତରେ କେବେ ତ ମିଛ କହି ନାହିଁ । ବର୍ତ୍ତମାନ ତୁଚ୍ଛାଟାରେ ମିଛ କହି ଲାଭ କ’ଣ ? ସତ କଥା ହିଁ କହିଲି ।

 

ତା’ ପରେ ସେଇ ପୂର୍ବତନ ଏମ୍.ଏଲ୍.ଏ କ’ଣ ଉତ୍ତର ଦେଲେ ଜାଣନ୍ତି ? ସେ ଉତ୍ତର ଦେଲେ ଆପଣ କୁହୁଡ଼ିରେ ପହଁରୁଛନ୍ତି କାହିଁକି ? ବରଂ ଯାଇ କୋଉଠି ମୋଫସଲ ସ୍କୁଲରେ ମାଷ୍ଟରି ଚାକିରୀ ନିଅନ୍ତୁ । ସେଠି ବରଂ ବେଶୀ ଆରାମ । ଏଠି ଚାକିରୀ କରି ଉପର ହାକିମଙ୍କ ଫାଇଲ୍ ଫୋପଡ଼ା ସହିପାରିବେ ତ ? ଖାଲି ସେତିକି ନୁହେଁ, ବହୁତ ସେବା...ତେଲ ମାଲିସ୍ ଦରକାର । ପାରିବେ ଯଦି, ଏଠି ଚାକିରୀ ନିଅନ୍ତୁ । ଯଦି ନ ପାରିବେ, ସିଧା ପଳେଇଯାଆନ୍ତ ।

 

ମୋର ପରିଚୟ ପଚାରିବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି –ମୁଁ ବି ଦବାକୁ ଚାହିଁନି ।

 

ସେ ଆଉରି କେତେ କ’ଣ କହିଲେ -ସବୁ କଥା ମନେ ନାହିଁ ।

 

ମନ୍ତ୍ରୀ ତାଙ୍କୁ ଦେଇଥିବା ନିର୍ଦ୍ଧାରିତ ସମୟ ହେଇଆସିଥିଲା । ସେ ଚାଲିଗଲେ । ମୁଁ ଆଉ କିଛି ସମୟ ସେଠି ଠିଆହେଲି । ତା’ପରେ ମନ ଭିତରେ ସାହସ ସଞ୍ଚୟ କରି ପ୍ରବେଶପତ୍ର ଧରି ବିରାଟ ସଚିବାଳୟ ଭିତରକୁ ପଶିଲି ।

 

ଏକ୍‌ତାଲା...ଦି’ତାଲା...ତିନିତାଲାରେ କଲ୍ୟାଣବାବୁଙ୍କ ଅଫିସ୍‍ । ମୁଁ ପଶିଯିବା ମାତ୍ରେ ତାଙ୍କ ଚଷମାଟା ଖୋଲି ପଚାରିଲେ–ନୀଳକଣ୍ଠ ଦାଶ ?

 

ମୋ ମୁହଁରୁ ବାହାରିପଡ଼ିଲା–ହଁ ସାର୍‌ ।

 

ସେ ପୁଣି ପଚାରିଲେ–ବୟସ କେତେ ?

 

ମୁଁ କହିଲି–ପ୍ରାୟ ଚାଳିଶ୍‌ ।

 

ପ୍ରାୟ ! ସଠିକ୍‌ ବୟସ ଜାଣ ନା ? ଛାଡ଼, ଚାଳିଶ୍‍ ବୟସରେ ସରକାରୀ ଚାକିରୀ ମିଳିବା ତ ସହଜ ନୁହେଁ । ହଉ, ବିନୋଦିନୀର ଆଗ୍ରହ ଯେତେବେଳେ, ଦରଖାସ୍ତ ଦେଇଯାଅ । ଯଦି ସୁବିଧା କରିପାରେ, ଡାକରେ ନିଯୁକ୍ତିପତ୍ର ପଠେଇଦେବି ।

 

ମୁଁ ସେମିତି ଠିଆ ଠିଆ ଦରଖାସ୍ତ ତାଙ୍କ ଟେବୁଲ୍‍ ଉପରେ ରଖିଦେଲି । ସେ ମତେ ବିଦାୟ ଦେଇ ଅପେକ୍ଷା କରିଥିବା ପରବର୍ତ୍ତୀ ଲୋକକୁ ଡାକିଲେ ।

 

ତାଙ୍କ ଅଫିସ୍‍ ରୁମ୍‌ରୁ ମୁଁ ବାହାରିଆସିଲି । ବିସ୍ତୃତ ସଚିବାଳୟ, ତା’ର ପରିପାଟୀ ଦେଖି ଶଙ୍କିତ ହୋଇଯିବାର କଥା । ଚିକ୍‌ ଚିକ୍‌ ଜୋତା ପିନ୍ଧି ମଚ ମଚ ଚାଲିବାର ଭଙ୍ଗୀ ଦେଖିଲେ ମନେ ହେବ, ଯେମିତି ଏ ରାଜ୍ୟରେ ଆଉ ଦୁଃଖକଷ୍ଟ, ଅଭାବ ଅନଟନ କିଛି ନାହିଁ । ଏଇ ଟେରେଲିନ୍‌ ପିନ୍ଧା ବାବୁମାନଙ୍କର ଯୋଗ୍ୟତା ମୋ ଶିକ୍ଷାର ଯୋଗ୍ୟତା ସହିତ ସମାନ ହେଇଥିବ । ମୁଁ ଯଦି ନିର୍ବାଚନରେ ଜିତିଥାନ୍ତି, ସେମାନେ ମୋ ଅନୁଗ୍ରହ-ପ୍ରାର୍ଥୀ ହୋଇଥାନ୍ତେ; ମାତ୍ର ଭାଗ୍ୟର କି ବିଡ଼ମ୍ବନା, ମୁଁ ଆଜି ସେମାନଙ୍କ ସୌଭାଗ୍ୟରେ ଈର୍ଷାନ୍ୱିତ ।

 

ସେମାନେ କ’ଣ ଆମ ଏଇ ଦରିଦ୍ର ଦେଶର ସୂଚୀପତ୍ର ?

 

କେବେ ନୁହେଁ ।

 

ଏଇ ସଚିବାଳୟ ଆମ ଦେଶର ଅଗଣିତ ନିରନ୍ନ ଜନତାର ଭାଗ୍ୟକୁ ଉପହାସ କରି ସଗର୍ବରେ ଦଣ୍ତାୟମାନ । ନିର୍ମମ ନିଷ୍ଠୁର ବକ୍ଷରେ ତା’ର ବାଜେ ନା ‘‘ଅନ୍ନଂ ଦେହି’’ ଚିତ୍କାର । ସେ ଶୁଣେ ନା ବୁଭୁକ୍ଷୁ ଜନତାର ବୁକୁଫଟା କ୍ରନ୍ଦନ । ମଣିଷର ଅଜସ୍ର ଅଭାବ–ରୁଗ୍‌ଣ ଶିଶୁର ଅସୁମାରି ଯନ୍ତ୍ରଣା–ମାତାର ଲୁହସିକ୍ତ ମୁହଁରୁ ତା’ର କିଛି ଯାଏ ଆସେନା ।

 

ଏଇ ସଚିବାଳୟର ଓଜନଠାରୁ ୟା’ଭିତରେ ଥିବା ମଣିଷ, ଆସ୍‌ବାବ ଓ ଫାଇଲପତ୍ରର ଓଜନ ବୋଧହୁଏ ବେଶୀ । ଚେୟାରର ଓଜନ ଆମଠାରୁ କମ୍‌ ହେଲେ ବି ସେ ଯେମିତି ଆମଙ୍କୁ ସମ୍ଭାଳି ନିଏ, ଏଇ ବିରାଟ ପ୍ରାସାଦ ମଧ୍ୟ ତା’ ଦେହରେ ଥିବା ଓଜନଦାର ମଣିଷ, ଆସବାବ ଓ ଫାଇଲ୍‌ପତ୍ରକୁ ସମ୍ଭାଳିନିଏ ।

 

ହଜାର ହଜାର କର୍ମଚାରୀ–ମୁଁ ବୁଝିପାରିନି ଏତେ କ’ଣ କାମ ହୁଏ ଏଠି ! ଏଇ ଜନମଙ୍ଗଳ ରାଷ୍ଟ୍ରରେ କାମଟା କ୍ଷେତ୍ର ଉପରେ ନା ଅଫିସ୍‌ ଭିତରେ ? ଖାଲି ଫାଇଲ୍‌ ଚାଷକରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବାର ମତଲବଟା ମଧ୍ୟ ମୋ’ ପାଖରେ ଦୁର୍ବୋଧ୍ୟ ମନେ ହେଲା ।

 

ବାରଣ୍ତାରେ ବୁଲୁ ବୁଲୁ ଆମ ଅଞ୍ଚଳର ଜଣେ ପିଅନ ସହିତ ଦେଖା ହେଲା–ମତେ ଦେଖି ସେ ନମସ୍କାର କଲା ।

 

–ନୀଳୁବାବୁ ! ଆପଣ ଏଠି କେମିତି ? ଆମେ ସବୁ କେତେ ଆଶା କରିଥିଲୁ ଆପଣ ଜିତିବେ ବୋଲି , ଜିତିଥିଲେ ଆମ କଥା ତ କେତେବେଳେ ଶୁଣିଥାନ୍ତେ ! ହେଲେ ଭାଗ୍ୟ ଖରାପ । ଏ ମୁଣ୍ତରୁ ସେ ମୁଣ୍ତଯାଏ ଗୋଟାଏ ହାଓ୍ୟା ତ ବହିଗଲା–କେତେ ବଡ଼ବଡ଼ିଆ ତ ଗଡ଼ିଗଲେ, କ’ଣ ଯେ ହେଲା, କିଛି ବୁଝି ହେଲାନି । ହେଲେ ଏଇଖିଣି ସବୁ ପସ୍ତେଇଲେଣି ଯେ, ସେ କହିଲା ।

 

ଅତୀତ କଥାଗୁଡ଼ାକୁ ବାରମ୍ବାର ଶୁଣିବାକୁ ମତେ ଭଲ ଲାଗୁ ନଥାଏ । ଶୁଣି ଶୁଣି ମନ ଚିଟା ହେଇଗଲାଣି । ମୁଁ ଆଉ କିଛି କହିଲିନି । ସେ ପୁଣି କହିଲା–ବର୍ତ୍ତମାନ କ’ଣ କରୁଛନ୍ତି ? କ’ଣ କିଛି କାମରେ ଏଠିକି ଆସିଥିଲେ ? କାମ ହେଲା ନା ?

 

ମୁଁ କହିଲି–କାମ ନାହିଁ, ଖାଲି ବୁଲିବାକୁ ଆସିଥିଲି ।

 

ସେ କହିଲା–ଆସନ୍ତୁ ଟିକିଏ ଚା’ ଖାଇବା ।

 

ଚା’ ଖାଇବା ପାଇଁ ପାଟିଟା ଲାଳାୟିତ ହେଇ ଉଠିଥିଲା । ଠିକ୍‌ ସମୟରେ ଅନୁରୋଧଟା ଆସିଚି । ସାଙ୍ଗେ ସାଙ୍ଗେ ଗ୍ରହଣ କରିନେଇ ତା’ ସାଙ୍ଗରେ ଚାଲିଲି ।

 

କେଣ୍ଟିନ୍‌ ! ଏ ପ୍ରାସାଦ ଭିତରେ ଏ ଭଳିଆ ଦୈନ୍ୟଛାପ ଥିବା କେଣ୍ଟିନ୍‌ ଦେଖି ବିସ୍ମିତ ହେଲି । ଛାଡ଼, ସେଥିରୁ ମୋର ବା କ’ଣ ଯାଏ ଆସେ ? ମୁଁ ତ କପେ ଚା’ ପାଇଁ ଏଠିକି ଆସିଚି । ସେତକ ହେଇଗଲେ ମୋର ବା ଆଉ ୟା’ ସହିତ ସମ୍ପର୍କ କ’ଣ ? ଅଦାର ବେପାର କରି ଜାହାଜର ଖବର ମୁଁ କାହିଁକି ନେବି ? ଏଇ କେଣ୍ଟିନ୍‌ ଯଦି ବହୁ ଭଦ୍ରଲୋକଙ୍କର ରୁଚିକି ସୁହାଉଚି, ମୋର ସେଥିରେ କିଛି କହିବାର ନାହିଁ ।

 

ଖୁବ୍‌ ବେଶୀ ପରିଷ୍କୃତ ନଥିବା ଟେବୁଲ୍‌ ଉପରେ ବୟ୍‌ ଦି’ କପ୍‌ ଚା’ ଆଣି ଦେଇଗଲା । ଖୁବ୍‌ ଅଳ୍ପ ସମୟ ଭିତରେ ତାକୁ ନିଃଶେଷ କରି ଆମେ ଉଠିଲୁ । ସେ ମତେ କହିଲା–ମୋ କଥା ମନେ ରଖିଥିବେ ନୀଳୁବାବୁ !

 

ମୁଁ ବର୍ତ୍ତମାନ କ’ଣ, ତା’ ସେ ଜାଣେନା । ଜାଣିଥିଲେ ବୋଧହୁଏ ଚା’ କପେ ଦେଇ ନଥାନ୍ତା କି ଏ କଥା କହି ନଥାନ୍ତା । ସେ ତା’ କାମରେ ଚାଲିଗଲା । ମୁଁ ବାହାରଦିଗକୁ ଚାଲିଲି । ଦ୍ରୁତଗତିରେ ପାଦଯାନକୁ ଚଳେଇ ବସ୍‌ଷ୍ଟାଣ୍ତ ଯିବାକୁ ପଡ଼ିବ, ନଚେତ୍‌ ରାତି ଟିଉସନ୍‌ ଅବ୍ୟବସ୍ଥା ।

 

X X X

 

ଛ’ଦିନ ପରେ ଖଣ୍ତିଏ ନିଯୁକ୍ତିପତ୍ର ଯାଇ ମୋ’ ପାଖରେ ପହଞ୍ଚିଲା । ଏକ ସରକାରୀ ଶିଳ୍ପ ପ୍ରତିଷ୍ଠାନରେ ସହକାରୀ ଶ୍ରମମଙ୍ଗଳ ଅଫିସର୍‍ ହିସାବରେ ମୁଁ ନିଯୁକ୍ତି ପାଇଚି । ଦରମା ଶହେ ପଚସ୍ତରି ଟଙ୍କାରୁ ଆରମ୍ଭ । ଚାକିରୀଟା ପାଇ ମନଟା ଭାରି ଖୁସି ହେଲା । ବୁଡ଼ିଯାଉଥିବା ଲୋକ ତ ପୁଣି କୁଟାଖିଅକୁ ଧରି ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ ! ଏ ଚାକିରୀ ତ ମୋ’ ପକ୍ଷରେ ପରମ ସୌଭାଗ୍ୟ । ଭାଗ୍ୟହୀନ ମୁଁ ହଠାତ୍‌ ନିଜକୁ ଭାଗ୍ୟବାନ୍‌ ମନେକଲି ।

 

ଏଇ ଚାକିରୀ ବିନୁଅପା ଯୋଗୁ ହିଁ ମିଳିଚି । ମୋର ପ୍ରଥମ କର୍ତ୍ତବ୍ୟ ତାକୁ ଯାଇ ଏ ସମ୍ବାଦ ଦବା । ନୋହିଲେ ମୁଁ ଅକୃତଜ୍ଞ ରହିଯିବି ।

 

ନିଯୁକ୍ତି ପତ୍ରଟି ପକେଟରେ ରଖି ବିନୁଅପାର ସାକ୍ଷାତ୍‌ ପାଇଁ ଗଲି । ବିନୁଅପା ସେତେବେଳକୁ ସ୍କୁଲରୁ ଫେରି ନଥାଏ । ଘରେ ଥାଏ କମଳା । ଅନିରୁଦ୍ଧ ସଉଦାପତ୍ର ଆଣିବା ପାଇଁ ବଜାର ଯାଇଥାଏ ।

 

କମଳା ପ୍ରଫୁଲ୍ଲ ଦେଖା ଯାଉଚି। ସ୍ୱାସ୍ଥ୍ୟର ଈଷତ୍‌ ଉନ୍ନତି ଘଟିଚି ବୋଲି ମନେ ହେଲା ।

 

ମତେ ସେ ବସିବାକୁ କହି ଚା’ ତିଆରି କରିବାକୁ ଗଲା । ମୁଁ ବସି ବସି ଚାର୍‌ମିନାର ସିଗାରେଟ୍‌ ଟାଣି ଧୂଆଁର କୁଣ୍ତଳୀ ସୃଷ୍ଟି କରିବାରେ ଲାଗିଲି ।

 

ବିନୁଅପା ଆସିଚି । ଦେଖି ପଚାରିଲା–କିରେ ନୀଳୁ, କେତେବେଳୁ ଆସିଲୁଣି ? କମଳା ସହିତ ଦେଖା ହେଲାଣି ?

 

ଏ ଯେ’ କି ପ୍ରଶ୍ନ ମୁଁ ବୁଝିପାରିଲି ନାହିଁ । କମଳା ତ ଏଇ ଘରେ ଅଛି, ଦେଖା ନହବ କିପରି ? ତା’ପରେ ତା’ ସହିତ ଦେଖା ହବାଟା କ’ଣ ଏତେ ଗୁରୁତ୍ୱପୁର୍ଣ୍ଣ ?

 

କମଳା ଚା’ ଆଣିଲା । ବିନୁଅପା ତାକୁଇ ଲକ୍ଷ୍ୟ କରି କହିଲା–ବେଶ୍‌, ଟ୍ରେନିଂଟା ଠିକ୍‌ । ହେଲେ, କେବଳ ନୀଳୁ ପାଇଁ ନା ମୋ ପାଇଁ କିଛି ବ୍ୟବସ୍ଥା ଅଛି ?

 

କମଳା ଚା’ କପଟା ବିନୁଅପା ଆଡ଼କୁ ବଢ଼େଇଦେଲା । ତୁମେ ଖାଅ, ତାଙ୍କ ପାଇଁ ମୁଁ ଆଣୁଚି ।

 

ବିନୁଅପା କହିଲା–ନାନା, ନୀଳୁ ପରା ଅତିଥି ! ଆଗେ ତାକୁ ଦେ । ପରେ ମୋ ପାଇଁ ଆଣ ।

 

ବିଚାରା କମଳା ଚା କପ୍‌ଟିକି ଟେବୁଲ୍‍ ଉପରେ ରଖିଦେଇ ଆଉ ଗୋଟାଏ କପ୍‌ ଆଣିବାକୁ ଚାଲିଗଲା ।

 

ବିନୁଅପା କହିଲା–ବୁଝିଲୁ ନୀଳୁ, କମଳା ଏଠି ଆସି ରହିବା ପରେ ଘରଦ୍ୱାର, ପ୍ରିୟାପ୍ରୀତି, ବନ୍ଧୁବାନ୍ଧବ କୌଣସିଟାର ତତ୍ତ୍ୱ ଆଉ ମତେ ନେବାକୁ ପଡ଼ୁନି । ଘରଟାକୁ ସେ ଠିକ୍‌ ଭାବରେ ଚଳଉଚି ।

 

କମଳା ଆଉ ଗୋଟାଏ କପ୍‌ ଆଣି ବିନୁଅପାକୁ ବଢ଼େଇଦେଲା । ଆମେ ଦୁହେଁ ଚା’ ଖାଇଲୁ ।

 

ଚା’ ପରେ ପକେଟରୁ ନିଯୁକ୍ତିପତ୍ରଟା କାଢ଼ି ବିନୁଅପା ହାତକୁ ବଢ଼େଇଦେଲି । ବିଜୟର ପ୍ରଫୁଲ୍ଲତାରେ ମନ ତା’ର ପୂରିଉଠିଲା । ସେ ଆନନ୍ଦରେ ଚିତ୍କାର କଲା–କଲ୍ୟାଣ ତେବେ କଥା ରଖିଚି । ତୁ କେବେ ଜଏନ୍‌ କରିବୁ ?

 

ଜଏନ୍‌ କରିବାରେ ମୋର ଅସୁବିଧା କ’ଣ ? କାଲି କରିବି । ମୁଁ କହିଲି ।

 

ତା’ପରେ ସେ କହିଲା–ଯୋଉ ଦରମାଟା ପାଇବୁ, ସେଥିରୁ ଷାଠିଏ ଟଙ୍କା ମୋର ପ୍ରାପ୍ୟ । ମୋ ପାଇଁ ଖର୍ଚ୍ଚ କରିବୁ ।

 

ଷାଠିଏ ଟଙ୍କା କାହିଁକି ? ସବୁ ତ ତୁମରି । ତୁମେ ନ କହିଥିଲେ ଏ ବେକାରୀ-ଯୁଗରେ ଏ ଚାକିରୀ କ’ଣ ମତେ ମିଳିଥାନ୍ତା ? ମୋର କ’ଣ ଅଛି ଯେ ?–ମୁଁ କହିଲି ।

 

ସେ କହିଲା–ମୁଁ ତତେ ଟଙ୍କା ମାଗୁନି । ତୋ ଅଫିସ୍‍ ତ ଏଇ କଟକରେ । ଅଫିସ୍‍ ସାରି ପ୍ରତିଦିନ ମୋ ଘରକୁ ଆସିବୁ । ସେଇ ବାବଦରେ ରିକ୍‌ସା ଭଡ଼ା ଷାଠିଏ ଟଙ୍କା ଯିବ । ଯାଉ, ଗୋଟାଏ ଗରିବ ରିକ୍‌ସାବାଲା ସେତକ ପାଇଲେ ତା’ର ଅନେକ ଉପକାର ହେବ । ଆମେ ବି ପ୍ରତିଦିନ ଗପ କରିବାର ସୁଯୋଗ ପାଇବା । ରାଜି ?

 

ହଁ ସିନା ମାରି ଦେଇଯିବି; କିନ୍ତୁ, ପ୍ରତିଦିନ ଆସିବା କ’ଣ ସମ୍ଭବ ? ମୁଁ କହିଲି–ହଉ, ଚେଷ୍ଟା କରିବି ।

 

ତା’ପରେ ସେ କହିଲା–କଲ୍ୟାଣ ଆଉ କ’ଣ କହୁଥିଲା ? ମୁଁ କହିଲି–ତୁମର ଭଲମନ୍ଦ କଥା ପଚାରୁଥିଲେ...

 

–ତୁ ମୋର କିଏ ବୋଲି ପଚାରୁଥିଲା ?

 

–ନା ।

 

–ଯଦି କେବେ ଭବିଷ୍ୟତରେ ପଚାରେ, କହିବୁ ମୁଁ ତୋର ସମ୍ପର୍କୀୟା ଭଉଣୀ ।

 

ତା’ପରେ ସେ କମଳାକୁ କହିଲା–କମଳା, ନୀଳୁର ଆଜି ନୂଆ ଚାକିରୀ ହେଇଚି । ତାକୁ ପଚାରିଲୁ–କେବେ ସେ ଆମକୁ ଏଇ ବାବଦରେ ଖୁଆଇବ ?

 

ଆରେ, କମଳା ମାଧ୍ୟମରେ ଏ ପ୍ରଶ୍ନ କାହିଁକି ? ନିଜେ ବିନୁଅପା ତ ପଚାରି ପାରିଥାନ୍ତା-

 

ପୁଣି ସେ କହିଲା–ଡରି ଯିବୁନି । ଏଥି ପାଇଁ ଆମେ ତତେ ବେଶୀ ଖର୍ଚ୍ଚାନ୍ତ କରେଇବୁନି-। କିଛି ରାବିଡ଼ି, କିଛି ରାଜଭୋଗ ହେଲେ ଆମର ଚଳିଯିବ ।

 

ମୁଁ କିହିଲି–କିଛିରେ ମୋର ଆପତ୍ତି ନାହିଁ । ତୁମେ ତ ବର୍ତ୍ତମାନ ମୋର ଚାଳିକା–ଯୋଉ ବାଟେ ଚଳେଇବ ।

 

ସେ ଟିକିଏ ଅଭିମାନ ସ୍ୱରରେ କହିଲା–ସତ ? ଏ ଧାରଣା ତୋର ଅଛି ? ମୋର ତ ନାହିଁ ବିଶ୍ୱାସ ହୁଏନା !

 

ମୁଁ କହିଲି–ଯାହା କଲେ ତୁମର ବିଶ୍ୱାସ ଆସିବ, ମୁଁ ସେଇଆ କରବିାକୁ ରାଜି । ଏଇ ଚାକିରୀ ଖଣ୍ତକ କରେଇ ଦେଇ ତୁମେ ଯେ ମୋର କି ଉପକାର କରିଚ, ତାହା ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ ।

 

ସଙ୍ଗେ ସଙ୍ଗେ ସେ କହିଲା–ଏ ସଂସାରରେ ମୋର ବହୁତ କିଛି କାମ ବାକି ଅଛି । ସେ ସବୁକୁ କରିବାକୁ ହେଲେ ତୋର ସାହାଯ୍ୟ ମଧ୍ୟ ଆବଶ୍ୟକ ହୋଇପାରେ । ଯେତେବେଳେ ଦରକାର ହେବ, ମୁଁ ନିଶ୍ଚୟ କହିବି । ହେଲେ ସେତେବେଳେ ମତେ ନିରାଶ କରିବୁନି ତ ? କହ । ମୁଁ ତୋଠୁ ଜବାବ୍‌ ଚାହେଁ ।

 

ବିନୁଅପାର ଆଖିରେ ଭରା ଆଶାର ଢେଉ । ତା’ର ଚାହାଣୀରେ ମୁଁ ତରଳିଗଲି । ସେ ଜବାବ ଚାହୁଁଚି । ମୁଁ କହିଲି–ମୁଁ ଜବାବ ଦଉଚି । ତୁମେ ନିଶ୍ଚିତ ରୁହ ।

 

ସେ ବୋଧହୁଏ ଆଶ୍ୱସ୍ତ ହେଲା । କମଳାକୁ ଡାକି କହିଲା–ନୀଳୁର ଚାକିରୀ ହେଇଚି । ତାକୁ ଆଜି ଭଲ କି ଖୁଆଇବାକୁ ପଡ଼ିବ । ବ୍ୟବସ୍ଥା କର ।

 

ମୁଁ ଯେତେ ନାହିଁ କଲେ ବି ସେ ମାନିଲାନି । ଭାରି ଅଜବ୍‌ ତା’ର ଢଙ୍ଗଢାଙ୍ଗ ।

Image

 

ନଅ

 

ନୂଆ ଚାକିରୀ । ପ୍ରଥମ ଦିନଗୁଡ଼ାକ ଭାରି ଅଡ଼ୁଆ ଲାଗୁଥିଲା । ବନ୍ଧନ ନଥିବା ଜୀବନକୁ ପିଞ୍ଜରା ଭିତରେ ରଖିଦେଲେ ତା’ର ଅବସ୍ଥା ଯାହା ହୁଏ, ମୋର ସେଇ ଅବସ୍ଥା । ଏ ଯାଏ କାହାରି ପାଖରେ ମୁଁ ମଥା ନତ କରି ନଥିଲି । ଚାକିରୀ କରିବା ପରେ ମୋର ସମସ୍ତ ସ୍ୱାଧୀନତା ଯେମିତି ଚାଲିଗଲା । ମୋର ବୈପ୍ଳବିକ ଚିନ୍ତାଧାରା ଜଡ଼ତାର ସମୁଦ୍ର ଭିତରେ ନିମଜ୍ଜିତ ହେବାକୁ ଯାଉଛି ।

 

ଭଲ ଲାଗେନା । ଦଶଟାବେଳେ ହୋଟେଲରେ ଏଣୁ ତେଣୁ ଗଣ୍ତେ ଖାଇଦେଇ ଅଫିସ୍‍ ଯିବାକୁ ପଡ଼େ । ସାଢ଼େ ଦଶଟାରେ ହାଜିରା । ଅଫିସ୍‍ର ସର୍ବୋଚ୍ଚ ତତ୍ତ୍ୱାବଧାରକ ଠିକ୍‌ ଦଶଟା ପଚିଶ ମିନିଟରେ ଆସି ପହଞ୍ଚି ଯାଆନ୍ତି । ଅଫିସ୍‍ର ଆଦବ୍‌ କାଏଦା, ଶୃଙ୍ଖଳା କାମ ସବୁକୁ ସେ ଟିକିନିଖି ତଦାରଖ କରନ୍ତି । କାହାରି ଫାଙ୍କି ଦବାର ବାଟ ନାହିଁ । କୈଫିୟତ୍‌ ଦବାର ପ୍ରଶ୍ନ ଉଠେନା-। ଅଫିସ୍‌ଟା ଠିକ୍‌ ଗୋଟାଏ ପ୍ରିଣ୍ଟିଂ ମେସିନ୍‌ ଭଳି ଚାଲେ ।

 

ମୁଁ ଯେହେତୁ ଜଣେ ସରକାରୀ ଅଫିସର୍‌ ଏବଂ ଶ୍ରମିକମାନଙ୍କ ସହିତ ମୋର ସମ୍ପର୍କ, ମୋର ଅଫିସ୍‌ ପାଇଁ ଗେଟ୍‌ ପାଖରେ ଗୋଟିଏ ଛୋଟିଆ ଘର ମତେ ଦିଆଯାଇଥାଏ । ମୋର ଠିକ୍‌ ଉପରେ ଥାଆନ୍ତି ଜଣେ ଶ୍ରମମଙ୍ଗଳ ଅଫିସର୍‌ । ଶ୍ରମିକମାନଙ୍କର ବହୁ ଅଭାବ ଅଭିଯୋଗ ମତେ ଶୁଣିବାକୁ ପଡ଼େ । ତାହା ସବୁ ଲିପିବଦ୍ଧ କରି ମୋର ମତାମତ ଦେଇ ମୁଁ ଉପରକୁ ପଠେଇଦିଏ । ତା’ପରେ ପ୍ରତିକାର କ’ଣ ହୁଏ, ମୁଁ ଜାଣିପାରେନା ।

 

କାମ ଠିକ୍‌ ଠାକ୍‌ କଲେ ମଧ୍ୟ ଉପରିସ୍ଥ କର୍ମଚାରୀଙ୍କୁ ଡର ଥାଏ । ଉପରିସ୍ଥ କାର୍ମଚାରୀମାନେ ଅନେକ ସମୟରେ ଅଯଥାରେ ତଳିଆ କର୍ମଚାରୀଙ୍କ ଉପରେ ହାକିମାତି ଜାହିର୍‌ କରନ୍ତି । ସେମାନେ ଯେ ଅଧିକ କ୍ଷମତାଶାଳୀ, ଇଚ୍ଛାକଲେ ତଳିଆ କର୍ମଚାରୀମାନଙ୍କର ବହୁ କିଛି ଅନିଷ୍ଟ କରିପାରିବେ–ଏଇ କଥା ବାରମ୍ବାର ସୂଚେଇ ଦିଅନ୍ତି ।

 

ଉପରିସ୍ଥ କର୍ମଚାରୀଙ୍କ ସହିତ ତଳିଆ କର୍ମଚାରୀମାନେ କିଭଳି ନମ୍ର ବ୍ୟବହାର କରିବେ, ତା’ର ଏକ ଚଳଣି ପୂର୍ବରୁ ରହିଚି । ସେସବୁ ନ ଶିଖିଲେ ଭାରି ଅସୁବିଧା । ଉପରିସ୍ଥ କର୍ମଚାରୀ ବସିଥିବା ବେଳେ ତୁମେ କିଭଳି ଯାଇ ତାଙ୍କୁ ଅଭିବାଦନ କରିବ, କିଭଳି ତାଙ୍କ ଆଗରେ ଫାଇଲ୍ ଉପସ୍ଥାପିତ କରିବ, କେଉଁ ଢଙ୍ଗରେ କଥାବାର୍ତ୍ତା କରିବ, ଏସବୁ ଆଦବ୍-କାଏଦା ଶିକ୍ଷା ନକଲେ ଚାକିରୀ ତାଳଗଛର ଛାଇ ।

 

ମୁଁ ଏ ସବୁଥିରେ ଅଭ୍ୟସ୍ତ ନୁହେଁ । ୟା’ ଭିତରେ ଜେନେରାଲ୍‌ ମେନେଜର୍‌ ସାହେବ ଚାରିଥର କୈଫିୟତ ତଲବ କରି ସାରିଲେଣି ।

 

ଯେମିତି ହେଉ, ମତେ ଚାକିରୀ ରଖିବାକୁ ହେବ । ଲାଞ୍ଛନା-ଅପମାନ ସବୁ ସହି ପଥର କରିବାକୁ ହବ ଛାତିକି ।

 

ଚାକିରୀ କରିବା ପରେ ବିନୁଅପା ସହିତ ବେଶୀ ଯୋଗସୂତ୍ର ରହିପାରୁଛି । ଦିନେ ଦି’ ଦିନ ଗଲେ ତୃତୀୟ ଦିନକୁ ଲମ୍ବା ଚିଠି । କୈଫିୟତ ତଲବ । ବେଳେବେଳେ ମନ ବିଦ୍ରୋହ କରିଉଠେ–ସବୁକ୍ଷେତ୍ରରେ ମତେ କ’ଣ ଏମିତି କୈଫିୟତ ଦବାକୁ ହବ ? ହାୟ ! ହାୟ ! କି କୁ-କ୍ଷଣରେ ମୁଁ ଜନ୍ମଗ୍ରହଣ କରିଥିଲି କେଜାଣି !

 

ତିନିଦିନ ହେଲା ମୁଁ ଭାରି ବ୍ୟସ୍ତ ଅଛି । ଗୋଟିଏ ଘରୋଇ ଶିଳ୍ପ ପ୍ରତିଷ୍ଠାନର ଶ୍ରମିକମାନଙ୍କ ଉପରେ ପୋଲିସ ଗୁଳିଚାଳନା କରିଥିବାରୁ ଚାରିଆଡ଼େ ଶ୍ରମିକମାନେ ହରତାଳ ପାଳନ କରିଛନ୍ତି । ଆମ ଶ୍ରମିକମାନେ ମଧ୍ୟ କାମରେ ଯୋଗଦେଉ ନାହାନ୍ତି । ଆମ୍ଭମାନଙ୍କର ବହୁ ବୁଝାସୁଝା ବ୍ୟର୍ଥ ହୋଇଛି । ଆଜିଠୁ ଆରମ୍ଭ ହେଇଚି କଠୋର ଶାସନ–ଛଟେଇ ଧମକ । ଶ୍ରମିକମାନେ ଆମ କାରଖାନା ଭିତରେ ସଭା କରିବେ ବୋଲି ଜେନେରାଲ ମେନେଜର୍‌ଙ୍କଠୁ ଅନୁମତି ଚାହଁଥିଲେ । ମାତ୍ର ଜେନେରାଲ ମେନେଜର୍‌ ଅନୁମତି ଦେଇ ନାହାନ୍ତି । ଶ୍ରମିକମାନେ ଜେନେରାଲ ମେନେଜର୍‍ଙ୍କୁ ଘେରାଉ କରି ବସିଛନ୍ତି । ଭୀଷଣ ପରିସ୍ଥିତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସକି ଖବର ଦିଆଯାଇଛି ।

 

ପୋଲିସ ପହଞ୍ଚିବା ପରେ ଶ୍ରମିକମାନେ ଜେନେରାଲ ମେନେଜର୍‍ଙ୍କ ଅଫିସ୍‍ ଛାଡ଼ି ଚାଲିଗଲେ । ମାତ୍ର...

 

ପୁଣି ଦିନ ତିନିଟାବେଳକୁ ସେମାନେ ଶୋଭାଯାତ୍ରାରେ ଆସିଲେ । ବେଶ ଶାନ୍ତିପୂର୍ଣ୍ଣ ଭାବରେ ସଭା ଆରମ୍ଭ କରିଦେଲେ । ଜ୍ୱାଳାମୟୀ ବକ୍ତୃତା ଚାଲିଲା । ମୁଁ ମୋ ଅଫିସ୍‍ ଭିତରେ ବସି ସେମାନଙ୍କ ବକ୍ତୃତା ଶୁଣୁଥିଲି । ଧନ୍ୟ ଶ୍ରମିକ ! ତୁମମାନଙ୍କ ଦେହରେ ଏତେ ତେଜ ଅଛି ବୋଲି ମୁଁ ଜାଣି ନଥିଲି । ମୁଁ ଭାବୁଥିଲି, ତୁମେ ସବୁ କୋଣାର୍କର କୁର୍ମ । ତୁମର ତେଜ ପାଇଁ ତୁମକୁ ଶତ ସହସ୍ର ଧନ୍ୟବାଦ !

 

ମୋ ରକ୍ତ ବି ଗରମ ହେଇଉଠିଲା । ଆଜି ସିନା ମୁଁ ସରକାରୀ କର୍ମଚାରୀ; କିନ୍ତୁ କାଲି ତ ଥିଲି ଶ୍ରମିକନେତା । ନବୀନ ଉନ୍ମାଦନା ଭରିଗଲା ପ୍ରାଣରେ । ଇଚ୍ଛା ହେଉଥିଲା ମୁଁ ବି ଯାଇ ଡାକବାଜି ଯନ୍ତ୍ରରେ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେବି । ସେମାନଙ୍କ ଦାବୀକୁ ସମର୍ଥନ ଜଣେଇବି-

 

କିନ୍ତୁ ମୁଁ ତ ଆଉ ମୁଁ ହେଇ ନାହିଁ । ଶ୍ରମିକନେତା ନୀଳକଣ୍ଠ ଦାଶ ଆଜି ଶ୍ରମମଙ୍ଗଳ ବିଭାଗର କର୍ମଚାରୀ । ମୁଁ ଭାବିପାରୁ ନଥିଲି କାହାର ସ୍ୱାର୍ଥରକ୍ଷା କରିବି ? ଶ୍ରମିକର ନା ମାଲିକର-?

 

ଆଶ୍ଚର୍ଯ୍ୟ ଲାଗୁଥାଏ । ଯୋଉ ମଦ୍ୟପ ଚିନ୍ମୟ ଦାଶକୁ ମୁଁ ବିନୁଅପା ଘରେ ଦେଖିଚି, ସେଇ ଆଜି ଶ୍ରମିକମାନଙ୍କ ସଭାରେ ସଭାପତି । ହୋସେନ୍‌ ବି ବକ୍ତୃତା ଦଉଚି । ଶ୍ରମିକମାନଙ୍କର ମଙ୍ଗଳ କରିବା ପାଇଁ ଏମାନେ ସମସ୍ତେ ଆଗେଇ ଆସିଛନ୍ତି । ମୁଁ କିନ୍ତୁ ପଛରେ ପଡ଼ିଯାଇଚି ।

 

ସମସ୍ତଙ୍କର ଦାବୀ–ଶ୍ରମିକମାନଙ୍କ ପ୍ରତି ସୁବିଚାର ହେଉ । ଗୁଳି-କାଣ୍ତର ତଦନ୍ତ ହେଉ । ମୃତ ବ୍ୟକ୍ତିର ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆଯାଉ । ଏଇ ଆନ୍ଦୋଳନରେ ଭାଗ ନେଇଥିବା କୌଣସି ଶ୍ରମିକ ପ୍ରତି ଶୃଙ୍ଖଳାଗତ ଶାସ୍ତିବିଧାନ କରା ନଯାଉ ପ୍ରଭୃତି ।

 

ସବୁଗୁଡ଼ିକ ଦାବୀ ଯଥାର୍ଥ । ହେଲେ ଏ କଥା ମାନିବାକୁ କେହି ରାଜି ନୁହଁନ୍ତି ।

 

ଆମ କାରଖାନାର ଜେନେରାଲ୍‌ ମେନେଜର୍‌ ତ୍ରିପାଠୀ ସାହେବ ଭାରି କଡ଼ାଲୋକ । ତାଙ୍କର ଇଚ୍ଛା ଏ ସବୁ ବିଶୃଙ୍ଖଳାକୁ ଦୃଢ଼ହସ୍ତରେ ଦମନ କରାଯାଉ । ଯୋଉ କାରଖାନାରେ ଗୁଳି ଚାଲିଚି, ସେକଥା ସେମାନେ ବୁଝନ୍ତୁ । ଆମ କାରଖାନା ସହିତ ତା’ର ସଂପର୍କ କ’ଣ ? ଦେଶରେ ଉପାଦନ ବଢ଼ିବା ଆବଶ୍ୟକ । ଅଯଥାରେ ଏ ଭଳିଭାବରେ ହରତାଳ କରି ଉତ୍ପାଦନରେ ବ୍ୟାଘାତ ଘଟେଇବା ଦେଶ ପକ୍ଷରେ ଘୋର କ୍ଷତିକାରକ । ଏସବୁ ବରଦାସ୍ତ କରାଯିବା ଉଚିତ ନୁହେଁ । ସେ ଶ୍ରମିକମାନଙ୍କୁ ନୋଟିସ୍‌ ଦେଇଦେଲେ ଚବିଶ ଘଣ୍ଟା ଭିତରେ କାମରେ ଯୋଗ ନଦେଲେ ଚାକିରୀରୁ ଅନ୍ତର କରି ଦିଆଯିବ, ଭୀଷଣ ଉତ୍ତେଜନାମୂଳକ ପରିସ୍ଥିତି ।

 

ବିନୁଅପା ଏ ସବୁର ଟିକିନିଖି ଖବର ରଖିଚି । ଚିନ୍ମୟ ମଝିରେ ମଝିରେ ଯାଇ ତାକୁ ସବୁକଥା କହୁଚି । ବିନୁଅପା ମତେ ଡକେଇ ପଠେଇଚି ।

 

ମୁଁ ପହଞ୍ଚିବା ବେଳକୁ ଚିନ୍ମୟ ମଧ୍ୟ ସେଠାରେ ଅଛି । ମୁଁ ଏତେ ଦିନଯାଏ ଚିନ୍ମୟର ପରିଚୟ ପାଇ ନଥିଲି । ଆଜି ଜାଣିଲି–ସେ ହଉଚି କଲ୍ୟାଣ ଦାସ ଆଇ.ଏ.ଏସ୍‌.ଙ୍କ ସାନ ଭାଇ । କଲ୍ୟାଣବାବୁ ହଉଚନ୍ତି ସରକାରୀ ଦପ୍ତରରେ ସେକ୍ରେଟରୀ–ଚିନ୍ମୟ ହଉଚି ବେସରକାରୀ ଶ୍ରମିକ ଇଉନିୟନର ସେକ୍ରେଟରୀ । ଭାରି ମଜାର କଥା !

 

ଏ କେମିତି ସମ୍ଭବ ହେଲା ? ଚିନ୍ମୟହିଁ ନିଜେ କହିଲା–ନୀଳକଣ୍ଠ ! ମୁଁ ଯଦିଓ ନିଜେ କିଛି କିଛି ବ୍ୟବସାୟ କରୁଚି, ହେଲେ ଶ୍ରମିକମାନଙ୍କର ମୋ ଉପରେ ଖୁବ୍‌ ଆସ୍ଥା । କିଛି ବର୍ଷ ତଳେ ମୁଁ ବ୍ୟବସାୟରେ ପଶିବା ପୂର୍ବରୁ ଶ୍ରମିକ ସ୍ୱାର୍ଥ ପାଇଁ ଜେଲ୍‌ ବରଣ କରିଥିଲି । ସେହି ଦିନଠୁ ସେମାନଙ୍କ ଇଉନିୟନ୍‌ ସହିତ ମୁଁ ସଂପୃକ୍ତ ।

 

ବିନୁଅପା କହିଲା–ଚିନ୍ମୟ ! ତୁମର ସବୁ ଗୁଣ ଭଲ । ହେଲେ ଏ ଯୋଉ ଖରାପ ଅଭ୍ୟାସଟା କରିଚ.....

 

ଚିନ୍ମୟ କହିଲା–ତୁମେ ତ ଜାଣିଚ, ମୁଁ କ’ଣ ଆଗରୁ ମଦ ଖାଉଥିଲି ? ଏଇ ଶ୍ରମିକମାନଙ୍କ ସଂସ୍ପର୍ଶରେ ଆସି ସେ ଅଭ୍ୟାସ ମୋର ହେଇଗଲା । ଅବଶ୍ୟ ଏଇ ଶ୍ରମିକମାନଙ୍କୁ ମଦ ଖାଇବାରୁ ନିବୃତ୍ତ କରିବା ପାଇଁ ମୁଁ ସେମାନଙ୍କ ପାଖକୁ ଯାଇଥିଲି । କିନ୍ତୁ ଯାଇ ଦେଖିଲି ସେମାନେ ଯେଉଁଭଳି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି, ସେଥିରେ ମଦ ଟିକଏ ନ ଖାଇଲେ ସେମାନଙ୍କର ଚଳିବ ନାହିଁ । କ’ଣ ସେମାନେ ଖାଆନ୍ତି, ଏତେ ପରିଶ୍ରମ କରିବେ ? ମଦ ଖାଇଲେ ପରିଶ୍ରମର ବ୍ୟଥା ମରିଯାଏ । ବଡ଼ ଲୋକମାନେ କ୍ଳାନ୍ତି ଉପଶମ କରିବା ପାଇଁ ମଦ ଖାଆନ୍ତି ନାହିଁ-? କହୁ ନା ନୀଳକଣ୍ଠ, ମୁଁ ଯାହା କହିଲି କ’ଣ ସତ ନୁହେଁ ?

 

ମୁଁ କହିଲି–ଚିନ୍ମୟବାବୁ ! ମଦ ଖାଇବା ପଛରେ ବହୁତ କିଛି ଯୁକ୍ତି ଥାଇପାରେ । ମୁଁ କିନ୍ତୁ ସେ ସବୁକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

 

ବିନୁଅପା କହିଲା–ଖାଲି ମଦ ଖାଇବା କାହିଁକି, ନରହତ୍ୟା ପଛରେ ମଧ୍ୟ ଅନେକ ସମୟରେ ଯୁକ୍ତି ଥାଏ; କିନ୍ତୁ ତା’ ବୋଲି ନରହତ୍ୟାକୁ କେହି କ’ଣ କେବେ ସମର୍ଥନ କରିବ ?

 

ଚିନ୍ମୟ ହାରିଯିବା ସ୍ୱରରେ କହିଲା–ହଉ, ଏ ତ ହେଲା ଗଣତନ୍ତ୍ରର ଯୁଗ, ତେଣୁ ମତାଧିକ୍ୟ ଯୋଗୁ ମୁଁ ପରାସ୍ତ ।

 

ବିନୁଅପା ସୁଯୋଗ ନଛାଡ଼ି ସଙ୍ଗେ ସଙ୍ଗେ କହିଲା–ପରାସ୍ତ ହବା ପରେ ଏ କୁଅଭ୍ୟାସ ଛାଡ଼ିବ ତ ? ଚିନ୍ମୟ, ତୁମେ ଶ୍ରମିକ ଇଉନିୟର ସେକ୍ରେଟାରୀ । ଏ ଅଭ୍ୟାସ ତୁମର ଛାଡ଼ିବା ଉଚିତ-। ତା ନହେଲେ, କି ଆଦର୍ଶ ତୁମେ ଶ୍ରମିକମାନଙ୍କୁ ଦେଖେଇବ ?

 

ଚିନ୍ମୟ ଆଉ ଏ ବିଷୟରେ କିଛି କହିଲାନି । କଥାର ଦିଗ ବଦଳେଇ କହିଲା– ନୀଳକଣ୍ଠ-! ସରକାରୀ ସ୍ତରରେ ତୁମେ ଜଣେ ଶ୍ରମମଙ୍ଗଳ କର୍ମକର୍ତ୍ତା–ମୋ ଭାଇ ସେଠି ସର୍ବୋଚ୍ଚ ଆସନର ଅଧିକାର । ଆମେ ଦୁହେଁ ମିଳି ଯଦି ଶ୍ରମିକମାନଙ୍କ ଉପରେ ହେଉଥିବା ଅବିଚାରର ପ୍ରତିକାର ନ କରିପାରିବା, ସାରା ଓଡ଼ିଶାରେ ନିଆଁ ଜଳିବ । ଆଉ ଏ ସ୍କୁଲ କଲେଜ ପିଲାଏ ଯଦି ଏଥିରେ ମାତିଯାଆନ୍ତି ନା, ଅବସ୍ଥା ଗୁରୁତର ହବ । ନ୍ୟାୟୋଚିତ କାରଣ ଯେତେବେଳେ ଅଛି, ବହୁଲୋକ ଏହାକୁ ସମର୍ଥନ କରିବେ ।

 

ଶ୍ରମିକମାନଙ୍କ ପାଇଁ ମୋର ହୃଦୟ କାନ୍ଦୁଚି । ହେଲେ ସରକାରୀ ଚାକିରୀ କରି ମୋର ସ୍ୱାଧୀନତା ମୁଁ ହରେଇ ବସିଚି । ମୋ ମୁହଁ ବନ୍ଦ ।

 

ଚିନ୍ମୟ କହିଲା–ମୁଁ ଶୁଣିଚି ନୀଳକଣ୍ଠ, ତୁମେ ଜଣେ ବିପ୍ଳବୀ । ଅବସ୍ଥା ଚକ୍ରରେ ପଡ଼ି ଚାକିରୀ କରିଚ, ହେଲେ ଚାକିରୀ ପ୍ରତି ତୁମର ମମତା ନାହିଁ । ତଥାପି ଚାକିରୀ ଛାଡ଼ିବା ଅବସ୍ଥାରେ ତୁମେ ନାହଁ । ତୁମ ଭଳି ଜଣେ ସଙ୍ଗୀ ପାଇଥିଲେ ଆନ୍ଦୋଳନ ଅଧିକ ସକ୍ରିୟ ହେଇପାରିଥାନ୍ତା । କିନ୍ତୁ ସେ ଆଶା ନାହିଁ । ମତେ ଏକା ଏକା ସବୁ କରିବାକୁ ପଡ଼ିବ । ଆଜି ରାତିରେ ଆମର ଏକ ଗୁପ୍ତବୈଠକ ଅଛି । ଭବିଷ୍ୟତ କାର୍ଯ୍ୟପନ୍ଥା ସେଇଠି ଠିକ୍‌ ହେବ ।

 

ମୁଁ କହିଲି–ମୋ ମନରେ ଭାରି ଦୁଃଖ ଚିନ୍ମୟବାବୁ ! ଜୀବନସାରା ଶ୍ରମିକ ଆନ୍ଦୋଳନ କରି ଆଜି ମୁଁ ନିଷ୍କିୟ । ସୁଯୋଗ ଆସିଲେ ମଧ୍ୟ ତା’ର ସଦ୍‌ବ୍ୟବହାର କରିପାରୁନି । ଏସବୁ ପ୍ରତି ବର୍ତ୍ତମାନ ମୋର ବିତୃଷ୍ଣା ଆସିଯାଇଚି । ଏ ଯୁଗଟା ହେଲା, ଯାହାର ତୁମେ ଉପକାର କରିବ, ସେ ମୁହଁରେ ତୁମର ପ୍ରଶସ୍ତି ଗାଇବ; କିନ୍ତୁ ତୁମ ଅନ୍ତର୍ଦ୍ଧାନରେ ମନ ପୂରେଇ ତୁମର ନିନ୍ଦା କରିବ । ସେଇଥି ପାଇଁ ଦେଶ କାମ ଛାଡ଼ି ମୁଁ ଆଜି ନିଜ ପେଟର ଆହ୍ୱାନ ଶୁଣିଚି ।

 

ଚିନ୍ମୟ କହିଲା–ତୁମେ ଭାରି ସ୍ୱାର୍ଥପର ହେଇଯାଉଚ ନୀଳକଣ୍ଠ ! ମୁଁ ଶୁଣିଚି ତୁମେ ସେଦିନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲ । ଜିତିବାର କୁଆଡ଼େ ଖୁବ୍‌ ସମ୍ଭାବନା ଥିଲା; କିନ୍ତୁ ଦୁର୍ଭାଗ୍ୟବଶତଃ ହାରିଗଲ....

 

ସେ କଥା ନ ସାରୁଣୁ ବିନୁଅପା କହିଲା–ନୀଳକୁ ଆଉ ବୁଦ୍ଧି ଶିଖାଅ ନା । ସେ ଠିକ୍‌ ବାଟ ବାଛି ନେଇଛି । ତୁମ ଭଳି ଏ ବେକାର କାମ କେତେ ଜଣ କରିବେ ? ତୁମେ ଜଣେଲୋକ, ବ୍ୟବସାୟ କରି ନିଜ ସ୍ତ୍ରୀ ପିଲାଛୁଆଙ୍କ ଦାୟିତ୍ୱ ନବାକୁ ଅକ୍ଷମ । ଘରେ ଯଦି ତୁମର ଜମିବାଡ଼ି ନଥାନ୍ତା, ତୁମ ପରିବାର ତ ଉପବାସରେ ରହନ୍ତେ ।

 

କମଳା ଆଣି ଜଳଖିଆ ଆଉ ଚା’ ପରଷି ଦେଇଗଲା । ବିନୁଅପା ମାଷ୍ଟ୍ରାଣୀ ଢଙ୍ଗରେ ଆମ ଦୁଇଜଣଙ୍କୁ ନିର୍ଦ୍ଦେଶ ଦେଲା ଖାଇବାକୁ ।

 

ଖିଆ ସରିବା ସଙ୍ଗେ ସଙ୍ଗେ ଚିନ୍ମୟକୁ ଜଣେ ଶ୍ରମିକ ଆସି ଖବର ଦେଲା–ହୋସେନ୍‌ ଗିରଫ ହେଇଯାଇଚି ।

 

ହୋସେନ୍‌ ହଉଚି ଜଣେ ଶ୍ରମିକ-ସର୍ଦ୍ଦାର । ଚିନ୍ମୟର ଦୋସ୍ତ । ତା’ ଗିରଫ ଖବର ଶୁଣି ଚିନ୍ମୟ ବ୍ୟସ୍ତ ହୋଇପଡ଼ିଲା । ସାଙ୍ଗେ ସାଙ୍ଗେ ଆମମାନଙ୍କଠୁ ବିଦାୟ ନେଇ ଚାଲିଗଲା ।

 

ସେ ଗଲାପରେ ବିନୁଅପା କହିଲା–ମଦ ସିନା ଖାଏ, ହେଲେ ସବୁବେଳେ ପରର କାମରେ ଲାଗିଥାଏ । କଲ୍ୟାଣଠୁ ଅନେକ ଟଙ୍କା ଆଣେ । ନାଁଆକୁ ଖାଲି ବ୍ୟବସାୟ କରୁଚି । ସ୍ତ୍ରୀପିଲା ସବୁ ଏଇ ସହରରେ ରହୁଥିଲେ, କିଛିଦିନ ହେଲା ସେମାନଙ୍କୁ ନେଇ ଗାଆଁରେ ଛାଡ଼ିଛି । ମୁଁ ତାକୁ ପାଗଳା ଭାଇଟେ ଭଳି ଭାବେ । ହେଲାନି ସିନା, ମୁଁ ତ ସେଇ ଘରର ବୋହୂ ହେଇ ଯାଇଥାନ୍ତି ! ଯାଇ ସିନା ପାରିଲିନି, ହେଲେ ସଂପର୍କଟା ଛାଡ଼ି ପାରୁନି । କ’ଣ କରିବି ନୀଳୁ, ସ୍ନେହମମତାର ବନ୍ଧନ ପାଇଁ ଏ ହୃଦୟ ସବୁବେଳେ ବ୍ୟାକୁଳ । ନାରୀ ହେଇ ନାରୀତ୍ୱର ମୁଁ ସଦ୍‌ବ୍ୟବହାର କରିପାରିଲି ନାହିଁ । ପ୍ରାଣରେ ମୋର ବହୁତ ଦୁଃଖ, ବହୁତ ହତାଶା–ଦୀର୍ଘଶ୍ୱାସ ।

 

ବିନୁଅପାର ମୁହଁ ସଙ୍ଗେ ସଙ୍ଗେ ବିଷାଦର ମେଘରେ ଢାଙ୍କିଗଲା । ଛାତିର କଅଁଳ କଲିଜା ଚିରି ଉଠିଲା କେତେ ନା କେତେ ଦୀର୍ଘନିଶ୍ୱାସ । ଆଖି ଛଳଛଳ ହେଇଆସିଲା । ସେ ତା’ ମୁହଁକୁ ପଣତରେ ଗୁଞ୍ଜିଦେଲା । କିଛି ସମୟ ପରେ ବାଷ୍ପାକୁଳ କଣ୍ଠରେ ସେ କହିଲା–‘‘ନୀଳୁ, ମୁଁ ଯେତେବେଳେ କଲ୍ୟାଣଠୁ ବିଚାର ଆଶା କରୁଥିଲି, ସେ ମୋ ପ୍ରତି ଅବିଚାର କରିଚି । ସେଇଥି ପାଇଁ ସେ ଯେତେବେଳେ ମୋଠୁ ବିଚାର ଚାହୁଁଚି, ମୁଁ ମଧ୍ୟ ତା’ପ୍ରତି ଅବିଚାର କରିଚି । ତା’ର ମୋର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକେଇବାକୁ ମୁଁ ବହୁତ ଚେଷ୍ଟା କରିଚି–କିନ୍ତୁ ପାରିନାହିଁ । ତୋତେ ମୁଁ ତ ସବୁକଥା କହିନାହିଁ । ହେଲେ ଅତୀତ ଆଜି ମତେ ଘାଣ୍ଟିଚକଟି ମାରୁଚି । ସେଇ ସବୁ ମୁହୂର୍ତ୍ତଗୁଡ଼ା ମୁଁ ଭୁଲିବି କେମିତି ?

 

କଲ୍ୟାଣ ତଥାପି ମୋ ପାଖକୁ ଆସୁଚି । ତାକୁ ଦେଖିଲେ ହୃଦୟର ସୂକ୍ଷ୍ମ ତନ୍ତ୍ରୀରେ ଆଘାତର ଝଡ଼ ଉଠେ । ସେହି ଝଡ଼ର ବେଗରେ ମୁଁ ନିଜକୁ ଆୟତ୍ତ କରିପାରେନା । ହଜିଯାଏଁ । ଜୀବନଟା ମୋର ଦୀର୍ଘଶ୍ୱାସର ସ୍ତୂପ । ବେଳେବେଳେ ମନ ବିଦ୍ରୋହ ମଧ୍ୟ କରେ । କାହିଁକି, କୋଉ ପାପ ପାଇଁ ମୁଁ ଏସବୁ ସହିବି ? କଲ୍ୟାଣ ସେଦିନ ଆସିଥିଲା । ଅନେକ କିଛି ତାକୁ କହିବି ବୋଲି ଭାବି, କହି ପାରିଲିନି । ଓଲଟି ତାକୁ ଆଘାତ ଦେଲି । ସେଇ ଆଘାତର ଶରରେ ସେ ବୋଧହୁଏ ବିବ୍ରତ ହେଇ ଚାଲିଗଲା । ପରେ ମୁଁ ଅନୁତାପ କରିଚି । କାହିଁକି ତାକୁ ଏସବୁ କହିଲି ? ସେ ମୋ ପାଖକୁ ଆସେ, ତା’ର ସ୍ନେହସରାଗ, ପ୍ରେମ ମୋ ଉପରେ ଢାଳିଦବା ପାଇଁ ପ୍ରୟାସ କରେ । ତା’ର ସ୍ତ୍ରୀର ମୃତ୍ୟୁ ପରେ ସେ ମୋରି ଉପରେ ବିଶ୍ୱାସ ରଖିଥିଲା । ହେଲେ ମୁଁ ଅନ୍ୟାୟ କରିଚି । ମୁଁ ପ୍ରାୟଶ୍ଚିତ କରିବାକୁ ଚାହେଁ ନୀଳୁ ! ଏ ଜୀବନକୁ ମୁଁ ଆଉ ହନ୍ତସନ୍ତ କରି ପାରିବିନି ।

 

ମୁଁ ଜଣେ ନୀରବ ଶ୍ରୋତା । ବିନୁଅପାର ହୃଦୟ ଝରଣା ଆଜି ଯେମିତି ଦୁଃଖ ପାହାଡ଼ର ଛାତି ଫଟେଇ ଆତ୍ମପ୍ରକାଶ କରିବାକୁ ଚାହେଁ । ସେ ଚାହେଁନା ମାନିବାକୁ କୌଣସି ବାଧା ଆଉ ପ୍ରତିବନ୍ଧକ ।

 

ସେ କହି ଚାଲିଚି ଅନର୍ଗଳ–ମୋର ଆଜି ମନେପଡ଼େ ନୀଳୁ, କାଠଯୋଡ଼ୀ ବାଲିର ଏକ ଚନ୍ଦ୍ରଚକିତ ରାତି । ସେଦିନ ବୋଧହୁଏ କୁମାର ପୂର୍ଣ୍ଣିମା । ଘରକୁ ଯିବୁ ବୋଲି ଦୁଇପହରଠୁ ଆମେ ହଷ୍ଟେଲ ଛାଡ଼ିଥିଲୁ । କଲ୍ୟାଣର ଜଣେ ବନ୍ଧୁଙ୍କ ଘରେ ପାଞ୍ଚ ଛ’ ଘଣ୍ଟା କଟେଇ ଠିକ୍‌ ସନ୍ଧ୍ୟା ପରେ ହଷ୍ଟେଲ୍‌ ଯିବୁ ବୋଲି କହି ତାଙ୍କ ଘରୁ ଚାଲିଆସିଲୁ । କାଠଯୋଡ଼ୀ ଛାତିର ସେଇ ପ୍ରଶସ୍ତ ବାଲିରାଶି ଆମକୁ ଧରିରଖିଥିଲା କିଛି ସମୟ ପାଇଁ । ଆମେ ଧାଇଁଥିଲୁ–ନାଚିଥିଲୁ-କୁଦିଥିଲୁ......ବଣର ନିଶ୍ଚିନ୍ତ ହରିଣ ହରିଣୀ ପରି ଦାଗ ଲାଗି ନଥିଲା ଆମ ମନରେ । ଉଜ୍ଜ୍ୱଳ ମନ ତଳେ ନଥିଲା କୌଣସି ଦୁଶ୍ଚିନ୍ତା । କୌଣସି ପ୍ରକାର ଗ୍ଳାନିର କାଳିମା ଛୁଇଁ ନଥିଲା ମନକୁ । ଆମେ କଳ୍ପନା କରିଥିଲୁ, ଯୁଗ୍ମଜୀବନ ପରେ ଏଇମିତି ବହୁ ରାତି ଆମେ କାଠଯୋଡ଼ୀର ନିଛାଟିଆ ବୁକୁରେ କଟେଇଦବୁ । କଠିଣ ବାଲିକୁ ପରିଣତ କରିବୁ କୋମଳ ଶେଯରେ । ଚନ୍ଦ୍ରଦେବ ଜ୍ୟୋତ୍ସ୍ନା–ମଳୟଦେବ ସୁରଭି–ରଚିବୁ ଆମେ ମଧୁଶଯ୍ୟା.....

 

ମାତ୍ର ସେ ମୁହୂର୍ତ୍ତ ଏ ଜୀବନରେ ଆଉ ଆସିଲାନି । ଆଜି କାଠଯୋଡ଼ୀ ଛାତିକି ଚାହିଁଲେ ସେଇ ବାଲିଗୁଡ଼ିକ ସାହାରା ମରୁର ବାଲିପରି ଦିଶେ । ମୁଁ କାନ୍ଦିପକାଏ.....

 

ଏ ଜୀବନଟା ମୋର ଅସଜଡ଼ା ରହିଗଲା । ମୁଁ ଆଉ ପାରୁନି ନୀଳୁ ! ନାରୀତ୍ୱ ଆଜି ମୋର ବିଳାପ କରୁଚି । ମୁଁ ଆଜି ପ୍ରୌଢ଼ା ହେଲେ ବି ମନ ତଳେ ଆଜି ଉନ୍ମାଦନା ଆସୁଚି କେଉଁଠୁ କହିଲୁ ? ତାହାରି ଜ୍ୱାଳାରେ ମୁଁ ଜଳି ସାରିଲିଣି ।

 

ବେଳେବେଳେ ମୁଁ ଅମାନିଆ ମନଟାକୁ ବହୁତ ବୁଝାଉଚି । ସଂଯତ ହବାକୁ ଚେଷ୍ଟା କରୁଚି । କାମନାର ତଣ୍ଟି ଚିପି ଆତ୍ମଗୋପନ କରୁଚି । ଜୀବନ ଯେପରି ଦୁର୍ବିସହ ନ ଲାଗିବ, ଏଇଥି ପାଇଁ ବହୁଲୋକଙ୍କୁ ନିଜର କରିବାକୁ ଚେଷ୍ଟା କରିଚି । ପାତ୍ର ଅପାତ୍ର ସବୁଠି ଢାଳି ଦେଇଚି ମୋ ସ୍ନେହ.....ସ୍କୁଲରେ...ପନ୍ଦର ଷୋଳ ବର୍ଷର ଝିଅମାନଙ୍କୁ ଦେଖିଲେ ମୋର ମାତୃତ୍ୱ ଜାଗିଉଠେ । ସେମାନଙ୍କର ଜନନୀମାନେ କେଡ଼େ ଭାଗ୍ୟବତୀ କହିଲୁ ? ଦଶ ଏଗାର ବର୍ଷର ଝିଅଗୁଡ଼ା ମତେ ‘ଦିଦି’ ବୋଲି ଡାକୁଛନ୍ତି । ମୁଁ କ’ଣ ସେମାନଙ୍କର ଦିଦି-ବୟସୀ । ହାୟ, ହାୟ ! ସାରାଜୀବନ ଏଇ ‘ଦିଦି’ ହେଇ ରହିବାଟା କେଡ଼େ ବଡ଼ ଅଭିଶାପ କହିଲୁ ?

 

ରାତି ମାଡ଼ି ଆସିଚି । ମୁଁ ଯିବା ପାଇଁ ବ୍ୟସ୍ତ ହେଇ ଉଠିଲିଣି । କାନ୍ଥ ଘଡ଼ିକୁ ବାରମ୍ବାର ଚାହୁଁଚି ମୁଁ । ସେ ବୋଧହୁଏ ବୁଝିପାରିଲା । କହିଲା–ହଉ, ତୁ ଆଜି ଯା ! କଲ୍ୟାଣକୁ ମୁଁ ଖବର ଦେଇଚି, ସେ ହୁଏତ ଆସିପାରେ, ହେଲେ ତୁ ପୁଣି କାଲି ଆସିବୁ । ମୋ ରାଣ, ଏଥିରେ ବ୍ୟତିକ୍ରମ କରିବୁ ନାହିଁ ।

Image

 

ଦଶ

 

ପରଦିନ ସକାଳ । ରେଡ଼ିଓ କହିଗଲା-ଶ୍ରମିକ ଆନ୍ଦୋଳନର ଅବସାନ ଖବର । ଗୁଳି ହେଇଥିବା ସମ୍ପର୍କିତ କାରଖାନାର ଶ୍ରମିକମାନଙ୍କର ଦାବୀକୁ ମାଲିକ ମାନିନବା ଫଳରେ ଶ୍ରମିକମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଛନ୍ତି । ଆଜିଠୁ ପୁଣି କଳକାରଖାନା ସବୁ ଠିକ୍‌ଭାବେ ଚାଲିବ ।

 

ମୁଁ ଆଶ୍ୱସ୍ତିର ନିଃଶ୍ୱାସ ମାଇଲି । ସାଢ଼େ ଦଶଟାବେଳେ ଅଫିସ୍‌ ଯାଇ ଦେଖିଲି, ଆନ୍ଦୋଳନର ଚିହ୍ନ ପର୍ଯ୍ୟନ୍ତ ନାହିଁ । ସମସ୍ତେ କର୍ମରତ । ଜେନେରାଲ୍‌ ମେନେଜର୍‌ ତ୍ରିପାଠୀ ସାହେବ ଚାରିଆଡ଼େ ବୁଲି ସମସ୍ତଙ୍କ କାମ ତଦାରଖ କରୁଛନ୍ତି ।

 

ଠିକ୍‌ ସାଢ଼େ ଏଗାରଟାବେଳେ ସେ ଆସି ମୋ ଅଫିସ୍‌ ପାଖରେ ପହଞ୍ଚିଗଲେ । ମୁଁ ଚେୟାର୍‌ରୁ ଉଠିପଡ଼ି ତାଙ୍କୁ ପାଛୋଟି ଆଣିଲି । ସେ ଭିତରକୁ ପଶିଆସି ବସିଲେ । ଏଣୁତେଣୁ ଦୁଇଚାରି କଥା ପଚାରିଲେ । ତାଙ୍କ କଥାବାର୍ତ୍ତା ଆଜି ଭାରି ଘରୋଇ ଢଙ୍ଗର ।

 

ସେ ମତେ ପଚାରିଲେ–ମିଷ୍ଟର ଦାସ ! ନୂଆ ହୋଇ ଚାକିରୀରେ ପଶିଲ । ଏ ଜୀବନ କେମିତି ଲାଗୁଚି ?

 

ମୋ ମନର ଭାବ ଯାହା ଥାଉନା କାହିଁକି, ମୁଁ କହିଲି–ସାର୍‌ ! ଆପଣ ଯୋଉଠି ଅଛନ୍ତି, ଖରାପ ଲାଗିବ କାହିଁକି ? ପ୍ରଥମେ ପ୍ରଥମେ ମନ ଲାଗୁ ନଥିଲା । ଏବେ ସବୁ ଠିକ୍‌ ହେଇଗଲାଣି ।

 

ତା’ପରେ ତ୍ରିପାଠୀ ସାହେବ କହିଲେ–ଆଚ୍ଛା, ମିଷ୍ଟର ଦାସ, ଗୋଟାଏ କଥା ପଚାରିବି, କହିବ ? ଜଣେ ଉଚ୍ଚପଦସ୍ଥ ବିପତ୍ନୀକ ସରକାରୀ କର୍ମଚାରୀ ସଂତାନ ସଂତତିର ଜନକ ହେଇ ଚଉରାଳିଶ ବର୍ଷ ବୟସରେ ଯଦି ବିବାହ କରେ...ଆମ ଏ ସମାଜ ତାକୁ ମଞ୍ଜୁର ଦେବ ?

 

ହଠାତ୍‌ ମତେ ଏ ପ୍ରଶ୍ନ କାହିଁକି ମୁଁ ବୁଝିପାରିଲିନି । ସେ ପୁଣି କହିଲେ–ଭୟ କରିବାର କିଛି ନାହିଁ । ନିର୍ଭୟରେ କୁହ ।

 

ମୁଁ କହିଲି–ସାର୍‍, ବିବାହର ଦାୟିତ୍ୱଟା ବିବାହ କରିବା ଲୋକ ନବ । ଏଭଳି ବିବାହ କରି ସ୍ୱାମୀ ସ୍ତ୍ରୀ ସୁଖୀ ହେଇପାରିଲେ, ସମାଜ ସହିତ କିଛି ଯାଏ ଆସେନା ।

 

ତା’ପରେ ତ୍ରିପାଠୀ ସାହେବ ତାଙ୍କ ଜୀବନର ବହୁ ଘଟଣା ମତେ କହିଲେ–ସେ ମଧ୍ୟ ଜଣେ ବିପତ୍ନୀକ । ତିନିବର୍ଷ ହେବ ସ୍ତ୍ରୀଙ୍କୁ ହରାଇଛନ୍ତି । ଘରେ ତିନିଟି ସନ୍ତାନ । ସାନଟି ମାତ୍ର ଚାରିବର୍ଷର । ଘରର ଦାୟିତ୍ୱ ବୁଝିବା ପାଇଁ ତାଙ୍କର ପୁଣି ଥରେ ସଂସାର କରିବା ଆବଶ୍ୟକ ।

 

ସେ ମତେ ପଚାରିଲେ–ମିସ୍‌ ବିନୋଦିନୀ ଦାସଙ୍କ ସହିତ ତୁମର ସମ୍ପର୍କ କ’ଣ ମିଷ୍ଟର୍‌ ଦାସ ?

 

ମୁଁ କହିଲି–ସେ ମୋର ଅପା !

 

ସେ କହିଲେ–ସେ ତ ଆଜିଯାଏ ବିବାହ କରିନାହାନ୍ତି । ବିବାହ ନକଲେ ସ୍ତ୍ରୀ ଜନ୍ମର ସାର୍ଥକତା ହୁଏନା । ଆଉ ଏକ କଥା–ଯୋଉ ନାରୀ ମାନେ ପ୍ରଥମ ବୟସରେ ବିବାହ ନ କରନ୍ତି...ପରବର୍ତ୍ତୀ ବୟସରେ ବିବାହ ପାଇଁ ସେମାନେ ଭାରି ଆଗ୍ରହ ଦେଖାନ୍ତି । ଏ ଭଳିଆ ବହୁ ଦୃଷ୍ଟାନ୍ତି ରହିଚି । ତେଣୁ ତୁମେ ଯଦି ରାଜି ହୁଅନ୍ତ, ତୁମ ଅପା ହୁଏତ...

 

ମୁଁ ଏକ ଗୋଲକଧନ୍ଦାରେ ପଡ଼ିଲି । ଏ କି ପ୍ରସ୍ତାବ ? ବିନୁଅପାକୁ ଏ ପ୍ରସ୍ତାବ ମୁଁ ଦେବି-? ମୋ ପକ୍ଷେ ଏଟା ଅସମ୍ଭବ । ତଥାପି ଉପରିସ୍ଥ ହାକିମ–ରୋକଠୋକ୍‌ ମନା କରିଦେବି ବା କିପରି ?

 

ସେ ପୁଣି ମତେ କହିଲେ–ତୁମେ ତ ଜାଣିଥିବ, ତୁମ ଅପାଙ୍କର କଲ୍ୟାଣ ଦାସ ଆଇ.ଏ.ଏସ୍‌ଙ୍କୁ ବିବାହ କରିବା କଥା ଥିଲା । କଲ୍ୟାଣ ମୋର ଅନ୍ତରଙ୍ଗ ବନ୍ଧୁ । ହେଲେ, କଲ୍ୟାଣର ବିବାହ ଅନ୍ୟ ଜଣକ ସହିତ ଆଜି ହେଇ ଯାଉଚି ।

 

ମୁଁ ଏକଥା ଆଦୌ ବିଶ୍ୱାସ କରିପାରିଲିନି । ମାତ୍ର ସେ ଖଣ୍ତିଏ ନିମନ୍ତ୍ରଣ ଚିଠି ପକେଟରୁ କାଢ଼ି ମତେ ଦେଖେଇଲେ । ବିବାହ ଉପଲକ୍ଷେ ଆଜି ସନ୍ଧ୍ୟାରେ ଟିପାର୍ଟି । ବାସ୍ତବିକ ମୋର ରକ୍ତଚାପ ହଠାତ୍‌କିନି ଏବ୍‌ନରମେଲ୍‌ ହେଇଗଲା ।

 

କିସ ପୁଣି ଦେଖା ନଯାଏ ।

 

କଲ୍ୟାଣବାବୁ ପୁଣି ଥରେ ବିବାହ କରୁଚନ୍ତି । ଏହା ଏକ କୌତୁକପଦ ସମ୍ବାଦ ହେଲେ ବି ବିନୁଅପା ୟା’କୁ କେମିତି ଭାବରେ ଗ୍ରହଣ କରିଥିବ କେଜାଣି ? ତାକୁ ଧୋକା ଦେଇ ତାଆରି ଆଗରେ ଦୁଇ ଦୁଇ ଥର ବିବାହ କରିବାଟା...

 

ତ୍ରିପାଠୀ ସାହେବ ମୋତେ ଚିନ୍ତାନ୍ୱିତ ଥିବାର ଦେଖି କହିଲେ–କ’ଣ ଭାବୁଚ ? କଲ୍ୟାଣ ତୁମ ଅପାଙ୍କୁ ପ୍ରତାରଣା କଲା ? ସେଇଥି ପାଇଁ ମୁଁ କହୁଚି ତୁମ ଅପା ଏହାର ପ୍ରତିଶୋଧ ନବା ଉଚିତ । ମୁଁ କ’ଣ ଅପାଙ୍କୁ ସୁଖୀ କରିପାରିବିନି ?

 

ମୁଁ ତାଙ୍କ ମୁହଁଙ୍କୁ ସିଧାସଳଖ ଚାହିଁଲି । ବିବାହ କରିବା ପାଇଁ କାତର ହେଇପଡ଼ିଚନ୍ତି ସେ । ମତେ ଅତ୍ୟନ୍ତ ଅନୁନୟଭରା ଗଳାରେ କହିଲେ–ମିଷ୍ଟର୍‌‌ ଦାସ, ପ୍ଳିଜ୍‌ ହେଲ୍‌ପ ମି । ପ୍ଳିଜ୍‌...ସେ ମୋ ହାତଧରି ପକେଇଲେ ।

 

ମତେ ସେଦିନ ସେ ସହଳ ଅଫିସ୍‍ରୁ ଛୁଟି କରିଦେଲେ । ଉଦ୍ଦେଶ୍ୟ–ମୁଁ ଯାଇ ବିନୁଅପାର ମତାମତ ବୁଝେ । କଲ୍ୟାଣବାବୁଙ୍କ ସମ୍ବାଦ ପାଇ ମୁଁ ବି ଚାହୁଁଥିଲି ବିନୁଅପା ପାଖକୁ ଯିବି ବୋଲି । ତା’ର ଅବସ୍ଥା କ’ଣ ହେଉଥିବ କେଜାଣି ?

 

ମୁଁ ବିନୁଅପା ଘରେ ପହଞ୍ଚି ଯାହା ଦେଖିଲି, ସେଥିରେ ମୋର ସମସ୍ତ ଶକ୍ତି ଲୋପ ପାଇଗଲା । ଦୁଆର ମୁହଁରେ ବିରାଟ ତାଲାଟାଏ ଝୁଲୁଚି । ଘରେ କେହି ନାହାନ୍ତି । ବିନୁଅପା ହୁଏତ ସ୍କୁଲରୁ ଏ ଯାଏ ଫେରିନି । ହେଲେ କମଳା, ଅନିରୁଦ୍ଧ, ଏ ଦିହେଁ ଗଲେ କୁଆଡ଼େ ?

 

କିଛି ଥଳକୂଳ ନପାଇ ମୁଁ ଏପାଖ ସେପାଖ ହେଲି । ତାରବାଡ଼ ଭିତରେ ରହି ପୁଷ୍ପିତ–ଉଦ୍ୟାନଟି ସରଗକୁ ଚାହିଁ ଚାହିଁ ନିରାଶ ହଉଚି । ପାଞ୍ଚଟା ବାଜିଲା, ତଥାପି ଏମାନଙ୍କର ପତ୍ତା ନାହିଁ-। ପାଖରେ ରହୁଥିବା ଜଣେ ଭଦ୍ରଲୋକଙ୍କୁ ଯାଇ ପଚାରିଲି । ସେ କହିଲେ–ଗୃହକର୍ତ୍ତୀଙ୍କ ଦେହ ଭୀଷଣ ଖରାପ । ବାରଟାବେଳେ ଆମ୍ବୁଲାନ୍‌ସ ଆସି ତାଙ୍କୁ ହସ୍ପିଟାଲ୍‍ ନେଇଯାଇଚି ।

 

ମୋ ଅନୁମାନ ତାହା ହେଲେ ସତ୍ୟ । କଲ୍ୟାଣବାବୁଙ୍କ ବିବାହ ସମ୍ବାଦରେ ବିନୁଅପା ଅସୁସ୍ଥ ହେଇପଡ଼ିଚି ।

 

ମୁଁ ହସ୍ପିଟାଲ୍‌ ଚାଲିଲି । ମନ ଭିତରେ ନାନାପ୍ରକାର ଦୁଶ୍ଚିନ୍ତା ।

 

ବହୁତ ଖୋଜାଖୋଜି ପରେ ଫିମେଲ୍‌ କେବିନରେ ବିନୁଅପା ରହୁଥିବାର ଖବର ବୁଝି ସେଠାକୁ ଗଲି । ଅନିରୁଦ୍ଧ ସେତେବେଳକୁ ବସାକୁ ଚାଲିଗଲାଣି । ଏକା କମଳା ଥାଏ ତତ୍ତ୍ୱାବଧାନରେ । ତାହାରିଠୁ ଶୁଣିଲି–ବିନୁଅପାର ହଠାତ୍‌ ମୂର୍ଚ୍ଛା ହୋଇଯିବା ସମ୍ବାଦ । ରକ୍ତଚାପ ବଢ଼ିଯାଇଚି । ମୁଁ ପହଞ୍ଚିବା ବେଳକୁ କିନ୍ତୁ ଅବସ୍ଥାର ଉନ୍ନତି ହେଲାଣି ।

 

ମୁଁ ଯାଇ ଦେଖିଲି–ବିନୁଅପାର ଚକ୍ଷୁ ମୁଦ୍ରିତ । ନିଶ୍ୱାସର ପ୍ରଖରତା ରହିଚି । ଡାକ୍ତର ଓ ନର୍ସ ଘନଘନ ଆସୁଚନ୍ତି । ବେଚାରୀ କମଳା ଅସମ୍ଭବଭାବରେ ଡରି ଯାଇଚି । ମତେ ସେ କହିଲା–ଅପା ଭଲ ହେଇ ଯିବେ ନା ଡାକ୍ତରବାବୁଙ୍କୁ ପଚାରି ବୁଝନ୍ତୁ ।

 

କାଳ ବିଳମ୍ବ ନକରି ଡିଉଟିରେ ଥିବା ଡାକ୍ତରଙ୍କୁ ମୁଁ ଯାଇ ପଚାରିଲି । ସେ କହିଲେ–ଅବଶ୍ୟ ଆଉ କିଛି ସମୟ ନଯିବା ପର୍ଯ୍ୟନ୍ତ କିଛି କୁହାଯାଇପାରେନା । ତଥାପି ବ୍ୟସ୍ତ ହେବାର କାରଣ କିଛି ନାହିଁ ।

 

ମୁଁ ଆଉ କମଳା ଦୁଇଜଣ ଯାକ ଆଶ୍ୱସ୍ତ ହେଲୁ । ବିନୁଚଅପା ମୁଣ୍ତ ପାଖରେ ପଡ଼ିଥିବା ଚେୟାରରେ ମୁଁ ବସିଲି । ପାଦପାଖ ଚେୟାରରେ ବସିଛି କମଳା । କିଛି ହେବ ନାହିଁ ବୋଲି ଡାକ୍ତରଙ୍କ ଆଶ୍ୱସନା ବାଣୀରେ ଆମେ ଆଶ୍ୱସ୍ତ ହେଲୁ ସତ, ମନ କିନ୍ତୁ ଭାରାକ୍ରାନ୍ତ ରହିଲା । ଡାକ୍ତର ଯାହା କହନ୍ତୁ ପଛେ, ମୁଁ ଏଇସବୁ ରୋଗୀଙ୍କ ଅବସ୍ଥା ଜାଣିଚି । ହଠାତ୍‌ ଖରାପ ଆଡ଼କୁ ଗତିକରେ । ଡାକ୍ତରମାନଙ୍କ ଚେଷ୍ଟା ବ୍ୟର୍ଥ ହୁଏ । ଆତ୍ମୀୟମାନଙ୍କ ଅସୁସ୍ଥତାରେ ମନରେ ସ୍ୱତଃ ନାନାପ୍ରକାର ଆଶଙ୍କା ଜାତ ହୁଏ । ମୁଁ ସେଥିରୁ ବାଦ୍‌ ଯାଆନ୍ତି କିପରି ?

 

କମଳା ମାର୍ବଲ ମୂର୍ତ୍ତିଟିଏ ଭଳି ବସିରହିଚି । ଦୁଃଖରେ ମଣିଷ ବୋଧହୁଏ ଅଧିକ ସୁନ୍ଦର ଦିଶେ–ଅଧିକ ଆକର୍ଷଣୀୟ ମନେହୁଏ । କମଳା ଆଜି ଭାରି ସୁନ୍ଦର ଦିଶୁଚି । ବିନୁଅପାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତା’ ସ୍ୱାସ୍ଥ୍ୟର ଉନ୍ନତି ଘଟିଚି । ପଶିଯାଇଥିବା ଆଖିଗୁଡ଼ାକ ସତେଜ ହେଇଉଠିଚି ।

 

ବସି ରହିଥିବା ଭିତରେ ମଝିରେ ମଝିରେ ଆମେ ମାମୁଲି ଧରଣର କଥାବାର୍ତ୍ତା କରୁଥିଲୁ । ରାତିରେ ମତେ ରହିବାକୁ ପଡ଼ିବ । ତେଣୁ ମୁଁ କମଳାକୁ କହିଲି, ଘରକୁ ଚାଲିଯିବା ପାଇଁ-। କାଲି ସକାଳେ ପୁଣି ଆସିଲେ ଚଳିବ ।

 

ମାତ୍ର ସେ ବିନୁଅପାକୁ ଛାଡ଼ି ଚାଲିଯିବାକୁ ନାରାଜ । ତା’ ଅବସ୍ଥାରେ ଯେକୌଣସି ସ୍ତ୍ରୀଲୋକ ଥିଲେ ଯାଇପାରନ୍ତା ନାହିଁ ।

 

ସେ ମତେ କହିଲା–ଦେଖୁଚନ୍ତି, ଯେଉଁ ଡାଳକୁ ମୁଁ ଧରୁଚି, ସେ ଡାଳ ଏମିତି ଭାଙ୍ଗୁଚି । ମୋ ଭଳିଆ ଭାଗ୍ୟହୀନା ଯେ କାହିଁକି ସଂସାରରେ ଜନ୍ମ ହୁଏ...

 

ମୁଁ ତାକୁ ବୁଝେଇଲି–କାହାରି ଭାଗ୍ୟ ଅନବରତ ଭାବରେ ଖରାପ ହୁଏନା । ସୁଖ ଦୁଃଖ ଚକ୍ରପରି ଘୂରୁଚି । ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଆସିବାକୁ ବାଧ୍ୟ । ତା’ ନହେଲେ ଏଡ଼େ ବଡ଼ ସଂସାରଟା ଚଳିପାରନ୍ତା ନାହିଁ । ପରିଣତି ହୁଅନ୍ତା ରକ୍ତାକ୍ତ । ସବୁବେଳେ ଦୁଃଖ ପାଉଥିବା ଲୋକ ସୁଖ ପାଉଥିବା ଲୋକଙ୍କୁ ସେମାନଙ୍କର ସୌଭାଗ୍ୟରୁ ବଞ୍ଚିତ କରନ୍ତେ । ସଂସାରରେ ଦୁଃଖ କାହାର ନାହିଁ ? ଯେ ସବୁଠୁ ସୁଖୀ ବୋଲି ବାହାରକୁ ଜଣାଯାଏ, ତା’ ଜୀବନରେ ହୁଏତ ସବୁଠୁ ବଡ଼ ଦୁଃଖ ଥାଏ । ଖାଲି ଭଲ ଭାବରେ ଖାଇପିଇ ମଣିଷ ରହିଲେ ଯେ’ ସୁଖୀ ହୁଏ ତା’ ନୁହେଁ, ମଣିଷର ମାନସିକ ଅବସ୍ଥାହିଁ ସୁଖ ଦୁଃଖର ମାପକାଠି । ଏଇ ମଣିଷ ପାଇଁ ବହୁ ମାନସିକ ଯନ୍ତ୍ରଣାର ସୃଷ୍ଟି ହେଇଚି । ସେଇସବୁ ଯନ୍ତ୍ରଣା ଭିତରେ ମଣିଷ ସବୁବେଳେ ଛଟପଟ ହେଉଥାଏ । ସୁଖ କାହିଁ ? କବିବର ରାଧାନାଥ ପରା କହିଛନ୍ତି–

 

ସୁଖ ବୋଲି ଯାହା ନେତ୍ରେ ଦିଶେ

ହାତେ ଆସେ ହାତୁ ପଡ଼ିବା ପାଇଁ ସେ ।

ସୁଖ ନୁହଇ ସେ ଅଟଇଟି ଧୂମ

ଅନ୍ୟ ନାମ ତା’ର ଆକାଶ କୁସୁମ...

 

ଏଇ ଆକାଶ କୁସୁମର ସ୍ପର୍ଶ ପାଇଁ ବିଶ୍ୱବ୍ରହ୍ମାଣ୍ତ ଆଜି ପାଗଳ । ତୁମେ ଯୋଉ ଅବସ୍ଥାରେ ରହି ନିଜକୁ ଦୁଃଖିନୀ ବୋଲି ଭାବୁଚ, ଥରେ ଚିନ୍ତା କଲ, ତୁମଠୁ ଆଉରି କେତେ ହତଭାଗିନୀ ଏ ସଂସାରରେ ଅଛନ୍ତି । ତୁମେ ଦେଖିନାହଁ, ଏଇ କଟକ ସହର ରାସ୍ତାରେ ରୋଗଗ୍ରସ୍ତ ପିଲାଗୁଡ଼ାଙ୍କୁ ଧରି ଅଭାଗିନୀ ମା’ କେମିତି ଇଜ୍ଜତ୍‌ ବଦଳରେ ଅନୁକମ୍ପା ମାଗିବୁଲେ ? ଆଉରି ତ ଦେଖିଚ, କୁଷ୍ଠରୋଗରେ ଆକ୍ରାନ୍ତ ହେଇ କେତେ ନାରୀ, ପୁରୁଷ ଅସହାୟ ଭାବରେ କୋଉ ଗଛତଳେ ଶୀତ ବର୍ଷା ଋତୁ କଟେଇ ଦିଅନ୍ତି । ସେମାନଙ୍କ ଦୁଃଖଠୁ ତୁମ ଦୁଃଖ କ’ଣ ବେଶୀ ? ଦମ୍ଭ ଧରି ରୁହ, ହୁଏତ ତୁମ ଜୀବନରେ ଭଲ ମୁହୂର୍ତ୍ତ ପୁଣି ଆସିପାରେ...

 

ଖବର ପାଇ ଡାକ୍ତରଖାନାରେ ଚିନ୍ମୟ, ହୋସେନ୍‌, ନିରଞ୍ଜନ ପ୍ରମୁଖ ଆସି ପହଞ୍ଚିଛନ୍ତି ।

 

ଚିନ୍ମୟ ମତେ ନିରୋଳାକୁ ଡାକି କହିଲା–ଭାଇଙ୍କ ବିବାହ ପରେ ଏ ଅବସ୍ଥା ହବ ବୋଲି ମୁଁ ଜାଣିଥିଲି । ଭାଇଙ୍କର ସ୍ତ୍ରୀ ନଥିଲା, ଏହାଙ୍କ ମନରେ ଏଇଟା ଥିଲା ଆଶ୍ୱାସନା । ଏ ବୟସରେ କାହିଁକି ଯେ ପୁଣି ସେ ଏ ଭୁଲ କଲେ...

 

ମୁଁ କହିଲି–ଅପା ପ୍ରତି ଏଇଟା ନିର୍ମମ ଆଘାତ । ଯାହେଉ ଭଗବାନ କରନ୍ତୁ ବିନୁଅପା ଭଲ ହେଇଯାଉ ।

 

ଚିନ୍ମୟ କହିଲା–ଡାକ୍ତର ତ କହୁଛନ୍ତି ନିଶ୍ଚୟ ଭଲ ହେଇଯିବ । କିନ୍ତୁ ତା’ପରେ...

 

ତା’ପରେ ?

 

ତା’ପରେ ଅବସ୍ଥା କ’ଣ ହେବ ? ତ୍ରିପାଠୀ ସାହେବଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରେଇ ପାରିଲେ...

 

ଆରେ, ମୁଁ ଏଗୁଡ଼ା କ’ଣ ଭାବୁଚି ? ନିଜେ ନିଜେ ଲଜ୍ଜିତ ହେଲି । ବିନୁଅପାର ଭବିଷ୍ୟତ ନେଇ ଏଭଳି ଭାବିବାର ଅଧିକାର ଆମ କାହାରି ନାହିଁ । ଆମେ ସବୁ ତା’ର କିଏ ? ଏଇ କଥା ଭାବିବା ବେଳକୁ ମନେ ହେଉଥିଲା–ଏଇ ବିନୁଅପା ଯେମିତି ଏକ ସାର୍ବଜନୀନ ଆଶ୍ରୟସ୍ଥଳୀ । ଆମେ ସବୁ ଆଶ୍ରୟ ଅଭାବରେ ତା’ରି ପାଖରେ ଆଉଜି ଯାଉଚୁ ।

 

ଚିନ୍ମୟ ପୁଣି କହିଲା–ନୀଳକଣ୍ଠ ! ତୁମେ ଆଉ କମଳା ନିଶ୍ଚୟ ଏଠି ରାତିରେ ରହିବ । ମୁଁ ଏଠି କିଛି ସମୟ ରହୁଚି–ତୁମେ ଦୁହେଁ ଯାଇ ଖାଇଆସ । ଅପାର ଭବିଷ୍ୟତ ବିଷୟରେ ଆମ୍ଭେମାନେ ଚିନ୍ତା କରି କିଛି ଲାଭ ନାହିଁ । ସେ ଆଗେ ଭଲ ହେଇଯାଉ, ତା’ ଭବିଷ୍ୟତ କଥା ସେ ନିଜେହିଁ ବୁଝିବ । ସେ ଏତେଟା ଦାୟିତ୍ୱହୀନା ନୁହେଁ ।

କମଳାକୁ ମୁଁ ଡାକିଲି ମୋ ସହିତ ଆସିବା ପାଇଁ । ହୋଟେଲ୍‌ରୁ କିଛି ଖାଇ ଆସିଲେ ରାତି ଡିଉଟିଟା ବେଶୀ ବାଧିବ ନାହିଁ ।

ଚିନ୍ମୟ ଓ ଅନ୍ୟମାନଙ୍କୁ ରଖି ଆମେ ଦୁହେଁ ଚାଲି ଆସିଲୁ । ମେଡିକାଲ୍‌ ଗେଟ୍‌ରୁ ରିକ୍‌ସା କରି ପ୍ରଭାତ ସିନେମା ପର୍ଯ୍ୟନ୍ତ ଆସିଲୁ । ମୋର ପରିଚିତ ହୋଟେଲ୍‌...ସେଇଠି ଖାଇ ଆମେ ଫେରିବୁ ।

ରାତିରେ ଥଣ୍ତା ପବନ ଦେହ ଓ ମନକୁ ବେଶ୍‌ ହାଲୁକା କରୁଥିଲା । ମୁଁ ଭାବୁଥିଲି ସହରର ଏଇ ଆଲୋକମୟ ପଥରେ ନଯାଇ ଆମେ ଯଦି ଅନ୍ଧକାରମୟ ପଥରେ ଗତିକରି ପାରନ୍ତୁ ।

ମନ ଅବସନ୍ନ । ଅପାର ଭବିଷ୍ୟତ ଅବସ୍ଥା ମନକୁ ବାରମ୍ବାର ଆଲୋଡ଼ିତ କରୁଥିଲା ।

ପ୍ରଭାତ ସିନେମା ପାଖ ହୋଟେଲରେ ରୁଟୀ ଖାଇ ଆମେ ପୁଣି ଫେରିଆସିଲୁ । ବାଟରେ କମଳା କହିଲା–ଏତେ ବାଟ ଅଯଥାରେ ଆସିଲେ । ସେଇଠି ପାଖରେ ଖାଇ ନେଇଥିଲେ ହେଇଥାନ୍ତା ।

ମୋ ବିବେଚନାରେ ଆସିବାଟା ହୁଏତ ଅଯଥା ନୁହେଁ । ପ୍ରକାଶ୍ୟରେ କହିଲି-ବହୁତ ଡେରିରେ ତୁମେ ଏ ପ୍ରସ୍ତାବ ଦେଲ କମଳା...ବର୍ତ୍ତମାନ ତ କିଛି କରିବାର ନାହିଁ ।

କମଳା କହିଲା । ଆମେ ଆସି ପହଞ୍ଚିଗଲୁ ମେଡିକାଲ୍‌ । ବିନୁଅପାର ଚେତନା ଫେରିଆସିଚି । ପ୍ରଥମ ଚୈତନ୍ୟ ଫେରିବାବେଳେ ଆମେ ଦୁହେଁ ଥିଲେ ଭଲ ହେଇଥାନ୍ତା ।

ବିନୁଅପା ଚାହିଁଚି । କମଳାକୁ ଆଉ ମତେ ଆଖିଠାରି ଡାକିଲା । ଆମେ ପାଖକୁ ଗଲୁ । ସେ ପଚାରିଲା–ଖାଇ ଆସିଲ ?

ମୁଁ କହିଲି–ହଁ । ଚିନ୍ମୟବାବୁ କହିବାରୁ ଆମେ ଖାଇବାକୁ ଯାଇଥିଲୁ ।

ସେ କ’ଣ ଭାବିଲା କେଜାଣି–ମୁହଁରେ ଈଷତ୍‌ ହସି ମୁଣ୍ତ ହଲେଇଲା । ଏଇ ମୁଣ୍ତ ହଲେଇବାର ଅର୍ଥ ସେ ଆମ କାମକୁ ସମର୍ଥନ କଲା ।

ସେ ପଚାରିଲା–ଅନିରୁଦ୍ଧ ଘରେ ଅଛି ତ ?

ମୁଁ ହଁ ଭରିଲି ।

ତା’ପରେ ସେ ଚିନ୍ମୟକୁ ପଚାରିଲା–ଭାଇ ବାହାଘରକୁ ଯାଇଥିଲ ?

ଚିନ୍ମୟ ନାହିଁକଲା ।

ବିନୁଅପା ଏକ ଗଭୀର ଦୀର୍ଘନିଶ୍ୱାସ ପକେଇଲା ।

ଚିନ୍ମୟ କହିଲା–ମୁଁ ଏବେ ଯାଉଛି, କାଲିସକାଳେ ପୁଣି ଆସିବି । ନୀଳକଣ୍ଠ ଆଉ କମଳା ତ ରାତିରେ ଏଠି ରହୁଛନ୍ତି...

 

ବିନୁଅପା କିଛି କହିଲା ନାହିଁ । ଚିନ୍ମୟ, ହୋସେନ୍‌ ଓ ପରେ ପରେ ନିରଞ୍ଜନ ଚାଲିଗଲେ ।

 

ବିନୁଅପା ଛାତକୁ ଚାହିଁ କ’ଣ ଯେମିତି ଭାବୁଥିଲା । ବହୁତ ବିଳମ୍ବରେ–ଦୀର୍ଘ ବ୍ୟବଧାନରେ ତା’ ଆଖିର ପଲକ ପଡ଼ୁଥିଲା ।

 

ମୁଁ ପଚାରିଲି–ବର୍ତ୍ତମାନ ଆଉ କିଛି କଷ୍ଟ ହଉଚି ?

 

ସେ ହଠାତ୍‌ ଫେରିପଡ଼ି ମୋ ଆଡ଼କୁ ଚାହିଁଲା । କହିଲା–ଭାରି ଶୋଷ ଲାଗୁଚି ।

 

ଡିଉଟୀରେ ଥିବା ଡାକ୍ତରଙ୍କ ପରାମର୍ଶରେ ମୁଁ ତାକୁ କିଛି ପାଣି ପିଆଇଦେଲି । କିଛି ସମୟ ପରେ ସେ ପୁଣି ଶୋଇପଡ଼ିଲା । ତା’ ସହିତ କଥାବର୍ତ୍ତା ନ କରିବା ପାଇଁ ଡାକ୍ତର ଆମକୁ ନିର୍ଦ୍ଦେଶ ଦେଲେ ।

 

ସାରାରାତି ସେ ଶୋଇଚି । କମଳା ଆଉ ମୁଁ ପଲକ ନ ପକେଇ ବସିରହିଚୁ ।

 

ସକାଳବେଳକୁ ତା’ ଅବସ୍ଥା ଖୁବ୍ ଭଲ । ଡାକ୍ତର ରକ୍ତଚାପ ପରୀକ୍ଷା କରି ଖୁବ୍‌ ଭଲ ବୋଲି ମତ ଦେଲେ । ସେ ମଧ୍ୟ ଖୁବ୍‌ ସୁସ୍ଥ ଅନୁଭବ କଲା–ଉଠି ବସିଲା ।

 

କମଳାର ଆଉ ମୋର ଯୋଉ ଆନନ୍ଦ ତା’ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ ।

 

ପୁଣି ସଂଧ୍ୟାରେ ଆସିବି କହି ନଅଟାବେଳକୁ ମୁଁ ଚାଲିଆସିଲି । ଅନିରୁଦ୍ଧ ସେତେବେଳକୁ ପହଞ୍ଚିଯାଇଥାଏ । ମେଡିକାଲ୍‌ ଗେଟ୍‌ ପାଖରେ ଚିନ୍ମୟକୁ ଦେଖିଲି । ବିନୁଅପାର ସୁସମ୍ବାଦ ତାକୁ ଦେଲି ।

 

ମୁଁ ଅଫିସରେ ପହଞ୍ଚିଲାବେଳକୁ, ତ୍ରିପାଠୀ ସାହେବ ମୋରି ଅପେକ୍ଷାରେ ଥାଆନ୍ତି । ମୋତେ ଯୋଉଠିକି ଦୌତ୍ୟରେ ସେ ପଠାଇଥିଲେ, ତା’ର ଫଳାଫଳ ଜାଣିବା ପାଇଁ ତାଙ୍କ ମନରେ ଭାରି ଉତ୍କଣ୍ଠା । ମୁଁ କିନ୍ତୁ ଅତି ନମ୍ରଭାବରେ ବିନୁଅପାର ବର୍ତ୍ତମାନ ଅବସ୍ଥା କଥା ତାଙ୍କୁ ଜଣାଇଦେଲି-। ସେ ସାଙ୍ଗେ ସାଙ୍ଗେ ମେଡିକାଲ୍‌ ଯିବାକୁ ବାହାରିଗଲେ ।

 

ମତେ କହିଲେ–ମିଷ୍ଟର ଦାସ; ଜଣକର ବିପଦ ସମୟରେ ଯିବାରେ ଆପିତ୍ତି କ’ଣ ? ବରଂ ତୁମେ ବି ମୋ ସହିତ ଆସ । ବୁଲିଆସିବା ।

 

ଇଚ୍ଛା ନଥିଲେ ବି ତାଙ୍କ ସହିତ ପୁଣି ଗଲି । ବାଟରେ ସେ ବହୁତ ଫଳ କିଣିଲେ ।

 

ବିନୁଅପା ତାଙ୍କୁ ପୂର୍ବରୁ ଦୁଇ ଚାରିଥର କଲ୍ୟାଣବାବୁଙ୍କ ସହିତ ଦେଖିଚି । ଅନ୍ତତଃ ସେ କିଏ ବୋଲି ଚିହ୍ନିପାରିବ । ତ୍ରିପାଠୀ ସାହେବଙ୍କୁ ଦେଖି ସେ କହିଲା–ମିଷ୍ଟର ତ୍ରିପାଠୀ ! କଲ୍ୟାଣ ସହିତ ଆପଣ ମୋ ପାଖକୁ ଆସିଥିଲେ, ନୁହେଁ ?

 

ତ୍ରିପାଠୀ ସାହେବ ମୁହଁରେ ହସ ଫୁଟେଇ କହିଲେ–ହଁ, ଥରେ ନୁହେଁ, ଅନେକ ଥର ଆସିଚି ।

 

ବିନୁଅପା ସାଙ୍ଗେ ସାଙ୍ଗେ ହାତର ରେଖା ଗଣି କହିଲା–ଅନେକ ଥର ନୁହେଁ, ଚାରିଥର ଆପଣ ଆସିଚନ୍ତି ।

 

ତ୍ରିପାଠୀ ସାହେବ ଟିକିଏ ରସିକତା କରି କହିଲେ–ହେଲା, ଏକରୁ ଅଧିକ ହେଲେ ଅନେକ ।

 

ତାଙ୍କର ଏଇ କଥାରେ ବିନୁଅପା ହସିଉଠିଲା । ତ୍ରିପାଠୀ ସାହେବ ଅନେକ ଅବାନ୍ତର କଥାର ଅବତାରଣା କଲେ । ମତେ ଭାରି ବିରକ୍ତ ଲାଗୁଥାଏ ।

 

ବିନୁଅପା କହିଲା–ନୀଳୁ ମୋ ଭାଇ । ଚାକିରୀ କରିବାରେ ଅଭ୍ୟସ୍ତ ନଥିଲା । ତା’ର ଦୋଷାଦୋଷ ନଧରି ଚଳେଇନେବେ ।

 

ତ୍ରିପାଠୀ ସାହେବ କହିଲେ–ନିଶ୍ଚୟ, ଏ କଥା କହିବାକୁ ଅଛି ? ସେ ଆପଣଙ୍କ ଭାଇ ବୋଲି ଜାଣିବାଦିନଠୁ ମୁଁ ତ ଆଉ ତାଙ୍କୁ ଅଧସ୍ତନ କର୍ମଚାରୀ ହିସାବରେ ଦେଖୁନାହିଁ । ମୁଁ ଯେମିତି ଭାବୁଚି, ସେ ମୋର ଜଣେ ଆତ୍ମୀୟ–ଅତି ଆପଣାର ।

 

ଅଧିକ ଗଳ୍ପ ନ କରିବାକୁ ଡାକ୍ତର ଆସି ତାଗିଦ୍‌ କରିଦେଇଗଲେ । ତ୍ରିପାଠୀ ସାହେବ ବାଧ୍ୟ ହେଇ ଉଠିପଡ଼ିଲେ । ସେ ବାହାରି ଆସିବା ସଙ୍ଗେ ସଙ୍ଗେ ମୁଁ ତାଙ୍କର ଅନୁଗମନ କଲି ।

 

ବିନୁଅପା ପଛରୁ କହିଲା–ନୀଳୁ, ଟିକିଏ ଶୁଣିଯିବୁ ।

 

ତ୍ରିପାଠୀ ସାହେବ ଆଗେଇଗଲେ । ମୁଁ ରହିଗଲି । ବିନୁଅପା ଚୁପି ଚୁପି କହିଲା–ନୀଳୁ, ତୋ ସାହେବ କାହିଁକି ଆସିଥିଲେ କିରେ ? କ’ଣ କିଛି ପ୍ରସ୍ତାବ ଅଛି କି ? ଯଦି ଥାଏ, କହିଲେ ମୁଁ ବିଚାର କରିବି ।

 

ବିନୁଅପାର ତୀକ୍ଷ୍‌ଣ ବୁଦ୍ଧିମତ୍ତାର ପରିଚୟ ପାଇ ମୁଁ ସ୍ତମ୍ଭୀତ ହେଲି । ତ୍ରିପାଠୀ ସାହେବଙ୍କ ମନର ଭାବନାକୁ ସେ ଯେ କେମିତି ବୁଝିନେଲା, ତାହା ମୋ ପାଖରେ ଏକ ବିସ୍ମୟ ।

 

ପରଦିନ ସେ ଡାକ୍ତରଖାନା ଛାଡ଼ି ସ୍ୱଗୃହକୁ ବାହୁଡ଼ିଗଲା । ଡାକ୍ତର କହିଛନ୍ତି–ଅନ୍ତତଃ ସପ୍ତାହକ ପାଇଁ ଶାରୀରିକ ଓ ମାନସିକ ପରିଶ୍ରମ ନକରି ସଂପୂର୍ଣ୍ଣ ବିଶ୍ରାମ ନେବାକୁ । ମୁଁ ବର୍ତ୍ତମାନ ଆଉ ତା’ଠୁ ଦୂରେଇ ରହିପାରୁନି । କେଉଁ ଏକ ଅଦୃଶ୍ୟ ଆକର୍ଷଣ ମତେ ଟାଣିନଉଛି । ମୁଁ ସେଦିନ ଯାଇ ଦେଖିଲି, ଗୁଡ଼ାଏ ଇଂରାଜୀ ଉପନ୍ୟାସ ଗଦା ହେଇଚି । ସେଇ ଗଦା ଭିତରେ ବସି ବିନୁଅପା ବହିପଢ଼ୁଚି ।

 

ମତେ ସେ କହିଲା–ବର୍ତ୍ତମାନ ଏଇସବୁ ବହି ମୋର ସଙ୍ଗୀ । ଏଇମାନଙ୍କୁ ନେଇ ତ ଜୀବନ ବିତେଇବାକୁ ହବ ।

 

ମୁଁ କହିଲି–ବହି ପଢ଼ିବା ଭାରି ଭଲ ଅଭ୍ୟାସ । ବହିପଢ଼ା ଅଭ୍ୟାସ କଲେ ଅନେକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ ।

 

ସେ କହିଲା–ଛାଡ଼ ସେ କଥା । ମତେ ଆଗେ କହିଲୁ ତ୍ରିପାଠୀ ସାହେବ ସେଦିନ ଏତେଗୁଡ଼ାଏ ଫଳ ଉପହାର ନେଇ ମୋତେ ଦେଖିବାକୁ କାହିଁକି ଆସିଥିଲେ, କିଛି ଜାଣିପାରିଲୁ ? ମୁଁ ଶୁଣୁଚି କଲ୍ୟାଣର ବିବାହ ବର୍ତ୍ତମାନ ଏକ ବାଟ ଖୋଲିଦେଇଚି । ତା’ରି ଅବସ୍ଥାରେ ଥିବା ସମସ୍ତେ ବର୍ତ୍ତମାନ ବିବାହ ପାଇଁ ପାଗଳ । ତୁମ ସାହେବ କୁଆଡ଼େ ବିଭା ହବାକୁ ଭାରି ବ୍ୟଗ୍ର । ତୋତେ ସେ କିଛି କହିନାହାନ୍ତି ?

 

ସତ କହିବାକୁ ମୁଁ କୁଣ୍ଠା ବୋଧ କଲି । ବିନୁଅପାର ମମତା ଯୋଗୁଁ ମୁଁ ମିଥ୍ୟା କହିଲି ।

 

ସେ କହିଲା–ମୁଁ ତ୍ରିପାଠୀ ସାହେବଙ୍କ କଥା ବହୁତ ଶୁଣିଚି । ତାଙ୍କ ସ୍ତ୍ରୀ ଥିବାବେଳେ ବି ସେ ତଳ ସ୍ତରର ସ୍ତ୍ରୀମାନଙ୍କ ସହିତ ସମ୍ପର୍କ ରଖୁଥିଲେ । ତାଙ୍କ ଚରିତ୍ରହୀନତାର ଦୃଷ୍ଟାନ୍ତ ବହୁତ ଅଛି ବୋଲି କଲ୍ୟାଣ ମତେ କହେ । ସ୍ତ୍ରୀ ବିୟୋଗ ପରେ ଏ ଅଭ୍ୟାସ ତ ଆଉରି ବଢ଼ିଯାଇଥିବ । ଏମାନେ ସବୁ ସମାଜ ପକ୍ଷରେ ଗୋଟାଏ ଗୋଟାଏ ବିପଦ । ତୋତେ ଯଦି ସେ କେବେ ମୋ ବିଷୟରେ କିଛି କହନ୍ତି, ତେବେ ତୁ ତାଙ୍କୁ କହିଦବୁ ଦୟାକରି ସେ ଯେମିତି ମୋ ଉପରେ ତାଙ୍କ ପରୀକ୍ଷା ନ ଚଳାନ୍ତି...

 

ସେ ପୁଣି କହିଲା–ନୀଳୁ, ତୁ ଶୁଣିଲେ ଆଶ୍ଚର୍ଯ୍ୟ ହବୁ । କଲ୍ୟାଣ ସମ୍ପର୍କରେ ଆସି ବହୁ ଉଚ୍ଚ ସ୍ତରୀୟ ଅଫିସର୍‍ଙ୍କ କାର୍ଯ୍ୟକଳାପ ବିଷୟରେ ମୁଁ ଜାଣିଚି । ଯେଉଁମାନଙ୍କୁ ଆମ ସମାଜ ସର୍ବଶ୍ରେଷ୍ଠ ସମ୍ମାନ ଦେଉଛି, ତାଙ୍କ ଜୀବନର ପ୍ରତ୍ୟେକ ସ୍ତର ଉପରେ ତୁ ଯଦି ବୈଜ୍ଞାନିକ ପରୀକ୍ଷା ଚଳାଉ, ଦେଖିବୁ ସେଠି ଚନ୍ଦନ ନାହିଁ...ଅଛି କେବଳ ପଙ୍କ । ଦେଢ଼ହଜାର ଦୁଇହଜାର ଦରମା ପାଉଥିବା ଲୋକଙ୍କୁ ବିଭାହୋଇ କ’ଣ ସବୁ ସ୍ତ୍ରୀଲୋକ ଶାନ୍ତି ପାଉଥିବେ ? ନୂଆ ରାଜଧାନୀର କଂକ୍ରିଟ ରାସ୍ତା ଏ ସବୁର ମୂକସାକ୍ଷୀ । ପ୍ରେମର ପ୍ରତୀକ କେଦାରଗଉରୀ ଏହାର ନୀରବ ଦ୍ରଷ୍ଟା । ସେମାନଙ୍କ ଜୀବନ ଉପରେ ବହୁ ରୋମାଞ୍ଚକର ଉପନ୍ୟାସ ଲେଖାଯାଇ ପାରିବ । ମୋର ବେଳେ ବେଳେ ଇଚ୍ଛା ହୁଏ, ସେ ସବୁ ଲେଖିବାକୁ । କିନ୍ତୁ ମୁଁ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ...ହାତ ମୁହଁ ମୋର ବନ୍ଦ ।

 

ବିନୁଅପା ମୁହଁରୁ ଏଇସବୁ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଶୁଣି ମୁଁ ଭାବୁଥିଲି, ମୋର ବହୁତ କିଛି ଜାଣିବାର ଅଛି ।

 

ଲୋକ-ଚରିତ୍ର ବିଷୟରେ ମୁଁ ଯେତିକି ଜାଣିଚି, ତାହା ଯଥେଷ୍ଟ ନୁହଁ । ରାଜନୀତି କରି ମୁଁ ଲୋକସମ୍ପର୍କରେ ଆସିଚି ସତ; କିନ୍ତୁ ସେମାନଙ୍କ ଅନ୍ତର ମୁଁ ଚିହ୍ନିନାହିଁ । ମୁଁ ସାଧାସିଧା ମଣିଷ । ସମସ୍ତଙ୍କୁ ବିଶ୍ୱାସ କରିଚି ଏବଂ ବିଶ୍ୱାସ କରିବାର କୁଫଳ ମଧ୍ୟ ଏଇ ଅଙ୍ଗରେ ନିଭେଇଚି ।

 

ଆମ କଥାବାର୍ତ୍ତାକୁ ବନ୍ଦ କରି କମଳା ଆସି ପହଞ୍ଚିଗଲା । ବିନୁଅପାକୁ ଦୁଇ ତିନିପ୍ରକାର ଔଷଧ ଖାଇବାକୁ ଦେଲା । ପରେ ପରେ ପହଞ୍ଚିଗଲେ ସ୍କୁଲର କେତେକ ଶିକ୍ଷୟିତ୍ରୀ ଓ ଛାତ୍ରୀ । ଘରଟା ସରଗରମ ହୋଇଉଠିଲା । ତା’ରି ଭିତରେ ସୁଯୋଗ ଖୋଜି ମୁଁ ଖସିଆସିଲି ।

 

ମନଟା ଅଯଥାରେ ଭାରାକ୍ରାନ୍ତ । ମୁଁ ଭାବୁଥିଲି, ଯୋଉ ଶାନ୍ତି ମୁଁ ଖୋଜୁଚି ସେ ଶାନ୍ତି ଯେମିତି କ୍ରମେ କ୍ରମେ ମୋଠୁ ଦୂରେଇ ଯାଉଚି ।

Image

 

ଏଗାର

 

ନିରଞ୍ଜନ ଭାରି ଭଲ ପିଲାଟା ଥିଲା । ହେଲେ ୟା’ ଭିତରେ ଭାରି ଅନ୍ୟାୟ କାମଟା କରିବସିଚି । ଡାକ୍ତର ଗଣନାଥ ସାହୁଙ୍କ ଝିଅ ବାସନ୍ତୀ ସାହୁକୁ ଏକଦା ମୁଁ ଟିଉସନ୍‌ କରୁଥିଲି, ସେ ତାହାରି ପ୍ରେମରେ ପଡ଼ିଚି ।

 

ନିରଞ୍ଜନ ବାପ ବୀରରଣା ସେ ଦିନ ଆସି ବିନୁଅପା ପାଖରେ ହାଜର ।

 

–ମା, ତୁମେ ଆମକୁ ବଞ୍ଚାଅ, ତୁମରି ଦୟାରୁ ନିର ଚାକିରୀ ପାଇଚି । ହତଭାଗା କିଛି ଆଗପଛ ଭାବିଲା ନାହିଁ । ଆମ ସ୍କୁଲରେ ଯୋଉ ବାସନ୍ତୀ ପଢ଼ୁଚି, ତାକୁଇ ସେ ବାହାହବ ବୋଲି ଜୀଦ୍‌ ଧରିଚି । ମା, ସେ ଝିଅବି ୟାକୁଇ ରାଜି, ମୁଁ ଏବେ କରେ କ’ଣ ? ସେ ଝିଅର ବାପା କେତେ ନା କେତେ ବଡ଼ଲୋକ–ନାମ କରା ଡାକ୍‌ତର, ସେ କ’ଣ ଦେଖି ତାଙ୍କ ଝିଅକୁ ମୋ ଘରକୁ ପଠେଇ ଦେବେ ?

 

ତା’ର ଡହଳ ବିକଳ ଦେଖି ବିନୁଅପା ବି ପ୍ରଥମେ ଛାନିଆ ହେଇଗଲା । ବାସନ୍ତୀ ପରି ସ୍କୁଲର ଛାତ୍ରୀ–ଭଲ ପଢ଼େ । ଶ୍ରେଣୀରେ ପ୍ରଥମ ଦ୍ୱିତୀୟ ହୁଏ । ବାପାଙ୍କର ଅମାପ ସମ୍ପତ୍ତି । ସେ କ’ଣ ଝିଅକୁ ନ ପଢ଼େଇ ନିର ଭଳି ଜଣେ ସେକ୍ରେଟରୀଏଟ୍‌ କିରାଣୀ ହାତରେ ଟେକିଦବାକୁ ରାଜି ହେବେ ? କାହିଁକି ଯେ ନିର ଏ ଭୁଲ କରିବସିଲା ? ବାଳିକା ସ୍କୁଲ ହତାରେ ବାପପୁଅ ଏକା ସାଥିରେ ରହନ୍ତି । ବାପର ଅଲକ୍ଷ୍ୟରେ ସେ ଆଗେଇ ଯାଇଚି । ବୁଝିପାରିନି ପ୍ରେମ ପଥ ଏଡ଼େ ସରଳ ନୁହେଁ–ବଡ଼ ପିଚ୍ଛିଳ ।

 

ବୀରରଣା ପୁଣି କହିଲା–ମା, ପୁଅ କହୁଚି ତାକୁ ବାହା ନହେଲେ ବିଷ ଖାଇଦବ । ତୁମେ ଏବେ ବୁଝ ମୁଁ କ’ଣ କରିବି ? ମୁଁ ତାକୁ ବୁଝେଇ ପାରୁନି । ତୁମେ କେଜାଣି ଡାକି ବୁଝେଇଲେ....

 

କିନ୍ତୁ ଏ ସବୁ ବିଷୟରେ ବୁଝାଇବାରେ କ’ଣ କିଛି ଫଳ ହୁଏ ? ପ୍ରେମରେ ପଡ଼ିଥିବା ଯୁବକ ଯୁବତୀମାନେ ତ ଅନ୍ଧ । ତାଙ୍କୁ ସୁହାଇବା ଭଳିଆ ଉପଦେଶ ଛଡ଼ା ଅନ୍ୟ ଉପଦେଶ ସେମାନେ ଗ୍ରହଣ କରିବା ଅବସ୍ଥାରେ ନଥାନ୍ତି ।

 

ପ୍ରେମବିଷୟରେ ବିନୁଅପାର ତ ପ୍ରତ୍ୟକ୍ଷ ଅନୁଭୂତି ରହିଚି । ଏଇ ପ୍ରେମ ପାଇଁ ସେ ତ ସାରାଜୀବନ ଅବିବାହିତା ରହିଗଲା । କିନ୍ତୁ ଏ ବିଷୟରେ କିଛି ଗୋଟାଏ ସମାଧାନ ନହେଲେ, ବିଚରା ବୀର ବୁଢ଼ାଟା ଭାସିଯିବ । ଅନିରୁଦ୍ଧ ହାତରେ ବିନୁଅପା ନିରକୁ ଡକେଇ ପଠେଇଲା ।

 

ନିର ଆସି ପ୍ରଥମେ ଭୋ ଭୋ କିନି କାନ୍ଦିଲା । ବିନୁଅପା ଯେତେ ରାଗିଥିଲେ ବି କାହାରି କାନ୍ଦଣା ଦେଖିଲେ ଭାରି ଦବିଯାଏ । ସ୍ୱଭାବତଃ ସେ ଦୟାଶୀଳା, ସତେ ଅବା ମୂର୍ତ୍ତିମତୀ ଦୟା । ନିରର କ୍ରନ୍ଦନ ଦେଖି ତା’ ଆଖି ବି ଜଳରେ ଭାସିଗଲା । ମାତୃତ୍ୱର ଉଚ୍ଛ୍ୱାସରେ କଣ୍ଠରୁଦ୍ଧ ହେଇଆସିଲା ।

 

ଏ ଅବସ୍ଥାରେ ବୀର ବି କାନ୍ଦିଲା । ଷାଠିଏ ବର୍ଷ ବୁଢ଼ାର ଯୋଉ କାନ୍ଦଣା, ସତେ ଅବା ସ୍ତ୍ରୀ ବିୟୋଗ ବା ପୁତ୍ର ବିୟୋଗ ଘଟିଚି । ଯୋଉ କଥା ପାଇଁ ସେମାନେ ଏକତ୍ରିତ ହୋଇଥିଲେ, ସେ କଥା ପରିବର୍ତ୍ତେ କ୍ରନ୍ଦନର ଏକ ସମ୍ମିଳନୀ ବସିଲା । ନାରୀମାନଙ୍କୁ ହୃଦୟ ଭାରି କୋମଳ । ସେମାନଙ୍କ ସହିତ କମଳା ବି ଯୋଗଦେଲା ।

 

ପ୍ରାୟ ପନ୍ଦର ମିନିଟ୍‌ କାଳ ସମସ୍ତେ ଅପ୍ରକୃତିସ୍ଥ ହେଇ ରହିଲେ । ତା’ପରେ ବିନୁଅପା ହିଁ ପ୍ରଥମେ ପ୍ରକୃତିସ୍ଥା ହେଲା । ନିରକୁ ପାଖକୁ ଡାକି ବସାଇଲା । ଭାରି କଅଁଳିଆ ଭାଷାରେ ତାକୁ କହିଲା–ନିରରେ, ପିଲାଲୋକ ତୁ ! ସଂସାରର ଜଂଜାଳ ଭିତରକୁ ପଶିନୁ । ଯୋଉ ଲକ୍ଷ୍ୟରେ ତୁ ଧାଉଁଚୁ, ସେଟା ହାସଲ କରିବା ଏଡ଼େ ସହଜ ନୁହେଁ । ବାସନ୍ତୀର ବାପାଙ୍କ ଇଚ୍ଛା ତାକୁ ମେଡିକାଲରେ ପଢ଼େଇ ଡାକ୍ତରାଣୀ କରିବେ । ତେଣୁ ତୋ’ ପ୍ରସ୍ତାବରେ ସେ କେବେ ରାଜି ହେବେନି । ତରୁଣ ବୟସରେ ଏମିତି ବହୁତ କିଛି ଘଟେ । ତୁ ତା’କୁ ଭୁଲି ଯା । ବିଭା ହବୁ–ତୋ’ ପାଇଁ ମୁଁ ଗୋଟିଏ ଭଲ ଝିଅ ଯୋଗାଡ଼ କରିଦେବି । ଦେଖୁଚୁ ତ, ତୋ ବାପ କେମିତି ଏ ବୁଢ଼ା ବଅସରେ କାନ୍ଦି କାନ୍ଦି ଅସ୍ଥିର ହେଲାଣି ! ତୋ’ ପାଇଁ ସେ କମ୍‌ କରିଚି ? ତା’ ମନରେ ଏମିତି ଆଘାତ ଦବା ସୁପୁତ୍ରର ଲକ୍ଷଣ ନୁହେଁ । ବାସନ୍ତୀ ତୋର ହେଇପାରିବନି, ତୁ ତାକୁ ଭୁଲିଯା ।

 

ନିର କହିଲା–ମତେ ବିଭା ନହେଲେ ବାସନ୍ତୀ ଆତ୍ମହତ୍ୟା କରିଦବ, ସେ ଏଇ ଚିଠିରେ ଲେଖିଚି ।

 

ନିର ପକେଟରୁ ଖଣ୍ତିଏ ଚିଠି କାଢ଼ି ବିନୁଅପା ଆଗରେ ଥୋଇ ଦେଲା । ଚିଠିଟାକୁ ପଢ଼ିବା ପାଇଁ ବିନୁଅପା ମୋଟେ ଆଗ୍ରହ ଦେଖାଇଲା ନାହିଁ । ଅପରିପକ୍ୱ ମନର ଭାଷା–ନିର, ଯାହା କହୁଚି ସେଇଆ ତ ଲେଖାଥିବ । ଆଉ ପଢ଼ି ଅଧିକ କ’ଣ ହବ ?

 

ସେ କହିଲା–ନିର ! ବାସନ୍ତୀ କ’ଣ କରିବ ନ କରିବ ସେ କଥା ମୋ ଉପରକୁ ଆଉ ତା’ ବାପାଙ୍କ ଉପରକୁ ଛାଡ଼ିଦେ । ତୁ ଆଗେ ତୋ ବାଟ ବାଛିନେଲୁ ।

 

ନିର ୟା’ଭିତରେ ସାହସ ସଞ୍ଚୟ କରିନେଇଚି । କହିଲା–ଆଉ କି ବାଟ ମୁଁ ବାଛିନେବି-? ବାଟ ତ ମୋର ଗୋଟିଏ ।

 

ବାସନ୍ତୀର ବାପାଙ୍କୁ ତୁମେ ତ ରାଜି କରେଇ ଦେଇପାରିବ । ତା’ ଯଦି ନହୁଏ, ଦୁଇଟି ପରିବାରର ଭୀଷଣ କ୍ଷତି ହବ ।

 

ଏ ଏକ ପ୍ରକାର ଧମକ । ବିନୁଅପା ସେଇ ପୁରୁଣା କାଳିଆ ମନୋଭାବ ନେଇ ଏଇ ସମସ୍ୟାର ସମାଧାନ ଚାହେଁ । କିନ୍ତୁ ତାହା କ’ଣ ସମ୍ଭବ ? ସେ ଯୁଗ ଆଉ କ’ଣ ଅଛି ? ଆଜିକାଲି ତରୁଣ ତରୁଣୀମାନଙ୍କର ନୀତି ହେଲା ଏପାଖ ନୋହିଲେ ସେପାଖ । ମଧ୍ୟପନ୍ଥା ଅନୁସରଣ କରି ସମସ୍ୟାର ସମାଧାନ କରିବାର ବେଳ ଚାଲିଯାଇଚି ।

 

ବର୍ତ୍ତମାନ ତ ଯେ ଯାହା ମତରେ ବଳୀୟାନ୍‌ । ସମସ୍ତେ ଭାବୁଚନ୍ତି ଯେ, ଯୋଉ ବାଟରେ ଯାଉଚନ୍ତି ସେଇଟା ଠିକ୍‌ । ତାଙ୍କ ମତଟା ବଜାୟ ନ ରହିଲେ ପ୍ରଳୟକାଣ୍ତ ।

 

ଏଠି ମଧ୍ୟ ଭବିଷ୍ୟତ ପାଇଁ ପ୍ରଳୟର ସୂତ୍ରପାତ । ବିନୁଅପା କୌଣସି ସମାଧାନରେ ପହଞ୍ଚି ନପାରି କହିଲା–ହଉ, ନିର, ତୁ ଅଧୈର୍ଯ୍ୟ ହ’ନା । ମୁଁ ବାସନ୍ତୀର ଅଭିଭାବକଙ୍କଠୁ ଏ କଥା ବୁଝେ । କିନ୍ତୁ ସେ ଯଦି କୌଣସି ମତେ ରାଜି ନ ହୁଅନ୍ତି, ତୋତେ ଏ ପାଗଳାମି ଛାଡ଼ିବାକୁ ପଡ଼ିବ ।

 

ବିନୁଅପା ଇଚ୍ଛା ବାସନ୍ତୀକି ଡାକି ବୁଝେଇବ । ସେ ଯଦି ବୁଝିଯାଏ କଥା ଶେଷ । ସେ ବୁଝିଗଲା ପରେ ନିରକୁ ଅନ୍ୟତ୍ର ବିବାହ କରିଦବା ପାଇଁ ବେଶୀ ସମୟ ଲାଗିବ ନାହିଁ ।

 

ଏମାନଙ୍କ ସହିତ ଆଲୋଚନା ଶେଷ କରି ତାଙ୍କୁ ବିଦାକରି ଦେଇ ସେ ବାସନ୍ତୀକି ଡକେଇ ପଠେଇଲା । ସେ ସେତେବେଳକୁ ସ୍କୁଲରେ ଥିଲା । ଦିଦିଙ୍କ ଡକରାପାଇ ଶଙ୍କାକୁଳ ମନରେ ସେ ଆସିଲା । ଆସିବାବେଳେ ମନେ ହେଉଥିଲା–ସେ ସତେ ଅବା ଫାଶୀଖୁଣ୍ଟରେ ଚଢ଼ିବ ବୋଲି ଯାଉଛି । ଚାଲିରେ ସମତା ନାହିଁ । ମୁହଁ ବିଷଣ୍ଣ । ଗୋରା ତକତକ ଝିଅଟା ଏଇଦିନ କେଇଟା ଭିତରେ କଳା ପଡ଼ିଗଲାଣି । ଏତେ କମ୍‌ ବୟସର ଫୁଲପରି ଝିଅ, ପ୍ରେମ କ’ଣ ସେ ବୁଝିଚି ?

 

ବିନୁଅପା ତାକୁ ପ୍ରଥମେ ପଚାରିଲା–କିରେ, ବାସ, ପଢ଼ାପଢ଼ି କେମିତି ଚାଲିଚି ? ଏଥର ବୋର୍ଡ଼ ପରୀକ୍ଷା–ପ୍ରଥମ ଶ୍ରେଣୀରେ ପାଶ୍‌ କରୁ ଯେମିତି । ମନ ଦେଇ ପାଠ ପଢ଼ୁଚୁ ତ ?

 

ଏତକ ଶୁଣିଚି କି ନାହିଁ ତା’ର କାନ୍ଦିବା ଆରମ୍ଭ ହେଇଗଲା । ବିନୁଅପା ପୁଣି କହିଲା–କାନ୍ଦୁଚୁ କାହିଁକି ? ଏଥର ପରୀକ୍ଷା ଦବା ମତଲବରେ ନାହୁଁ କି ? କହ, କ’ଣ ହେଇଚି ? ନ କହିଲେ ମୁଁ ଜାଣିବି କେମିତି ?

 

ବାସନ୍ତୀ ଆଉ କହିବା ଅବସ୍ଥାରେ ନାହିଁ । ବିନୁଅପା ତାକୁ ଡାକି ପାଖରେ ବସେଇଲା । ତା’ ମୁହଁ କାନରେ ହାତ ବୁଲେଇ ଗେହ୍ଲା କଲା । ଅନେକ ପ୍ରକାର ସାକୁଲାସାକୁଲି କରି ତା’ଠାରୁ କଥା ଆଦାୟ କଲା । କଅଁଳ ମନକୁ ତା’ର ଛନ୍ଦକପଟ କିଛି ଛୁଇଁନି । ସବୁ କଥା ସେ କହିଗଲା । ସବୁ ଶୁଣି ସାରିବା ପରେ ବିନୁଅପା କହିଲା–ତୁ କ’ଣ ବାହାହବୁ ମ ? ବାହାହବା କି ଜିନିଷ ଜାଣିଲୁଣି ? ତୋ ବାପ ମାଙ୍କୁ ଏକଥା କହିଚୁ ? ତାଙ୍କର ମତ କ’ଣ ?

 

ତାଙ୍କ ମତ କ’ଣ ସେ ଜାଣେନା । ସେ ବାପା ମାଙ୍କୁ ଏ ବିଷୟ କହିବାକୁ ସାହସ ପାଇନି-

 

ବିନୁଅପା କହିଲା–ଏ କଥା ଶୁଣିଲେ ତୋ ବାପ ମା ତତେ ଘରୁ ନିକାଲିଦେବେ । ହଇଲୋ, ତୋ ବାପା ଚାହାନ୍ତି ତୁ ପାଠ ପଢ଼ିବୁ । ଡାକ୍ତରାଣୀ ହବୁ । ତୋତେ ବାହାହବା ପାଇଁ କେତେ ବିଲାତଫେରନ୍ତା ବର ଆସି ଧାଡ଼ି ବାନ୍ଧିବେ । ଆଉ ତୁ ଏ ଦିନରୁ ଏ ସବୁ କ’ଣ କହୁଚୁ ? ପିଲାଲୋକ, କିଛି ତୁ ବୁଝିନୁ । ଏ ରାସ୍ତା ଭାରି ଖରାପ । ଏ ସବୁ ଭିତରେ ମୁଣ୍ତ ପୁରାନା । ଆଚ୍ଛା, କହିଲୁ, ତୋ ବାପ ମା ତୋତେ ଘରୁ କାଢ଼ିଦେଲେ ସେମାନଙ୍କୁ ଛାଡ଼ି ସାରାଜୀବନ ରହିପାରିବୁ ?

 

ହଁ, ବାସନ୍ତୀ କହିଲା–ଝିଅ ଜନ୍ମ ପାଇଚି ଯେତେବେଳେ ସବୁଦିନେ ମୁଁ ଆଉ କ’ଣ ବାପ ମାଙ୍କ ପାଖରେ ରହିପାରିବି ? ଦିନେ ତ ତାଙ୍କୁ ଛାଡ଼ି ଚାଲିଯିବାକୁ ପଡ଼ିବ । ଦିଦି, ଆପଣ ବାପାମାଆଙ୍କୁ ଏ ବିଷୟରେ ରାଜି କରାନ୍ତୁ । ଆପଣ କହିଲେ ସେମାନେ ନିଶ୍ଚୟ ରାଜିହେବେ ।

 

ପ୍ରେମର ବିକାଶରେ ସୃଷ୍ଟିସ୍ୱପ୍ନ ସଫଳ ହୁଏ, ଆଉ ପ୍ରେମର ବିନାଶରେ ସୃଷ୍ଟିସ୍ୱପ୍ନ ବ୍ୟାହତ ହୁଏ । ବିନୁଅପାର ଦାୟିତ୍ୱ ବଢ଼ିଯାଉଥିଲା । ଚିରଦିନ ସେ ପ୍ରେମକୁ ସମ୍ମାନ ଦେଇଆସିଚି-। ସେ ଚାହିଁଚି ପ୍ରେମପଥ ନିଷ୍କଟଙ୍କ ହେଉ । ବ୍ୟାଘତ ସୃଷ୍ଟି କରିବାରେ ସେ କାହିଁକି ହତିଆର ହେବ-?

 

ବାସନ୍ତୀ କି ବିଦାୟ ଦେଇ ଏ ବିଷୟରେ ସେ ଆହୁରି ଭାବିଲା । ଯୁବକ ଯୁବତୀମାନେ ସୁଯୋଗ ପାଇଲେ ପ୍ରେମବନ୍ଧନରେ ବାନ୍ଧି ହେଇଯାଆନ୍ତି । ତେଣୁ ସେମାନଙ୍କୁ ସୁଯୋଗ ନ ଦେବାହିଁ ଭଲ । ପ୍ରଥମେ ସୁଯୋଗ ଦେଇ ପରେ ଆପତ୍ତି କରିବାର କିଛି ମାନେ ହୁଏନା ।

 

ସେ ମନେ ମନେ ଭାବିଲା–ସମ୍ପୂର୍ଣ୍ଣ ସୁସ୍ଥ ହେଇଯିବା ପରେ ଡାକ୍ତର ସାହୁଙ୍କ ଘରକୁ ଯିବ-। ନିରଞ୍ଜନ ଆଉ ବାସନ୍ତୀ ବିଷୟରେ ପ୍ରସ୍ତାବ ବାଢ଼ି ତାକୁ ଚୂଡ଼ାନ୍ତ କରିବା ପାଇଁ ଚେଷ୍ଟା କରିବ-। ନିଜେ ସିନା ସୁଖୀ ହେଇ ପାରିଲାନି; କିନ୍ତୁ ତା ଚେଷ୍ଟାରେ ଅନ୍ୟ କେହି ଯଦି ସୁଖୀ ହୁଅନ୍ତି, ସେ ଆନନ୍ଦ ନିଶ୍ଚୟ ତାକୁ ଅଭିଭୂତ କରିବ ।

 

ବିବାହ ପରେ କଲ୍ୟାଣବାବୁ ଆଉ ଆସିନାହାନ୍ତି ବା କୌଣସି ପତ୍ର ମଧ୍ୟ ପଠାଇ ନାହାନ୍ତି । ତାଙ୍କ ନୂତନ ସ୍ତ୍ରୀଙ୍କର ବୟସ ଚଉତ୍ରିଶ । ସେ ଥିଲେ ଜଣେ ଷ୍ଟେନୋ ଟାଇପିଷ୍ଟ । ବିବାହ ପରେ ସେ ଚାକିରୀ ଛାଡ଼ି ଦେଇଛନ୍ତି । ଏତେ ବଡ଼ ଜଣେ ଅଫିସର୍‍ଙ୍କ ସ୍ତ୍ରୀଙ୍କ ସମ୍ମାନ ଜଣେ ଷ୍ଟେନୋ ଟାଇପିଷ୍ଟର ସମ୍ମାନଠୁ ନିଶ୍ଚୟ ବେଶୀ ।

 

ଏଇ ନୂତନ ସଙ୍ଗିନୀଙ୍କୁ ପାଇ କଲ୍ୟାଣବାବୁ କ’ଣ ବିନୁଅପାକୁ ଏକଦମ ଭୁଲିଗଲେ ? ଯେଉଁ ନାରୀ ତାଙ୍କରି ସ୍ମୃତିରେ ସାରାଜୀବନଟାକୁ ଜାଳିପୋଡ଼ି ଦେଲା, ତା’ପାଇଁ କ’ଣ ତାଙ୍କ ହୃଦୟରେ ଆଉ ଟିକିଏ ବି ସ୍ଥାନ ନାହିଁ ?

 

ସେଦିନ ଚିନ୍ମୟ ଆସି ତା’ ନୂଆବୋହୂଙ୍କ କଥା ବିନୁଅପା ପାଖରେ କହୁଥିଲା । ନାଁଆଟି ତାଙ୍କର ଶୋଭାମଞ୍ଜରୀ । ଭାରୀ ପାତଳୀ ଆଉ ଡେଙ୍ଗୀ । ଆଖିରେ ସୁନା ଫ୍ରେମ୍‌ର ଚଷମା ନାଆନ୍ତି-। ବେଣୀରେ ଫୁଲ ଖୋଷନ୍ତି । ଧୀରି ଧୀରି କଥା କହନ୍ତି । ହସନ୍ତି ଅଦ୍‌ଭୁତ ଧରଣର । ସେ ହସିଲେ ଜଣାପଡ଼େ ହସିବାକୁ ମନ ନଥାଇ ସେ ଯେମିତି ହସୁଚନ୍ତି । ଭାରି କୃତ୍ରିମ ସେ ହସର ଢଙ୍ଗ-। ଭାରି ସଂସାରୀ । ବିଭାଘର ସାଙ୍ଗେ ସାଙ୍ଗେ ପୂରା ଘରଣୀ ସାଜି ଭାଇଙ୍କ ଜମାଖର୍ଚ୍ଚର ହିସାବ ରଖୁଚନ୍ତି ।

 

ଆଉ ବୁଝିଚ ତୁମେ, ଘରେ ଯୋଉ ଜମିବାଡ଼ି ଅଛି ତା’ର ଜମାଖର୍ଚ୍ଚ ହିସାବ ଦବା ପାଇଁ ମତେ ତଲବ କରିଚନ୍ତି ।

 

ଏଇ କଥା ଶୁଣି ବିନୁଅପା ଚମକିପଡ଼ିଲା । ହଠାତ୍‌ ତା’ ମୁହଁରୁ ବାହାରିପଡ଼ିଲା–କଲ୍ୟାଣ ତାହାହେଲେ ଜାଣୁ ଜାଣୁ ସର୍ପିଣୀଟିଏ ବେକରେ ବାନ୍ଧିଲା ।

 

ଦ୍ୱିତୀୟ ପକ୍ଷ ସ୍ତ୍ରୀର ମନସ୍ତତ୍ତ୍ୱ ସମ୍ପର୍କରେ ବିନୁଅପା ଏକଦମ ଅନଭିଜ୍ଞା । ସେମାନେ ଯଥାରେ ଅଯଥାରେ ସେମାନଙ୍କ ଗୃହିଣୀତ୍ୱ ଜାହିର୍‌ କରିବାକୁ ଚାହାନ୍ତି । ସ୍ୱାମୀମାନଙ୍କୁ ଦାସ ବନେଇ ସେମାନେ ହୁଅନ୍ତି ସର୍ବମୟୀ କର୍ତ୍ତ୍ରୀ ।

 

ଚିନ୍ମୟ ମନରେ ବ୍ୟଥା ଲାଗିଚି । କଲ୍ୟାଣବାବୁ ଭାରି ହିସାବରେ ତା’ର ସବୁତକ ଅତ୍ୟାଚାର ଏ ଯାଏ ସହିଆସିଥିଲେ । ପୂର୍ବର ଭାଉଜ ଏଥି ପାଇଁ କେବେହେଲେ ଆପତ୍ତି କରିନାହାନ୍ତି । ବରଂ ବେଳେବେଳେ କଲ୍ୟାଣବାବୁଙ୍କୁ ଲୁଚେଇ ସେ ଚିନ୍ମୟକୁ ଟଙ୍କା ଦଉଥିଲେ । ଚିନ୍ମୟର ସ୍ତ୍ରୀକୁ ନିଜର ସାନଭଉଣୀ ଭଳି ଭାବି ତା’ର ସବୁତକ ଅଭାବ ପୂରଣ କରୁଥିଲେ । ଚିନ୍ମୟ ଆଖିରେ ସେ ଥିଲେ ସାକ୍ଷାତ ଦେବୀ ।

 

ଆଜି କିନ୍ତୁ ନୂତନ ରୀତି । ନୂଆ ଭାଉଜଙ୍କ ପାଖରେ ଚିନ୍ମୟ ଆଜି ଅଲୋଡ଼ା–ଅଦରକାରୀ ଜୀବଟିଏ ।

 

ଚିନ୍ମୟ ସେଦିନ କାନ୍ଦିଥିଲା । ବିନୁଅପା ତା’ର ସ୍ନେହସିକ୍ତ ହାତ ପ୍ରସାରି ତା’ ଲୁହପୋଛି ଦେଇଥିଲା ।

 

ତୁମେ ସବୁକିଛି ଛାଡ଼ି ପୂରାପୂରି ବ୍ୟବସାୟରେ ମନୋନିବେଶ କର ଚିନ୍ମୟ । ଆଜିକାଲି ଦୁନିଆରେ ମଣିଷ ଭଳି ବଞ୍ଚିରହିବାକୁ ହେଲେ ଆବଶ୍ୟକ ପ୍ରଚୁର ଅର୍ଥ । ଧନଶାଳୀ ଲୋକ ଆଜିକାଲି ନିର୍ଭୟ । ତା’ ବିନା ମାନସମ୍ମାନ, ସାମାଜିକ ସ୍ଥିତି ନାହିଁ ।

 

ବିନୁଅପାର ଏଇ ଉପଦେଶ ଚିନ୍ମୟର ପ୍ରାଣକୁ ସ୍ପର୍ଶ କରୁଥିଲା । ଭାଇଙ୍କ ଉପରେ ଆଉ ନିର୍ଭର ନକରି ତାକୁ ଆତ୍ମନିର୍ଭରଶୀଳ ହବାକୁ ପଡ଼ିବ । ତା’ ନହେଲେ ତା’ର ଭବିଷ୍ୟତ ଅମାବାସ୍ୟା ରାତ୍ରି ପରି ଘୋର ଅନ୍ଧକାରମୟ ।

 

ବିନୁଅପାର ଆଉ ଏକ ଉପଦେଶ–ଚିନ୍ମୟ, ତୁମର ସ୍ତ୍ରୀ ପିଲା ପିଲିଙ୍କ ଭବିଷ୍ୟତ ପାଇଁ ତୁମକୁ ମଦପିଆ ଅଭ୍ୟାସ ଛାଡ଼ିବାକୁ ପଡ଼ିବ । ଭାଇଙ୍କ ରୋଜଗାରରେ ତୁମର ଆଉ କିଛି ଅଧିକାର ନାହିଁ । କୁ-ଅଭ୍ୟାସ ନ ଛାଡ଼ିଲେ ନିଜର ଭବିଷ୍ୟତ ତୁମେ ଗଢ଼ିପାରିବ ନାହିଁ । ତୁମେ ମୋ ଦେହ ଛୁଇଁ ଶପଥ କର, ଆଜିଠୁ ଆଉ ମଦ ପିଇବ ନାହିଁ ।
 

ବିନୁଅପାର ମର୍ମସ୍ଥଳରୁ ସ୍ନେହର ଏକ ସ୍ୱଚ୍ଛ-ପ୍ରସ୍ରବଣ ବହି ଆସି ଚିନ୍ମୟର ଅନ୍ତରକୁ ଆର୍ଦ୍ର କଲା । ତା’ ମନରେ ପ୍ରଶ୍ନ ଉଠିଲା ହଜି ଯାଇଥିବା ଲକ୍ଷ୍ମୀ ରୂପିଣୀ ଭାଉଜଙ୍କୁ ସେ ଆଜି କାହା ଦେହରେ ପାଇଛି ? ଶୋଭାମଞ୍ଜରୀ ଦେବୀଙ୍କ ଦେହରେ, ନା ବିନୁଅପା ଦେହରେ.. ?

 

ସମ୍ମୁଖରେ ଦେବୀ ରୂପିଣୀ ମହିୟସୀ ମହିଳା । ତା’ର ମୁଣ୍ତ ନଇଁ ଆସିଲା । ସେ ବିନୁଅପାର ପାଦ ଛୁଇଁ କହିଲା–ତୁମେ ମୋର ସବୁକିଛି–ତୁମେ ମତେ ଆଜି ନୂତନ ଜୀବନ ଦେଇଛ-। ତୁମରି ପାଦ ଛୁଇଁ ମୁଁ ଶପଥ କରୁଚି, ଆଜିଠାରୁ ଆଉ ମଦ ସ୍ପର୍ଶ କରିବି ନାହିଁ ।

 

ବିନୁଅପାର ମୁହଁରେ ହସର ତରଙ୍ଗ–ଆଶୀର୍ବାଦର ଉଜ୍ଜ୍ୱଳ ଚନ୍ଦ୍ରମା ।

 

ସେ ଆଜି ଯେମିତି ଗଡ଼ ଜୟ କରିଚି ।

Image

 

ବାର

 

ନିରଞ୍ଜନ ଆଉ ବାସନ୍ତୀ । ଉଦ୍ୟାନର ସଦ୍ୟପ୍ରସ୍ଫୁଟ ଦୁଇଟି କୁସୁମ । ସେମାନେ ତ ପ୍ରେମ କରି କେହି କାହାକୁ ଫାଙ୍କି ଦବାକୁ ଚାହିଁ ନାହାନ୍ତି । ଆଜିକାଲି ଯୁଗରେ ଯୋଉ ପ୍ରେମ, ବିଶେଷଭାବରେ ପ୍ରଚଳିତ, ତାହାଠୁ ସେମାନଙ୍କ ପ୍ରେମ କ’ଣ ଉନ୍ନତ ସ୍ତରର ନୁହେଁ ? ସହସ୍ରଶଯ୍ୟାର ନାୟକ ବା ନାୟିକା ହବାର ସ୍ୱପ୍ନ ତ ସେମାନେ ଦେଖି ନାହାନ୍ତି ? ସେମାନେ ପରସ୍ପର ପରସ୍ପରକୁ ହିଁ ଦେଖିଚନ୍ତି–କଳ୍ପନା କରିଚନ୍ତି ଏକ ପ୍ରେମମୟ ଭବିଷ୍ୟତ । ଦୁହେଁ ଦୁହିଁଙ୍କୁ ନିବିଡ଼ଭବାରେ ଚାହାନ୍ତି-କଳ୍ପନା କରନ୍ତି ରଚନା କରିବାକୁ ଏକ ସୁନ୍ଦର ନୀଡ଼...

 

ବିନୁଅପା ଡାକ୍ତର ସାହୁଙ୍କ ନିକଟରେ ନିରଞ୍ଜନ ଆଉ ବାସନ୍ତୀ ସପକ୍ଷରେ ବହୁତ ଯୁକ୍ତି ବାଢ଼ୁଥିଲା ।

 

ଡାକ୍ତର ସାହୁ ନିର୍ମମ ଭାବରେ ସବୁ ଯୁକ୍ତିକୁ ଖଣ୍ତନ କରୁଥିଲେ । ବିନୁଅପା ଏବଂ ସ୍କୁଲର ସବୁ ଶିକ୍ଷୟିତ୍ରୀଙ୍କ ଚରିତ୍ର ଉପରେ ଅଶ୍ଳୀଳ ମନ୍ତବ୍ୟମାନ କରି ସେ ନିଜର କ୍ରୋଧ ପ୍ରକାଶ କରୁଥିଲେ । ତାଙ୍କ ମତରେ ସେ ସ୍କୁଲରେ ଯେତେ ଶିକ୍ଷୟିତ୍ରୀ ଅଛନ୍ତି ସମସ୍ତେ ଚରିତ୍ରହୀନା । ନିଜକୁ ଅବିବାହିତା ବୋଲାଇ ବହୁଶଯ୍ୟାରେ ସ୍ୱପ୍ନ ଦେଖିବା ସେମାନଙ୍କ କାମ । ବହୁ ପୁରୁଷଙ୍କ ସଙ୍ଗେ ସମୋନଙ୍କ ସମ୍ପର୍କ । ବାଳିକା ସ୍କୁଲର ମର୍ଯ୍ୟାଦା ହାନୀ ପାଇଁ ଶିକ୍ଷୟିତ୍ରୀମାନେ ମିଳିତ ଭାବରେ ଦାୟୀ । ଛାତ୍ରୀମାନେ ସେଇମାନଙ୍କ କାର୍ଯ୍ୟକଳାପକୁ ଦେଖି ଦେଖି ବିପଥଗାମିନୀ ହେଉଛନ୍ତି ।

 

ଏଇସବୁ କଟୁ ମନ୍ତବ୍ୟ ଶୁଣିବା ପରେ ବି ବିନୁଅପା ନିଜର ଧୈର୍ଯ୍ୟ ହରାଇ ନାହିଁ । ସେ ତ ଆଉ ଅପରିପକ୍ୱ ବୟସର ଛାତ୍ରୀ ନୁହେଁ ! ସେ ଏ ଜଗତରେ ବହୁତ କିଛି ଦେଖିଚି । ବହୁତ ଲାଞ୍ଛନା ସହିଚି । ମିଥ୍ୟାରେ ବହୁ ସମାଲୋଚନା ଶୁଣିଚି । ତା’ର ଯେତେବେଳେ ଯୌବନ ଥିଲା–ବହୁ କିଛି ଅବାଞ୍ଛିତ ଆକ୍ଷେପକୁ ସେ ହଜମ କରିଚି, ଆଉ ଆଜି ସେ ତ ପ୍ରୌଢ଼ା । ନୂତନ କରି ପ୍ରେମ କରିବାର ବୟସ ତା’ର ନାହିଁ ।

 

ଜୀବନରେ ସେ କାହାରିକୁ କେବେ ଡରିନି । ଭାରି ନିର୍ଭୀକ ପ୍ରକୃତି ତା’ର । କେତେ ହୀନମନା ଲୋକଙ୍କୁ ସେ ଯେ ମୁହେଁ ମୁହେଁ ଜବାବ୍‌ ଦେଇଚି, ତା’ର ଇୟତ୍ତା ନାହିଁ । ଥରକ ଘଟଣା-। ବିନୁଅପା କେଉଁ ଏକ ଫେନ୍‌ସି ଷ୍ଟୋରକୁ ଆସବାବ୍‌ପତ୍ର କିଣିବାକୁ ଯାଇଥାଏ । ଦୋକାନ ଘରଟା ଭାରି ଅଣଓସାରିଆ ହେଇ ଭିତରକୁ ଲମ୍ବିଯାଇଚି । ଗୋଟାଏ ମୁଣ୍ତରେ ବିନୁଅପା ଠିଆହେଇ ଜିନିଷପତ୍ର ଦେଖୁଚି–ଅପର ମୁଣ୍ତରେ ତିନି ଚାରିଜଣ ବୟସ୍କ ଲୋକ ବିଭିନ୍ନ ବିଭାଗରେ ଚାକିରୀ କରୁଥିବା ସ୍ତ୍ରୀମାନଙ୍କୁ ନେଇ ନାନାପ୍ରକାର ଅଶ୍ଳୀଳ ସମାଲୋଚନା କରୁଛନ୍ତି । ବିନୁଅପା ସବୁ ଶୁଣି ତାଙ୍କ ନିକଟରେ ଯାଇ ହାଜର ହୋଇଗଲା । ସେମାନେ ଆଲୋଚନା କରୁଥିଲେ କିନ୍ତୁ ଏଭଳିଆ ପରିସ୍ଥିତି ପାଇଁ ଆଦୌ ପ୍ରସ୍ତୁତ ନଥିଲେ ।

 

ବିନୁଅପା ସେମାନଙ୍କୁ କହିଲା–ଆପଣମାନଙ୍କ କଥା ଶୁଣି ମୋର ମନେହେଉଚି, ଆପଣମାନେ ଖୁବ୍‌ ବୁଦ୍ଧିମାନ ଲୋକ । ଦୁଇ ପ୍ରକାର ସୁବିଧା ଆପଣମାନେ ହାସଲ କରୁଚନ୍ତି । ଆପଣମାନଙ୍କ ସ୍ତ୍ରୀମାନଙ୍କର ପ୍ରସବ ପାଇଁ ଆପଣ ନିଶ୍ଚୟ ଡାକ୍ତରାଣୀ ବା ନର୍ସମାନଙ୍କ ସାହାଯ୍ୟ ଲୋଡ଼ୁଥିବେ–ଆପଣମାନଙ୍କ ଝିଅମାନଙ୍କୁ ପଢ଼େଇବା ପାଇଁ ଶିକ୍ଷୟିତ୍ରୀମାନଙ୍କ ସାହାଯ୍ୟ ନେଉଛନ୍ତି-। ତା’ ସଙ୍ଗେ ସଙ୍ଗେ ଯେଉଁମାନଙ୍କ ସାହାଯ୍ୟ ଆପଣମାନେ ନେଲେ, ସେଇମାନଙ୍କୁ ବିଚ ବଜାରରେ ଚରିତ୍ରହୀନା କହି ନିଜ ମନର ଅଶ୍ଳୀଳ ସାଧ ମେଣ୍ଟାଉଛନ୍ତି । ଆପଣମାନେ ଭାରି ସୁବିଧାବାଦୀ ।

 

ବିନୁଅପାଠୁ ଏ କଥା ଶୁଣି ସେମାନେ ଚୁପ୍‌ । ଲଜ୍ଜିତ ହେଇ ଦୋକାନ ଛାଡ଼ି ପଳେଇଗଲେ । ଏ ସେଇ ବିନୁଅପା । ଡାକ୍ତର ସାହୁଙ୍କ ସବୁକିଛି ରୋଷବାକ୍ୟ ଶୁଣି ସେ ହଟିଯିବାର ପାତ୍ରୀ ନୁହେଁ ।

 

ସେ କହିଲା–ଡାକ୍ତରବାବୁ ! ଆପଣ କେବଳ ଏକତରଫା ବିଚାର କରି ଖାଲି ନାରୀମାନଙ୍କଠାରେ ଦୋଷାରୋପ କରୁଛନ୍ତି । ପୁରୁଷମାନେ ଅନିଚ୍ଛୁକ ହେଲେ ନାରୀମାନେ ବିପଥଗାମିନୀ ହୁଅନ୍ତେ କିପରି ? ନାରମାନଙ୍କ ଚରିତ୍ରହୀନତା ପାଇଁ କିଏ ଦାୟୀ ? ଅଳ୍ପ ବୁଦ୍ଧିସମ୍ପନ୍ନା ନାରୀ ନା ବେଶୀ ବୁଦ୍ଧିମାନ୍ ପୁରୁଷ ?

 

ଡାକ୍ତର ସାହୁ ନିରୁତ୍ତର । ମନେ ମନେ ଖାଲି ରକ୍ତଚାଉଳ ଚୋବାଉଛନ୍ତି ।

 

ବିନୁଅପା ପୁଣି କହିଲା–ପ୍ରେମ କରିବା ହଉଚି ଯୁବକ–ଯୁବତୀଙ୍କ ଧର୍ମ । ଏଇଟା ଏମିତି କିଛି ମାରାତ୍ମକ ଅପରାଧ ନୁହେଁ । ଯାହା ଘଟିଯାଇଚି, ତା’ର ବିଶ୍ଳେଷଣ ଆଉ ନକରି ଭବିଷ୍ୟତ ନିର୍ଦ୍ଧାରଣ କରନ୍ତୁ । ଉଭୟଙ୍କୁ ଆପଣଙ୍କ ସନ୍ତାନ ବୋଲି ଭାବି ସେମାନେ ଭବିଷ୍ୟତରେ କେମିତି ସୁଖୀ ହେବେ, ତା’ର ବ୍ୟବସ୍ଥା କରନ୍ତୁ । ମତେ, ୟାକୁ, ତାକୁ ଦୋଷ ଦେଇ କିଛି ଲାଭ ନାହିଁ । ଯୋଉଟା ଘଟିଯାଇଚି, ସେଇଟା ଏକ ନିରାଟ ବାସ୍ତବତା ବୋଲି ଧରିନିଅନ୍ତୁ ।

 

ଡାକ୍ତର ସାହୁ ଭାରି ଆଭିଜାତ୍ୟ-ସଚେତନ ମଣିଷ । ଝିଅକୁ ଉଚ୍ଚ ଶିକ୍ଷା ଦେବେ ଏ ଆଶା ତାଙ୍କର ଥିଲା । ନହେଲା ନାହିଁ ଏବେ ସେ ଆଶା ପୂରଣ । ଝିଅ ବିବାହ ବୟସରେ ବିବାହ କରିବ, ଏଥିରେ ତାଙ୍କର ଆପତ୍ତି କରବିାର କିଛି ନାହିଁ । କିନ୍ତୁ ନିରଞ୍ଜନର ଯୋଗ୍ୟତା ଯାହା...ଏ ପ୍ରସ୍ତାବକୁ ସେ ଆଦୌ ସମର୍ଥନ କରିପାରୁ ନାହାନ୍ତି ।

 

ରାଗାନ୍ୱିତ ଗଳାରେ ସେ ବାସନ୍ତୀକି ଡାକିଲେ; କିନ୍ତୁ ବାସନ୍ତୀ ପରିବର୍ତ୍ତେ ତାଙ୍କ ସ୍ତ୍ରୀ ଆସି ହାଜର ହେଲେ । ଡାକ୍ତର ସାହୁ ବ୍ୟଙ୍ଗୋକ୍ତି କରି କହିଲେ–ମା ହେଇଚ, ନିଜ ଝିଅର ଗୁଣ ଶୁଣ ।

 

 

ଶ୍ରୀମତୀ ସାହୁ କହିଲେ–ଶୁଶିସାରିଲିଣି । ତେବେ ଝିଅର ଯଦି ପଢ଼ିବାକୁ ମନ ନହେଲା, ବାହା କରେଇଦିଅ । ସେ ତ କହୁଚି ସେଇଠି ବିଭା ନହେଲେ ବିଷ ଖାଇଦବ ବୋଲି ।

 

ଡାକ୍ତର ସାହୁ ଚମକିଉଠିଲେ–ଏଁ, ବିଷ ଖାଇଦବ ? କଥା ଏତେ ଦୂର ଗଲାଣି !

 

ବିନୁଅପା ଏଇଠି କହିଲା–ଆପଣ ବୁଝନ୍ତୁ ଡାକ୍ତର ସାହୁ,ଏମିତି ଅବସ୍ଥା ସୃଷ୍ଟି ହବ, ପାଞ୍ଚଲୋକ ହସିବେ । ଆପଣଙ୍କ ନାଁ ଚାରିଆଡ଼େ ପଡ଼ିବ ! ସେ ଅପମାନଠାରୁ ଏ ଅପମାନ ବରଂ କମ୍‌ । ନିଞ୍ଜନ ଗରିବ ହେଲେ ମଧ୍ୟ ଖୁବ୍‌ ଭଲ ପିଲା ।

 

ଶ୍ରମତୀ ସାହୁ ଜୋର ଦେଲେ–ସେ ପିଲା ତ ଖୁବ୍‌ ଅଯୋଗ୍ୟ ନୁହେଁ, ବି.ଏ. ପାଶ୍‍ କରିଚି-। ତୁମେ କାହିଁକି ଏଥିରେ ଅମତ ହଉଚ ? ଆମେ ସିନା ଝିଅ ଜନ୍ମ କରିଚେ, ହେଲେ ତାକୁ ତ ଆଉ ଭାଗ୍ୟ ଦେଇନେ ! ତା’ ଭାଗ୍ୟରେ ଯଦି ସେଇଠି ବିଭା ହବାକୁ ଥାଏ, କେହି ଅନ୍ୟଥା କରିପାରିବନି-

 

ଡାକ୍ତର ସାହୁଙ୍କ ଉତ୍ତେଜନା ଆଉ ତେଜ କମିଆସିଲା । ସେ କହିଲେ–ମିସ୍‌ ଦାସ, ନିୟତିର ଯଦି ଏଇୟା ଇଚ୍ଛା, ମୁଁ ସେଥିରେ ପ୍ରତିବନ୍ଧକ ହେବିନି । ହେଲେ ମୋର ଗୋଟିଏ ଅନୁରୋଧ–ବିବାହ ପୂର୍ବରୁ ନିରଞ୍ଜନ ସେକ୍ରେଟରୀଏଟ୍‌ ଚାକିରୀ ଛାଡ଼ିବ । ବି.ଏ. ତ ପାଶ୍‌ କରିଚି, ମୁଁ ଟଙ୍କା ଦେବି, ସେ ବିଲାତ ଯିବ ବାରିଷ୍ଟରି ପଢ଼ିବାକୁ ।

 

ବିନୁଅପା କହିଲା–ଏଥିରେ ସେ ଅମତ ହବ କାହିଁକି ? ଏ’ ତ ତା’ର ସୌଭାଗ୍ୟ । ଏଣିକି ଆପଣ ତାକୁ ଯେମିତି ଚଳେଇବେ, ସେ ଚାଲିବ । ବାହାଘର ପରେ ଆମେ ତ ପରମଣିଷ–ଆପଣ ନିଜର । ତା’ର ଭବିଷ୍ୟତ ମଙ୍ଗଳ ପାଇଁ ଆପଣ ଯାହା କିଛି କରିପାରନ୍ତି ।

 

ବିବାହର ଦିନ ସ୍ଥିର ହେଇଗଲା । ନିରଞ୍ଜନ ଚାକିରୀ ଛାଡ଼ିଦେଇଚି । ବନ୍ଧୁମାନଙ୍କୁ ସେ କହୁଚି–ନିଜର ପ୍ରେମିକାକୁ ବିବାହ କରିବା ପାଇଁ ଅଷ୍ଟମ ଏଡଓ୍ୟାର୍ଡ ଯେମିତି ଇଂଲଣ୍ତର ରାଜସିଂହାସନ ତ୍ୟାଗ କରିଥିଲେ, ମୁଁ ସେମିତି ମୋ ପ୍ରେମିକାକୁ ବିବାହ କରିବା ପାଇଁ ସେକ୍ରେଟରୀଏଟ୍‌ର ଏଇ ଚାକିରୀ ତ୍ୟାଗ କରୁଚି ।

 

ନିର୍ଦ୍ଧାରିତ ଲଗ୍ନରେ ଖୁବ୍‌ ଧୁମ୍‌ଧାମରେ ବିବାହ ହୋଇଗଲା । ବିବାହ ପରେ ବାସନ୍ତୀ କିନ୍ତୁ ପାଠପଢ଼ା ଛାଡ଼ିଲା ନାହିଁ । ନିରଞ୍ଜନ ତ ତିନି ବର୍ଷ ପାଇଁ ବିଲାତ ଯିବ । ତେଣୁ ବାସନ୍ତୀ ପାଠପଢ଼ା ଛାଡ଼ିବ କାହିଁକି ?

 

ନିରଞ୍ଜନ ଆଉ ବାସନ୍ତୀର ବିବାହରେ ବିନୁଅପା ଅନେକ ଜିନିଷ ଉପହାର ଦେଇଚି । ବରପକ୍ଷର ସବୁକଥା ସେଇ ତ ତୁଲେଇଚି । ବୀରରଣାର ସମ୍ବଳ ବା କ’ଣ ? ବାଳିକା ସ୍କୁଲର ମାଳୀ ହେଇ ପୁଅକୁ ବି.ଏ. ପାଶ୍‌ କରେଇଚି, ଏଇ ତା’ ପକ୍ଷରେ ଯଥେଷ୍ଟ ।

 

ନିରଞ୍ଜନ ବିଲାତ ଗଲା । ସେଇ ଉପଲକ୍ଷେ ସେ ଦିନ ଡାକ୍ତର ସାହୁଙ୍କ ଘରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଚାହା ଭୋଜିରେ ଆପ୍ୟାୟିତ କରାଯାଇଥିଲା । ନିରଞ୍ଜନର ଇଙ୍ଗିତରେ ବିନୁଅପା ସହିତ ମୁଁ ଓ କମଳା ନିମନ୍ତ୍ରିତ ହେଇ ଯାଇଥିଲୁ ।

 

ଡାକ୍ତର ସାହୁ ଆଜି ଯେମିତି ଏକ ପରିବର୍ତ୍ତିତ ମଣିଷ । ତାଙ୍କର ସେ ବିରୋଧଭାବ ଆଜି ଗଲା କୁଆଡ଼େ ? ନିରଞ୍ଜନ ଜାମାତା ହିସାବରେ ଆଜି ତାଙ୍କର ସବୁଠାରୁ ପ୍ରିୟ । ବାସନ୍ତୀର ମନ ତ ଆକାଶରେ ଲାଗିଚି ।

 

ନିମନ୍ତ୍ରିତ ଅତିଥିମାନେ ଏକ ନୂତନ ପ୍ରସ୍ତାବ ଆଣିଛନ୍ତି । ସମସ୍ତଙ୍କ ତରଫରୁ ଡାକ୍ତର ସାହୁଙ୍କ ଘନିଷ୍ଠ ବନ୍ଧୁ ଡାକ୍ତର ଅବିନାଶ ପାତ୍ର ସର୍ବ ସମକ୍ଷରେ ତାହା ପ୍ରକାଶ କଲେ ।

 

ଆଜିକାଲି ଅବସ୍ଥା ଯାହା, ଅନେକ ଯୁବକ ବିବାହ କରି ବିଲାତ ଆମେରିକା ଯାଇ ଆଉ ଫେରୁନାହାନ୍ତି । ଆଜି ଖୋଜିଲେ ଏ ଦେଶରେ ବହୁ ତରୁଣୀ ଥିବେ, ଯେଉଁମାନଙ୍କ ସ୍ୱାମୀ ପାଶ୍ଚାତ୍ୟ ଦେଶକୁ ଯାଇ ଆଉ ଫେରି ନାହାନ୍ତି । ସେଠାରେ ପୁଣି ନୂତନ ସଂସାର ପାତି ଏ ଦେଶକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଭୁଲିଗଲେଣି । ବାସନ୍ତୀ ତ ଅଯୋଗ୍ୟା ନୁହେଁ–ସେ ମାଟ୍ରିକ ପରୀକ୍ଷା ଦେଇ ସାରିଚି । ଜ୍ୱାଇଁଙ୍କ ସହିତ ସେ ମଧ୍ୟ ବିଲାତ ଯାଉ । ସେଇଠି ସେ ଇଚ୍ଛା କଲେ ପାଠପଢ଼ି ପାରିବ ।

 

ଡାକ୍ତର ସାହୁଙ୍କ ମନକୁ ଏ କଥାଟା ମାନିଚି । ତାଙ୍କର ତ ଟଙ୍କାର ଅଭାବ ନାହିଁ ! ତେଣୁ ସଙ୍ଗେ ସଙ୍ଗେ ସେ ଏ ପ୍ରସ୍ତାବକୁ ଗ୍ରହଣ କରିନେଲେ ।

 

ନିମନ୍ତ୍ରିତ ଅତିଥିମାନେ ମହାଆନନ୍ଦରେ ଭୋଜି ଶେଷ କରି ନିଜ ନିଜ ଗୃହକୁ ଫେରିଗଲେ ।

 

ବାସନ୍ତୀ ବିନୁଅପାର ପାଦଧୂଳି ନେଲା–ଦିଦି, କେବେ ପୁଣି ବିଲାତରୁ ଫେରିଲେ ଦେଖାହବ । ଏ ଜୀବନରେ ତୁମ ଋଣ ଆମେ ସୁଝି ପାରିବୁ ନାହିଁ ।

 

ନିରଞ୍ଜନ ତ ବହେ କାନ୍ଦିଲା । ମାତୃଭୂମିର ମମତା ବୋଧହୁଏ ତା’ର କୋମଳ ପ୍ରାଣକୁ ଆଲୋଡ଼ିତ କରୁଥିଲା । ଅତି ପ୍ରିୟ–ପରିଚିତ ମଣିଷମାନଙ୍କଠୁ ଏ ଯୋଉ ବିଦାୟ, ତାକୁ ଖୁବ୍‌ ବାଧୁଥିଲା । ସାତ ସମୁଦ୍ର ତେର ନଈ ପାର ହେଇ ସେ ଆଉ ବାସନ୍ତୀ ଯିବେ ବିଲାତ । ଏଇ ମାଟିର ମମତା ତାଙ୍କୁ ଅସ୍ଥିର କରୁଥିଲା ।

 

ଅନେକ ରାତ୍ରିରେ ବିନୁଅପା, ମୁଁ ଓ କମଳା ଫେରିଲୁ । ବିନୁଅପା ମତେ ବାଧ୍ୟ କରି ତା’ ଘରକୁ ନେଇଗଲା । ଘରେ ବସି ଆମେ ତିନିହେଁ ନିରଞ୍ଜନ ଆଉ ବାସନ୍ତୀର ଜୀବନ ଉପରେ ବହୁତ ଆଲୋଚନା କଲୁ । କାହିଁ ନିରଞ୍ଜନ ? ଦରିଦ୍ର ବୀରରଣାର ପୁଅ । କାହିଁ ବାସନ୍ତୀ ? ଲକ୍ଷପତି ଡାକ୍ତର ସାହୁଙ୍କ ଝିଅ । ଆଉ କାହିଁ ବିଲାତ ? ସମୟ ସମୟରେ ଏ ସବୁ ସମ୍ଭବ ହୁଏ । ଭାଗ୍ୟ ତେଜ ଥିଲେ ସୌଭାଗ୍ୟ ଆସେ ।

 

ମୁଁ ଆଜି ଲକ୍ଷ୍ୟ କଲି କମଳା ଯେମିତି ବିଷଣ୍ଣ । ଆଉ ବିନୁଅପା ? ହଠାତ୍‌ ଯେମିତି ତା’ର ପ୍ରୌଢ଼ତ୍ୱ ଚାଳିଯାଇ ବାର୍ଦ୍ଧକ୍ୟ ଚାଲି ଆସିଚି । କାହିଁକି ଏମିତି ହେଲା ? ମୁଁ କାରଣ ଖୋଜୁଥିଲି ।

Image

 

ତେର

 

କାହିଁକି ଇମିତି ହେଲା ? ଜୀବନ ପଥରେ ବୁଲୁ ବୁଲୁ ହଠାତ୍‌ କାହିଁକି ସେ ବାର୍ଦ୍ଧକ୍ୟର ସ୍ୱପ୍ନ ଦେଖିଲା ? ନିତ୍ୟନୈମିତ୍ତିକ ଗତିରେ ମଣିଷର ଅବସ୍ଥାର ପରିବର୍ତ୍ତନ ହୁଏ । କିନ୍ତୁ ହଠାତ୍‌ ହଠାତ୍‌ ପରିବର୍ତ୍ତନ ହବାଟା ଅନେକ ସମୟରେ ବିଶେଷ ବିଶେଷ କାରଣମାନଙ୍କ ଉପରେ ନିର୍ଭର କରେ ।

ୟା’ବି ଦେଖାଯାଉଚି, ବାର୍ଦ୍ଧକ୍ୟର ଚିହ୍ନ ନଥିବା ମଣିଷ ଗୋଟିଏ ରାତିର କେତୋଟି ଘଣ୍ଟା ଭିତରେ ସମ୍ପୂର୍ଣ୍ଣ ବୃଦ୍ଧ ପାଲଟି ଯାଇଚି । ଚିନ୍ତା ଥିଲେ ସବୁ ପ୍ରକାର ଜଞ୍ଜାଳ । ଚିନ୍ତା ନଥିଲେ କିଛି ନାଇଁ ।

ଆଜି ବିନୁଅପା ବୃଦ୍ଧା । କ୍ରମେ ଦୈହିକ ପରିବର୍ତ୍ତନ ବଢ଼ି ଚାଲିଚି । ମସ୍ତକର କାକକୃଷ୍ଣ କେଶରାଶି ଗଙ୍ଗା ଯମୁନାର ସଙ୍ଗମ ଭଳି ପକ୍ୱକେଶର ସଂସ୍ପର୍ଶରେ ଆସିଲାଣି । କଳାକୁ ପରାଜିତ କରି ଧଳା ତା’ର ବୈଜୟନ୍ତୀ ଉଡ଼ାଇ ସାରିଚି । ଖାଲି ଯେ ଦୈହିକ ପରିବର୍ତ୍ତନ ସୁସ୍ପଷ୍ଟ, ତା’ ନୁହେଁ । ମାନସିକ ପରିବର୍ତ୍ତନ ମଧ୍ୟ ବାରି ହେଉଚି ।

ଏଇ ବାର୍ଦ୍ଧକ୍ୟର ଅଚାନକ ଆକ୍ରମଣରେ ସେ ଆଜି ଧ୍ୱସ୍ତବିଧ୍ୱସ୍ତ । ଆଘାତ ପରେ ଆଘାତର ସୂତ୍ରପାତ....ସମସ୍ତେ କାଳକ୍ରମେ ତା’ଠୁ ବିଦାୟ ନେଇଛନ୍ତି; କିନ୍ତୁ କେହି ତ ତା’ ପାଖକୁ ଆସିନି ! ସେ ବହୁ ଲୋକଙ୍କୁ ସ୍ନେହ ଦେଲା–କିନ୍ତୁ ସେମାନେ କେହି କ’ଣ ନିଜର ହେଇ ରହିପାରିଲେ ? ସେମାନେ ଯେ ଯାହା ବାଟରେ ଆଗେଇ ଯିବାର ପରିକଳ୍ପନା କଲେ । ଗଲେ ମଧ୍ୟ.....

ବିନୁଅପା ସେଦିନ ନିଜେ କହୁଥିଲା–ପୁଅ ଝିଅ ବୟସର ନିରଞ୍ଜନ ଆଉ ବାସନ୍ତୀ ପ୍ରେମ ବିବାହ କରି ବିଲାତ ଯିବା ପରେ ମୁଁ ବୁଢ଼ୀ ହେବିନି କେମିତି ? ପ୍ରେମ, ଭଲ ପାଇବା, ମିଳନ ପ୍ରଭୃତିର ସାମାନ୍ୟତମ ଆକାଂକ୍ଷା ଯଦି ମୋର ରହେ, ଲୋକେ ମତେ ପାଗଳୀ ବୋଲି କହିବେନି-?

ବିନୁଅପାର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ପରିଲକ୍ଷିତ ହେଉଛି । ଚାକିରୀ ପ୍ରତି ତା’ର ଆଉ ଆଗ୍ରହ ନାହିଁ । ସେ ନିଜକୁ ଅତିମାତ୍ରାରେ ଅସହାୟ ମନେ କରୁଚି ।

 

କମଳା ସେଦିନ କହୁଥିଲା–ବିନୁଅପା ବେଳେ ବେଳେ ରାତିରେ ଦୁଃସ୍ୱପ୍ନ ଦେଖି ହାଉଳି ଖାଉଚି । କଥାବାର୍ତ୍ତାରେ ଭାରସାମ୍ୟ ରଖୁନି । ଭାରି ଖିଆଲୀ ପାଲଟି ଯାଇଚି । ସମୟ ସମୟରେ ଭାରି ଚିଡ଼ିଉଠୁଚି ।

 

କଲ୍ୟାଣବାବୁଙ୍କର ଯେଉଁ ଫଟୋଗୁଡ଼ାକ ତା’ ପାଖରେ ଥିଲା, ଅନିରୁଦ୍ଧଦ୍ୱାରା ସେ ସବୁକୁ ସେ ପୋଖରୀ ଭିତରକୁ ଫିଙ୍ଗି ଦେଇଚି । ଘରେ କଲ୍ୟାଣର କୌଣସି ସ୍ମୃତି ସେ ଆଉ ରଖିନି । ତା’ ଚିଠିଗୁଡ଼ାକ ନିଆଁ ଲଗେଇ ଜାଳି ଦେଇଚି ।

 

ବିନୁଅପା ଘରକୁ ପ୍ରତ୍ୟହ ଯିବା ମୋର ଦୈନନ୍ଦିନ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେଇଯାଇଚି-। ଯେତେ କାମ ଥାଉ, ସେଠିକି ନିଶ୍ଚୟ ଯିବାକୁ ହବ । ନଗଲେ ବିନୁଅପା କିଛି କହୁ ନକହୁ, କମଳା ଅଭିମାନ କରି ବସେ ।

 

ହଁ, ବଡ଼ ଚାକିରୀ କରି ଆମକୁ ଆଉ ମନେ ପକେଇବେ କାହିଁକି ?

 

ବଡ଼ ଚାକିରୀ ? ହଁ ୟା’ଭିତରେ ମୋର ପଦୋନ୍ନତି ହେଇଚି । ଆମ କାରଖାନାର ଶ୍ରମମଙ୍ଗଳ ଅଫିସର୍‍ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି । ସେଦିନ କଲ୍ୟାଣବାବୁ ଟେଲିଫୋନ୍‌ କରି ମତେ ତାଙ୍କ ଅଫିସ୍‍କି ଡାକିଥିଲେ । ତାଙ୍କର ବିବାହ ପରେ ଏଇ ମୋର ତାଙ୍କ ସହିତ ପ୍ରଥମ ସାକ୍ଷାତ । ବେଶ୍‌ ଘରୋଇ ଭାବରେ ବିନୁଅପା ସମ୍ପର୍କରେ କେତେ କଥା ପଚାରିଲେ । ମୋର ମନେ ମନେ ଭାରି ରାଗ ଆସୁଥାଏ । ବିନୁଅପା ଭଳି ଗୋଟିଏ ସରଳ ନିଷ୍ପାପ ମଣିଷର ସର୍ବନାଶ କରି ଏ ଶୁଖିଲା ସହାନୁଭୂତି ଦେଖାଇବାର ମାନେ କ’ଣ ?

 

ସେ କହିଲେ–ନୀଳକଣ୍ଠ ! ବିନୋଦିନୀକି ମୁହଁ ଦେଖେଇବା ଅବସ୍ଥାରେ ମୁଁ ଆଉ ନାହିଁ । ଶେଷରେ ସେ ଯେତେବେଳେ ମୋ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା, ମୋର ଆଉ ଅନ୍ୟ ଗତି ନଥିଲା-। ଘରେ ପିଲାଙ୍କୁ ସମ୍ଭାଳି ଚାକିରୀର ଦାୟିତ୍ୱ ତୁଲେଇବା ଆଉ ସମ୍ଭବ ହେଲା ନାହିଁ । ମୁଁ ଯେ ବିବାହ କଲି, କୌଣସି ସଉକ୍‌ ବଶତଃ ନୁହେଁ । ଘଟଣାଚକ୍ରରେ ପଡ଼ି ବାଧ୍ୟ ହେଲି । ବିନୋଦିନୀ ମନରେ ମୋର ଏ ବିବାହ ସବୁଠୁ ବେଶୀ ଆଘାତ ଦେଇଥିବ । ତା’ ସହିତ ମୋର ଘନିଷ୍ଠତା, ଏଇଟା ପୃଥିବୀରେ ବିରଳ । ଏକଥା ମୁଁ ଜୋର ଦେଇ କହିପାରେ ।

 

ଚନ୍ଦ୍ର ସୂର୍ଯ୍ୟ, ଭଗବାନଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ । ହେଲେ ମୁଁ ଆଉ ବିନୋଦିନୀ ଜାଣିଚୁ । ପରସ୍ପର ଆମେ ଗଭୀର ପ୍ରେମପାଶରେ ଆବଦ୍ଧ ଥିଲୁ ସତ; କିନ୍ତୁ କୌଣସି ଦିନ ଆମ ଦୁହିଙ୍କର ଦୈହିକ ମିଳନ ସମ୍ଭବ ହେଇନାହିଁ । ବିବାହ ଥିଲା ଆମର ଲକ୍ଷ୍ୟ–ବିବାହ ପରେ ମଧୁଶଯ୍ୟା ରାତିକୁ ସ୍ମରଣୀୟ କରି ଜୀବନର ସବୁତକ ରସ ଆମେ ପାନ କରିବୁ, ଏଇ କଳ୍ପନାରେ ଆମେ ଥିଲୁ । ସେଇଟା ଯେତେବେଳେ ସମ୍ଭବ ହେଲାନି, ଦେହର ମିଳନ ମଧ୍ୟ ହେଇ ପାରିଲା ନାହିଁ । ଆଉ, ତୁମେ ମନେରଖ, ଆମର ଦୈହିକ ସଂପର୍କ ଯୌନ କ୍ଷୁଧାକୁ ନିର୍ବାପିତ କରିନାହିଁ ବୋଲି ସେ ମୋ ପ୍ରତି ଏତେ ଆକୃଷ୍ଟ । ଆମ ପ୍ରେମର ପଥ ପିଚ୍ଛିଳ ନୁହେଁ । ଆମେ ଦୁହେଁ ପରସ୍ପରକୁ ପ୍ରେମ କରିଚୁ–ମନ ରାଜ୍ୟରେ ଉଭୟ ଉଭୟଙ୍କୁ ଗଭୀର ଭାବରେ ନିଜର କରିପାରିଚୁ । ତେଣୁ ଆମ ପ୍ରେମ କ୍ଷଣସ୍ଥାୟୀ ନହେଇ, ହେଇଚି ସୁଦୂରପ୍ରସାରୀ ।

 

ମୁଁ ଅବାକ୍‌ । ଆଜି ମୋ ପାଖରେ ଯେମିତି ଏକ ନୂତନ ସତ୍ୟ ଉଦ୍‌ଘାଟିତ ହେଲା ।

 

ତାହା ହେଲେ ବିନୁଅପା କ’ଣ ଏବେ ବି ନିଷ୍କଳଙ୍କ ତୁଳସୀ ? ସଂଧ୍ୟା ତାରାଟି ଭଳି ନିଷ୍ପାପ ପବିତ୍ର ?

 

କଲ୍ୟାଣବାବୁ ପୁଣି କହିଲେ–ବିନୋଦିନୀ ଏକ ମହାନ୍‌ ଚରିତ୍ର । ମୁଁ କିନ୍ତୁ ଅଯୋଗ୍ୟ । ମତେ ଅପେକ୍ଷା କରି ଯିଏ ସାରା ଜୀବନ ଆଶାରେ ବିତେଇଦେଲା, ମୁଁ ତା’ର ଯୋଗ୍ୟ ପ୍ରତିଦାନ ଦେଇ ପାରିଲିନି । ମୋ ଯୌନ କ୍ଷୁଧାକୁ ନିବାରଣ କରିବା ପାଇଁ ଦୁଇ ଦୁଇ ଥର ବିବାହ କଲି । ବିନୋଦିନୀ ମତେ କ୍ଷମା ଦେଇ ପାରେନା । ତେଣୁ ମୁଁ ତାକୁ ଆଉ ସାକ୍ଷାତ କରିବାର ସାହସ କରିନି, କରିପାରିବିନି ମଧ୍ୟ । ତା’ରି ଜ୍ୟୋତି ମୋ ଚଲାପଥକୁ ଆଜି ଆଲୋକିତ କରୁଚି ।

 

ସେ ଟକିଏ ସମୟ ନୀରବ ରହିଲେ । ତାଙ୍କ ଅଫିସ୍‌ ରୁମ୍‌ଟା ଯେମିତି ବ୍ୟର୍ଥ ଛନ୍ଦରେ ବିଳାପ କରିଉଠିଲା । ଚକ୍ଷୁ ହେଲା ଛଳଛଳ । ସେ ଭଙ୍ଗା ଗଳାରେ ପୁଣି କହିଲେ–ଗୋଟାଏ ଉନ୍‌ମାଦନାରେ ସିନା ଦ୍ୱିତୀୟ ଥର ବିବାହ କଲି; କିନ୍ତୁ ଖାଲି ମନସ୍ତାପ ସାର ହେଲା । ମୋ ସ୍ତ୍ରୀ ଶୋଭାର ବିଷାକ୍ତ ନିଃଶ୍ୱାସରେ ଘରଟା ଆଜି ମୋର ଉତ୍ତପ୍ତ । ପିଲାମାନେ ଯଥୋଚିତ ସ୍ନେହ ପାଇବାରୁ ବଞ୍ଚିତ...ଲକ୍ଷ୍ମଣ ପରି ଭାଇ ଚିନ୍ମୟ ମୋ ସହିତ ସବୁ ସଂପର୍କ ଛିନ୍ନ କରିଦେଇଚି । ମୁଁ ଆଜି ନିଜକୁ ଭାବୁଚି କୌଣସି ଏକ ମରୁ ପ୍ରଦେଶର ଦୀର୍ଘକାୟ ରସବିହୀନ ପତ୍ରଶୂନ୍ୟ ମୃତ ତରୁ ଭଳି । ମୁଁ ଅଭିଶପ୍ତ...

 

ଆଉ ବିନୋଦିନୀ ? ତା’ ଦେହରେ ଟିକିଏ ବି ପଙ୍କ ଲାଗିନି । ସେ ପିଷ୍ପାପ ପିଷ୍କଳଙ୍କ । ସେ ମାନବୀ ନୁହେଁ ଦେବୀ...ସେ ନମସ୍ୟା...

 

କଲ୍ୟାଣବାବୁ କାନ୍ଦିଉଠିଲେ । ସଚିବାଳୟର ଅଫିସ୍‍ ରୁମରେ ଏ ଏକ ନୂଆ କଥା । ସର୍ବୋଚ୍ଚ କର୍ତ୍ତା ଜଣେ ପିଲାଙ୍କ ଭଳି ଅଧୀର...ଲୋତକର ସ୍ରୋତ ତାଙ୍କ ପରିଧାନକୁ ଭିଜେଇ ଦବାରେ ଲାଗିଲା । ମୁଁ ବି ବ୍ୟସ୍ତ ହେଇପଡ଼ିଲି । ଯାହା ହବାର ତ ହେଇଯାଇଚି, ତାକୁ ନେଇ ଆଉ ଭାବିବାରେ ଲାଭ କ’ଣ ?

 

ବିନୁଅପାର ଜୀବନ ତ ଛାରଖାର ହେଇଯାଇଚି । ତାକୁ ଆଉ ସଜାଡ଼ିବା କ୍ଷମତା ଏ ପୃଥିବୀରେ କାହାରି ନାହିଁ ।

 

କଲ୍ୟାଣବାବୁ ଶେଷରେ କହିଲେ-ନୀଳକଣ୍ଠ ! ତୁମେ ବିନୋଦିନୀର ଅତି ଆତ୍ମୀୟ । ତା’ର ତ କିଛି ଉପକାର ଏ ଜୀବନରେ କରିପାରିଲିନି । ତୁମର ଯଦି କିଛି କରିପାରେ, ସେ ହୁଏତ ଶାନ୍ତି ପାଇବ । ମୋ ଶକ୍ତିରେ ଅଧିକ କିଛି ନାହିଁ । ତୁମର ପଦୋନ୍ନତି ମୁଁ କରିଦେଉଛି । ସହକାରୀ ଶ୍ରମମଙ୍ଗଳ ଅଫିସର୍‌ରୁ ତୁମକୁ ଶ୍ରମମଙ୍ଗଳ ଅଫିସର୍‌ କରାଗଲା । ଚିଠି ଟାଇପ୍‌ ସରିଚି । ହାତେ ହାତେ ନେଇଯାଅ ।

 

ପଦୋନ୍ନତିର ଚିଠିଟି ଧରି ମୁଁ ସେଦିନ ଫେରି ଆସିଥିଲି । ବିନୁଅପାକୁ ଏ କଥା କହିବାରେ ସେ କହିଥିଲା–କଲ୍ୟାଣର ତାହା ହେଲେ ମୋ କଥା ମନେଅଛି ? ହଉ ମୋ ଅଦୃଷ୍ଟ ତେବେ ଖରାପ ।

 

ଗୋଟାଏ ସ୍ତର ପର୍ଯ୍ୟନ୍ତ ମଣିଷ ତା’ ଦୁଃଖକୁ ସମ୍ଭାଳିନିଏ; କିନ୍ତୁ ସେ ସ୍ତର ଟପିଲେ ଆଉ ସମ୍ଭାଳିବା ସମ୍ଭବ ହୁଏନା । ମଣିଷର ମନ ବିଦ୍ରୋହୀ ହେଇଉଠେ–ଚାରିପାଖର ପରିବେଶ ବିଷାକ୍ତ ମନେହୁଏ । ସେ ନିଜକୁ ଖାପଛଡ଼ା ମନେକରି ନାନା ପ୍ରକାର ଅସଙ୍ଗତ କାମ କରିବସେ । ଭଲମନ୍ଦ ବିଚାର କରିବା ହୁଏତ ସମ୍ଭବ ହୁଏନା ।

 

ବିନୁଅପା ଆଜି ସେଇ ଅବସ୍ଥା । ତା’ର ସମସ୍ତ ଆଶା ଆଜି ଚୂର୍ଣ୍ଣୀଭୂତ । ପରାଜୟର ଗ୍ଳାନି ବହନ କରି ସେ ଆଜି ବାତ୍ୟାବିକ୍ଷୁବ୍‌ଧ କ୍ଷୁଦ୍ର ପର୍ବତଟିଏ ପରି ଦଣ୍ତାୟମାନ । ଅପେକ୍ଷା କେବଳ ଭୂମିକମ୍ପକୁ । କେତେବେଳେ ଏଇ କ୍ଷୁଦ୍ର ପର୍ବତ ଯେ, ଭୂମିକମ୍ପର ପ୍ରବଳ ବେଗରେ ମାଟିରେ ମିଶିଯିବ, ତା’ କହି ହୁଏନା ।

 

ବିନୁଅପା ପୁଣି ଅସୁସ୍ଥ ହେଇପଡ଼ିଚି । ସେଇ ଅସୁସ୍ଥ ଶରୀରରେ ସେ ଦିନ ସେ ମତେ କହିଲା–ନୀଳୁ; ମୋର ଆଜି ମନେହୁଏ ମୋ କର୍ତ୍ତବ୍ୟ ମୁଁ ଶେଷ କରିଚି । କେବଳ ବାକି ଅଛି ଗୋଟିଏ କାମ । ସେତକ ନ କରିବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ । ମୁଁ ଆଉ ବଞ୍ଚି ରହିବାକୁ ଚାହେଁନା । ଯେତିକି ଦିନ ବଞ୍ଚିଲିଣି, ସେତିକି ଯଥେଷ୍ଟ । ଆଉ ଅଧିକ ଦିନ ବଞ୍ଚି ରହିଲେ ଦହଗଞ୍ଜ ହେବି । ବୁଢ଼ୀ ବଅସରେ ମୋର ତତ୍ତ୍ୱାବଧାନ କିଏ କରିବ ? ବଳ ଥାଉ ଥାଉ ଆଖି ବୁଜିଦବା ଭଲ...

 

ମୁଁ କହିଲି–କାହିଁକି ଏସବୁ ପାଗଳାମି କରୁଚ ? ତୁମର କେହି ନଥାଇ ପାରନ୍ତି, କିନ୍ତୁ ମୁଁ ଆଉ କମଳା ଦୁହେଁ ତ ଅଛୁ ! ଆମେ ତମକୁ ଛାଡ଼ି କୁଆଡ଼େ ଯିବୁ ?

 

ସେ ମୋ ମୁହଁକୁ ଖୁବ୍‌ ନିବିଷ୍ଟ ଭାବରେ ଚାହିଁ ରହିଲା । ପାଖରେ ବସି କମଳା ଗୋଟାଏ ତକିଆ ଖୋଳ ଉପରେ ଫୁଲ ପକାଉଥାଏ । ମୁଁ ତଳକୁ ମୁହଁ ପୋତିଲି । ତା’ର ସେ ତୀବ୍ର ଚାହାଣୀ ମତେ ବିବ୍ରତ କରି ପକେଇଲା । ତା’ ବଅସର ଜଣେ ନାରୀ ଯେ ଏମିତି ଚାହିଁପାରେ, ମୋର କଳ୍ପନା ବାହାରେ ଏହା ଥିଲା ।

 

ସେ ପୁଣି କହିଲା–ନୀଳୁ ! ମୋ ନିଜ ପାଇଁ ମୁଁ କିଛି ଚାହେଁନା । ସବୁ କାମ ଶେଷ କରି ସାରିଲିଣି । ଆଉ ଗୋଟିଏ କାମ ବାକି ଅଛି । ମୋର ଶେଷ ଇଚ୍ଛା, ତୁ କମଳାକୁ ପତ୍ନୀ ହିସାବରେ ଗ୍ରହଣ କରିବୁ ।

 

କମଳା ମୁହଁରେ ଲାଜର ରକ୍ତିମା । ସେ ମୁହଁ ବୁଲେଇ ଦେଲା । ବିନୁଅପା କହିଲା–ମୋର ସଂସାରରେ କେହି ନାହିଁ । କମଳା ମୋର ପାଳିତା ଛୋଟ ଭଣଣୀ...ଆଉ ତତେ ମୁଁ ସାରା ଜୀବନ ଅଲିଅଳ ଭାଇଟେ ଭଳି ଦେଖି ଆସିଚି । ତୁମେ ଦୁହେଁ ଏକ ହେଇଗଲେ ମୁଁ ଶାନ୍ତି ପାଇବି । ମୋ ରାଣ, ତୁ ଏଇ ଭାଗ୍ୟହୀନାଟିକି ଗ୍ରହଣ କର ।

 

ମୋ ମୁହଁରେ ଭାଷା ନାହିଁ । ଏ ଏକ ପରୀକ୍ଷାର ସମୟ । ଜଣେ ଅପ୍ରସ୍ତୁତ ଛାତ୍ର କଠିନ ପ୍ରଶ୍ନ ଦେଖିଲେ ଯୋଉ ଅବସ୍ଥାରେ ପଡ଼େ, ମୋର ଆଜି ସେଇ ଅବସ୍ଥା ।

 

ସେ ପୁଣି କହିଲା–ମୋର ସବୁ ସମ୍ପତ୍ତି, ଗଚ୍ଛିତ ଟଙ୍କା ଆଉ ଏଇ ଘର ତୁମ ଦୁହିଁଙ୍କର । ମୋ ଜୀବନ ତ ଅପୂର୍ଣ୍ଣ ରହିଗଲା, କିନ୍ତୁ ତୁମ ଦୁହିଁଙ୍କ ଜୀବନରେ ପୂର୍ଣ୍ଣତା ଆସୁ । ସେଇଥିରେ ମୋର ଆନନ୍ଦ...

 

ବିନୁଅପା ପ୍ରତି କି ଭାଷାରେ ମୁଁ କୃତଜ୍ଞତା ଜ୍ଞାପନ କରିବି ? ମୋର ମନେ ହେଲା ମୁଁ ଯେମିତି ସାତତାଳ ପଙ୍କ ଭିତରେ ଏକ ଉଜ୍ଜ୍ୱଳ, ମାଣିକ୍ୟର ସନ୍ଧାନ ପାଇଚି–

Image